Unknown

 

 

 

 

 

 

 

 

 

 

 

ଅର୍ଥାନ୍ତର

ଚନ୍ଦ୍ରକାନ୍ତା

ଶ୍ରୀନିବାସ ଉଦ୍‌ଗାତା

 

ଅର୍ଥାନ୍ତର

 

କଳାଧଳା ଟୁକୁରା ଲଗା ସାମିଆନା ଭଳି ଆକାଶରେ ମେଘର କେତେ କେତେ ଆକାର ଉକୁଟି ଉଠୁଛି । ଭିଣା ତୁଳାର ପାହାଡ଼ମାନଙ୍କ ମଝିରେ କେତେ ରୂପର ଗଢ଼ାଭଙ୍ଗା, ଘଡ଼ି ଘଡ଼ିକେ ରୂପ-ବଦଳି-ଯାଉଛି । ଏଇମାତ୍ର ମୃଗଶିଶୁ ଲୁଚକାଳି ଖେଳୁଥିଲେ, ଏଇନେ କୋଉ ଅଜଣା ଦେଶକୁ ଆଶ୍ରୟପାଇଁ ଚାଲିଗଲେ । ପୂର୍ବପଟେ କଳା ଚଟାଣ ପଛରେ ଦୁଇଟି ଉତ୍ସୁକ ଚେହେରା ମୁଦ୍ରାରେ ମିଶିଯାଇ ଏକାକାର ହୋଇଗଲେ । କମ୍ମୋ ଦେଖୁ ଦେଖୁ ଏଇ ଲୟ-ବିଲୟ ବିରାଟ ଚାନ୍ଦୁଆରୁ ଧୋଇପୋଛି ହୋଇଗଲେ । ଗଭୀର ମେଘଖଣ୍ଡ ରଙ୍ଗର ପକ୍ଷୀ, ବଉଦ ଉପରେ ଛିଞ୍ଚି ହୋଇଗଲେ ଆଉ ଓଳେଇ ହେଲା କୋଣଟିରେ ହଳଦିଆ ଫ୍ରେମ୍‌ରେ ବନ୍ଧା ଜହ୍ନ ରୋଗିଣା ଭଳି ଆଲୁଅ ଫିଙ୍ଗିବାକୁ ଲାଗିଲା ।

 

‘ଫର୍‌ ୟୁ……ଫର୍‌ ୟୁ sss ।’

 

ଆତ୍ମୀୟତାର ମୁହୂର୍ତ୍ତଗୁଡ଼ିକରେ ଦେଇଥିବା କଥା ଉଦାସ ଜୋଛନାରେ, ମନ ଭିତରେ ରୋମାଞ୍ଚ ଜଗାଇଦିଏ । ମନ୍ଦ ପବନର ତାରରେ ଲହଡ଼ି ଭାଙ୍ଗୁଥିବା ସଙ୍ଗୀତର ସ୍ୱର ଚେତନାର ପ୍ରତି ସ୍ତରକୁ ଥରେଇ ଯାଉଛନ୍ତି ।

 

‘ଇଫ୍‌ ୟୁ ଆସ୍କ ମି, ଆଇ ଓ୍ୱିଲ ଗେଟ୍‌ଦ ଓ୍ୱାର୍ଲଡ ଫର୍‌ ୟୁ ।’

 

ଜ୍ୟୋତ୍ସ୍ନା । ଲମ୍ୱା, ପାତଳ ‘କେଶୋରୀନା’ ଗଛକୁ ଗେଲକରି ଆଉଁସି ଦେଇ, ଶୀତଳ ଜ୍ୟୋତ୍ସ୍ନା କମ୍ମୋର ବିଛଣାରେ ଅଜାଡ଼ି ହୋଇପଡ଼ିଛି । ରତି ଶ୍ରାନ୍ତା ? ନବ ଅଭିସାରିକା ? ନା । ବିରକ୍ତ, କ୍ଳାନ୍ତ, ଅଳସ, ଶ୍ରମଜର୍ଜର । ଠିକ୍‌ କମ୍ମୋଭଳି, ଯାହାକୁ ଛୁଇଁ କୌଣସି କିରଣ କାମୋଦ୍‌ଭବା ବୋଲାଏ ନାଇଁ ।

 

ଦୂର ସାଗରର ଲହଡ଼ାରେ ଚଞ୍ଚଳ ଏଇ ବାସନ୍ତି କିରଣ; ସେହି କିରଣ ଉପରେ ଶିହରିତ ହେଉଥିବା ଉନ୍ମାଦଭରା ସ୍ୱର, କମ୍ମୋ ଭିତରେ କୌଣସି ଉନ୍ମାଦନା ଜଗାଏ ନାଇଁ, ଜଗାଏ ନାଇଁ, ଜଗାଏ ଅଗଣିତ ବିସଙ୍ଗତିର ଜୁଆର ଭଟ୍ଟା । କମ୍ମୋ ଏତକ ତ ଜାଣିସାରିଛି ଯେ, ହାଓ୍ୱାରେ ମହଲ ରହେ ନାଇଁ, ଧରିତ୍ରୀର ଗୁରୁତ୍ୱାକର୍ଷଣ ତାକୁ ଆକାଶରେ ରଖେଇ ଦେବନାଇଁ, ଯେମିତି ଧରିତ୍ରୀରେ ଆକାଶଗଙ୍ଗାର ଉଦୟ ହେବ ନାଇଁ । ସପ୍ତରଙ୍ଗୀ ଇନ୍ଦ୍ରଧନୁର ତୋରଣ ଖାଲି ଦେଖିବା ଲାଗି ସିନା, ତାକୁ ଛୁଇଁ ହୁଏ ନାଇଁ ।

 

ମାଟିରେ କ’ଣ ଅଙ୍କୁରିତ ହୁଏ ? ଇଏ ପୁଣି ଗୋଟାଏ ପ୍ରଶ୍ନନା ? ବିଜୟ କହେ ‘ମାଟିରେ କ’ଣ ଉଠେ ନାଇଁ ? ଦେହର ଭୂଗୋଳର ଅନିବାର୍ଯ୍ୟତା ଅନ୍ତହୀନ ! ଏଇ କମ୍ମୋର ମୁଣ୍ଡରେ ବୁଦ୍ଧି ଜାଗାରେ ଖାଲି ମାଠିଆଟିଏ ଅଛି ।’

 

ଉଷୁମ ପରିବେଶରେ କୋଠରି, ପଲଙ୍କ ଆଉ ସେ ତୁଳାଭଳି ହାଲୁକା ହୋଇ ଯେତେବେଳେ ପବନରେ ଭାସି ବୁଲନ୍ତି ଆଉ କଶୋରୀନାର କଅଁଳ କଅଁଳ ପତ୍ରଗୁଡ଼ିକୁ ଆଉଁସି ଦେଉଥିବା ଜ୍ୟୋତ୍ସ୍ନା ଯେତେବେଳେ ତାକୁ ଆଲିଙ୍ଗନରେ ଭିଡ଼ି ବସେ ସେତେବେଳେ କମ୍ମୋର ଦରବୁଜା ଆଖିପତା, ନିଦୁଆ, ଭାରି ଭାରି ଆଖିପତା ଆଙ୍ଗୁଠି ଟିପରେ ଦବେଇ ମାଣ୍ଡିରେ ମୁହଁ ମାଡ଼ିନିଏ ।

 

ପାଖ ପ୍ଳଟ ନମ୍ୱର ଏଗାରରୁ ଜାଜ୍‌ ସଙ୍ଗୀତର ଧୁନ୍‌ରେ ଉନ୍ମାଦିତ ଦୁଷ୍ଟ ହସର ଫୁଲଝଡ଼ି ଛୁଟୁଛି । କେତୋଟି ସ୍ପଷ୍ଟ ଧ୍ୱନି କେଇ ମିନିଟ୍‌ପାଇଁ ସ୍ତବ୍‌ଧ ହୋଇଯାଇଛି । ପୁଣି କିଛି ବେଳ ପରେ ଦୁଇଗୁଣ ଗତିଶୀଳ ହୋଇ ବୁଣି ଯାଉଛି ଉନ୍ମାଦ...ହୋଃ sss ହୋଃ sss ହାୟ ! ଟ୍ୱିଷ୍ଟ, ଶେକ୍‌, ଚେଞ୍ଜ । ଅନ୍ଧାରରେ ବଦଳୁଥିବା ପାର୍ଟନର, ଉନ୍ମାଦଭରା ଧ୍ୱନି-ପ୍ରତିଧ୍ୱନି, କୋମଳ-ଦୀର୍ଘ ସୀତ୍କାର ଆଉ ଦେହରୁ ଉକୁଟି ଆସୁଥିବା ଆଦିମ କ୍ଷୁଧା ପ୍ଳଟ ନମ୍ୱର ଏଗାରକୁ ଲକ୍ଷେ ବର୍ଷ ତଳର ପ୍ରସ୍ତର-ଯୁଗକୁ ଠେଲି ନେଇ ଯାଉଛି ଗୋଟାଏ ଉଷୁମ ଗାଧୁଆ କୁଣ୍ଡକୁ, ଯୋଉଠି ସଭିଏଁ ଉଲଗ୍ନ ସେଇ ଉଲଙ୍ଗତାକୁ ଘୋଡ଼େଇବାକୁ ନା’ କାର ମନ ଅଛି ନା’ ସମୟ । ଉଷୁମ ଝରିରେ ଗାଧୋଇଲା ପୂର୍ବରୁ ଦେହର ଉଷ୍ମତା, ପିଆଲାରେ ପିଆଲା ବାଜିବାର ଶବ୍ଦ...ବିଜୟ ଏଇଆକୁ ଜୀବନ ବୋଲି କହେ । ପଇସା, ଜୀବନର ଆଧାର ଶିଳା । ନୋଟ୍‌ର ବିଛଣା ଉପରେ ଶୋଇ ରହିଥିବା ଲୋକେ, ଏଠାରେ ବିଜ୍ଞାନ ଓ ଦର୍ଶନକୁ ଭୁଲିଯାଇ ଦେହର ଭୂଗୋଳରେ ହଜିଯାଆନ୍ତି ଆଉ ପଳେଇଯାଉଥିବା ସମୟର ଝୁଲାମୁଣିରୁ ମୁଠାଏ ସରିକି ସୁଖ ସାଉଁଟି ନେଇ ସାଇତି ରଖନ୍ତି ।

 

ସୁଖର ଏ ଜୁଆରଭଟ୍ଟା ଆନ୍ଦୋଳିତ ଛାତିଗୁଡ଼ିକକୁ ଫେନିଳ କରିଦିଏ । ଶୁଖିଲା ତଟ ଭିଜେଇ ଚାଲିଥିବା ଲହଡ଼ା କିଛିବେଳ ଲାଗି ଆପଣାର ଆବର୍ତ୍ତ ସାଙ୍ଗରେ ଲଢ଼ି ପୁଣି ନିଜ ଆକାର ଭିତରେ ଯାକିଯୁକି ହୋଇ ରହିଯାଏ, ଆଉ ଅନବରତ ଉଦ୍‌ବେଳିତ ସାଗରର ଢ଼ଳ ଦେଶରେ ମୌନ ଅଳସ ଗତିରେ ଘୂରିବୁଲେ । କମ୍ମୋର ଛାତିର ଉଦ୍‌ବେଳନ ତାକୁ ଆକଟ କରେ ବାରମ୍ୱାର-। ଉତୁରି ଆସୁଥିବା ଲହଡ଼ିଗୁଡ଼ିକ ତଟମାନଙ୍କୁ କେତେ ଯେ ଶିପ, ଶଙ୍ଗ, ଗେଣ୍ଡା ଦେଇ ଦେଇ ଆଶ୍ୱସ୍ତ ହୋଇଯାଏ । କମ୍ମୋର ମୁଠାରୁ ଶୁଖିଲା ବାଲିକଣା ଝରିଝରି ଯାଏ । ଆହା ! ଏତେ ଚଞ୍ଚଳ-? ଶତାବ୍ଦୀ ଧରି ପିପାସୀ ଏ ବାଲି; ସତରେ କଣ ଏଇମାତ୍ର କୋଉ ଲହଡ଼ା ଭିଜେଇ ଯାଇଛି-?

 

କମ୍ମୋର କପାଳରେ କ୍ରସ୍‌ ଅଙ୍କିତ ହୋଇଯାଏ । ଏଇ କ୍ରସ୍‌ରେ ଟଙ୍ଗା କମ୍ମୋ ନିଜକୁ ବାଲିମୟ ସାହାରାରେ ଅନନ୍ତ କାଳରୁ ବିଛେଇ ହୋଇ ରହିଥିବା ଭଳି ଅନୁଭବ କରିଛି । ‘ପାଣି ପାଣି’ର ସ୍ୱର ପ୍ରତି-ଲୋମରୁ ଫୁଟି ପଡ଼ୁଛି । ପାଖରେ ହିଁ ରହିଛି କ୍ଷିତିଜର ବାହୁଯାଏଁ ଲୋଟିପଡ଼ିଥିବା ବିସ୍ତୀର୍ଣ୍ଣ ସାଗର । ଲବଣାକ୍ତ । ଯାହା ଆପାଦମସ୍ତକ ଜଡ଼ସଡ଼ କରିଦେଇପାରିବ, ହେଲେ ସେଇ ସୂକ୍ଷ୍ମ ଧାରାଟି ଦେଇପାରିବ ନାଇଁ, ଯୋଉଥିରୁ ହଲକ ଶୁଖିଲେ ଚଳୁଏ ପିଇ ନେଇ ହେବ ।

 

ନିଦ । ନିଦ ଏଇନେ ତାକୁ ଆସୁ ନାଇଁ । ବାଧ୍ୟକରି ଆଣିବାକୁ ପଡ଼ୁଛି । ଦରବୁଜା ଆଖିରେ ସପ୍ତର୍ଷିଙ୍କର ମିଟିମିଟି ଆଲୁଅକୁ ଅପଲକ ଅନେଇ ରହିଥିବା ତାରା ଭିଡ଼ିମୋଡ଼ି ହୋଇବସେ । ଧୀରେ ପଲକ ନୁଆଇଁ, ତାପରେ ଝିଲିମିଲି ଚିତ୍ର ଆଙ୍କି ନିଦ ତାର ତାକୁ ଦୂରକୁ ଭସେଇ ନିଏ, ବେଳ-ଅବେଳରେ କ୍ରମହୀନ, ଅଲଗାପଗା ।

 

ଦୂର ସେପାରି ମହକିଲା କ୍ଷେତରୁ ଢୋଲକର ଧ୍ୱନି, ଜଳନ୍ତା ‘ଅଁତରା’ର ଚାରିକଡ଼େ ଝୁମି ଉଠୁଥିବା ମତାଣିଆ ଗୀତ, ପବନର ଧୀର ହାନ୍ଦୋଳାରେ ଦୋହଲି ଦୋହଲି ତା ଯାଏଁ ପହଞ୍ଚିଯାଏ କମ୍ମୋ । ସମ୍ମୋହନର ସୂତ୍ରରେ ବାନ୍ଧିହୋଇ ଦୂରଯାଏ ଟାଣିହୋଇଯାଏ ।

 

ମାଇଲି ମାଇଲି ବିସ୍ତୁତ କ୍ଷେତରେ ଗହମ କେଣ୍ଡା ପାଚିଗଲେଣି । ହଳଦୀ ରଙ୍ଗର ସୋରିଷ ଫୁଲ ଗେହ୍ଲେଇ ଗେହ୍ଲେଇ ଦୋହଲି ଯାଉଥିଲେ । ସେ କେଣ୍ଡାଗୁଡ଼ିକର ଆଢ଼ୁଆଳରେ କୋଉ ହୀର୍‌-ରାଂଝାକୁ ଗୁହାରୁଥିବ । ରୁଷିଲା ମହୀବାଲକୁ କୋଉ ସୋହନୀ ମନେଇ ଚାଲିଥିବ । କ’ଣ ସେମାନଙ୍କୁ ଏଇ ପ୍ରେମର ଛକା ପଂଝା, ଆଉ ହାୟ ଇସ୍‌ ଛଡ଼ା କିଛି ଦିଶୁ ନ ଥିଲା ? ମନକୁ ଲଗେଇବା ବୁଝେଇବାର ଆଉ କୋଉ ବାଗ !

 

କମ୍ମୋର ଓଠରେ ଅକାରଣ ବିଦ୍ରୁପ ଲାଖି ରହେ । କୋଉ ଋତୁରେ ପାଚିଲା ବୟସର ଲୋକେ ଜୀବନର କିଛି ବର୍ଷ ଡେଇଁ ପଛକୁ ଫେରିଆସନ୍ତି । ସମୟରେ ଚିହ୍ନଗୁଡ଼ିକୁ ଝାଳ ବୁନ୍ଦାଭଳି ଆଙ୍ଗୁଠି ଟିପରେ ପୋଛି ଅଲଗା କରିପକାନ୍ତି ! ସେତିକିବେଳକୁ କ୍ଷେତରେ, ଘାସ ଭରା ଆଉ ଗଦା ଗଦା ଧାନ ଖରି ଆଢ଼ୁଆଳରେ ପାଚିଲା ଫସଲର ଯୁଆନ ଗନ୍ଧରେ ଧୁଆ ସ୍ୱର, ମାନ, ମନୋବଳ, ମନତି ଭରିଯାଏ । କମ୍ମୋ ଏସବୁ ଶୁଣିଛି, ସେତେବେଳେ ଶୁଣିଛି ଯେତେବେଳେ ଶୁଣିବାରେ ଦୋଷ ଥିଲା । ସେତେବେଳେ ସେଇ ସ୍ୱରର ଉନ୍ମାଦ ତାକୁ ଭୂତଭଳି ଜଡ଼େଇ ଧରିଥିଲା । ଆଉ ସେ ସବୁର ଫୁଆରା, ଏଇନେ ହଜାର ମାଇଲର ଦୂରତା ସତ୍ତ୍ୱେ ଭିଜେଇ ଯାଉଥିଲା । ସେଇ ସ୍ମୃତିଜଡ଼ା, ଛୋଟ ଛୋଟ ସ୍ମୃତି ସାଇତି ସୁନ୍ଦର ସୁନ୍ଦର ପେଡ଼ି....ସେତକରୁ ଖାଲି ହୋଇଗଲେ, କମ୍ମୋ ଭିକାରୁଣୀ ପାଲଟି ଯିବ ନାଇଁ... ?

 

ସେଇଠି ଜହ୍ନ ଆଲୁଅ କେଶୋରୀନାର ଉଚ୍ଚା ଉଚ୍ଚା ଗଛକୁ ନୁହଁ, ଚୀଡ଼ ଆଉ ଚୀନାରର ରଜାଭଳି କଅଁଳ ପତ୍ରଗୁଡ଼ିକୁ ଆଉଁସି ଦେଉଥିଲା । ଓଦା ପବନରେ ଦୋହଲୁଥିବା ଶାଖାରେ ରୁପେଲି ଆଲୁଅ ରେଶମୀ ସୂତାପରି ଖସି ଖସି ଯାଉଥିଲା । ବୁଲାଣି ପାହାଡ଼ଗୁଡ଼ିକରେ ସର୍ପିଣୀ ଭଳି ଲୋଟି ପଡ଼ିଥିବା ଚଲା ରାସ୍ତା, ସେଇ ଭିଜିଲା, ଧୂସର, ସବୁଜ ରାସ୍ତାରେ କମ୍ମୋର କଅଁଳ ଛନଛନ ପାଦ ଏଣେତେଣେ ପଡ଼ି ଚିହ୍ନ ଛାଡ଼ି ଯାଉଥିଲା । ପାଇନ୍‌ ଆଉ ସରୋର ଆନନ୍ଦଭରା ଜଙ୍ଗଲରୁ ମହକିଲା ପବନ ବହି ଆସେ; ଆଉ କେତେ ଯେ ସୁଖ ବୁଣି ଦେଇଯାଏ ପବନ ସେଇ ମାଟିରେ । ସେହି ପାହାଡ଼ମାନଙ୍କର କୋଳରେ ଥିଲା ତା’ ମାମୁର ଛୋଟିଆ ସୁନ୍ଦର ଘରଟିଏ, ତୁତ୍‌, ଗିଲାସ ଆଉ ଖଟା ମିଠାଳିଆ ଆଲୁଚ ବଗିଚା ଘେରା । ଖରାଦିନେ ଆଲୁଚ ଗଛ ତଳେ ଦରି ବିଛେଇ ମାମୁଙ୍କର ଗୋଷ୍ଠୀ ଜମୁଥିଲା । କମ୍ମୋକୁ ଡାକନ୍ତି, ସାଙ୍ଗସାଥୀଙ୍କୁ ତା’ରି ହାତରେ ଡକେଇ ପଠାନ୍ତି-‘ଯା ନାଥୁ, ଦୀନାକକା ଆଉ ଗଫୁର ମିଆଁକୁ ଡାକି ଆଣିବୁ । ଆଉ ଶୁଣ…’

 

‘ଜାଣିଛି ମାମୁ ମକ୍‌ଖନ କାକାକୁ ବି ।’ ଆଉ କଥା ଅଧା ଶୁଣି କମ୍ମୋ ପାଖ ପଡ଼ିଶାର ଦଦେଇ ଖୁଡ଼ୁତାଙ୍କୁ ଡାକିବାକୁ ଦଉଡ଼ି ଯାଇଥିଲା । ଦୀନାକକାକୁ ଘରେ ନ ପାଇଲେ ଖଳାକୁ ଯାଇ ଡାକି ଆଣୁଥିଲା । ଘାସ ଗୋଛାଗୁଡ଼ିକର ଆଢ଼ୁଆଳରେ ଯୋଡ଼ି ଯୋଡ଼ି ହୋଇ କେତେ ଯୋଡ଼ିର ଫିସ୍‌ଫାସ୍‌ କଥା ଶୁଣୁଥିଲା । କମ୍ମୋ ଉତ୍ସୁକ ଆଖିରେ ଦେଖି ନେଉଥିଲା ସିନା କିଛି ନ ବୁଝି କାକା ପାଖକୁ ଯାଇ ଖବର ଦେଇ ଚାଲିଆସୁଥିଲ । କେତେ କକେଇ, ଦଦେଇ ଆସି ପହଞ୍ଚିଯାଉଥିଲେ । ଲମ୍ୱା ନଳୀବାଲା ଚମକିଲା ପିତଳ ହୁକ୍‌କା ଆଉ ଥାଳିରେ ଲୁଣ, ଗୋଲମରିଚ, ଗୋଳିଆ ଆଲୁଚ ସଜିଲ ହୋଇ ପହଞ୍ଚିଯାଉଥିଲା ।

 

ହୁକ୍‌କା ସଜିଲ କରିଦିଏ କମ୍ମୋ । ସେମାନେ ତାସ୍‌ ଖେଳିଲା ଭିତରେ ଜମିବାଡ଼ି, ସେ ବର୍ଷର ଫସଲ, କ୍ଷେତ ଖଳାର ଝଗଡ଼ା, ବରଷା, ଆଉ କେଜାଣି କେତେ କ’ଣ କଥା ହୁଅନ୍ତା । ମାମୁ ଲୁଚେଇ ଲୁଚେଇ ତା ହାତରେ ପାଚିଲା, ରସୀଳା ଆଲୁଚ ଧରେଇ ଦେଲେ, କୃତଜ୍ଞ ଆଖିରେ ଦେଖି ସ୍କୁଲରେ ନୂଆ ନୂଆ ଶିଖିଥିବା ‘ଥେଂକ୍‌ସ’ ମାମୁକୁ ବଢ଼େଇ ଦେଉଥିଲା କମ୍ମୋ । ମାମୁ ତାର ଅଲରା ବାଳକୁ ଆଉଁସି ଦେଇ ମିଠା ଚୁମାଟିଏ ଦେଇ କହୁଥିଲେ....‘ତୋ ଲାଗି ତ ସରଗର ଚାନ୍ଦ ଆଣି ଦେବି ଲୋ... ।’

 

ତା’ର ଦୋହରା ଲାଭ ହେଉଥିଲା । ସାବାସୀ ଆଉ ଖଟା ମିଠାଳିଆ ଆଲୁଚର ସୁଖ । ଘରେ ମାଇଁ କଣ ଏତେ ଦିଅନ୍ତି ନା ! ସିଏ ତ ଗଣି ସମସ୍ତଙ୍କୁ ସମାନ ସମାନ ବାଣ୍ଟି ବାଣ୍ଟି ଭାଗକରି ଦିଅନ୍ତି । ତାକୁ ଅଧିକା ଦେଲେ ବିଲୁ, ଟିଲୁ ଝଡ଼ ଉଠେଇ ଦେବେ ନାଇଁ ? କମ୍ମୋର ପସନ୍ଦକୁ ଆସେ ନାଇଁ ସେ କଥା । ଦୁଇ ଦୁଇ, ତିନ୍‌ ତିନ୍‌ ଆଲୁଚରୁ କି ମଜା ? କମ୍ମୋକୁ ଆଲୁଚ ଭଲ ଲାଗେ, ପେଟ ପୁରେଇ ଖାଇବ ନା ! ସେ ଅଖରୋଟ ବାଦାମ ଲାଗି ଜିଦ୍‌ କରେ ନାଇଁ । ସେଗୁଡ଼ା ଯେ କେହି ଖାଉ, ତା’ର କି ଯାଏ ଆସେ !

 

କାହିଁରେ କ’ଣ ହେଇଗଲା ଜନ୍ମାଷ୍ଟମୀ ଦିନ । ଲୁଚେଇ ଚୋରେଇ ସେରକ ସରିକି ଖାଇନେଲା କମ୍ମୋ । ପଛନ୍ତରେ ପେଟ ଦରଜ ହେଲା, ବାନ୍ତି ହେଲା । ଘର ଲୋକେ ଡରିଗଲେ । ତସଲାରେ ଲାଲ ଲାଲ ରକ୍ତ ଭଳି ବାନ୍ତି । ଡାକ୍ତରକୁ ଦେଖେଇଲେ । ପେଟ ପୁରେଇ ଖାଇବାର ସବୁ ମଜା ମିଳିଗଲା କମ୍ମୋକୁ । ପରେ କମ୍ମୋ ସତ ସତ କହିଦେଲାରୁ କଷିକି ଗାଳି ବୃଷ୍ଟି ହେଲା ତା’ ଉପରେ । ମାଇଁର ଡରିଲା ଅବସ୍ଥା ଦେଖି ନରମ ପଡ଼ିଗଲା କମ୍ମୋ, ତାକୁ ସେତେବେଳେ ସିନା ଜଣାପଡ଼ିଲା ଯେ, ସତକଥା କହିଦେଲେ ବି ଗାଳି ଖାଇବାକୁ ହୁଏ । ମାମୁ ଆଗରେ ଦୀନାକାକାର କଥା ସତ ସତ କହିଦେଲାରୁ ବି ଧମକେଇ ଦେଲେ, ତା’ ଉପରେ ଖଳାକୁ ଯିବା ବି ବାସନ୍ଦ କରିଦେଲେ । କମ୍ମୋ କେତେଥର ଗାଳି ଖାଇନି, ଆଉ ଯେତେ ଖାଇଲେ ବି କୋଉ ଜିଦ୍‌ ଛାଡ଼ି ଦେଇଛି ଯେ !

 

ମାମୁଙ୍କର ଇଚ୍ଛା ନଥିଲେ ବି ବୁଲିଯିବାର ଜିଦ୍‌ । ଥଣ୍ଡାରେ ଦାନ୍ତ କଟକଟ ହେଉଥିଲେ ବି ପୋଲ ଉପରେ ବସି ବତକମାନଙ୍କର ଡାକ ଶୁଣିବାକୁ ଜିଦ୍‌, କଅଁଳ ଗଜୁରିଲା ଗଛଲତାଙ୍କର ଗପ ଶୁଣିବାକୁ ଅଝଟ ହେବା, ନିଦରେ ଆଖିପତା ପୋତି ହୋଇ ଆସୁଥିଲେ ବି ସରଗ ରାଇଜର ପରୀ କଥା, ପାତାଳ ଦେଶର ଜଳ ପରୀ କାହାଣୀ ଲାଗି ରୁଷା ଫୁଲା…..‘ପାଗଳୀ’, ଇଏ ମାନିବ ନା-।’ ଆଉ ମାମୁ ହସି ହସି ଅସ୍ତ୍ର ତ୍ୟାଗ କରିଦିଅନ୍ତି । କମ୍ମୋ ମାମୁ ପାଖରେ ହିଁ ଜିଦ୍‌ କରେ । ବାପକୁ ଡରେ । କକା, ଦିଦୀ ସଭିଏଁ ତାକୁ ଧମକେଇ ଦେଇ ଆକଟ କରନ୍ତି…..‘ବୁଢ଼ୀଟିଏ ହେଲଣି ଆସି, ଦୁଧପିଆ ଛୁଆ ଭଳି କାହାଣୀ ଶୁଣିବ, ପରୀ କାହାଣୀ !’

 

ସତକୁ ସତ କମ୍ମୋର ଗପ ଶୁଣିବାକୁ ଭାରି ମନ ଥିଲା, ପାଗଳାମୀ ଭଳି । ଆଲ୍ଲାଦୀନ୍‌ର ଦୀପ, ମାଠିଆର ଭୂତ, ସମୁଦ୍ରର ସୁନା ରାଜକୁମାରୀ, ଉଡ଼ନ୍ତା ପରୀ, ଯୋଉ କାହାଣୀ ହେଉ କମ୍ମୋ ଆଶ୍ଚର୍ଯ୍ୟ ଆଖିରେ ବଲବଲ କରି ଅନେଇ, ନିଃଶ୍ୱାସ ବନ୍ଦକରି, ଗାଲରେ ହାତ ଦେଇ ଶୁଣି ଯାଇଥିଲା । କୋଉଦିନ ମାମୁ ଗପ କହିବାରେ ଅଳସୁଆମୀରେ ଟାଳଟୁଳା କଲେ ସେ ରୁଷି ଯାଉଥିଲା, ନ ଖାଇ ନପିଇ ମୁହଁମାଡ଼ି ପଡ଼ି ରହୁଥିଲା । କମ୍ମୋ ରୁଷିଲେ ମାମୁ ପୁଣି ସହିବେ କେମିତି ? ହାରିଗଲା ଭଳି କହିବେ....କହ, କୋଉ କଥା କହିବି ?’

 

‘ନୂଆ ! ଉଡ଼ନ୍ତା ପରୀ କଥା ।’ ଆଉ ତା’ର ମୁହଁରେ ଜିଣି ଯାଇଥିବାର ଖୁସି ଉକୁଟି ଉଠୁଥିଲା ।

 

‘ଉଁହୁଁ । ଆଉ ଏଣିକି ପରୀ କଥା ନୁହଁ, ସୀତା ସାବିତ୍ରୀଙ୍କ କଥା ଶୁଣ !’

 

ଆଉ ମାମୁ ସାବିତ୍ରୀ ଗପ କହିବସନ୍ତି । ଯମଠାରୁ ପତିର ପ୍ରାଣ ଫେରେଇ ଆଣୁଥିବା ସାବିତ୍ରୀ ପରୀ ରାଇଜର ରାଜଜେମା ଭଳି ମନେ ହୁଏ କମ୍ମୋକୁ । ମାମୁ ଦିନେ ସୀତାଙ୍କର ଗପ କହିଲେ । ଭୟଙ୍କର ଜଙ୍ଗଲରେ ବାଘ, ଭାଲୁ, ଚିତା ଘେରରେ ଏକୁଟିଆ ପଡ଼ିରହିଥିବା ରାଜରାଣୀ କଥା ଶୁଣି ଦୁଃଖରେ କାନ୍ଦ ମାଡ଼ିଥିଲା କମ୍ମୋକୁ । ରାମାୟଣର କାହାଣୀ ଶୁଣେଇଲା ବେଳକୁ ମାମୁଙ୍କର କଣ୍ଠ ସ୍ୱର ବି ଓଦା ହୋଇ ଯାଉଥିଲା । ସେଇଥିଲାଗି ଦୋହରା ଦୁଃଖରେ କମ୍ମୋ ପଚାରି ବସୁଥିଲା—‘ମାମୁ ! ସିଏ ବି କେମିତି ରାଜା ଥିଲା ଯେ, କିଛି ଦୋଷ କରି ନଥିଲେ ବି ରାଣୀକୁ ଜଙ୍ଗଲରେ ଏକୁଟିଆ ଛାଡ଼ିଦେଲା ?’ କମ୍ମୋ ସେମିତି ରଜା କଥା ଶୁଣିବ ନାହିଁ ! କଣ ଧୋବା କଥାରେ ରାଣୀକୁ ବନବାସ ? ସେ ପୁଣି ନିଆଁରେ ପଶି ପରୀକ୍ଷା ଦେଲା ପରେ । ନା’ ସେମିତି କଥା ଶୁଣିବ କାଇଁ କମ୍ମୋ । ମାମୁ ଧମକେଇ ଦେଇ କଅଁଳେଇ ବୁଝେଇ ବସିଲେ—ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ । ରାଜା ହେଲେ କ’ଣ ହେଲା, ସେ ଜନତାର ସେବକ ଥିଲେ । ସୀତାଙ୍କୁ ପରିତ୍ୟାଗ କରି ସେ ମଧ୍ୟ ଦୁଃଖୀ ହୋଇଥିଲେ ।’ ହେଲେ କମ୍ମୋ ତା’ର ପିଲା ବୁଦ୍ଧିରେ ମର୍ଯ୍ୟାଦା ଆଦି ଶବ୍ଦଗୁଡ଼ିକ ବୁଝିପାରିଲା ନାଇଁ । ସେ ଏଇଆ ବୁଝିଲାଯେ, ବଳୁଆ ପୁରୁଷଟିର ନିର୍ଦ୍ଦୋଷ ସ୍ତ୍ରୀଟିଏ ଉପରେ ଅତ୍ୟାଚାର । କ୍ଷମା ଦେଇ ହେବନାଇଁ । ସେତେବେଳେ କମ୍ମୋ ବୁଝିଥିଲା ସୁଖ ସରଗରେ ଉଡ଼ିବୁଲୁଥିବା ପରୀଙ୍କ କପାଳରେ ଲେଖା ହୋଇରହିଛି, ଏଇ ମାଟିର ନାରୀମାନେ ତ ଭାରି ଖଦଡ଼ିଆ ଖାଲ ଢ଼ିପର ଜୀବନ ନେଇ ବଞ୍ଚନ୍ତି ।

 

ଦିନେ କେଜାଣି କ’ଣ ହେଲା ମାମୁଙ୍କୁ, ଭାରି ବେମାର ପଡ଼ିଗଲେ । ମାଇଁ ଝରଣା ହ୍ରଦରୁ ‘ଟ୍ରାଉଟ୍‌’ ମାଛ ଅଣେଇ ବଢ଼ିଆ କରି ତେଲ ମସଲା ଦେଇ ରାନ୍ଧନ୍ତି, ହେଲେ ମାମୁଙ୍କର ତ କେଜାଣି ଭୋକ ବୋଲିବା ଜିନିଷଟି ବି ନଥିଲା । ନଥୁ କାକା ସହରରୁ ବଡ଼ ଡାକ୍ତରଙ୍କୁ ବି ନେଇ ଆସିଲେ । ସିଏ ଆସି ଦେଖା ଦେଖି କରି କ’ଣ ସବୁ ଔଷଧପତ୍ର ଲେଖିଦେଲେ । କହିଲେ ମାମୁ ଯାହା ଖାଇବାକୁ ଚାହିଁବେ, ଦବ । କୌଣସି କଥା ଖାଇବାକୁ ମନା ନାଇଁ । ହେଲେ ମାମୁ କିଛି ମାଗିଲେ ସିନା.... !

 

ଚୁପ୍‌ଚାପ୍‌ ଖୋଲା ବାରଣ୍ଡାରେ ମାମୁ ପଡ଼ିରହି ଦୂରର ସପେଟା ଆଉ ବବୁର ଜଙ୍ଗଲ ସେପଟେ ଉଚ୍ଚା ଉଚ୍ଚା ସୁର୍ମା ରଙ୍ଗର ପାହାଡ଼ମାନଙ୍କୁ ଅନେଇ ରହନ୍ତି । ମାଇଁ ଭାରି ଯତ୍ନରେ ରନ୍ଧାରନ୍ଧି କରିନେଇ ଆସନ୍ତି ଆଉ ମାମୁ ମୁହଁ ବୁଲେଇ ନେଲେ ଖଟ ବାହୁରେ ବସି କମ୍ମୋ ଉଦାସ ଆଖିରେ ଅନେଇ ରହେ । ସେ ସମୟରେ କୌଣସି ପ୍ରକାର ବଦମାସି କରିବାକୁ ମନ ହେଉ ନଥିଲା ତା’ର । ସେ ମାମୁଙ୍କ ପାଖରେ ଚୁପ୍‌ଚାପ୍‌ ବସି ରହି ଦୂର ତରାଇର ପାହାଡ଼ ପର୍ବତକୁ ଅନେଇ ରହୁଥିଲା । ପାହାଡ଼ମାନଙ୍କର ପଣତ କାନିରେ ଦିଆସିଲି ପୁଡ଼ାଭଳି ମନେ ହେଉଥିଲା ଗଉଡ଼ଙ୍କର କୁଡ଼ିଆଗୁଡ଼ିକ । କମ୍ମୋ ହରମୁଖ ପର୍ବତଆଡ଼କୁ ହାତ ଟେକି ପ୍ରାର୍ଥନା କରୁଥିଲା । ବରଫ ଢ଼ଙ୍କା ପର୍ବତର ଗୋଜିଆ ଶିଖର ଉପରେ ତାକୁ ଭଗବାନ ଶଙ୍କରଙ୍କର ଜାଟାଧାରୀ ମସ୍ତକ ଦେଖାଯାଉଥିଲା, ଜଟାରୁ ଫୁଟି ଆସୁଥିବା ଗଙ୍ଗାଙ୍କର ଧାରା ସହିତ ଆଉ ଆଖିରେ ଲୁହଭରି ସେ ମାଗୁଥିଲା.... .‘ମାମୁ ଭଲ ହେଇ ଯାଆନ୍ତୁ ।’

 

ମାମୁ ଭଲ ହୋଇଗଲେ କମ୍ମୋ ତାଙ୍କରି ସାଙ୍ଗରେ ଚୀଡ଼ ଜଙ୍ଗଲ ଯାଏ ଯିବ । ପବନ ହାନ୍ଦୋଳାରେ ଦୋଳି ଖେଳୁଥିବା ମକା କ୍ଷେତରୁ ଏତେ ମକା ଫ୍ରକ୍‌ତଳେ ଲୁଚାଇ ନେଇ ଆସିବ । ମାଇଁ ରାଗିଲେ ରାଗନ୍ତୁ । ମାମୁଙ୍କୁ ଛୋଟିଆ ପପ୍‌ପୀଟିଏ ଦେଇ ବୁଝେଇ ନେବ.... ମାମୁ ଆଗ ଭଲ ହେଲେ ସିନା । ସେ ଉଦାସ ଆଖିରେ ଏଣେତେଣେ କ’ଣ ଯେମିତି ଖୋଜି ବସେ.... ଯାଦୁ ପ୍ରଦୀପ....ଯେମିତି ପଲକ ନ ପଡ଼ୁଣୁ ମାମୁଙ୍କୁ ଉଠେଇ ଦେବ ଖଟରୁ । ହେଲେ ସେ ଆଲ୍ଲାଦୀନର ସେ ଦୀପ ତାକୁ ଯେତେ ଖୋଜିଲେବି ମିଳିଲା ନାଇଁ । ଦିନେ ରାତିରେ ସପନରେ ଏଡ଼ି ପର୍ଯ୍ୟନ୍ତ ଲମ୍ୱା ଆଲଖାଲା ପିନ୍ଧି ଆଲ୍ଲାଦୀନ ହୀରାଭଳି ଚକ୍‌ଚକ୍‌ ଦୀପଧରି ଆସି ତା’ ପାଖରେ ପହଞ୍ଚିଲା ଆଉ ଝପଟି ଯାଇ ତା’ ହାତରୁ ସେ ଦୀପଟିକୁ ଛଡ଼େଇ ନବ ବୋଲି କମ୍ମୋ ଭାବିଲା ବେଳକୁ ଦୀପଟି ଅଦୃଶ୍ୟ ହୋଇଗଲା ।

 

ସକାଳୁ ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ ଅଖରୋଟ ଗଛମାନଙ୍କ ଭିତରେ ଢାଙ୍କି ହୋଇ ରହିଥିବା ପୁଷ୍ପି ଘରକୁ ଗଲା । ଭରା ଗଳାରେ ମାମୁଙ୍କ କଥା ହୋଇ ଆସିଲା । ସପନ କଥା କହିଲା-। ରହି ରହି କଥା ତା’ର ରୁନ୍ଧି ଆସୁଥାଏ । ସିଏ ନାକ ସୁଡ଼କେଇ ଫ୍ରକରେ ଲୁହ ପୋଛିବାକୁ ଲାଗିଲା । ପୁଷ୍ପିବି ପୋଛିଦେଲା । ଦଉଡ଼ି ଡ଼ିଆଁଣି ଖେଳିବାକୁ ଡାକିଲା । ଗୁଟକୀ ଖେଳକୁ ଡାକିଲା; ହେଲେ କୌଣସି କଥା ଖେଳିପାରିଲା ନାଇଁ କମ୍ମୋ । ପୁଷ୍ପି ଗଛକୁ ଚଢ଼ିଯାଇ ସଜ ଅଖରୋଟ ତୋଳିଦେଲା । ଗୋଟିଏ ସେଥିରୁ ପଥରରେ ଛେଚି ଦେଲାରୁ, ଭିତରୁ ମିଠା ମଞ୍ଜି ବାହାରି ଆସିଲା-। ଗୋଟିଏ ବୋଲି ଖାଇଲା ସେଥିରୁ ! ଗୁଡଠୁଁ ମିଠା । ଚଟାପଟ ସେସବୁକୁ କାନିରେ ବାନ୍ଧି ମାମୁଙ୍କ ପାଖକୁ ଦଉଡ଼ି ଆସିଲା କମ୍ମୋ । ମାମୁ ସେତେବେଳେ ବି ସମାନ ପାହାଡ଼ ଉପରେ ଆକାଶରେ ଘୁମନ୍ତ ମେଘ ଭିତରେ ହଜି ଯାଇଥିଲେ । ଯେତେବେଳେ ଯାଏଁ ସେ ତାଙ୍କୁ ହଲେଇ ନ ଦେଇଛି ସେ ଯାଏଁ ସେ ତାକୁ ଦେଖିଲେ ନାଇଁ ବି ।

 

‘ମାମୁ, ଆଁ କରିବଟି ।

 

କ’ଣ ?

 

ମାମୁ ସେ ଭିତରେ ଭାରି ଚିଡ଼ିଚିଡା ହୋଇ ଯାଇଥିଲେ ।

 

‘ତମେ ଆଁ କର ନା । ସେମିତି କହିବି ନାଇଁ ।’

 

‘ଗୋଳମାଳ କରନା କମ୍ମୋ, ଯା’ ଭିତରକୁ ଯାଇ ଖେଳିବୁ ଯା ।’ ହେଲେ କମ୍ମୋ କ’ଣ ମାନିବ ! ମାମୁ ତା’ର ସେଇ ଜିଦ୍‌ ଲାଗି ରାଗିଲେ । କମ୍ମୋର ଆଖି ଛଳଛଳ ହୋଇଉଠିଲା । ଅଭିମାନ ଭରା ରାଗ ସତ୍ତ୍ୱେ ସେ ମାମୁଙ୍କର ପାଟିଖୋଲି ଅଖରୋଟର ଦାନାଟିଏ ଖୁଆଇ ଦେଲା ଏବଂ ଖାଇବାକୁ ପଡ଼ିଲା ମାମୁଙ୍କୁ । ଖାଇନେବା ପରେ ଚିଡ଼ିଚିଡ଼ା ମୁହଁରେ ମୁରୁକି ହସରେ ଢ଼େଉ ଖେଳିଗଲା । କମ୍ମୋର ମୁଣ୍ଡ କପାଳ ଆଦରରେ ଆଉଁସି ଦେଇ ମାମୁ କହିଲେ....କୋଉଠୁ ଆଣିଲୁ ଲୋ, ଭାରି ମିଠା ।’

 

କମ୍ମୋକୁ ଭିତରେ ତାର ଫୁଲ ଫୁଟିଲା ଭଳି ଲାଗିଲା । ହେଲେ ଉପରେ ମୁଣ୍ଡ କୁଣ୍ଡେଇ ବସି ରହିଥିଲା । କମ୍ମୋ କଥା ବା ଶୁଣିଛି କିଏ ?

 

‘ଗୋଳମାଳ କରନା କମ୍ମୋ !’ ମାମୁଙ୍କ କଥାର ନକଲ କଲାଭଳି କହିଲା କମ୍ମୋ ....‘ଉଁହୁ,’ ଆଉ ପୂରା, ଦାନା ନିଜେ ଖାଇନେଲା । ‘ଏଇନେ ଗାଆଁ ସାରା ଖୋଜୁନ....ଦେଖିବା କେମିତି ପାଇବ ସେମିତି ଦାନାଟିଏ !’

 

‘ମିଳିବ ଯଦି ।’

 

‘ନା’ ମୋର ବଦଳେଇ ଦେବି ନାଇଁ !

 

‘ତା ହେଲେ ଦେ ବଦଳେଇ ।’ ମାମୁଙ୍କର ଥକିଲା ଆଖିରେ ପରିହାସ ଭରିଗଲା । ସେ ଧୀରେ ଧୀରେ ଡାକ ଦେଲେ–‘କାମୀ sss !’

 

‘ନାଇଁ ମାମୁ, ମୋତେ କମ୍ମୋହିଁ ଡାକିବ । ମୋର ପସନ୍ଦ ସେଇ ନାଁ ।’ ଆଉ କମ୍ମୋ ମାମୁଙ୍କ ମୁହଁରେ ତା’ର କଅଁଳ ପାପୁଲି ରଖିଦେଲା । ମାମୁଙ୍କର ଉଷ୍ଣ ସ୍ପର୍ଶରେ ଫୁଲ ଭଳି ଫୁଟି ଆସିଲା । ଦୁଷ୍ଟାମିରେ କହିଲା, ‘ହେଲେ, ଆଉ ସେମିତିକିଆ ଆଖରୋଟ ମିଳିବ ନାଇଁ ।

 

ସତରେ ମାମୁ ଏଣେତେଣେ ଲୋକ ପଠେଇ ଅଣେଇଲେ । ଆଉ ଗୋଟିଏ ବି ତାଙ୍କର ପସନ୍ଦକୁ ଆସିଲା ନାଇଁ । ସେଇ ମଞ୍ଜିଟିର ଶଶ ଭିତରେ କମ୍ମୋର ଭଲପାଇବାର ମିଠାଟି ବି ଭରିଯାଇଥିଲା । ମାମୁ କ’ଣ ସେଇ ମିଠାକୁ ବି ଚିହ୍ନିବେ ନାଇଁ !

 

ଗାଆଁରେ ତା’ର ପସନ୍ଦକୁ ଆସୁଥିଲେ ମାମୁ ଆଉ ସାବଜା ତରାଇରେ ଚରୁଥିବା ମେଣ୍ଢା ପଲ । ଝରଣା ନଈରେ ପହଁରି ଖେଳୁଥିବା ଉଜ୍ଜ୍ୱଳଆଖିଆ ହଂସ, କେତେ ବକ୍‌ ବକ୍‌ କରନ୍ତି, କାନରୁ ପୋକ ଝରିପଡ଼ିବ । ସେ ମାମୁ ସାଙ୍ଗରେ ଛୋଟିଆ ପୋଲ ଉପରେ ବସି ଶୁଣୁଥାଏ । ମାମୁ ତା’କଥା ଜାଣିପାରୁଥିଲେ ଏବଂ ଅନେକ କଥା ମଧ୍ୟ ଜାଣି ପାରୁଥିଲେ । ଏତେ କଥା ତ ଗାଆଁର ଦାରୋଗା, ପଟୁଆରୀ, ବଡ଼କକା, କେହି ହେଲେ ଜାଣିପାରୁ ନ ଥିଲେ । ସେଇଥିଲାଗି ମାମୁ ବାଘ ସିଂହ ଥିବା ଜଙ୍ଗଲ ମଝିରେ ରାତିବେଳା ଚାଲିଯାଉଥିଲେ । ତାଙ୍କର ଦକ ନଥିଲା କି କିଛି କ୍ଷତି ହେଉ ନଥିଲା । ଦୂରରୁ ବାଘର ଗନ୍ଧ ବାରିପାରୁଥିଲେ ମାମୁ । ପୋଡ଼ିଲା କମ୍ୱଳ ଭଳି ତା’ର ବାସ୍ନା, ଚହଟିଯାଏ ଯୋଉ ବାଟ ଦେଇ ବାଘ ଚାଲିଯାଏ ।

 

ବାଘ ଲାଞ୍ଜ ପିଟି ପାଖ ଦେଇ ଚାଲିଯିବ । ଏତେ ସାହାସ ତା’ର ଯେ, ଛୁଇଁଦେବ ମାମୁଙ୍କୁ ! ମାମୁ ଖାଲି ଆଖି ବନ୍ଦକରି ପ୍ରଣାମ କରି ରହୁଥିଲେ । ବାସ୍‌ ।

 

କମ୍ମୋ ଗର୍ବରେ ଛାତି ଫୁଲେଇ ତା’ର ସାଙ୍ଗସାଥୀମାନଙ୍କ ଆଗରେ ମାମୁଙ୍କ କଥା ବଖାଣେ । ଭାବାବେଶରେ ହାତ ଗୋଡ଼ ହଲେଇ କଥା କହେ । ସାଙ୍ଗମାନେ ଚିଡ଼େଇଲା ଭଳି କହନ୍ତି....ତୋ’ର ମାମୁ ଆଖି କିଆଁ ବନ୍ଦ କରିଦିଅନ୍ତି ?

 

‘ବାଘ ଦେଖି ଡରିଯାଉଥିବେ, ସେଇଥିଲାଗି ତ ବିଚରା ଆଖି ବନ୍ଦ କରିଦିଅନ୍ତି ।’

 

ସାଙ୍ଗମାନେ ସେମିତି ବକର ଝକର ହୁଅନ୍ତି । ମାମୁ କହିଥିଲେ, ବାଘ ଆଖିରେ ଆଖି ମିଳେଇବା ଧୃଷ୍ଟତା । ଆଉ ବାଘ ଜଙ୍ଗଲର ରାଜା, ନୁହଁ ? ତାକୁ ଆଙ୍ଗୁଠିରେ ବୁଢ଼ା ଆଙ୍ଗୁଠି ଦାବି ନମସ୍କାର କରିବା କଥା ।

 

ଥରେ ସେ ଦି କଉଡ଼ିର ଫତ୍ତୁ ବାଘ ଆଗରେ ଛାତି ଡେରି ଠିଆ ହୋଇପଡ଼ିଲା । ଭାବିନେଲା, ମାମୁଙ୍କ ଭଳି ନମସ୍କାର କରିବ ଆଉ ବାଘ କୁକୁର ଭଳି ଲାଞ୍ଜ ହଲେଇ ଚାଲିଯିବ । ବାଘର ମଶାଲ ଭଳି ଜଳିଲା ଜଳିଲା ଆଖି ଦେଖି ସେ ବରଡ଼ା ପତର ଭଳି ଥରିବାକୁ ଲାଗିଲା । ଥର୍‌ ଥର୍‌ ! ନୂଆ ସଲଓ୍ୱାର ଓଦା ହୋଇଗଲା ସେ ଅଲଗା କଥା । ଭାଗ୍ୟକୁ ପାଖରେ ଥିଲା ତୁତ୍‌ ଗଛ, ସିଏ ତା’ ଉପରକୁ ଚଟାପଟ୍‌ ଚଢ଼ିଗଲା । ଆଉ ସାରାରାତି ତାରି ଶାଖାରେ ଶୀତରେ ଥୁରୁଥୁରୁ ହୋଇ ଓହଳି ରହିଲା । ବାଘ ତାକୁ ଠିଆରେ ଚିରିଦେଇ ନଥାନ୍ତା ? ତା’ ପରଦିନ ଘରକୁ ଆସି ମାମୁଙ୍କ ଗୋଡ଼ ଧରି କାନ୍ଦିବାକୁ ଲାଗିଲା ।

 

ମାମୁ ଭୂତ ପ୍ରେତଙ୍କୁ ବି ଦେଖିଥିଲେ । କୁଟିକମ କରା ଚିନାର ପତର ଛାଇରେ ଶୋଇରହି ସେ ଭୂତ ପ୍ରେତଙ୍କର କାହାଣୀ କହୁଥିଲେ । ମାମୁଙ୍କୁ ଜମିଦାରଙ୍କ ପାଖକୁ ଯିବାକୁ ହେଉଥିଲା ନା, ଅନ୍ୟ ଗାଁ, ପାହାଡ଼ ପଛପଟକୁ ! ଫେରିଲାବେଳକୁ ପ୍ରାୟ ରାତି ହୋଇ ଯାଉଥିଲା । ଥରେ ବରଫ ପଡ଼ୁଥାଏ । ଫେରୁ ଫେରୁ ଡେରି ହୋଇଗଲା । ଏକୁଟିଆ ଆସୁଥିଲେ । ଦୂରରୁ, ଚିନାର ପତ୍ର ଗହଳିରେ, ଅନ୍ଧାର ଭିତରେ ଆକାଶ ଦୀପଭଳି ମନେହେଲା । ମାମୁ ଟର୍ଚ୍ଚ ଜଳେଇ ଦେଖିବାକୁ ଚାହିଁଲେ, ହେଲେ ମସଲା ସରିଯାଇଥିଲା । ମାମୁ ପଛନ୍ତେ କହିଲେ ସିଏ ବି ଭୂତର କରାମତି । ସେ ତ ଘରୁ ଗଲାବେଳକୁ ଟର୍ଚ୍ଚରେ ନୂଆ ମସଲା ପକେଇ ଯାଇଥିଲେ ।

 

ମାମୁ ଆଲୁଅ ପଟକୁ ବଢ଼ିବାକୁ ଲାଗିଲେ । ଭାବିଲେ ଆଖପାଖରେ କୋଉ ଗାଆଁ କି ଘର ଥିବ । ନ ହେଲେ କିଏ ଲଣ୍ଠନ ଧରି ଆସୁଥିବ । ହେଲେ ସେଇଠି କୋଉ ଗାଆଁ ଥିଲା ! ମାମୁ ଯେତେ ଯେତେ ଆଗକୁ ଆଗକୁ ବଢ଼ି ବଢ଼ି ଗଲେ ସେ ଆଲୁଅ ସେତିକି ସେତିକି ଘୁଞ୍ଚି ଘୁଞ୍ଚି ଗଲା । ସେ ଦୀପ ବି କୋଉ ଭୂଇଁରେ ଥିଲା, ଉପରେ ଉପରେ ରହିଥିଲା ଆକାଶରେ ! କମ୍ମୋର ତ ଝାଳ ନିଗିଡ଼ିଗଲା ଶୁଣୁ ଶୁଣୁ । ସତକଥା ଯେ, ସେ ଶୀତୁଆ ରାତିରେ ମାମୁଙ୍କ ଦେହ ବି ଝାଳେଇ ଯାଇଥିଲା । ହେଲେ ସେ ଘାବରେଇ ଗଲେ ନାଇଁ । ଗଳା ଖଙ୍କାରି ବଡ଼ ପାଟିରେ ଭବାନୀ ସହସ୍ର ନାମ ଜପିବା ଆରମ୍ଭ କରିଦେଲେ । ଦୀପ ଆଡ଼କୁ ନବଢ଼ି ଚଲାରାସ୍ତାରେ ଆଗେଇ ଗଲେ, ଲାଠି ଆଗରେ ବରଫ ଆଡ଼େଇ ଆଡ଼େଇ ଚାଲିଲେ । ନିଜେ ଭବାନୀ ଆସି ବାଟ କଢ଼େଇ ନେଲେ । ଭୂତ ତ କୋଉ ମଇଳା ଚୋରା ପଙ୍କରେ ବୁଡ଼ିଗଲା । ମାମୁ କହନ୍ତି, ଭୂତ ପ୍ରେତ ବି ସାହାସୀ ମଣିଷକୁ ଡରନ୍ତି । ଆଉ ନିର୍ମଳ ମନରେ ଦେବୀର ସ୍ମରଣ କଲେ ସେମିତି କୋଉ କାରଣ ନାଇଁ ଯେ, ମାଆ ହାତ ବଢ଼େଇ ସଙ୍ଖୋଳି ନବନାଇଁ । ଶୋଇବା ଆଗରୁ ଆଉ ସକାଳେ ଉଠିବା ମାତ୍ରକେ ପାଠ କରୁଥିବା ଗୌରୀ ମନ୍ତ୍ର ମାମୁ ତାକୁ ବଢ଼େଇ ଦେଇଥିଲେ....‘ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ....’।

 

ମାମୁ ଯେତେବେଳେ ବେମାର ପଡ଼ିଥିଲେ କମ୍ମୋ କେତେଥର ସେ ଗୌରୀମନ୍ତ୍ର ଜପ କରିନାଇଁ । ରାଗ ଆଉ ରୁଷାରେ ଝରଣାପାଖ ମନ୍ଦିର ଦ୍ୱାରରେ ମୁଣ୍ଡ ପିଟିନାଇଁ, ହେଲେ କେଜାଣି କେମିତି ମାମୁ ତା’ର ଭଲ ହେଲେ ନାଇଁ । ମାମୁ କହିଥିଲେ ଦିନ ଆସି ପୂରା ହେଲାଣି । ସେ ଆଉରି ବି କହୁଥିଲେ ଈଶ୍ୱର ଯୋଉ କଥା କରନ୍ତି ପ୍ରାଣୀର ଭଲପାଇଁ କରନ୍ତି । ସେଥିରେ କିଛି ନା କିଛି ଭଲ ନିଶ୍ଚୟ ହୋଇଥାଏ । ମୋହରେ ବୁଡ଼ି ରହିଥିବା ମଣିଷ ଆଖିକୁ ସେ ଭଲ କଥା ଦିଶେ ନାଇଁ । କମ୍ମୋ ସେଥିରେ ଏକମତ ହୋଇପାରେ ନାଇଁ । ପହିଲା କରି ତା’ ମନରେ ଦେବୀର ମମତା ଲାଗି ସନ୍ଦେହ ଉପୁଜିଥିଲା । କମ୍ମୋ ତ ନିର୍ମଳ ମନରେ ଦେବୀର ପ୍ରାର୍ଥନା କରିଥିଲା । ତା’ର ମାମୁ ଦରକାର । ଏଯାଏଁ ତ ତାଙ୍କ ମୁଣ୍ଡର ଗୋଟିଏ ବି ବାଳ ଧଳା ହୋଇନଥିଲା । ଏତେ ଶୀଘ୍ର ପାଖକୁ ଡାକି ନେଇ କ’ଣ ବା ଭଲ କରିପକେଇଲେ ଭଗବାନ ?

 

ବଗିଚାର ସବୁକିଛି ଗେଣ୍ଡୁ ଆଉ ଗୋଲାପ ଫୁଲ ଦେବୀଙ୍କୁ ନେଇ ଚଢ଼େଇଥିଲା ସେ । ତା’ ସଞ୍ଚିଲା ରେଜା ପଇସାରୁ ଗଣେଶଙ୍କୁ ସିନ୍ଦୂର ଆଉ ହନୁମାନଙ୍କୁ ପା’ଶୁକାର ଭୋଗ ଚଢ଼େଇବ ବୋଲି ମନାସ କରିଥିଲା, ଖାଲି ମାମୁଙ୍କୁ ଭଲ କରିଦିଅନ୍ତୁ ବୋଲି । କଅଁଳ ମନରେ ଗଜୁରି ଉଠିଥିବା ସନ୍ଦେହ ଓ ତୁଟିଲା ବିଶ୍ୱାସର ସେଇ ପହିଲା ଅଙ୍କୁରଟି କେତେବେଳେ ଦ୍ରୁମ ପାଲଟି ସିଧାସଳଖ ରାସ୍ତାକୁ ଜଙ୍ଗଲ କରି ପକେଇଲା, ତା’ର ହିସାବ ରଖିନାଇଁ କମ୍ମୋ । ସବୁକିଛି ଅନିବାର୍ଯ୍ୟ ଭଳି ଘଟିଗଲା, କୌଣସି ପ୍ରକାର ସୂଚନା ବି ଦେଲା ନାଇଁ ଆଗରୁ । ଅତି କମ୍‌ରେ ନିର୍ମମ ପ୍ରହାରଟି ସହିନେବା ଲାଗି ସେ ନିଜକୁ ପ୍ରସ୍ତୁତ କରିନେଇ ପାରିଥାନ୍ତା ତ ?

 

କମ୍ମୋର ଆଖି ସଜଳ ହୋଇ ଉଠିଲା । ଅନେକ ବର୍ଷର ପିଛିଲା କଥା ବୟସର କୋଉ ମୋଡ଼ରେ ମନେପଡ଼ୁଛି ଆଜି । ସେସବୁ କଥା ମନେପକେଇବାର ଅର୍ଥ ବା କ’ଣ ?

 

ଆଜି ମାମୁ ନାହାନ୍ତି । ସେ ସେତେବେଳେ ଅସୁସ୍ଥ ହେବାର ଅଳ୍ପଦିନ ପରେ ହିଁ ତାକୁ ଛାଡ଼ି ଚାଲିଗଲେ, ସେଇ ଦୂରର ତରାଇର ଚୀଡ଼ ଜଙ୍ଗଲର ଅଣଓସାରିଆ ଚଲା ରାସ୍ତା ମଝିରେ । କମ୍ମୋର ସବୁ ମନାସ ବ୍ୟର୍ଥ ହୋଇଗଲା । ତା’ପରେ ଗାଆଁରେ ଆଉ ମନ ରହିଲା ନାଇଁ । ମାମୁଙ୍କ ସାଙ୍ଗରେ ଯେମିତି ଗାଆଁର ଆତ୍ମା ବି ଚାଲିଗଲା । ସ୍କୁଲ ଛୁଟି ହେଲେ ବାପା ତାକୁ ନେଇ କେବେ କେମିତି ଗାଆଁକୁ ଗଲେ ସେ ଅନେକ ବେଳଯାଏଁ ସେଇ ଚୀଡ଼ ଜଙ୍ଗଲରେ ଘୂରିବୁଲି ମାମୁଙ୍କୁ ଡାକେ ....ମା....ମୁ । ଘଞ୍ଚ ଜଙ୍ଗଲରେ ଓଦାଳିଆ ଦେବଦାରୁ ଦେହରେ ବାଜି ତା’ ଡାକ ତା’ରି ପାଖକୁ ଫେରିଆସେ....ମା....ମୁ.... । ନିରର୍ଥକ । ସେତେବେଳେ ତାକୁ ଜଣାଗଲା ଯେ ମାମୁଙ୍କର ଅସ୍ତିତ୍ୱ ସାଙ୍ଗରେ ତା’ର ଅର୍ଥ ବି ହଜି ଯାଇଛି ।

 

କମ୍ମୋ ଗାଆଁକୁ ଯିବା ଛାଡ଼ିଦେଲା । ସତ୍ତୁର ମହକିଲା ଚା, ପୋଦିନାପତ୍ର ଚଟଣି, ଦହି ଆଉ ଭାତ, ସୋନୀଗାଈର ତାଜା ଦୁଧ, ମାଇଁଙ୍କ ରାନ୍ଧଣା ଟ୍ରାଉଟ ମାଛ, କୌଣସି କଥାରେ ସେ ପୁରୁଣା ସୁଆଦ ରହିଲା ନାଇଁ । ସୁନ୍ଦର ଗାଆଁଟି ପୂରା ଉଜୁଡ଼ି ଗଲା ଯେମିତି । ଟିଣ ଛାତ ତଳେ ହମ୍ୱାରଡ଼ି କରୁଥିବା ସୋନୀ ଆଉ ତା’ର ମୂକ ବାଛୁରୀଟି ମାମୁଙ୍କୁ ଖୋଜିହେଲେ, ଝରଣା ନଈର ଗପୁଡ଼ି ହଂସମାନେ ବି ମଉନ ହୋଇଗଲେ । ସନ୍ଧ୍ୟାରେ ଶୀତଳ ପବନରେ ତୁତ୍‌ ଆଉ ବବୁର ଛାତିରୁ ଦୀର୍ଘନିଃଶ୍ୱାସ ବାହାରି ଆସିଲା, ଆଉ କମ୍ମୋ ଛାତିରେ ଥୁଣ୍ଟା ବର୍ଚ୍ଛାଭଳି ଗଳିଗଲା । ବିଚାରୀ ମାଇଁ; ସେ ନୀତିନିୟମରେ ବାନ୍ଧି ହୋଇ ଛାତି ମୁଣ୍ଡ ପିଟି କନ୍ଦାକଟାର ରୀତି ପାଳି ଘର ଧନ୍ଦାରେ ହଜି ଯାଉଥିଲେ । ଯିବା ମଣିଷ ସାଙ୍ଗରେ କିଏ ବା ଯାଇପାରିବ ? ବୁଢ଼ା ପୁରୁଖା ଲୋକେ ସାନ୍ତ୍ୱନା ଦେଲେ । ମାଇଁ ନଣନ୍ଦ ଦେରାଣୀଙ୍କର ଝଗଡ଼ା ଝାଟିଆ ତୁଟେଇ, ବିଲୁ, ଟିଲୁଙ୍କର ଓଦାଲୁଗା ଧୋଇ, ସୋନୀକୁ ଦୁହିଁସାରି ଦାନାପାଣି ଦେଇ, ଘସି ପାରି ଶୁଖେଇ, ରାତିର ମଉନ ବେଳାରେ ଥକ୍‌କା ମାରି ଶୋଇଯାଆନ୍ତି । ମାଇଁ କଳଙ୍କି ଖିଆ ମେସିନଟିଏର କବ୍‌ଜା ପାଲଟି ଯାଇଥିଲେ ଯେମିତି । ସାବିତ୍ରୀଙ୍କ ଭଳି ଯମଦୂତମାନଙ୍କଠୁଁ ମାମୁଙ୍କର ଜୀବନ କେମିତି ଫେରେଇ ଆଣିପାରିଲେ ନାଇଁ ସେ-? ମାମୁ କହୁଥିଲେ....‘ତୋ ପାଇଁ ସତୀ ଲୋ କମ୍ମୋ !’ ସେଥିରେ ବି ଯଦି ମାଇଁ ସାବିତ୍ରୀ ହୋଇ ପାରିଲେ ନାଇଁ ତାହେଲେ କମ୍ମୋ କେମିତି ହୋଇପାରିବ ?

 

ଆଉ ତା’ ପରେ କମ୍ମୋ ବି ସେଇ ବଙ୍କାଟଙ୍କା ଚଲା ରାସ୍ତାରେ ଦଉଡ଼ି ପାରିଲା ନାଇଁ । ମାଇଁଙ୍କର ବିବଶ ଅଙ୍ଗୀକାର ତା’ର କଅଁଳ ମନକୁ ବି ମନ୍ଥି ପକେଇଲା ଯେମିତି । ବିବଶତାର ଅନାମ ରାଗଟିଏ ତା’ର ଛାତିରେ ଟକମକ ହୋଇ ଫୁଟିବାକୁ ଲାଗିଲା । ଲମ୍ୱା ଚୌଡ଼ା ମାମୁ ରୂପରେ ପାଇଥିବା ସେ ଅନ୍ତରଙ୍ଗ ସାଥୀଟି କମ୍ମୋର କଅଁଳ ଛାତି ଦୋହଲାଇ ଦେଲା, ମେଲେଇ ହୋଇ ଆସୁଥିବା ଉତ୍ସୁକ ବାହୁ ଆଉ ଗୁଡ଼ିଏ ଅଜ୍ଞ ପ୍ରଶ୍ନକୁ ଅଧବାଟରେ ଅନୁତ୍ତରିତ ଛାଡ଼ିଦେଇ ସେ ମୁହଁ ମୋଡ଼ି ନେଇଥିଲା । ଉତ୍ସୁକ କ୍ଷିତିଜର ରହସ୍ୟକୁ ଖୋଲି ଦେଉଥିବା ମାମୁ ଅସମୟର କେମିତି ଗଭୀର ନିଦରେ ଶୋଇଗଲେ ? ସେ ଦେବୀ ଉପରେ ଅନେକ ରାଗିଥିଲେ । ସେଇଥିଲାଗି ସିନା ତାଙ୍କ ଉପରେ ବସି ଅକ୍ଷତ ଖୁମ୍ପି ନେଉଥିବା ଚଢ଼େଇମାନଙ୍କୁ ସେ ଅନେଇ ରହିଥିଲା, ଘଉଡ଼େଇ ଦେଉନଥିଲା ।

 

କଡ଼ ଲେଉଟେଇଲା କମ୍ମୋ । ଉଠିଆସି ଝରକାର ଥଣ୍ଡା ରେଲିଂରେ ଗାଲ ମଡ଼େଇ ବାହାରକୁ ଦେଖିବାକୁ ଲାଗିଲା । ଦୂରରେ ବୁଣିହେଲା ଭଳି ରହିଥିବା ଝୋପଡ଼ ପଟ୍ଟିଗୁଡ଼ିକ ରାତିର ଗାଢ଼ ଅନ୍ଧକାରରେ ଭୂତ ଡେରାଭଳି ଉଜୁଡ଼ା ଓ ଶୁନ୍‌ଶାନ ମନେ ହେଉଥିଲା । ସାରାଦିନର ଝଗଡ଼ା, ଆବଶ୍ୟକତା, ଅଭାବଗୁଡ଼ିକକୁ ଛାତିରେ ଜାବୁଡ଼ି ଧରିଥିବା ସେଇ ମଉନ କୁଡ଼ିଆଗୁଡ଼ିକ, ସେଠାରେ ପଶୁଭଳି ଖାଇପିଇ, ଚେଇଁ-ଶୋଇ, ଜନ୍ମ ଆଉ ମରଣର ପ୍ରକ୍ରିୟା ଭିତରେ ବାପ ଝିଅ, ବୋହୂ ପିଲାକବିଲା ଗୋଟିଏ ଛାତ ତଳେ ରହିଥିଲେ । ସେଠାରେ ଥିଲା ଜୀବନର ଗୋଟିଏ ବୋଲି ଚେହେରା—ଭୋକ, ଅଭାବ, ପେଟର ବ୍ୟାକୁଳତା—ସେମିତି ଯେ କୌଣସି ନାଁ’ଟିଏ ଦେଇ ଦେଇ ହେବ । ଜ୍ଞାତି କୁଟୁମ୍ୱ ସମ୍ପର୍କ, ନୀତି-ଅନୀତି ଏସବୁ ଆପେକ୍ଷିକ ଶବ୍ଦ, ଯାହା ନିତିଦିନର ଆବଶ୍ୟକତା, ବର୍ଷାରେ ପାଣି ଗଳୁଥିବା ଛାତ, ଖାଲି ହାଣ୍ଡି, ଭୋକିଲା ପେଟ, କାଲୁଆ ଶୀତରେ, ଯୋଡ଼ି ହୋଇ ରହିଥିବା ଦେହ ସାଙ୍ଗରେ ଯୋଚି ହୋଇ ରହିଛି ।

 

ଠିକ୍‌ ସାମ୍‌ନାରେ ଶୋଷକ ରଜା ଭଳି ମୁଣ୍ଡ ଟେକି ଠିଆ ହୋଇଥିବା କେତେ ତାଲା ଘର, ଯେଉଁମାନେ ରାତିର ନୀରବତାକୁ ଅମୃତ ଭଳି ପିଇଯାଆନ୍ତି....ଯୋଉଠି ରାତିର ନୀରବତା ନିଃଶ୍ୱାସରେ ବଣିଜ, ଲାଭ, ଆଚାର, ନୀତି, କଳା ଧଳାର ହିସାବ କରାଯାଏ । ସୁନା ରୁପାର ଚମକରେ ଭୋକ ଶୋଷ, ପାପ ପୁଣ୍ୟ, ଆଚାର ବିଚାର ଦର୍ଶନ ବଦଳିଯାଏ । ବଜାରାର ଶୁଖା ରୋଟି ଆଉ ଥଣ୍ଡା ଶାଗରେ ମେଣ୍ଟୁଥିବା ଭୋକକୁ ଘୃଣାର ଆଖିରେ ଦେଖାଯାଏ । ଚଉକି ଗାଦିର ଭୋକ, ସୁନା ରୂପାର ଭୋକ ଯୋଉଠି ମହାକାଳୀର ତୃଷିତ ଜିଭ ଭଳି ନିରନ୍ତର ରକ୍ତପାନ କରିବାକୁ ଲହଲହ ହେଉଥାଏ ।

 

ଅସହାୟତାର ଦୁଇ ସୀମାନ୍ତରେ ଠିଆ ହୋଇଥିବା ଭୋକିଲା ଜୀବନଗୁଡ଼ିକ ଉପରେ ରାତିର କଳା ଚାଦର, ଗୋଟିଏ ତାନ, ଗୋଟିଏ ମାତ୍ର ଲୟ, ନିର୍ଜନ ଶ୍ମଶାନ ଯେଉଁଠି ଧନୀ ଦରିଦ୍ର ଦୁହିଁଙ୍କର ଚିତାବିଶେଷକୁ ଅସ୍ଥି ମାତ୍ର କହି ଚିହ୍ନାଯାଏ, ମୁଠାଏ ମାତ୍ର ପାଉଁଶ ନାଁ’ରେ ।

 

କମ୍ମୋ ଝରକା ପାଖରୁ ଘୁଞ୍ଚିଆସି ବାଥ୍‌ରୁମ୍‌କୁ ପଶିଗଲା । ମୁହଁ ଉପରେ ପାଣି ଛାଟିନେଲା । ଆଲମାରିରୁ ସଫା ଚାଦର କାଢ଼ି ଲୋଚାକୋଚା ବିଛଣା ଚାଦର ବଦଳେଇ ନେଲା । କିଛିଟା ଭଲ ଲାଗିଲା । ସାଇଡ୍‌ ଟେବୁଲ୍‌ ଉପରେ ଟାଇମ୍‌ପିସ୍‌ରେ ଦୁଇଟା ବାଜିଥିଲା । ଡ୍ରୟରରୁ ନିଦ ବଟିକା କାଢ଼ି ଗିଳିନେଲା । ସକାଳୁ ଉଠିବାକୁ ହେବ ତ । ସେ ତକିଆରେ ମୁଣ୍ଡ ମାଡ଼ିନେଲା....ନା, ଆଉ କୌଣସି କଥା ଭାବିବାକୁ ନାଇଁ....କିଛି ବି ନୁହଁ ।

 

ସକାଳେ ବିଜୟ ଉଠେଇ ନଥିଲେ ସେ ହୁଏତ ଆଠଟାଯାଏ ନିଦର ଗୁମ୍ଫାରେ ବନ୍ଦି ହୋଇ ରହିଥାନ୍ତା । ରାତି ଅନିଦ୍ରା ପରେ ସକାଳର ଗାଢ଼ ଆତ୍ମଲୀନ ନିଦ୍ରା । ତା’ର ପ୍ରତି ସ୍ତରରେ କ୍ଳାନ୍ତି ଆଉ ଆଳସ୍ୟ ଭରି ରହିଥିଲା । ବାହୁ ଉପରକୁ କରି କମ୍ମୋ ଅଳସ ଭାଙ୍ଗିଲା । ହାଲୁକା କରି ଝୁଣି ଦେଲା ଶରୀରକୁ । ନିଦର ମଦୁଆ ଭାବ ଆଖିରେ ଲାଳିମା ଭରିଦେଇଥିଲା । ବିଜୟ ମୁହୂର୍ତ୍ତକ ଲାଗି ଏକ୍‌ସରେ ଭଳି ଆଖିରେ ଭେଦିଗଲା । ନୂଆ ଧୁଆ ଧଳାଚାଦର ଦେଖି ତା’ର ଭୃଲତା କିଞ୍ଚିତ ନାଚି ଉଠିଲା । ଦେଖି ଅଦେଖା କରିନେଲା କମ୍ମୋ ।

 

‘କ’ଣ କାଲି ବି ପିଲ୍‌ସ୍‌ ନେବା ଦରକାର ହେଲା !’

 

କମ୍ମୋ ଉତ୍ତର ଭାବରେ ଶାଣିତ ଦୃଷ୍ଟିରେ ଏଇ ବିଜେତା ପୁରୁଷକୁ ଦେଖିବାକୁ ଚାହିଁଲା-। ମାତ୍ର ଆଖିର ମାଦକ ଆଳସ୍ୟ ସେହି ଦେଖାଟି ଲାଗି ଅଧିକ ଉକୁଟି ଉଠିଲା । ବିଜୟ ଅଭ୍ୟାସବଶତଃ ବାଳ ସାଉଁଳି ଦେଲା, ହାଲୁକା ଚୁମା ଦେଲା ଆଉ କମ୍ମୋର ଆଖିରେ ଆଖି ମିଳେଇ ନିର୍ଦ୍ଦୟ ଭଳି କହିଦେଲା....‘ଅନେକ ଦିନ ପରେ ମୁଁ ତ ଆଜି ନିଘୋଡ଼ ନିଦରେ ଶୋଇଗଲି-।’

 

କମ୍ମୋ ଦର୍ପଣରେ ଆପଣାକୁ ଅନେଇଲା । ଏଇ ପଥର ମୂର୍ତ୍ତିଟି ଦେହରେ କୌଣସି ବି ଚିହ୍ନ ଅଙ୍କିତ ହୁଏ ନାଇଁ, ଟିକିଏ ବି ଦାଗ ନଜରରେ ପଡ଼ିନାଇଁ ।

 

‘କି ମସଲାରେ ତମେ ତିଆରି ମିସେସ୍‌ ବିଜୟ !’

 

ମିସେସ୍‌ ପାଲ୍‌ ପଚାରିଥିଲେ । ତା’ର ଉତ୍ତରରେ ସେ ମୁରୁକେଇ ହସି ଦେଇଥିଲା କେବଳ । କର୍ଟସୀ ଭଳି, ସେମିତି କହିଦେଇଥିଲା.... ‘କାହିଁକି ଥଟ୍ଟା କରୁଛନ୍ତି....!’

 

ଆଉ ପାଲ୍‌ ପତ୍ନୀର ପ୍ରଶ୍ନର ଉତ୍ତର ଭାରି ସହଜିଆ ଢଙ୍ଗରେ ଦେଇଦେଇଥିଲା....‘ୟାଙ୍କୁ ତିଆରି କରିବା ଲାଗି ଅସଲି ଶଙ୍ଖ ମଲମଲ ପଥର ଲାଗିଛି ।’ ପାଲ୍‌ ଇଂଜିନିୟର । କୋଉ ସ୍ଥାପତ୍ୟରେ କେମିତି ମସଲା ଲାଗିଛି ତାକୁ ବେଶ୍‌ ଜଣା ।

 

ବିଚରା ପାଲ୍‌ । ଶଙ୍ଖ ମଲମଲକୁ ଆଖିରେ ଛୁଇଁ ଦେବ, ହେଲେ ତା’ ଦେହରେ କୌଣସି ଭାବ ଜଗେଇ ଦେଇପାରିବ ନାଇଁ । ତେଣୁ ହୁଏତ କିଛିଟା ଭାବି ସେ ପ୍ରଶଂସା କରିଥିଲା....‘ହଁ ଏଇ ଡେକୋରେସନ ପିସ୍‌କୁ ଡ୍ରଇଁ ରୁମ୍‌ରେ ସଜାଯାଇ ପାରିବ ।’ ଏକଥା ଯେମିତି ଠିକ୍‌ ଠିକ୍‌ କହିଥିଲା । ପାଲ୍‌ ସାହେବଙ୍କ କଥାରେ ମନଖୋଲା ହସ ହସିଥିଲା କମ୍ମୋ । ଖରାପ ଭାବି ପରିହାସର ମୁଡ୍‌ ଖରାପ କରିବା ସେ ଶିଖି ନଥିଲା । ହେଲେ ସେ କଥାଟିର ଦଂଶନ କେତେ ଗଭୀର ନଥିଲା । ବିଚାରୀ ମିସେସ୍‌ ପାଲ୍‌ । ଆଠ ବର୍ଷରେ ଚାରୋଟି ଜନ୍ମ କରି ଅଧାବୁଢ଼ୀ ପାଲଟିଯାଇଛି । ତାଙ୍କୁ ଡ୍ରଇଁରୁମ୍‌ରୁ କାହିଁକି ବେଡରୁମ୍‌ରୁ ବି ରିଟାୟାର କରିଦେବାକୁ ଭାବୁଥିବେ ପାଲ୍‌ ସାହେବ । ବିଶ୍ରାମ ଯେ ତାଙ୍କର ଅନେକ ଦରକାର ।

 

ଏଇ ଆରାମ ଲୋଡ଼ାନାଇଁ କମ୍ମୋର । ‘ଡେକୋରେସନ୍‍ ପିସ୍‍!’ କମ୍ମୋ ସ୍ଳିପର ଘୋସାରି ନେଇ ଶାୱାର ପୂରା ଖୋଲିଦେଲା ।

 

ନିପୁ ଡ୍ରେସ୍‌-ଅପ ହୋଇ ଜଳଖିଆ ଲାଗି ଟେବୁଲକୁ ଆସିଲାରୁ ମାନସିକ ସ୍ତରରେ କିଛି ପୀଡ଼ାର ଅନୁଭବ କଲା କମ୍ମୋ । ଡ୍ରେସ୍‌ର ସାର୍ଟ ବଟନ୍‌ ଛିଣ୍ଡା ଆଉ ସେଇଠି ଢ଼େଢ଼ା ବଙ୍କା କରି ଗୁଞ୍ଜା ହୋଇଥିଲା ପିନ୍‌ ! ପତଳା କହରା ଅଲରା ବାଳ ନିପୁର ସରଳ ମୁହଁଟିକୁ ଅଧିକ ନିରୀହ କରିଦେଇଥିଲା । କମ୍ମୋର ଅନୁପମ କେତୋଟି ଆତ୍ମୀୟ ମୁହୂର୍ତ୍ତର ସ୍ମାରକ । ତା’ଲାଗି କେତେ ସମୟ ଦେଇପାରୁଛି କମ୍ମୋ ?

 

ତା’ର ଗୋଟି ଗୋଟି କରି ମୁହୂର୍ତ୍ତ, ଦିନ ମନେ ଅଛି । ବିଜୟର ଅନପେକ୍ଷିତ ଆତ୍ମୀୟତା-। ପାଖେଇ ଆସିବାର ଅଭିଳାଷ; ଲାଳସା । ଅକସ୍ମାତ୍‌ ବିଜୟ କେମିତି ବଦଳି ଯାଇଥିଲା-। ଅତୀତର ସମସ୍ତ କଟୁତା ଯେମିତି ସ୍ମୃତି ପଟଳରୁ ଧୋଇ ପୋଛି ହୋଇଯାଇଚି । ଅକାରଣ ଅନେକ କିଛି ସୁଖ ଓ ପ୍ରେମ ପାଇ କମ୍ମୋ ନୂଆ ଆଉ ତୋଫା ହୋଇ ଆସିଥିଲା । ତା’ଲାଗି ପ୍ରତିଟି ମୁହୂର୍ତ୍ତ ମହତ୍ୱପୂର୍ଣ୍ଣ ହୋଇ ଉଠିଥିଲା । ପୂରା ମାସଟିଏ ରାସ୍ତାରେ, ବଗିଚାରେ ବୁଲି, ବୋଟିଂ, ପିକ୍‌ନିକ୍‌, ହାଇକିଙ୍ଗ୍‌, ଘୋଡ଼ାସବାରୀରେ ଥକି ଦୁହେଁ ଦୁହିଁଙ୍କର ବାହୁରେ ବନ୍ଦି ହୋଇ ରହିଯାଉଥିଲେ ରାତିରେ-

 

କମ୍ମୋ ସାରାଦିନ ବୁଡ଼ିରହୁଥିଲା ତନ୍ଦ୍ରାରେ, ସୁଖଭରା ଅଳସ କ୍ଳାନ୍ତିରେ । ଘଡ଼ିକ ଲାଗିବି ଛାଡ଼ୁନଥିଲା ବିଜୟ ।

 

‘ଆଜି ପହଲଗ୍ରାମ ପ୍ରୋଗ୍ରାମ୍‌ !’

 

‘ଆଜି ଚନ୍ଦନବାଡ଼ି ପାଇଁ ଘୋଡା ଠିକ୍‌ କରିନେଇଛି ।’

 

‘ଆଜି ତ ବଗିଚାରେ ହିଁ ବୁଲାଯାଉ ।’

 

‘ଆଜି ମେଘ ଉଠିଲାଣି । ପାହାଡ଼ ଉପରେ ବର୍ଷାର କି ଭରସା ! ଘରେ ଆରାମ କରାଯାଉ ।’ ସେ ଅନୁନୟ କଲାଭଳି କହେ ।

 

‘ବର୍ଷାରେ ମୁଁ ମୋର କମ୍ମୋକୁ କଦାପି ତିନ୍ତିବାକୁ ଦେବିନାଇଁ ।

 

‘କଣ କରିବ ? ସେ ବିଜୟର ପ୍ରତିକ୍ରିୟା ଜାଣିବା ଲାଗି ନିରର୍ଥକ ପଚାରିଦିଏ ।

 

‘ଛତା ପାଲଟିଯିବ’ ଆଉ ବିଜୟ କମ୍ମୋ ଉପରକୁ ନଇଁଆସି ତାକୁ ଭିଡ଼ିଧରି ଢାଙ୍କି ପକାଏ ।

 

‘କମ୍ମୋ ବାହୁଘେରରୁ ମୁକୁଳି ଆସି କେବେ କେମିତି ପଚାରିଦିଏ....‘ଏ ପ୍ରେମର ଜର କେତେଦିନ !’

 

‘ମାଡାମ୍‌, ଏ କେତେବେଳେ ବି ନ ଓହ୍ଲେଇବା ଜର ।’ ଯେମିତିକି ବିଜୟର ଉତ୍ତର ପ୍ରସ୍ତୁତ ହୋଇ ରହିଥାଏ ।

 

ହେଲେ ଦିନେ ସେଇ ଜର ଓହ୍ଲେଇ ଦେବାଭଳି କଥାଟି କହି ଦେଇଥିଲା କମ୍ମୋ ।

 

‘ମୋତେ ଭଲ ଲାଗୁନି ।’

 

‘ଭଲ ଲାଗୁନି ! କଣ ହେଲା ଏମିତି ହଠାତ୍‌ ?’

 

‘ବାସ୍‌, ହେଲା !’

 

ଆଉ ଖିଆପିଆରେ ଅରୁଚି, ଆଳସ୍ୟ, ଥକା ଥକା ଭାବ, ସମୟ ଅସମୟରେ ବାନ୍ତି । ବିଜୟ ଅସହାୟ ଭାବରେ ହାତବାନ୍ଧି ରହିଲା । ସେଇ ପବନ ହାନ୍ଦୋଳାରେ ଉଡ଼ି ବୁଲିଲା ଦିନମାନଙ୍କରେ ତା’ ଭିତରେ କଅଁଳ ଛନଛନ ନିପୁ ନିପୁ ବଢ଼ିବାକୁ ଲାଗିଥିଲା ।

 

ମାସକର ବୁଲାବୁଲି ପରେ ଘରକୁ ଫେରି ଆସିଲାରୁ ମନେହେଲା ଯେମିତି ସବୁକିଛି ଥମି ଯାଇଛି । ବିଜୟର ଫାଇଲ୍‌ ଝାଡ଼ିଝୁଡ଼ି ସଜିଲ କରୁକରୁ, ଦିନେ ମେଘୁଆ ବେଳାରେ ସେଇ ଫଟୋ ପ୍ୟାକେଟଟି ପାଇଲା କମ୍ମୋ, ଯୋଉଥିରେ ବିଜୟ ଆଉ ଜୁଲୀର ଅନେକ କିଛି ସ୍ମୃତି ସୁରକ୍ଷିତ ହୋଇ ରହିଥିଲା । ଆତ୍ମୀୟତାରେ ପରିପୂର୍ଣ୍ଣ ଚିଠି । ନିକଟତର ଉପଲବ୍‌ଧି ଦେଉଥିବା ଅନେକ ଫଟୋ, ଏମିତି ସବୁ ପୋଜ୍‌ରେ ଯେମିତି ଗତଦିନଗୁଡ଼ିକରେ ତା’ ସାଙ୍ଗରେ ଉଠାଯାଇଛି ।

 

ତା’ହେଲେ କ’ଣ ତା’ରି ଭିତରେ ଜୁଲୀକୁ ହିଁ ଭୋଗ କରି ଚାଲିଥିଲା ବିଜୟ ! କମ୍ମୋର ଛାତିରେ ଜୋର କରି ଭୁଲିଥିବା ଅତୀତର କ୍ଷତ ପୁଣି ଚେଇଁଉଠିଲା । ତା ସାଙ୍ଗରେ ଯାହାକିଛି ବି ଘଟିଥିଲା ତା’ ଉପରେ ପରଦା ପକେଇ ସେ ସବୁକିଛି ଭୁଲିଯିବାକୁ ଚାହିଁଥିଲା । କମ୍ମୋ ସେତେବେଳେ ପହିଲା କରି ମନେକଲା ଯେ, ଜୀବନରେ କୌଣସି କଥା ଭୁଲିଯାଇ ହେବ ନାଇଁ । ଯେଉଁମାନେ ଭୁଲିଥିବା ବା ଭୁଲିଯିବାର ଦାବି କରନ୍ତି ସେମାନେ ନିଜେ ନିଜକୁ ଠକନ୍ତି । ସେଭଳି ସମ୍ଭବ ହେଉଥିଲେ କମ୍ମୋ କ’ଣ ବିଜୟର କେତୋଟି ମିଠା ମିଠା ଅନୁଭବକୁ କେତୋଟି ଝାଳବୁନ୍ଦା ଭଳି ପୋଛି ପକାନ୍ତା ନାଇଁ ? ହସି ହସି ଭିତରେ ଭିତରେ ଗଜୁରି ଉଠିଥିବା କଟୁତାକୁ ଲିଭେଇ ଦିଅନ୍ତା ନାଇଁ ? ହେଲେ, ସେତେବେଳେ ହୁଏତ ତାହା ସମ୍ଭବ ନ ଥିଲା । ସେତେବେଳଯାଏଁ ପାରସ୍ପରିକ ସମ୍ୱନ୍ଧଟି ଏତେ ବୋଝଭଳି ମନେ ହେଉ ନ ଥିଲା ।

 

କମ୍ମୋ ଜାଣିଥିଲା ଯେ ଜଣେ ଜଣକର ନିରନ୍ତର ସାନ୍ନିଧ୍ୟର ଚିଟାଭାବର ଅସ୍ୱାଦ ଲାଗି ନିଜ ଭିତରେ ବିଶାଳତା ଭରିଦେଇ ଅନେକ କଥାକୁ ଭୁଲେଇ ବାଆଁରେଇ ଯିବାର ଭଙ୍ଗିମାଟିକୁ ଗ୍ରହଣ କରି ନିଆଯାଏ । ହେଲେ, ସେତେବେଳେ କମ୍ମୋ ସତକୁସତ ବ୍ୟସ୍ତ ବିବ୍ରତ ହୋଇ ସାରିଥିଲା । ଜୁଲୀର ହସ ହସ ଭଙ୍ଗିମା, ଇଚ୍ଛା ଆଉ ପ୍ରତିଶ୍ରୁତି କମ୍ମୋ କରଜ କରି ନେଇଥିବା ଖୁସିର ପରିହାସ କରି ବସିଥିଲେ ।

 

ଝଡ଼ ଥମିଲା ପରେ ସେ ବିଜୟକୁ ପଚାରିଲା । ବିଜୟ ବି ଭାରି ବୁଦ୍ଧିମାନୀରେ ସହଜିଆ ଉତ୍ତରଟିଏ ଦେଇଥିଲା—ସତେଇଶ ଅଠେଇଶ ବର୍ଷର ଯୁବକଟିଏ ଝିଅଙ୍କ ପାଖକୁ ଏମିତିଆ ଚିଠି ନ ଲେଖି ପ୍ରେମ କବିତା ଲେଖନ୍ତା ନା ? ଦୋସରା ଚଟକଣାଟି ଅଧିକ ପୀଡ଼ା ଦେଇଥିଲା କମ୍ମୋକୁ । ସେ ଚାହିଁଲେ କମ୍ମୋଠୁ ଛାଡ଼ପତ୍ର ନେଇ ଜୁଲୀକୁ ବାହା ହୋଇ ପାରନ୍ତା, ହେଲେ ସେ ସେମିତି କଲା ନାଇଁ । ତା କ’ଣ କମ୍ମୋ ଉପରେ କମ୍‌ ଦୟା ! ଖାସ୍‌ କରି ସେତେବେଳେ, ଯେତେବେଳେ କମ୍ମୋ ବି ବର୍ଷେକାଳ ଏକୁଟିଆଟା ରହିଥିଲା ।

 

ବିଜୟ ତାକୁ କିଛିଟା ରୀତିନୀତି ଶିଖିବାର ଉପଦେଶ ଦେଇଥିଲା ଯେ ସେ କିଛି ବ୍ୟବହାର କୁଶଳତା ଶିଖିବା କଥା ।

 

ଉପଦେଶର କଡ଼ା ଡୋଜ ପିଇଲା ପରେ କମ୍ମୋର ଦେହ ଅଧିକ ଅଧିକ ଅସୁସ୍ଥ ହେବାକୁ ଲାଗିଲାରୁ ସେ ମମ୍ମୀ ସାଙ୍ଗରେ ରହିବାକୁ ଚାଲିଆସିଲା । ଆଠମାସ ବେଳକୁ ଦେଖିବାକୁ ଆସିଲା ବିଜୟ । ସେତେବେଳେ କମ୍ମୋର ବିଶ୍ୱାସ ହେଲା ଯେ, ବିଜୟର ଜ୍ୱର ପୁରା ଓହ୍ଲେଇ ଯାଇଛି । କମ୍ମୋର ଢଙ୍ଗହୀନ ଶରୀର ଆଉ ଫୁଲିଲା ପେଟ ଦେଖି ବିଜୟର ମୁହଁ ଆପଣାଛାଏଁ ବିକୃତ ହୋଇ ଉଠିଥିଲା ।

 

‘କେତେ ବେଢ଼ଙ୍ଗ ହୋଇଯାଇଛି ! ଆରେ କିଛିଟା ବୁଲାବୁଲି କର । ଓଭରଓ୍ୱେଟ୍‌ ମନେ ହେଉଛ ....।’

 

ଆପଣା ସ୍ୱରରେ ଆପେ ସତର୍କ ହୋଇ ଚଞ୍ଚଳ କଥା ସମ୍ଭାଳି ନେଲା ବିଜୟ....‘ମୋ କହିବା ମାନେ ହେଲା ଅଧିକ ଓ୍ୱେଟ୍‌ ବଢ଼ିଲେ ବ୍ଳଡ୍‌ ପ୍ରେସର୍‌ ବଢ଼ିପାରେ ଆଉ ଡେଲିଭରୀ ବେଳକୁ ବି ଅସୁବିଧା ହୋଇପାରେ ।’

 

ହେଲେ କମ୍ମୋକୁ ଭୁଲେଇ ଦେବା ସହଜ କଥା ନୁହେଁ । ବିଜୟର ଆଖିରେ ଖେଳୁଥିବା ବିତୃଷ୍ଣାର ଜୁଆର ଦେଖି ତାର ସବୁ ଉତ୍ସାହ ଜମାଟ ବାନ୍ଧିଗଲା । ଭିତରେ କୋଉଠି ମନ ଗହୀରରେ ମୁନିଆଁ କଣ୍ଟାଟିଏ ବାଡ଼େଇ ହୋଇଗଲା ଯେମିତି । ‘ମା ହେବାକୁ ଥିବା ନାରୀ....ବେଢ଼ଙ୍ଗୀ....।’

 

କମ୍ମୋ ନିପୁ ପାଇଁ ସ୍ନେହରେ ତରଳି ଯାଇଥିଲା । କେଜାଣି କେମିତି ସେଇ ତରଳଭାବଟି ହଠାତ୍‌ ପଥର ପାଲଟିଗଲା ।

 

‘ଏଇ କାମିଜଟି ରହିଥିଲା ନା ପିନ୍ଧିବାକୁ ?’

 

ସେଇ ସ୍ୱରର କଠୋରତା ଓ ଗାମ୍ଭୀର୍ଯ୍ୟକୁ ନାକ ଉପରେ ବସିଗଲା ମାଛିଟିଏ ପରି ଘଉଡ଼େଇ ଦେଲା ନିପୁ ।

 

‘ଠିକ୍‌ ଅଛି ମମ୍ମୀ ! ଜଳଖିଆ ଦେ, ନ ହେଲେ ଆଜି ତାର ବି ଛୁଟି ହେଇଯିବ ।’

 

କମ୍ମୋ ଟେବୁଲ ଉପରେ ଜଳଖିଆ ରଖିଦେଲା । ବାହାରେ ନୀରବ, ଭିତରେ ଉଦ୍‌ବେଳିତ । ସରଳ ପୁଅଟିଦ୍ୱାରା ପ୍ରୟୋଗ ହୋଇଥିବା ଶବ୍ଦ ତା’ ଭିତରେ ଆନ୍ଦୋଳିତ ହେବାକୁ ଲାଗିଲା, ‘ନ ହେଲେ ଆଜି ତା’ର ବି ଛୁଟି ହେଇଯିବ !’ ‘ଛୁଟି ହେବା’ ବାକ୍ୟାଂଶଟି ସେ ତା’ର ବାପଠୁ ଶିଖିଛି । ବାପର ପୁଅ ନିପୁ । ଏଇ ଅବୋଧଟିର ମନରେ ମା’ର ମମତ୍ୱ ପ୍ରତି ବି ସନ୍ଦେହ ଜାତ ହୋଇସାରିଛି । ନିପୁର ନିଜ କାରଣଟିଏ ବି ଅଛି । ତାର ସାଙ୍ଗ ନିଶୁର ମା ପୁଅକୁ ନିଜ ହାତରେ ଖୁଆଇ ଦିଅନ୍ତି । ନିଶୁକୁ ଶୋଇଲା ଆଗରୁ କେତେ କ’ଣ ଗପ ଶୁଣାନ୍ତି । ରାମ କୃଷ୍ଣ ଆଉ ଇସପଙ୍କ ଗଳ୍ପ, ଆଲିବାବା ଓ ଚାଳିଶ ଚୋରଙ୍କ କଥା । ନିଶୁର ମା ତାକୁ ଆୟା ପାଖରେ ଛାଡ଼ିଦେଇ ପାର୍ଟିକୁ ଯାଆନ୍ତି ନାଇଁ....ନିଶୁର ମା....

 

‘ହଁ ହଁ.... ନିଶୁର ମା ଭାରି ଭଲ....ତୋର ମମ୍ମୀଠାରୁ ଶହେଗୁଣ ଭଲ । ତୋର ମା ଖରାପ, ବେକାର....ଯା’ ଯାହା ମନକୁ ଆସୁଛି କର....’

 

କ’ଣ ସତରେ ହୋଇ ଯାଇଥିଲା କମ୍ମୋର ସେଦିନ....। ପୁଅଟି ମମତାଟିକକ ଲାଗିତ ସେଦିନ ନିଶୁର ମା ବିଷୟରେ କହିଥିଲା । କମ୍ମୋ କେମିତି ସହି ପାରିଲା ନାଇଁ, ମୁରୁକେଇ ହସିଦେଇ ସ୍ନେହଭରା ଚୁମାଟିଏ ଦେଇ ପୁଅ ମନର ସନ୍ଦେହ ଟିକକ କେମିତି ପୋଛିଦେଇ ପାରିଲା ନାଇଁ । କ’ଣ ତା’ରି ଭିତରେ ଆପଣାର ଅପରାଧବୋଧ ହିଁ ତାକୁ ଘାରୁଥିଲା । ଆଉ ବାହାରେ ସେ ତାକୁ ଅସ୍ୱୀକାର କରିଦେବାକୁ ଚାହୁଥିଲା ! ଏତେବଡ଼ ମାମୁଙ୍କର ଧମକ ସତ୍ତ୍ୱେ ଯେ ବାଧ୍ୟ କରି ମୁହଁ ଖୋଲି ଅଖରୋଟ ଖୁଆଇ ଦେଇ ପାରୁଥିଲା, ରାଗିଗଲେ ଛୋଟିଆ ପପ୍‌ପୀଟିଏ ଦେଇ ହସେଇ ଦେଇଥିଲା, ସେଇ କମ୍ମୋ ମାଆ ହୋଇ ଛୁଆଟିର ନିରୀହ ସ୍ପଷ୍ଟବାଦିତା ପାଇଁ ବିସ୍ଫୁରିତ ହେଲା କେମିତି ?

 

ତାକୁ ସେମିତି କେମିତି ମନେହେଲା ଯେ, କିଏ ଯେମିତି କୋଉ ଏକ ଅଦୃଶ୍ୟ କରତଧାରରେ ତା’ର ଛାତି କରତି ଦେଉଛି । ଥନ୍ତଡ଼ା ଛୁରୀ ମାରୁଛି କଲିଜାରେ । ନିପୁ ବିଜୟର ପୁଅ, ହେଲେ ତା’ର ରକ୍ତ ମାଂସର କିଛି ନୁହେଁ ? ନିପୁ ତା’ର କିଛି ବୋଲି କିଛି ହୁଏନାଇଁ ? ସେ କେମିତି ବାଧ୍ୟ ହୋଇପଡ଼ିଲା ଯେ, ସୋରିଷ ଭଳି କଥାଟିଏକୁ ସୁରସାର ମୁହଁ କରି ପକେଇଲା ? ଏଇଆ ନା, ପୀଡ଼ାଟିଏ, ହଠାତ୍‌ ଛାତି ଭିତରେ ଗୁମୁରି ଉଠିଥିଲା ! ଏଇଆ କର , ଏଇଆ କରନାର ଲକ୍ଷ୍ମଣ ରେଖାରେ ବନ୍ଦିକରି ତାକୁ ସ୍ୱାଧୀନ କରି ଦିଆଯାଇଛି । ବିଜୟ ନିପୁକୁ ଅନୁଶାସନ ଶିଖେଇଛି, ଆଉ ତାର ମା’କୁ ସ୍ୱାଧୀନତା ଦେଇ ବିଶିଷ୍ଟ ଘରମାନଙ୍କରେ ବନ୍ଦିନୀ କରି ଦେଇଛି । ପୁଅ ଏ ଦୋହରା ନୀତି କଥା ଜାଣେ ନାଇଁ, ବୁଝେ ନାଇଁ, ତେଣୁ ସିନା ମା’ଟି ପାଇଁ ତାର ଅଭିଯୋଗ । ସେ ନିଶୁର ମା’କୁ ଦେଖିଛି, ଯା’ର ଆପଣାର ଅନୁଶାସନ ରହିଛି । ସେଇଥିଲାଗି ତାକୁ ମା’ର ପ୍ରତ୍ୟେକ ତ୍ରୁଟିକୁ ଅପରାଧ ଭଳି ମନେ ହେଉଛି, ପ୍ରତ୍ୟେକ କାର୍ଯ୍ୟକୁ ବିଳାସ ବୋଲି ମନେକରୁଛି । ଚାରୋଟି କେମିକେଲ୍‌ସ ମିଶେଇ ସୋଲ୍ୟୁସନ୍‌ଟିଏ ତିଆରି ହେଲା, ପରିଣାମରେ ହେଲା ଭୁଲ । ଧରାବନ୍ଧା ଫର୍ମୁଲାକୁ କମ୍ମୋ ଭୁଲ ବୋଲି ପ୍ରମାଣିତ କରିଦେଲା । ବିଚାରା ନିପୁ ଭିତରର ବ୍ୟୁହ କଥା କେମିତି ଜାଣିବ, ଘୁରାଫେରା ପ୍ରହେଳିକାକୁ ବୁଝିବ କେମିତି ! ମା’ର ଆକଟ, ପାପାର ଇମେଜ, ଆଉ ସେଇ ଇମେଜକୁ ବଞ୍ଚେଇ ରଖିବାର ଯେତେସବୁ ଛଳନାପୂର୍ଣ୍ଣ ଚେଷ୍ଟା ।

 

ବିଜୟର ଇମେଜକୁ ପ୍ରମାଣିତ କରିବାକୁ କମ୍ମୋ ‘କମ୍ମୋ’ ନୁହେଁ, ‘ମିସେସ୍‌ ବିଜୟ’ ହୋଇ ରହି ଯାଇଛି । ହେଲେ ନିପୁକୁ ତା’ର କୋଉ ପ୍ରମାଣ ଦରକାର ? ବିଜୟର ଦୁନିଆଁ ସାଙ୍ଗରେ ବାନ୍ଧି ହୋଇ ରହିବାର ଏକମାତ୍ର ଡୋରି ହେଲା ନିପୁ, ଯା ଲାଗି ତାର ପ୍ରତି ନିଃଶ୍ୱାସର ଚଢ଼ା ଉତୁରା ଶୁଭ ମନାସ କରୁଛି, କ’ଣ ସେଇ ଅନ୍ତରଙ୍ଗ ସମ୍ୱନ୍ଧକୁ ବି ପ୍ରମାଣିତ କରିବାକୁ ପଡ଼ିବ-!

 

କମ୍ମୋ ମନେକଲା ଯେମିତି ପୁଅଟି ବି ତାକୁ କର୍ତ୍ତବ୍ୟବୋଧ ଶିଖେଇବାକୁ ଚାହୁଛି । ଅଜାଣତରେ ତା’ର ବ୍ୟକ୍ତିତ୍ୱ ପ୍ରତି ପରିହାସ କରୁଥିବା ଏଇ ନିର୍ବୋଧ ଶିଶୁଟି ଭିତରେ କ’ଣ ତା’ର ବାପ ହିଁ କହୁନାଇଁ ? ଅନୁଶାସନ ! ବିଜୟ ଅନୁଶାସନର କମି ସହି ପାରେ ନାଇଁ । ସକାଳୁ ସଞ୍ଜଯାଏ ବ୍ୟସ୍ତତା, ଯନ୍ତ୍ରଚାଳିତ କମ୍ମୋ ପାଇଁ ଧରାବନ୍ଧା ରୁଟିନ୍‌ ଆଉ ତା ବାହାରେ ସବୁ ମାଫ୍‌....ତା ବାହାରେ ଆଉ କଣ ବା ଥାଏ ଯେ... ! କମ୍ମୋ ଏ ପର୍ଯ୍ୟନ୍ତ ବୁଝିପାରି ନାହିଁ । ତା’ର ଅସ୍ତିତ୍ୱର କୌଣସି ହେଲେ ଅଂଶ ଯାହା ତାକୁ କେତେବେଳେ ହେଲେ କମ୍ମୋ କଥା କରେଇ ଦିଅନ୍ତା ! ଘଡ଼ିର କୌଣସି ଗୋଟିଏ ଟିକ୍‌ ଟିକ୍‌ ହେଲେ ! ଦିନ ପରେ ରାତି ! ତାର ନିଜର ରାତି ।

 

କମ୍ମୋର ମା ଯେତେବେଳେ ସାରାଦିନର କାମ ସାରି ରାତିରେ କେତେ ଡେରିରେ ବିଛଣା ଧରନ୍ତି–ସେତେବେଳେ କେଜାଣି କେତେ କ’ଣ କଥା ଶୁଣେଇ ବସନ୍ତି । ବାପା ଧମକେଇ କହନ୍ତି, ‘‘ଦେଖ, ଚାଲୁ ହେଇଗଲା ଲଙ୍ଗ୍‌ ପ୍ଳେ । ଦିନସାରାର ବକ୍‌ଝକ୍‌ ପରେ ରାତିରେ ବି ଆରାମ କରେଇ ଦେବ ନି !’’

 

ମା’ ହସିଦେଇ ମିଠାଳିଆ ପ୍ରତିବାଦଟିଏ କରନ୍ତି–‘‘ଦିନ ତ ଅନ୍ୟମାନଙ୍କର, ହେଲେ ରାତି ତ ନିଜର... ।’’

 

ତା’ର ନିଜ ରାତି । ଏ ରାତିଗୁଡ଼ିକ ବି ଆପଣାର ହୁଏ ନା ! କମ୍ମୋର ଜୀବନରେ ସେ ‘ଆପଣାର ରାତି’ କେବେ ଆସିଥିଲା ?

 

ବିଜୟ ଘରେ କମ୍ମୋର ପହିଲା ରାତି । ଏଇ ଆପଣାର ରାତିଟିର କୁତୁକୁତୁପଣର ଅନୁଭବଟି ପହିଲା କରି କେବେ ସତରେ ସେ କରିଥିଲା ?

 

ବାସ୍ତବରେ କମ୍ମୋ ନିଜେ ତାହା ଅନୁଭବ କରି ନ ଥିଲା, ବରଂ ଉଷୀ କରେଇଥିଲା । ଉଷୀ ଚଞ୍ଚଳ, ଦୁଷ୍ଟ, ସୁଖଦ, ଗୋଲାପୀ ରଙ୍ଗର, ସୁନେଲି ବାଳ ଆଉ ବିଲୋଳ ଆଖି ତା’ର । ଯିଏ ଉଠୁଥିବା ପ୍ରଶ୍ନ ଆଉ ସବୁ ଅଡ଼ୁଆ ସମସ୍ୟାର ସମାଧାନ ଜାଣେ । ଅମ୍ମୀ ତା’ ଉପରେ ଭାରି ଖୁସ୍‌ । କୋଉ କଥା ସତରେ ନ ଥିଲା ଉଷୀ ଭିତରେ !

 

ଦୁଆର ମୁହଁରେ ବିଜୟର କରାଘାତ ଚିହ୍ନି, ବିନା ଓଢ଼ଣୀରେ, ଅଟା ସଲବଲ ହାତରେ ରନ୍ଧାଘରୁ ବାହାରିଆସେ ଉଷୀ । ବାଆଁ ବାହୁ ଉପରେ ଲୋଟି ଆସିଥିବା ମୁକୁଳା ବାଳ ପଛକୁ ଛାଟିନେଇ ବିଜୟକୁ ହସିଲା ହସିଲା ଆଖିରେ ଭିତରକୁ ଆସିବାର ନିମନ୍ତ୍ରଣ ଦେଉଥିଲା !

 

‘‘ମୋ ଠେଇଁ କିଛି ଖାସ୍‌ କାମ ଅଛି କି ?’’

 

ଅଧା ମଇଳା ଅସ୍ତବ୍ୟସ୍ତ ଲୁଗାରେ ଢାଙ୍କି ହୋଇ ରହି ନ ପାରୁଥିବା ମାଂସଳ ଦେହରୁ ଆଖି ଫେରେଇ ବିଜୟ ଅକାରଣ ଖନେଇ ଗଲା....

 

“ମା ....ଡଡକେ....ଇଚ୍ଛି । ଦେହ ଭଲ ନାଇଁ ।”

 

ଉଷୀ ବୁଝିଯାଏ । ଦାବି ହେଲା ଓଠ ଓ ଟଣାଟଣା ଭ୍ରୂଲତାର ରେଖାରେ ଅର୍ଥଭରା ପ୍ରଶ୍ନଟିଏ ଉକୁଟି ଉଠେ....‘ବାସ୍‌ ସେଇକଥା....?’

 

ବିଜୟ ଘର ଭିତରକୁ ଯିବାକୁ ଥଙ୍ଗେଇ ଯାଏ । ଥରେ ସେଇ ଚଙ୍ଗଚଙ୍ଗୀ ଉଷୀ ତାକୁ ବାହୁରେ ଭିଡ଼ିନେଇ ମନେଇ ବସିଲା—‘ଚାଲ ନା ....ତୁମକୁ ମୋ’ ରାଣ ! ଦୁଇ ମିନିଟ୍‌ ତ ବସିବ-? ମୁଁ ଲୁଗା ବଦଳେଇ ତମର ସାଙ୍ଗରେ ଯିବି ।’

 

ବିଜୟର ମନ କେଜାଣି କେମିତି ହୋଇ ଉଠିଥିଲା । ଖୋଲା ଗଳା ତଳେ ମହକି ଉଠୁଥିବା ଘାଟିରେ ଯେମିତି ଖସି ଖସି ଚାଲିଯିବ । ଉଷୀର ଶରୀରରୁ ସ୍ନୋ ପାଉଡରର ସୁବାସଠୁ ଭିନେ ରଜନୀଗନ୍ଧା ଭଳି ମତାଣିଆ ମହକ ଛୁଟି ଆସୁଥିଲା । ସେଇ ମହକରେ ଆମୋଦିତ ହୋଇ ସେ ବିଚିତ୍ର ଅନୁଭୂତି ପାଏ । ଯେମିତି ସେ ଉଷୀ ପାଖରେ ନୁହେଁ, ବରଂ ଏକ ଦହଦହ ଦହକୁଥିବା ଜ୍ୱାଳାମୂଖୀ ପାଖରେ ଠିଆ ହୋଇଛି, ଯାର ତୀବ୍ର ଧାସରେ ତା’ ଭିତରର ଲାଭା ଶିଖାରୂପରେ ଉକୁଟି ଆସେ । କପାଳର ଶିରାଗୁଡ଼ିକ ଟାଣି ହୋଇଆସେ ।

 

ସେଥର ଉଷୀ ବିଜୟ ଆଗରେ ମୁରୁକେଇ ହସିଥିଲା—ବିଲୋଳ ଆଖିର ବିଶିଷ୍ଟ ସ୍ମିତ ହସ ‘କହ ବିଜୟ, ମୁଁ ମୀନାକୁମାରୀ ହୋଇ ପାରିବି ନାଇଁ ନା ? ମୋର ବାଳ ଗଜ ଗଜ ଲମ୍ୱା ନୁହେଁ, କଳାଘୁମର ହ୍ରଦଭଳି ଗଭୀର ନୁହେଁ ! ଟେଲେଣ୍ଟ ନାହିଁ, ଆର୍ଟ ନାଇଁ, ହେଲେ କିଛି ତ ଅଛି ? ଲିଜ୍‌ ଟେଲର୍‌, ସୋଫିଆ ଲରେନ୍‌, ମରଲୀନ୍‌ ମୁନ୍‌ରୋ ? ନା’ ଛାଡ । ଉଷୀ ଉଷୀ ହୋଇ ଥାଉ....ସେ କଣ କମ୍‌ କି ?

 

ଫଇସଲା ବିଜୟ ଉପରେ ଛାଡ଼ିଦେଇ ସେ ହସିଦିଏ । ଅକାରଣ ।

 

ରୁଣୁଝୁଣୁ ହୋଇ ହଠାତ୍‌ ହସ । ସ୍ୱରର ମତୁଆଲା ଆଳସ୍ୟ ଯେମିତି କାନରେ ତରଳ ସୀମା ଢାଳି ଦେଉଛି । ନା, ସେମିତି କହୁଥିଲେ ପିଉସା । ପିଉସୀ ଝିଅର ସ୍ୱର ପାଇଁ ମରି ଯାଇଥିଲା । ଉଷା କଣ୍ଠର ଯାଦୁ ସଙ୍ଗୀତ ପାଲଟିଗଲେ, ଜୀବନରେ କୋଉ କଥାର କମି ରହିବ ନାଇଁ ।

 

ତାର ପିଉସୀ ସଂପୂର୍ଣ୍ଣ ଜୀବନଟିଏ ଚାହୁଥିଲା, ଅସମୟ ବୁଢ଼େଇ ଯାଉଥିବା ସ୍ୱାମୀ ଓ ସମୟ ଆଗରୁ ଯୁବା ପାଲଟି ଯାଉଥିବା ତିନି ତିନିଟା ପିଲାଙ୍କୁ ନେଇ ହାରାହାରି ଜୀବନଟିଏ । ସାଧାରଣ ଚେହେରାର ହୋଇଥିଲେ ବି ସୁଗଠିତ ଦେହ ଯଷ୍ଟି ଏବଂ ନିର୍ଦ୍ଦୋଷ ତ୍ୱଚାର ଟ୍ରମ୍ପକାର୍ଡ଼ ଧରି, ସାଧାରଣ ନାରୀଟିଏର ସ୍ୱପ୍ନ, କର୍ତ୍ତବ୍ୟ, ଦୈନନ୍ଦିନ ଧାରାର ନରମ ଗରମ ସ୍ଥିତି ଭିତରେ ବୈବାହିକ ଜୀବନ ଆରମ୍ଭ କରିଥିଲା ପିଉସୀ । ପାତଳ ଦୁର୍ବଳ ଶରୀରର ପିଉସା କୋଉ ଅଫିସ୍‌ରେ ନୂଆ ନୂଆ ହେଡ଼କ୍ଳର୍କ ଚାକିରି ପାଇଥିଲେ । ପତ୍ନୀର ଗୋଲାପୀ ଗାଲ ଆଉ ଭରାପୂରା ଦେହକୁ ପହିଲା କରି ପ୍ରଶଂସାର ଆଖିରେ ଦେଖିଥିଲେ ସେ । ହେଲେ କେଜାଣି କେତେବେଳେ ସେ ସୁଗଠିତ ଦେହ ଘୁଣ ଭଳି ଭିତରେ ଭିତରେ ଖାଇ ଯାଉଥିବା ହୀନଭାବନାର ଶିକାର କରିନେଲା, ତାହା ସେ ନିଜେ ବି ଜାଣିପାରିଲେ ନାଇଁ । କାର୍ଯ୍ୟଦକ୍ଷତା ଓ ନିପୁଣତା ସତ୍ତ୍ୱେ ସେ ପତ୍ନୀ ଆଗରେ ନିଜକୁ ଅକ୍ଷମ ଓ ହତୋତ୍ସାହିତ ମନେ କରିବାକୁ ଲାଗିଲେ । ବାସ୍ତବିକ କୌଣସି ଭାବନା ବିଶେଷ ଲାଗି କୌଣସି ଖାସ୍‌ କାରଣଟିଏ ନ ଥାଏ ବି । କୌଣସି ବି ମୁହୂର୍ତ୍ତରେ ଆକସ୍ମିକ ଜନ୍ମ ନେଇଥିବା ଧାରଣା ବା ସେଭଳି କିଛି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ଆଭାସ ଯା ଦ୍ୱାରା ପ୍ରଭାବିତ ପିଉସା ନିଜକୁ ନିରୀହ ଓ ଅକ୍ଷମ ମନେ କରିବାକୁ ଲାଗିଲେ ।

 

ଏହି ନିଷ୍କର୍ମାପଣ, ପିଲାଦିନର ସାଙ୍ଗ ପୁଷ୍କରର, ବହୁବର୍ଷ ପରେ ଅକସ୍ମାତ୍‌ ଦେଖା ପଡ଼ିଲାରୁ ଅନୁଭୂତ ହେବା ଆରମ୍ଭ ହେଲା । ଇମ୍ପୋର୍ଟ ଏକ୍‌ସପୋର୍ଟ ବେପାରରେ ଦକ୍ଷ ପୁଷ୍କରକୁ ଦେଖି ପିଉସା ଯାହା ବି ଦେଖି ଥାଆନ୍ତୁ, ଭାବି ଥାଆନ୍ତୁ ବା ବୁଝି ଥାଆନ୍ତୁ ନା କାହିଁକି, ତାହା ପିଉସୀର ଆଖି ଚୁଲିର ରଡ଼ ନିଆଁକୁ ଅନେଇ ରହିଥିବା ସତ୍ତ୍ୱେ ପିଉସାଙ୍କଠାରୁ ଅନେକ କିଛି ଅଧିକା ଦେଖି ନେଲା । ପୁଷ୍କର ଉଚ୍ଚା ପୂରା ଖୁସି ମନ ମଣିଷଟିଏ । ତା’ର ହାତଘଡ଼ିରେ ସୁନା ଚେନ୍‌ । ପୁଷ୍କର ପହିଲି ଦେଖାରେ ତାରା ଭାଉଜର ଗେହ୍ଲା ଦିଅର ପାଲଟିଗଲା । ବିଚରା ପିଉସା ! ଏଇ ସ୍ନେହପୂର୍ଣ୍ଣ ସମ୍ୱନ୍ଧକୁ ଅସ୍ୱୀକାର ବି କରିଥାଆନ୍ତେ ଯଦି, କୋଉ ଯୁକ୍ତିରେ ?

 

ଧୀରେ ଧୀରେ ତାରାକୁ ପୁଷ୍କର ପାଖରେ ବସିଥିବା ତା’ର ପତି ବୀର୍ଯ୍ୟହୀନ ଓ ମୃତପ୍ରାୟ ମନେହେବାକୁ ଲାଗିଲା । ଫଳସ୍ୱରୂପ ଛୋଟ ଛୋଟ ପାରିବାରିକ କୁହାବୋଲା ମହାଭାରତରେ ପରିଣତ ହେବାକୁ ଲାଗିଲା ଓ ପିଉସା ଏ ମହାଭାରତରୁ ଉବୁରି ଯିବା ପାଇଁ ଚୁପ୍‌ ରହିବାକୁ ଲାଗିଲେ—ଆଖି ଥାଇ ଅନ୍ଧ ଏବଂ କାନ ଥାଇ ବଧିର ପାଲଟିଗଲେ । ତାରା ଜ୍ଞାତି ପରିଜନଙ୍କ କଥା ଭୁଲିଯାଇ ନ ଥିଲେ । ଆତ୍ମୀୟସ୍ୱଜନ, ଦିଆ ନାଇଁ, ନଣଦ ଦିଅର ସବୁକଥା ଜଗି ରହିଥିଲେ । ପିଉସାଙ୍କର କାଶିବା, କଫ ପକେଇବା, ଅଲଗା ଅଲଗା ଦୂରେଇ ରହିବା କଥାରୁ ଭାଇ ଭଉଣୀମାନେ ବି ସ୍ୱୀକାର କରି ନେଇଥିଲେ ଯେ, ବଡ଼ଭାଇ ଶରୀର ଓ ମନ ଉଭୟ ଦିଗରୁ ଅସୁସ୍ଥ ହୋଇ ସାରିଛନ୍ତି ।

 

ଏ ଭିତରେ ଉଷୀ ଯୁବତୀ ହୋଇଛି । ଷୋହଳ ବର୍ଷରେ କୋଡ଼ିଏ ବର୍ଷର ଯୌବନ । ପିଉସା ଉଦାସ ଆଖିରେ ଦେଖିଲେ, ତାରାର ଧୂସର ଆଶାର ଲତା, ଲହରେଇ, ଆକାଶ ଛୁଇଁବାକୁ ବ୍ୟସ୍ତ ହୋଇ ଉଠିଲା ।

 

ଉଷୀ ଅଭାବ ଦେଖିଲା, ହେଲେ ଅନୁଭବ କଲା ନାହିଁ । ହୁଏତ ପିଉସୀ ତାକୁ ଅନୁଭବ କରେଇ ଦେଲା ନାହିଁ । କାନ୍ଥରୁ ଇଟା ଚୂନର ପରସ୍ତ ପରସ୍ତ ଖସିବାଟା ତାକୁ ସୁହଉ ନ ଥିଲା । ମା’ ସାଙ୍ଗରେ ଏ ବାବଦରେ ସେ କେବେହେଲେ କଥା ହୁଏ ନାଇଁ ।

 

‘କାନ୍ଥରୁ ପଲସ୍ତରା ଖସି ଖସି ଯାଉଛି । ବର୍ଷାରେ କ’ଣ କେମିତି ହେବ !’

 

‘ତୋ ଅଙ୍କଲ୍‌ ସାଙ୍ଗରେ କଥା ହେବି । କୋଉ ଗୋଟେ ମିସ୍ତ୍ରିକୁ ପଠେଇବେ ।’

 

‘ମା, ଅଙ୍କଲ୍‌ ଅନେକ ରାତି ଯାଏଁ ଘରକୁ ଯାଆନ୍ତି ନାଇଁ । ପଡ଼ିଶା ଲୋକେ କେତେ କ’ଣ କହନ୍ତି ।’

 

‘ଝିଅ, ଆଜି ମସଲା ଦେଇ ମର୍ଟନ୍‌ କରିବୁ । ତୋ’ ବାପାଙ୍କର ଭାରି ସର୍ଦ୍ଦି !’

 

‘ମା, ମୁଁ ତତେ ଅଙ୍କଲ୍‌ କଥା କହୁଛି ।’

 

‘ଉଷୀ, ତୋ’ ବାପାଙ୍କର କଫରେ ରକ୍ତର ଛିଟିକା ରହୁଛି । ସେଇଆ ଦେଖିବା ଜରୁରି ।’

 

ଏଇ ଖାପଛଡ଼ା କଥାବାର୍ତ୍ତାର ଅର୍ଥ ବୁଝି ବୁଝି ଉଷୀ ରାଜିନାମା ଶିଖି ଯାଇଥିଲା । ଶିଖିଗଲା ଯେ, ଥାଳିରେ ଅଣ୍ଡା ମର୍ଟନ୍‌ ଦେଖି ଭୁଷୁଡ଼ି ପଡ଼ୁଥିବା କାନ୍ଥର ଛାଡ଼ି ଯାଉଥିବା ପଲସ୍ତରା କଥା ବୁଝାଯାଇ ପାରେ । ବାପାଙ୍କର ରେଖାଙ୍କିତ ଚେହେରା, ଛାତିରେ ଧକାସି ହେଉଥିବା ନିଃଶ୍ୱାସ ଆଉ କଫରେ ରକ୍ତର ଛିଟା ଦେଖି ଗଳାରେ କିଛି ଅଟକିଗଲେ ମା’ର ସଜିଲ କରା କୋଠରି, ଦାଗହୀନ ଚେହେରା ଆଉ ମହକିଲା ଦେହରେ ଜୀବନର ନିଃଶ୍ୱାସ ମିଳେ । ଉଷୀ ଉଠିଲା ଦିନରେ ଜୀବନ ବାଛି ନେଲା । ମୃତ୍ୟୁକୁ ଯୁଦ୍ଧଡାକରା ଦେଉଥିବା ଜୀବନ ଯୋଉଠି ବଞ୍ଚି ରହିବାଲାଗି ସବୁ ଦୋଷ ମାଫ୍‌, ପ୍ରତ୍ୟେକ ଅପରାଧ ବୈଧ ।

 

ମାତା-ପିତାଙ୍କର ଭିନେ ଭିନେ ବ୍ୟସ୍ତତା ଭିତରେ ଉଷୀ ନିଜକୁ ଦେଖେ । ଝରକା ମେଲାକରି ଘରର କଚ୍ଚା ଅଗଣାକୁ ଘୃଣାରେ ଦେଖି ଆକାଶର ଉଚ୍ଚତା ମାପି ବସେ । ହଠାତ୍‌, ଝୁନଝୁନି ଖିଆ ବାହୁତଳେ ଡେଣା ଜଗୁରି ଆସିଲାଭଳି ମନେହୁଏ ତା’ର । ‘ଉଡ଼ି ଯା’ ଲୋ ଉଷୀ, ଉଡ଼ି ଯା’ । କୋଉ ଅଦୃଶ୍ୟ ଯାଦୁଗରିଣୀଟିଏ ତା’ କାନରେ କାନରେ କହିଦିଏ ।

 

କମ୍ମୋ ସାଙ୍ଗରେ ଖୁସିଗପ କରୁ କରୁ ଉଷୀ ପ୍ରାୟ କହେ— ‘ଭାଉଜ, ଜାଣିଛ ପୁଷ୍କର ଅଙ୍କଲ୍‌ କ’ଣ କହନ୍ତି ! କହନ୍ତି, ଉଷୀ ଭଙ୍ଗାକାନ୍ଥର ଘେର ଭିତରେ କଇଦୀ ହେବାକୁ ଜନମ ହୋଇନି । ତାକୁ ତ କୋଉ ମହଲର ରାଣୀ କରିବାକୁ ହବ । ବଙ୍ଗଳାମାନଙ୍କରେ ରହିଲାବାଲା କ’ଣ ଜନମରୁ କପାଳରେ ଲେଖେଇ ଆଣିଛି ନାଁ !

 

ଉଷୀ ତା’ର ଚାରିପଟେ ଗୁଞ୍ଜରିତ ହେଉଥିବା ମଧୁର ସ୍ୱର, ନିବେଦନକୁ ଗେଲ କରି ବସେ । ଦେହ ଉପର ଦେଇ ଖସି ଯାଉଥିବା ଚାହାଣି, କୋଉଠି ଭିଡ଼ ଭିତରେ ଭୁଲରେ ଲାଗୁଥିବା ସ୍ପର୍ଶ, ମିଠା ମିଠା ପରିହାସକୁ ଇଲୋଲ୍ୟୁସନ୍‌ ପ୍ରସେସ୍‌–‘ଉଦ୍‌ବିକାଶ ପ୍ରକ୍ରିୟା’ ଭଳି ନୈସର୍ଗିକ କ୍ରିୟାସ୍ୱରୂପ ସହଜ ଭାବରେ ସ୍ୱୀକାର କରି ନେଇଥିଲା । ବୋଧହୁଏ ସେହି କାରଣରୁ ସେ ନିଶ୍ଚିନ୍ତ, ଚଞ୍ଚଳ ଓ ଆକ୍ରମକ ହୋଇ ଉଠିଲା ଧୀରେ ଧୀରେ ।

 

କମ୍ମୋ ସହିତ ପ୍ରଥମ ପରିଚୟରେ ହିଁ ସେ ଜଡ଼େଇଗଲା । ‘ସତରେ ଭାଉଜ, ମୀନାକୁମାରୀ ଭଳି ଆଖି ଯୋଡ଼ିଏ ପାଇଛ । ଗଜେ ଲେଖାଏଁ କଳାଘୁମର ମେଘଭଳି କେଶ ।’

 

‘ହେଲେ ତମର ନୀଳ ନୀଳ ଆଖି ଆଉ ସୁନେଲି ବାଳ ମୋର ଅଧିକ ପସନ୍ଦ ।’

 

କମ୍ମୋ ଗେଲରେ ଗେଲରେ କହିଦେଲା ସିନା, ଉଷୀର ଆଖିରେ ଈର୍ଷା ନରମ ଛାଇଟିଏ ଚହଲିଗଲା ।

 

‘ବିଜୟ ଭାଇର ପସନ୍ଦ କେବଳ ତମରି ଆଖି । ମୋତେ ତ ସେ ‘ବିରାଡ଼ି’ ବୋଲି କହେ-।’

 

ମଧୁର ଲାଜ ଟିକିଏ କମ୍ମୋର ଗାଲକୁ ଅଧିକ ଗୋଲାପୀ କରିଦେଲା । ଉଷୀ ସାଙ୍ଗରେ ତୁଳାନାତ୍ମକ ସମ୍ପର୍କର ମାନେ କ’ଣ ? ସେ ତ ବିଜୟର ଭଉଣୀ । ମଧୁଶଯ୍ୟାର କୋଠରିଟି ସଜେଇଥିଲା ଉଷୀ । ଅଭିଆଡ଼ୀ ଉଷୀର ଥଟ୍ଟା ପରିହାସ, ସେକ୍‌ସ ସମ୍ୱନ୍ଧିତ ଉପଦେଶ ପରାମର୍ଶ ଶୁଣି କମ୍ମୋ ଗୋଟାପଣେ ଝାଳେଇ ଯାଇଥିଲା । ଉଷୀ ଆଗରେ କେତେ ଅନୁଭବହୀନ ନ ଥିଲା କମ୍ମୋ !

 

ପଲଙ୍କ ଉପରେ ଜାକିଜୁକି ହୋଇ ବସି ରହିଥିବା କମ୍ମୋ ଉଲ୍ଲସିତ ଲହଡ଼ା ଭଳି ଭିଜେଇ ଯାଉଥିବା ରାତିଟି ବାବଦରେ ଭାବୁଥିଲା । ଆଗାମୀ ମୁହୂର୍ତ୍ତଗୁଡ଼ିକ, ତା’ର ସ୍ପର୍ଶ ଏବଂ କ୍ରିୟାଗୁଡ଼ିକର ମାନସିକ ରୋମାଞ୍ଚ ଶିହରଣରେ ବୁଡ଼ି ରହିଥିବା କମ୍ମୋ କେତେ ପରିହାସ ଶୁଣିଛି—ଖିଲିଖିଲି ହସ....ହସର ଝଙ୍କାର । ବିଜୟର ଭଉଣୀମାନେ ଚାଲିଗଲେ । କମ୍ମୋ କିଛିଟା ମୁକ୍ତି ଅନୁଭବ କଲା । ସେତିକିବେଳେ ଦରଜା ପାଖରେ ପାଦଶବ୍ଦ ଆଉ ଚୁପି ଚୁପି କଥା....କମ୍ମୋ ପଛକୁ ଅନେଇ ଦେଖିଲା ସୁଲକୀର ଅନ୍ଧାରରେ ସେ ଦୁହେଁ ଠିଆ ହୋଇଥିଲେ ....

 

‘କଳା କଳା ବାଳରେ ଆବଶ୍ୟକତାରୁ ଅଧିକ ହଜିଯିବୁ ନାଇଁ ବିଜୟ ଭାଇ !’ କ’ଣ ବିଜୟ ଲାଗି ବି ପରାମର୍ଶ ଦରକାର ଥିଲା !

 

‘ତୋ କନିଆଁ ବଦଳରେ ତ ମୋ ଛାତି ଧଡ଼କୁଛି । ଦେଖୁନୁ ।’ ଆଉ ଉଷୀ ବିଜୟର ଦୁଇହାତ ଧରି ତା’ର ଉନ୍ନତ ଛାତି ଉପରକୁ ଟାଣି ନେଲା ।

 

କମ୍ମୋ ଯୋଖି ହୋଇ ରହିଥିବା ସେ ଦୁଇଟି ଆକୃତିକୁ ଅବିଶ୍ୱାସର ଆଖିରେ ଦେଖିଲା; ଆଉ ତା କାନରେ ରୁଣୁଝୁଣୁ ହୋଇ ବାଜିଲା ଉଷୀର ସେଇ ଶବ୍ଦ....

 

‘ବିଜୟ ଭାଇକୁ ତ ପସନ୍ଦ ଲାଗେ ତମରି ଆଖି....ମୋତେ ତ....!’

 

କମ୍ମୋର ଗାଲ ସେତେବେଳେ ରକ୍ତାଭ ହୋଇ ଉଠିଥିଲା । ଉଷୀ ସାଙ୍ଗରେ ତୁଳନାତ୍ମକ ସମ୍ପର୍କର ମାନେ କ’ଣ ? ସେ ତ ତା’ର ଭଉଣୀ ।

 

ବିଜୟ ଶୀଘ୍ର ଆସି ଯାଇଥିଲା ଭିତରକୁ; ମାତ୍ର ସେତେବେଳକୁ କମ୍ମୋର ରାତିଟି ବିଷାକ୍ତ ନଈଟିଏ ପାଲଟି ସାରିଥିଲା । କଳାଛାଇ ଢଙ୍କା ତା’ର ପହିଲି ରାତି । କମ୍ମୋ ଯଦି ବଡ଼ମାନଙ୍କର ବୋଲ ମାନି ନୁଆଁଇ ରହିଥାନ୍ତା, କାନ ବନ୍ଦ କରି ନେଇଥାନ୍ତା, ତା’ହେଲେ ହୁଏତ ସେଇ ରାତିଟି ତା’ର ଆପଣାର ରାତି ହୋଇଥାନ୍ତା । କୁମାରୀ ସ୍ୱପ୍ନ, ମିଠାମିଠା ଉଦ୍‌ବେଳନ, ସଂକୋଚଭରା ଉତ୍ସୁକତା, ଅପେକ୍ଷାର ରାତି । ପାରଦଭଳି ଖସି ଖସି ଯାଉଥିବା ସେଇ ରେଶମୀ ରାତି କମ୍ମୋକୁ ବେଡ଼ି ଭଳି ପୀଡ଼ା ଦେବାକୁ ଲାଗିଲା । ନରମ ବିଛଣାରେ ମଶା ଆଉ ବର୍ଷାଦିନିଆ କେତେ କ’ଣ ପୋକ ତା’ର ଅଛୁଆଁ ଦେହରେ ସଲବଲ ହେଲେ । ରାତିର ପ୍ରତିଟି ମୁହୂର୍ତ୍ତ ଉଷୀର ନିଖୁଣ ହାତରେ ପେଷି ହୋଇ ଶ୍ୱାସରୁଦ୍ଧ ହେବାକୁ ଲାଗିଲେ । ଉଷୀର ନୀଳ ବିଲୋଳ ଆଖି ସାରାରାତି ତାକୁ ଯେମିତି ବିନ୍ଧି ଯାଉଥିଲା । ସକାଳୁ ଦଳି କମଚି ହେଲା, ବିଛଣାରୁ ଉଠି ପହିଲି ରାତିର ମୃତ୍ୟୁରେ କାନ୍ଦିବାକୁ ହେଲା ।

 

ବିଜୟ କମ୍ମୋର ଆଖିରେ ସେଇ ରାତିର ଅନ୍ଧକାରରେ କଂସେଇଖାନାକୁ ଟଣା ହୋଇ ଯାଉଥିବା ନିରୀହ ଛେଳିଟିର ଅସହାୟତା ଦେଖିନାଇଁ । ହେଲେ ଥଣ୍ଡା ଦେହର ପଥୁରିଆ ଭାବଟି ଯେତେ ଯତ୍ନ କଲେହେଁ ତରଳିଲା ନାଇଁ । ଝିଅଙ୍କୁ ଡରିବା ସେ ଦେଖିଛି; ହେଲେ ଏମିତି କୋଉ ବଜ୍ର ପଡ଼ିବ ଯେ, ଲୁହ ଥମିବାର ନାଁ ନବ ନାଇଁ ଆଉ ଦେହର ଶିରା ଶିରା କଷି ଭିଡ଼ିଯିବ ଏମିତି ଯେ କାଠ ମାରିଯିବ ସାରା ଦେହ । ସେତେବେଳେ ତା’ର ଟକମକ ହୋଇ ଫୁଟୁଥିବା ନାଡ଼ିରେ ରକ୍ତ ପ୍ରବାହ ସାଙ୍ଗରେ ଅବ୍ୟକ୍ତ ରାଗଟିଏ ବି ଫୁଟୁଥିଲା । ବିଜୟ ଆଗରେ ପହିଲି ପ୍ରଶ୍ନ ଥିଲା ବ୍ୟକ୍ତିଗତ । ପରେ ନିର୍ମମ ଭାବରେ ସେ କହିଥିଲା ଭୋକ ଶୋଷର ସଂତୃପ୍ତି ଶୁଖିଲା ଭାବୁକତାର ଅନେକ ଉପରେ ଥାଏ । ମନୋବିଜ୍ଞାନର ଅଧ୍ୟୟନ ପାଇଁ ଭୁଲ ବେଳାଟିଏ ବାଛିଥିଲା ସେ, କାରଣ ତା ଲାଗି ଶାନ୍ତ ସ୍ନାୟବିକ ଅବସ୍ଥାଟିଏ ନିହାତି ଦରକାରୀ । ଯୌବନର ଅଗଣାରେ ଠିଆ କମ୍ମୋର ତ ଏତିକି ହେଲେ ଜାଣିବା ଉଚିତ ।

 

ବିଜୟର ଦୃଷ୍ଟିରେ ଦୋଷା ଥିଲା କମ୍ମୋ । ତା’ର ଉନ୍ମାଦପୂର୍ଣ୍ଣ ଉଷୁମରାତିକୁ ଶିହରିତ କରିଦେଇ କମ୍ମୋ ତା ଆଗରେ ଦୋଷୀ ପାଲଟି ଯାଇଥିଲା । କମ୍ମୋ ଆପଣାର ଭାବନାରେ ବନ୍ଦିନୀ ହୋଇ ତା’ରି ଦାବି ଏବଂ ମାନ ମନୋବଳ ପ୍ରତି ଉଦାସୀନତାରେ, ଶୀତଳ କଣ୍ଟା ଘେରରେ ପଥର ମୂର୍ତ୍ତିଟିଏ ପାଲଟି ଯାଇଥିଲା । ଶହ ଶହ ବର୍ଷର ସଂଜ୍ଞାହୀନ ପଥରମୂର୍ତ୍ତି, ପ୍ରାଣହୀନ, ବଳହୀନ । ତା ଭିତରେ ଜୀବନର ବୀଜରୋପଣ ହେଲା ନାଇଁ କେମିତି ? ସାରା ଜୀବନ କ’ଣ କମ୍ମୋ ପୁଷ୍ଟ, ସୁଠାମ ଦେହ ଧରି ଶଙ୍ଖମର୍ମର ମୂର୍ତ୍ତିଟିଏ ଭଳି ରହିଥିବ ? ବାଲୁକାପୂର୍ଣ୍ଣ, ଅନୁର୍ବରା ଧରିତ୍ରୀ ଭଳି ପଡ଼ି ରହିଥିବ !

 

ହେଲେ କମ୍ମୋ ବିଜୟକୁ କେମିତି ଜଣେଇ ଦେଇ ପାରିବ ଯେ, ସେଇ ରାତିରେ ତା’ର ଏକ ଅବୋଧ ବିଶ୍ୱାସର ହତ୍ୟା କରା ଯାଇଥିଲା । ଉଷୀ ରାକ୍ଷୀର ସ୍ନେହ ସୂତ୍ରର ଉପହାସ କରିଥିଲା ଯାହାକୁ ସେ ସମଗ୍ର ଚେତନା ଏବଂ ଅନ୍ତରଙ୍ଗତା ସହିତ ସମ୍ମାନ ଦେଇ ଆସିଛି । ଉଷୀ ବିଜୟର ଭଉଣୀ ହୋଇ ନ ଥିଲେ ବୋଧହୁଏ ସେ ସେଇ ଛୋଟ ଘଟଣାଟିକୁ ବିନ୍ଦୁଏ ଝାଳପରି ପୋଛି ଦେଇଥାନ୍ତା ।

 

ଏହା ତା’ର ଭାବୁକତା ବୋଲି ବିଜୟ କହିଥିଲା— ‘ତମକୁ ଚାଳିଶବର୍ଷ ତଳେ ଜନ୍ମ ହେବାର ଥିଲା ।’ ହେଲେ କମ୍ମୋ ସେ କଥାରେ ଆଶ୍ୱସ୍ତ ହୋଇ ପାରିଲା ନାଇଁ ।

 

ମମୀ ତାକୁ ପିଲାଟି ଦିନରୁ ଆକଟ କରି ଆସିଥିଲା— ‘କେବେହେଲେ ଭଦ୍ରତା ଶିଖି ପାରିବ ନାଇଁ କମ୍ମୋ ।’ ଆପଣାଠାରୁ ବଡ଼କୁ ‘ଦିଦୀ’ ଆଉ ‘ଭାଇ’ କହି ଡାକିବା କଥା । ହେଲେ କମ୍ମୋ ‘ଜୀ’ ଲଗେଇ କଥା ହୁଏ । କାହାକୁ ଦିଦୀ କହିଦେଲା, କିଛି ନାଇଁ ହେଲେ ‘ଭୈୟା’ କି ‘ଭାଇ ସାହେବ’ କହିବାରୁ ଘୁଞ୍ଚି ଆସେ ।

 

ଏକମାତ୍ର ନିଶୀଥକୁ ସେ ଭାଇ ବୋଲି ଡାକିଥିଲା । ସେଇ ଶବ୍ଦ ସାଙ୍ଗରେ ଏତେ ଆତ୍ମୀୟତା ଢାଳି ଦେଇଥିଲା ଯେ, ଭାଇ ଶବ୍ଦଟି ସାର୍ଥକ ହୋଇ ଯାଇଥିଲା । ଯଦିଓ ନୂଆ ନୂଆ ଆସିଥିବା ଭାଉଜ ସେ ଶବ୍ଦର ନିର୍ମଳତାକୁ ଶଙ୍କାସ୍ପଦ ଆଖିରେ ଦେଖିଥିଲା ଆଉ କମ୍ମୋର ବିଶ୍ୱାସକୁ ଅନେକାର୍ଥୀ ଗଞ୍ଜଣାରେ କେଞ୍ଚି ଚାଲିଥିଲା । ହେଲେ କମ୍ମୋ କାହାକୁ ହେଲେ ବୁଝେଇଦେଇ ପାରିଲା ନାଇଁ ଯେ, ପରଠାରେ ଯୋଡ଼ିହୋଇ ବି କେତୋଟି ଶବ୍ଦ ସୋଦରପଣର ଅତି ନିକଟକୁ ଆସି ଯାଆନ୍ତି । ସେ ଏଇ ସମ୍ୱନ୍ଧକୁ ଅନ୍ତତଃ ସେଇ ସ୍ତରରେ ଅର୍ଥ ଦେଇ ଆସିଛି ।

 

କମ୍ମୋ-ନିଶୀଥର ଅନ୍ତରଙ୍ଗତା, ସୁଖର ସୁକୁମାର ମୁହୂର୍ତ୍ତ ଭାଉଜକୁ ସୁହଉ ନ ଥିଲା । ଦରଜା ବାହାରେ ଚୁପି ଚୁପି ଶୁଣନ୍ତି, ବୃଥାଟାରେ ଏ କାମ ସେ କାମର ବାହାନାରେ କୋଠରି ଭିତରକୁ ଆସି ସେମାନଙ୍କର ସାମୀପ୍ୟକୁ ସନ୍ଦେହୀ ଆଖିରେ ଦେଖନ୍ତି । କେବେ କେମିତି ମନର କଟୁତାକୁ ମୁରୁକିହସାର ମହୁଟିକେ ଗୋଳେଇ ଦେଇ ଥଟ୍ଟାରେ କହି ପକାନ୍ତି....

 

‘ନଣନ୍ଦ ରାଣୀଙ୍କ ବାହାଘର କରାଅ ଏଣିକି, ମାନ ମୋ କଥା ।’

 

‘କିଆଁ ଯେ, ତମେ ଭାଇ ଉପରେ ପୂରା ଦଖଲ ଅଧିକାର ଚାହୁଁଚ ନା ?’ କମ୍ମୋ ସେତେବେଳେ କଥାଟିକୁ ସେଇ ଥଟ୍ଟା ଭାବରେ ଗ୍ରହଣ କରିବାକୁ ଚାହିଁଥାଏ....।

 

‘ପୂରା ଅଧିକାର ତ ନୁହେଁ, ହେଲେ ସୁନ୍ଦର ସୁନ୍ଦର ଭଉଣୀମାନଙ୍କର ଯାଦୁ ଲାଗି ଡର ମାଡ଼ୁଛି ବି ବେଳେ ବେଳେ ।’ ଭାଉଜଙ୍କର ସୁନ୍ଦର ମୁହଁଟି କହୁ କହୁ ଆରକ୍ତ ହୋଇ ଉଠିଥିଲା । କପାଳରେ ଅକାରଣ କମ୍ପନ ଆଉ ଆଖିରେ ତିରସ୍କାରର ଛାୟା ଖେଳି ଯାଉଥିଲା ।

 

ନିଶୀଥ ପହିଲେ ପହିଲେ ଏ ଭାବକୁ ଅବିଶ୍ୱାସ ଆଖିରେ ଦେଖିଥିଲା । ପରେ ଆଘାତ ପାଇ ସେ କମ୍ମୋର ବିଶ୍ୱାସ ଭାଙ୍ଗି ଦେବାକୁ ଚାହୁ ନଥିଲା । ତା’ ସାଙ୍ଗରେ ପତ୍ନୀ ମନରେ ଜାଗରିତ ହୋଇଥିବା ସନ୍ଦେହର ମଞ୍ଜିଟିକୁ ମହାଦ୍ରୁମ ପାଲଟିବାକୁ ଛାଡ଼ି ଦେବାକୁ ବି ଚାହୁ ନଥିଲା । ଦ୍ୱିଧାରେ ରହିଥିବା ନିଶୀଥକୁ କମ୍ମୋ ସହାନୁଭୂତିର ଆଖିରେ ଦେଖିଥିଲା । ଆଉ ଅକାରଣରେ ତାକୁ ଆଡ଼େଇ ଚାଲିଲା । ଆଘାତଖିଆ ମନରେ ଛୋଟିଆ ଜିଦ୍‌ଟିଏ କରିନେଲା କୌଣସି ବି ପର ମଣିଷକୁ ଭାଇ ବୋଲି ଡାକିବ ନାଇଁ, କେବେହେଲେ ।

 

‘ଭାଇ ବୋଲି ଡାକିଲେ କିଛି ଖର୍ଚ୍ଚ କରିବାକୁ ପଡ଼ୁଛି କି ?’ ମା କହନ୍ତି ଆଉ କମ୍ମୋ ମୌନ ରହିଯାଏ ।

 

ଆଉ ଏଇ ଉଷୀ ତ କେତେବର୍ଷ ତଳର ଶୁଖିଆସୁଥିଲା ଘାଆକୁ ନଖ ମାରି ପୁଣି ଉଖାରି ଦେଇଛି ।

 

ସେତେବେଳେ କମ୍ମୋ ଆଗତ ବିଷୟରେ ଅନେକ କିଛି ଭାବି ଥାଇପାରେ, ଅନେକ ବଡ଼ ବଡ଼ ଆଶା ଆକାଙ୍‌କ୍ଷାକୁ ମନର କାନ୍‌ଭାସ୍‌ରେ ଚିତ୍ରିତ କରିଥାଇପାରେ, ମନେ ନାଇଁ, ମାତ୍ର ଏତିକି ନିଶ୍ଚୟ ସ୍ପଷ୍ଟ ଯେ, ସେତେବେଳେ ବିଜୟ ତାକୁ କିଛି ବୋଲି କିଛି ଦେଇପାରିଲା ନାଇଁ, ଗରମ କରି ଜବରଦସ୍ତି ତରଳେଇଲା ଲାଖ ଉପରେ କଠିଣ ମୋହରର ଦାଗ ପରି କଠୋର, ନିଷ୍ଠୁର ମୋହରଟିଏ ମାତ୍ର କମ୍ମୋର ପହିଲି ରାତିରେ ବିଜୟର ଅଧିକାର ସାବ୍ୟସ୍ତ କରି ଲଗେଇ ଦେଲା ।

 

କଅଁଳ ବୟସର ଋଣ ଅସୁଲର ତାଗଦା ଭିତରେ ସଂପୂର୍ଣ୍ଣତାର ଦାବି କେମିତି କରିପାରିଥାନ୍ତା କମ୍ମୋ ? ହେଲେ, ବୁଣି ହୋଇ ଯିବାର, ଭାଙ୍ଗି ଯିବାର ଆଉ ମାନସିକ ସ୍ତରରେ ଏକାକୀପଣର ସାଇରନ୍‌ ସେଇଦିନ ବାଜିବା ଆରମ୍ଭ ହୋଇଯିବା, ଏଭଳି ଆଶଙ୍କା ମଧ୍ୟ କରି ନଥିଲା କମ୍ମୋ । ଥରେ ସେ ଭୟକାରୀ ସାଇରନ୍‌ ଏମିତି ବାଜିବା ଆରମ୍ଭ ହେଲା ଯେ, ସମୟର ଗତିରେ ବେଳ ଅବେଳରେ ଧ୍ୱନିତ-ପ୍ରତିଧ୍ୱନିତ ହେବାକୁ ଲାଗିଲା ।

 

ମହାନଗରର ଜୀବନ ଜୀଉଁଥିବା କମ୍ମୋ ଏଇନେ ଆପଣାକୁ ବିଭିନ୍ନ ସ୍ଥିତିର ଛାଞ୍ଚରେ ଢାଳିଦେବାର ବାଗଗୁଡ଼ିକ ଶିଖି ଯାଉଛି । ସ୍ଥିତିର ଅଂଶବିଶେଷ ହୋଇ ମଧ୍ୟ ଛିଞ୍ଚାଡ଼ି ଦେଇ ଅଲଗା ହୋଇଯିବାର କୌଶଳଟି ଶିଖି ଯାଇଛି । ଛୋଟକାଟିଆ ହାଉସ୍‌ ପାର୍ଟିରେ ନରମ କୋମଳ ଡ୍ରିଙ୍କସ୍‌ ଅଫର୍‌ କରି ଚାଲିଥିବା କମ୍ମୋ ଭରପୂର ପୂରିଲା ଓଠରେ ଉନ୍ମାଦ ଢାଳୁଥିବା ମଦିରା ଅଜାଡ଼ି ଦେଉଥିଲା । ମନ ତା’ର ଆଧୁନିକତମ ସୁଟ୍‌ରେ ସଜିଲା ଯୁବା ଶରୀରମାନଙ୍କରେ ଲାଖି ରହୁ ନଥିଲା, ମନ ତା’ର ଅଗୁରୁ ଗନ୍ଧଭଳି ବାତାବରଣରେ ଖେଳିଯାଇ ସିମ୍ପନୀର ଲହଡ଼ାରେ ପହଁରି ଯାଉଥିଲା ।

 

‘ଭୋକିଲା ଆଖିରେ ଆତଙ୍କିତ ହରିଣୀ’, ଏଇ ଶୀର୍ଷକ ଦେଇଥିଲା ପ୍ରଶାନ୍ତ ତା’ର କଳାକୃତିର । ଦର୍ଜନେ ଭୋକିଲା ଆଖିର ପାଶ ହେତୁ ଭୟାର୍ତ୍ତ ଅସହାୟ ପ୍ରାଣ, ଅଦେଖା ବାଟ ଖୋଜି ଖୋଜି, ହଜିଯିବାର ବ୍ୟାକୁଳତାରେ ପାଗଳଭଳି ଏଣେ ତେଣେ ଦଉଡ଼ି, ଆଖିରେ ଭୟର କୋଳାହଳ ଭରି ବିକୃତ ମୁଖାକୃତିକୁ ଅଙ୍କିତ କରି ମୂର୍ତ୍ତିମତ୍ତା ପ୍ରଦାନ କରିଥିଲା ପ୍ରଶାନ୍ତ—ଜୀବନ୍ତ । ବନ୍ଧୁମାନେ ପ୍ରଶଂସାରେ ପେଗ୍‌ ପରେ ପେଗ୍‌ ଖାଲିକରି ଚାଲିଥିଲେ । ପ୍ରଶାନ୍ତ, ମାନବୀୟ ସଂବେଦନାର ଚିତ୍ରକର ।

 

କମ୍ମୋ ଅଧୀର କଲାଭଳି ଅସ୍ଫୁଟ ଗୁଞ୍ଜରଣରେ ହସିଦେଇ ପଚାରି ଦେଲା, ‘ପ୍ରଶାନ୍ତ ବାବୁ, ଏତେ ଆତଙ୍କିତ ସତରେ କୋଉଥିପାଇଁ ?’

 

ପ୍ରଶାନ୍ତ ଦର୍ଶନର ବ୍ୟାଖ୍ୟା କରେ ନାଇଁ— ‘ବୁଝିଲେ ସୁକବିତା, ନହେଲେ ରାଧା କହ୍ନେଇ ସୁମରଣର ବାହାନା’ର ବାକ୍‌ଚାତୁରୀର ଆସରା ବି ନିଏ ନାଇଁ । ସମ୍ୱେଦନାଗୁଡ଼ିକୁ ମନୋବୈଜ୍ଞାନିକ ସ୍ତରରେ ରଙ୍ଗ ଆଉ ରେଖାର ମାଧ୍ୟମରେ ଉଦ୍‌ଘାଟିତ କରେ ଏବଂ ସେ ନେଚୁରାଲଟିକୁ ହିଁ ପ୍ରଶ୍ରୟ ଦେଇଥାଏ । କମ୍ମୋ ଏଇ ସ୍ୱାଭାବିକତା ବା ନୈସର୍ଗିକତାକୁ କୌଣସି ହେଲେ ସୀମାରେଖାରେ ବାନ୍ଧି ଦେଇପାରେ ନାହିଁ ।

 

ନୈସର୍ଗିକକୁ ପଥରର ଅହଲ୍ୟା କରିଦେଇ ମର୍ଯ୍ୟଦା ପୁରୁଷୋତ୍ତମ ପାଲଟି ଯାଅନାଇଁ ପ୍ରଶାନ୍ତ ! ତାକୁ କୌଣସି ବି ସ୍ପର୍ଶବିଶିଷ୍ଟ ରୂପରେ ଢାଳି ଦେଇ ପାରିବ ନାଇଁ । ସେ ସାଗର, ଅସୀମ-! ଆପଣା କୋଳରେ ମୋତି ମାଣିକ୍ୟଠାରୁ ବିଷଧରମାନଙ୍କୁ ବି ଧରି ରଖିଥିବା ସେହି ଅତଳତ୍ୱକୁ ମାପିବାର ଦାବି କରିବା କେତେଦୂର ଯଥାର୍ଥ !

 

କମ୍ମୋ ପ୍ରଶାନ୍ତର ସରଳ ବ୍ୟକ୍ତିତ୍ୱକୁ ଅଡ଼ୁଆ କରିବାରୁ ଓହରି ଯାଏନାଇଁ ପ୍ରଶାନ୍ତ, ତମେ କଳାକାର, କଳା ସାଙ୍ଗରେ ବଳାତ୍କାର କ’ଣ ନିହାତି ଜରୁରି ?’

ପ୍ରଶାନ୍ତ କମ୍ମୋକୁ ବୁଝିପାରେ ନାଇଁ । ଆଲୋଚନା ବେଳେ ଟୁକୁରା ଟୁକୁରା କଥା ତ ଦୂର କଥା ସେସବୁକୁ ସେତେବେଳେ ବି ବୁଝେ ନାଇଁ ଯେତେବେଳେ ଅନ୍ୟକୁ ଆତ୍ମୀୟତାର ଗହ୍ୱରକୁ ଟାଣିନେଇ ନିଜେ କମ୍ମୋ ଚଟାଣ ପାଲଟି ଯାଏ । ଜଡ, ନିଷ୍ପ୍ରାଣ । ଆଖପାଖରେ ଭୋକିଲା ଶାଗୁଣାମାନେ ମାଂସ ପଳପଳ ଝୁଣି ନେବାକୁ ଚାହାନ୍ତି । ଆଦିମ ଗୁମ୍ଫା ଗୁଡ଼ିକର ଗହନ ଅନ୍ଧକାରରେ ଭୋକର ଅଗ୍ନିଶିଖା ଚେହେରା ଆଉ ଆକୃତିମାନଙ୍କୁ ତତେଇ ଦେଇ ରଙ୍ଗେଇ ଦିଏ ଆଉ ଶୋଷ ହଲକ ଶୁଖେଇ ଦିଏ । ପ୍ରଶାନ୍ତ ଆଇସ୍‌ ବକ୍‌ସରେ ଜମି ଯାଇଥିବା ଟୁକୁରାକୁ କୋଉ ଅଲଗା କୋଣକୁ ନେଇଯାଇ ଧାସ ଛୁଇଁବାର ଦୁଃସାହସ କରେ । କମ୍ମୋ ସଜିଲା ନଖରେ ପ୍ରଶାନ୍ତର ଲୋମଶ କ୍‌ଚଟିରେ ସୂକ୍ଷ୍ମ ନକାରଟିଏ ଲେଖିଦିଏ ....

 

ନା....ନା....ନା....

 

ପ୍ରଶାନ୍ତ ଶବ୍ଦ ଶୁଣେ ନାଇଁ, ଲମ୍ୱା କ୍ୟୁଟେକ୍‌ସ ଲଗା ନଖମାନଙ୍କୁ ଅନେଇ ରହେ ଆଉ ଦରଲିଭା ଅଙ୍ଗାର ପାଲଟିଯାଏ । ଭିତରେ କଟୁତା ଭରିଥିବା ସତ୍ତ୍ୱେ ପ୍ରଶାନ୍ତ ଇଚ୍ଛାକରେ ଯେ, କମ୍ମୋ ଏଇ ଧାସକୁ ଅସ୍ୱୀକାର କରି ଭିତରେ ଭିତରେ ତରଳି ଯାଇ ବହିଯିବାକୁ ଆତୁର ହୋଇଯାଉ । ଓଠର ବକ୍ର କୋଣର ଭିତରେ ରହିଥିବା ଆତଙ୍କ ଘୋଡ଼େଇ ହୁଏ ନାଇଁ ।

 

ରୁବୀ ନେକ୍‌ଲେସ୍‌ରେ ଝିଲିମିଲି ଗ୍ରୀବା ଉପରକୁ ନଇଁଆସି ମନକଥା ଅଜାଡ଼ି ଦେବାରୁ ଓହରି ଆସେ ନାଇଁ ପ୍ରଶାନ୍ତ ।

 

‘କମ୍ମୋ, ସେଡ଼ିଷ୍ଟ ପାଲଟିବାରେ ଏମିତି କୋଉ ସୁଖ ମିଳୁଛି ଯେ ?’

 

ସେତେବେଳକୁ କମ୍ମୋ ଜଳଖିଆ ପ୍ଳେଟ ନେଇ ଅନ୍ୟ ଟେବୁଲକୁ ଯାଇ ସାରିଥାଏ ମେଞ୍ଜେଟା ଶିଫନ୍‌ରେ ଫର୍‌ଫର୍‌ ହେଉଥିବା ମାଛର ଝଲକ ମାତ୍ର ଛାଡ଼ିଦେଇ ।

 

କମ୍ମୋ ମୁଖାର୍ଜୀର ଟେବୁଲ ପାଖଦେଇ ଯାଇ ମହିଳାମାନଙ୍କର ଟେବୁଲ ପାଖରେ ରହିଯାଏ । ମିସେସ୍‌ ମନୋଚା, ସିଂଘଲ, ରାନୀମିତ୍ରା, ଜୟାଦେବ, ଆକାଶଛୁଆଁ ଦରବୃଦ୍ଧି ଉପରେ ଓଜନିଆ ଆଲୋଚନା ଚଳେଇ ଥାଆନ୍ତି ସେତେବେଳେ । ମନୋଚା ଶୁଦ୍ଧ ଘିଅର ଅଭାବରେ ପିଲାଙ୍କୁ ପୁରି ହାଲୁଆ ଖୁଆଇ ପାରୁନାହାନ୍ତି ।’

 

ତେବେ ଅନ୍ୟ ଘିଅ, ବନସ୍ପତି ପର୍ଯ୍ୟନ୍ତ କ’ଣ ବଜାରରୁ ଉଭେଇ ଯାଇଛି ?

 

ସିଂଘଲ ଡାଲିର ଚଢ଼ାଦର ଦେଖି ଭାବୁଛନ୍ତି ସାଧାରଣ ମଣିଷ କେମିତି ବଞ୍ଚି ରହିଛନ୍ତି–‘ଛୋଟ ଛୋଟ ଆବଶ୍ୟକତା, ବିରି ଡାଲି, ହରଡ଼ ଡାଲି ପର୍ଯ୍ୟନ୍ତ ଦଶଟଙ୍କାରୁ କମ୍‌ ନୁହେଁ, ଭାବନ୍ତୁ ନା ?’

 

‘ସାବୁନ କଥା ଦେଖୁନ, ପିୟର୍ସ ସାତ ଟଙ୍କା, ହମାମ, ଲାଇଫବୟ ତ ବଜାରରେ ଦେଖାନାଇଁ ।’

 

ଏଇନେ ସାବୁନ, ମଇଦା, ଚିନି, କିରୋସିନି ସବୁ ରାଶନ୍‌ରେ ମିଳୁଛି । ଯଦି କ୍ୟୁରେ ସକାଳେ ଠିଆ ହୁଅ ତାହେଲେ ଦି’ପହରକୁ ଆସିବ ତମର ପାଳି ।’

 

ରାନୀ ମିତ୍ରା ଡାଲି, ଚାଉଳ ଭଳି ଘରକରଣା କଥା ଶୁଣୁ ଶୁଣୁ ହାଇ ମାରିବା ଆରମ୍ଭ କରି ଦେଇଥିଲେ । ସେ ଆଶ୍ଚର୍ଯ୍ୟ ହେଉଥିଲେ ଏମିତି କ୍ୟୁ ଲଗେଇବା ମାଇକିନାଙ୍କୁ ମିସେସ୍‌ ବିଜୟ କକ୍‌ଟେଲ ପାର୍ଟିକୁ କାହିଁକି ଡାକନ୍ତି । ଯୋଉମାନଙ୍କର ତେଲଭିଜା ବାଳକୁ ସେମ୍ପୋକରି ବ୍ରଶ୍‌ କରିବା ଭଦ୍ରତାଟି ଜଣାନାଇଁ, ଅଧାରୁ ଅଧିକ ‘ଧଳା ପଡ଼ିଲା ବାଳକୁ ଡାଇ କରିବାର ଫୁର୍‌ସତ ନାଇଁ, ଚିପୁସ ପାମ୍ପଡ଼ ତିଆରି, ଆଚାର ତିଆରି, ଛଡ଼ା ଦୋସରା କୋଉ ହବି ନାଇଁ, ସେମାନଙ୍କର ଭଲା ଏମିତି ଅପ୍‌-ଟୁ-ଡେଟ୍‌ ହାଉସ ପାର୍ଟିମାନଙ୍କରେ କି କାମ ?

 

ସେତେବେଳେ ମିସ୍‌ ମିତ୍ରା କମ୍ମୋକୁ ଫିସ୍‌ କଟଲେଟ ନେଇ ଆସୁଥିବା ଦେଖି ଏ ମହଙ୍ଗା ବାବତ ଅରୁଚିକର ଆଲୋଚନାରୁ ମୁକ୍ତି ପାଇ ଶୁଷୁରୀ ବଜେଇ ଗେହ୍ଲେଇ ଗତିରେ ଦି ପାଦ ଆଗେଇ ଯାଆନ୍ତି ।

 

‘ଓ, ଥେଂକ୍‌ ୟୁ ସୋ ମଚ୍‌ ମିସେସ୍‌ ବିଜୟ ! କାର କେତେବେଳେ କୋଉ କଥା ଦରକାର, ଆପଣଙ୍କୁ ଠକ୍‌ ଜଣା । ଆଉ ତା’ର ନଜର ରଖନ୍ତି ଆପଣ !

 

ଚିତ୍ରା କଣ୍ଟରେ ଟୁକୁରାଏ ମାଛ ଉଠେଇ ନିଜ ପ୍ଳେଟରେ ରଖି ସିଂଘଲଙ୍କୁ କହିବସେ— ‘ଆମକୁ ହରଡ଼ ଡାଲି ନ ମିଳିଲା ନାଇଁ, ହେଲେ ଫିସ୍‌ ବିନା ଖାଇବାର ସୁଆଦ ବୋଲି କିଛି ରହେ ନାଇଁ । ସବୁ କିଛି ଆମୋଦ ବୃଥା ହୋଇଯାଏ ।

 

ଗୁଡ଼ ଖାଉ ଖାଉ ଲୁଣ ମୁହଁରେ ପଡ଼ିବାର ଭଙ୍ଗୀରେ ମୁହଁ ବିଚକେଇ ମିତ୍ରା ଖାଲି ସୁଆଦ ବଦଳ ଲାଗି ଆଉ କଟଲେଟ୍‌ଟିଏ ପ୍ଳେଟ୍‌କୁ ଉଠେଇ ନିଏ । ସିଂଘଲ ଭଜାମାଛର ଗନ୍ଧରେ ଘାବରେଇ ନାକ ବନ୍ଦ କରିବାକୁ ପର୍ସରେ ରୁମାଲ ଖୋଜିବସେ । କମ୍ମୋ ଆଇସ୍‌କ୍ରିମ୍‌ ପ୍ଲେଟ୍‌ ବଢ଼େଇ ଔପଚାରିକତା ପୂରା କରିନିଏ ।

 

‘ସରୀ ମିସେସ୍‌ ସିଂଘଲ୍‌, ଆପଣଙ୍କୁ ହୁଏତ ମାଛ ଗନ୍ଧ ଭଲ ଲାଗେନାଇଁ । ଆଇସ୍‌କ୍ରିମ ନିଅନ୍ତୁ ନା !’

 

ସିଂଘଲ କମ୍ମୋ ଉପରେ ଦୟା କଲାଭଳି ଭଙ୍ଗୀରେ ପ୍ଳେଟଟି ନେଇନିଏ ।

 

ଏବେ ତ ପାର୍ଟିଗୁଡ଼ିକରେ ଏ ସବୁ ଦେଖି ଦେଖି ସହିବା ଅଭ୍ୟାସ ହୋଇଗଲାଣି । ପହିଲେ ବାନ୍ତି ବାନ୍ତି ଲାଗୁଥିଲା ।

 

ରାନୀ ମିତ୍ରା କାନ୍ଧ ନଚେଇ ମିସେସ୍‌ ମନୋଚାଙ୍କୁ ପଚାରି ବସନ୍ତି—‘କିଛି ଆପତ୍ତି ଅଛି ଆପଣଙ୍କର !’

 

‘ନା ନା, ମୋ ହଜବେଣ୍ଡ୍‌ ତ ନନ୍‌ଭେଜର ଭାରି ସୌଖିନ୍‌ । କହନ୍ତି—ଯୋଉମାନେ ମାଛ ମାଂସ ଖାଆନ୍ତି ନାଇଁ, ବଞ୍ଚିନ୍ତି କେମିତି ?

 

ମିସ୍‌ ମିତ୍ରା ଆଉ ମିସେସ୍‌ ମନୋଚା ଏକାସାଙ୍ଗରେ ଖିଲିଖିଲି ହେଇ ହସି ଉଠନ୍ତି । ଆଡ଼େଇ ହେଲା ଭଳି ସିଂଘଲ ରୁମାଲରେ ଘସି ଘସି ପିଲାର ନାକ ମୁହଁ ପୋଛି ବସନ୍ତି । ମୁଖାର୍ଜୀର ପାଖରେ ବସିଥାଇ ମନୋଚା ହଂସଭଳି ବେକ ଲମ୍ୱେଇ ରାନୀ ମିତ୍ରାର ଷ୍ଟୋନ୍‌ ଲକେଟ୍‌କୁ ନିରେଖି ବସନ୍ତି, ଯାହା ଲୋ’କଟ୍‌ ବ୍ଳାଉଜ୍‌ ଭିତରୁ ଝଲସି ଉଠୁଥିବା ଗୋଲାପୀ ବର୍ତ୍ତୁଳତା ଉପରେ ଝଟକୁ ଥାଏ, ପ୍ରକାଶ ପୁଂଜ ଭଳି ।

 

‘ସମ୍‌ଥିଙ୍ଗ୍‌ ସ୍ପେଶିୟଲ୍‌ ଦେଆର୍‌ !’

 

ମନୋଚା ବେଶ୍‌ ନରମ ଠାଣିରେ କଟଲେଟ୍‌ ଖାଉଥିବା ରାନୀ ମିତ୍ରାଠୁଁ ଶୁଣେ....‘ହେଇ, ଶଇତାନର ନାଁ ନେଲା ମାତ୍ରକେ ସାହେବ ହାଜର.... !

 

ମିତ୍ରାର ବାଙ୍କ ଚାହାଣିରେ ଅକାରଣ ଆହତ ହୋଇଯାଏ ମନୋଚା ।

 

‘ମିସେସ୍‌ ବିଜୟ ! ଏ ପାର୍ସିଆଲିଟି ଆଦୌ ଠିକ୍‌ ନୁହେଁ । ଆମେ ଆଉ କ’ଣ ପର ନା !’ ମୁଖାର୍ଜୀ ନିଜ ଦେହଟି ଭିତରେ ଧସେଇ ରହିଥିବା ବେକଟେକି ଏତକ କହିଲେ, କମ୍ମୋ ଟ୍ରେନେଇ ମୁଖାର୍ଜୀ ଆଉ ମନୋଚା ପାଖକୁ ଚାଲି ଆସେ ଆଉ ରାନୀ ମିତ୍ରା ଅଧବାଟରେ ଅଟକେଇ ନେଇ ଦୁଇଟି ପ୍ଳେଟ୍‌ ଉଠେଇ ନିଏ ।

 

‘ଓଃ, ମିଷ୍ଟର ମୁଖାର୍ଜୀ, ମିସେସ୍‌ ବିଜୟଙ୍କୁ ଆପଣ କାହିଁକି ହଇରାଣ କରୁଛନ୍ତି ଯେ ! ତାଙ୍କ ପାଇଁ ସବୁ ଗେଷ୍ଟ୍‌ ସମାନ । ଆପଣ ଆମକୁ କହନ୍ତୁ, ଯାହା ଦରକାର....’

 

କମ୍ମୋ ଶାଳୀନ ଧନ୍ୟବାଦ ଜଣେଇ ମିତ୍ରା ଆଗରେ ଠିଆହୁଏ । ମିସେସ୍‌ ମନୋଚା ଆଉ ମିସେସ୍‌ ସିଂଘଲ ଖାସ୍‌ ମାଇପି ଆଖିରେ ସତରେ ଯେମିତି ବିନ୍ଧି ଯାଆନ୍ତି ମିତ୍ରାକୁ.... ।

 

ମିତ୍ରା ତ ମନୋଚା ସାହେବଙ୍କୁ ଖୁବ୍‌ ପସନ୍ଦ କରେ ! ସୁଯୋଗ ପାଇଲା ମାତ୍ରକେ ମିସେସ୍‌ ସିଂଘଲ କହିପକାନ୍ତି ଏଇ କାଟିଲା ଭଳି କଥାଟି ।

 

ସିଂଘଲର ପଲାଟି ଭାରି ହେଲା ଭଳି ଦେଖି ଆଖିରେ ଦୁନିଆଁ ସାରାର ଅବହେଳନା ଭରି ଉଛୁଳି ପଡ଼ନ୍ତି ମିସେସ୍‌ ମନୋଚା ।

 

‘ମୋ ହଜବେଣ୍ଡ୍‌ ଏମିତି ଚିପ୍‌ ମାଇକିନାଙ୍କୁ ଲିଫ୍‌ଟ ଦିଅନ୍ତି ନାଇଁ । ହି ହାଜ୍‌ ଗଟ୍‌ ବେଟର୍‌ ଚୟେସ୍‌ ।’

 

‘କେବେଠୁଁ ପର ଝାଡ଼ି ହଉଥିଲା ବିଚାରୀ ।’ ସିଂଘଲର ମନର କଟୁତା ଯାଇ ନ ଥାଏ ହୁଏତ ।

 

ସୀମା ଆଉ ପ୍ରତିଷ୍ଠାର ବେହିଆମି ଲାଗି କ୍ରୋଧିତ ମିସେସ୍‌ ମନୋଚା ଉଚିତ ଶବ୍ଦର ଅଭାବରେ ଚଉକିଟିରେ ହିଁ କଡ଼ ବଦଳୁ ଥାଆନ୍ତି ବ୍ୟସ୍ତ ହେଇ ।

 

ଘରକୁ ପହଞ୍ଚିଲା କ୍ଷଣି ମନୋଚା ପତି ପତ୍ନୀ ଭିତରେ ମହାଭାରତଆଶଙ୍କାର ଗନ୍ଧ ବାରି କମ୍ମୋ ରାୟ ଆଉ ରାଣେଙ୍କ ମେଜ ପାଖକୁ ଚାଲି ଆସେ । ରାୟ ସେତେବେଳକୁ ପୂରା ଜୋଶ୍‌ରେ-। ଛାତ୍ରଙ୍କ ଭଳି ଶହୀଦ ହେବା ମୁଡ଼୍‍ । ସେତେବେଳେ ସେ ପୂରା ଦମ୍‌ରେ ଛାତ୍ର ଆନ୍ଦୋଳନ ଆଉ ଜେ. ପି. ଙ୍କ ନେତୃତ୍ୱ ଉପରେ ଭାଷଣ ଆରମ୍ଭ କରିଦେଇ ଥାଆନ୍ତି.... ।

 

ଜେ. ପି. ଯଦି ଛାତ୍ରଙ୍କର ନେତୃତ୍ୱ ନେବେ ନାହିଁ, ତା’ହେଲେ ଜାଣିଛ କ’ଣ ହେବ ?

 

‘ଦେଶ ରସାତଳକୁ ଚାଲିଯିବ ।’ ରାଣେ ରାୟଙ୍କର କଥା କାଟୁଛନ୍ତି

 

‘ସାହେବ, ଦେଶକୁ ରସାତଳକୁ ପଠେଇବାକୁ ତମେ ଆମେ ଯଥେଷ୍ଟ । କହନ୍ତୁ ଆପଣମାନେ କ’ଣ ନବାକୁ ପସନ୍ଦ କରିବେ !’ କମ୍ମୋ କଥାରେ ପରିହାସର ପୁଟ ଦେବାକୁ ସେଇଆ କହେ ।

 

‘ଥେଙ୍କ୍‍ସ୍‌, ବହୁତ ହେଲା... ।’ ରାୟ କମ୍ମୋପଟକୁ ଚଉକି ଟାଣି ନିଏ ।

 

ମିସେସ୍‌ ବିଜୟ । ଆପଣଙ୍କୁ କ’ଣ ମନେ ହେଉନି ଯେ, ଦେଶକୁ କେବଳ ମାତ୍ର ଆଜିକାଲିର ଯୁବାବର୍ଗ, ବିଶେଷକରି ଛାତ୍ର ହିଁ ବଞ୍ଚେଇ ପାରିବେ । ‘ବଢ଼ି ବଢ଼ି ଚାଲିଥିବା ଅନାଚାର ଆଉ ଭ୍ରଷ୍ଟାଚାରର ଏଇ ପ୍ରବାହ ଭିତରେ ସେଇମାନଙ୍କ ଭିତରେ ଟିକିଏ ନାଆଁକୁ ଅନେଷ୍ଟି ବଞ୍ଚି ରହିଛି ।’

 

‘ଆମେମାନେ ସବୁ କୋଉ ଏଜ୍‌ ଗ୍ରୁପ୍‌ରେ ଆସିବା ରାୟ !’

 

ରାୟ ରାଣେର କଥା ଶୁଣିଥିଲେ ବି ନ ଶୁଣିଲା ପରି ରହିଛି ।

 

‘ଆଜିର ଭ୍ରଷ୍ଟାଚାର ଆଉ ବେକାରୀକୁ ସମାପ୍ତ କରିବାକୁ ଯେଉଁ କ୍ରାନ୍ତି ଦରକାର, ତା’ରି ଆହ୍ୱାନ ଦେଇଛନ୍ତି ଜେ. ପି. ।

 

ରାଣେ କଚାଡ଼ିଲା ଭଳି ଗିଲାସ ରଖିଦେଇଛି ଟେବୁଲ ଉପରେ ।

 

‘ମୁଁ କହୁଛି, ଯୁବକମାନେ ବର୍ଷଟିଏ ବଳି ଦେବାର ବାହାନାରେ ଗୁଣ୍ଡାଗିରି କରିବେ, ନିଆଁ ଲଗେଇବେ, ଭଙ୍ଗାରୁଜା କରିବେ, ଏଇ ସବୁ ବଢ଼ିବ କେବଳ । ସ୍କୁଲ କଲେଜ ବନ୍ଦ ହେଲେ ଅଶିକ୍ଷା ବଢ଼ିବ । ସରକାରକୁ ହଟେଇ ଦେଶର ବିଧାନସଭା ଭାଙ୍ଗି ଦେଲେ କୋଉ ରାମରାଜ୍ୟର ସ୍ଥାପନା ହୋଇଯିବ ? ଗୁଜରାଟର ଉଦାହରଣ କ’ଣ ଆମ ଲାଗି ଯଥେଷ୍ଟ ନୁହଁ ?’

 

ପାଖ ଆଖରେ ବସିଥିଲା ଲୋକେ ରାଣେର ଓଜସ୍ୱୀ ଭାଷଣ ଶୁଣି ପ୍ରଶ୍ନସୂଚକ ଆଖିରେ ଅନେଇଲେ ।

 

‘ଇ....ଶ....ଶଃ.... ।’ ରାଣେ ବିରକ୍ତିରେ ଚୁପ୍‌ ହେଲା ।

 

‘ରାଣେ ସାହେବ, ଆପଣ ଆପଣଙ୍କର ବିଜିନେସ୍‌ରୁ ଫୁର୍‌ସତ ପାଇ କେତେବେଳେ ଏଇ ‘ବିଚାରର’ ଗଭୀରକୁ ପହଞ୍ଚନ୍ତୁ । ତା’ ହେଲେ ସିନା ଏ କଥା ଆପଣଙ୍କର ମୁଣ୍ଡରେ ପଶିବ ? ସେ ବିଚାର ଓ ଆତ୍ମାର ସ୍ୱତନ୍ତ୍ରତା ଚାହାନ୍ତି । ଫ୍ରିଡମ୍‌ ଅଫ୍‌ ଥଟ୍‌ ଏଣ୍ଡ ସୋଲ୍‌ ! ତାଙ୍କର ଅନୁଭୂତି ଏବଂ ଅଧ୍ୟୟନ ସ୍ୱୟଂ ଏକ ବ୍ୟକ୍ତି ଯାହା ଆଧ୍ୟାତ୍ମିକ ବା ସ୍ୱାୟତ୍ତ ନ ହୋଇ ସାମାଜିକ । ତାଙ୍କର ସତ୍ୟ ହେଉଛି ମନୁଷ୍ୟ । ବ୍ୟକ୍ତି ରୂପରେ ସମାଜରେ ସଙ୍ଘର୍ଷରତ ମନୁଷ୍ୟ ।’

 

ରାୟ କହୁ କହୁ ଶାନ୍ତ ଓ ଗମ୍ଭୀର ହୋଇଗଲା ।

 

ଜେ.ପି. ଙ୍କର ନିଜର ଜୀବନ, କର୍ମ ଆଉ ବ୍ୟବହାରର ଜ୍ୱଳନ୍ତ ଉଦାହରଣ ରାଣେ ସାହେବ । ଖାଲି ଆଦର୍ଶ କଥା କହି କହି ସେ ମିଛ ଆଶା ଦିଅନ୍ତି ନାଇଁ ।

 

କମ୍ମୋ କୋକ୍‌ ଆଣିବା ବାହାନାରେ କର୍ନର ଟେବୁଲକୁ ଚାଲିଗଲା । ସ୍ୱତନ୍ତ୍ର ବ୍ୟକ୍ତି....ଫ୍ରିଡ଼ମ୍‌ ଥଟ୍‌ ଏଣ୍ଡ ସୋଲ୍‌ ! ରାୟଙ୍କର ଏଇ ଶବ୍ଦଗୁଡ଼ିକ ତା’ କାନରେ ବରାବର ବାଜୁଥାଏ ।

 

‘ସେ ସ୍ୱାଧୀନତା କୋଉଠି ଅଛି । ସମ୍ୱିଧାନରେ , ବୁଦ୍ଧିରେ ନା ହାଓ୍ୱାରେ ।’

 

ପୂରା ହଲ୍‌ରେ ଖିଲିଖିଲି ହସ, ଅଟ୍ଟହାସ, ତର୍କ ଘମାଘୋଟ । ପିଆଲାମାନଙ୍କର ବାଜଣା, କଣ୍ଟା ଛୁରୀର ଟୁଂ, ଟାଂ ରମ୍‌, ଜୀନ୍‌, ହ୍ୱିସ୍କି, କୋକ୍‌, ସିଗାରେଟ୍‌, ସିଗାର ଆଉ ମହକିଆ ଦେହର ମିଳିତ ଗନ୍ଧର ଉଷ୍ମ ପରିବେଶ । ଏଇ ଉଷୁମ ପରିବେଶରେ ବରଫ ଛିଞ୍ଚି ଭଣ୍ଡୁର କଲାବାଲାଙ୍କର କି କାମ ଏଇଠି ?

 

ମଦନ ଶଫୀକ ସାହେବଠାରୁ ଟେଣ୍ଡର ସପ୍ଳାଇ ଲାଗି ତେଲମାରି ଚାଲିଛନ୍ତି । ବିଜୟ ଡାକ୍ତର ରତ୍ନା ସାଙ୍ଗରେ କୋଉ ଅନ୍ତରଙ୍ଗ ଆଳାପରେ ବ୍ୟସ୍ତ । ଆଖପାଖର ପାଟିତୁଣ୍ଡରୁ ନିର୍ଲିପ୍ତ । ଟେବୁଲ ଉପରେ କହୁଣି ରଖି ବସିଥିବା ବିଜୟ ଆଖିରେ ଅପୂର୍ବ ଉଲ୍ଲାସ ଖେଳିଯାଉଛି । ଯେମିତି ଜଳୁଛି ହଜାର ପାଓ୍ୱାରର କେତେ ନା କେତେ ବଲ୍‌, ଆଉ ଆଖି ଝଲସି ଯାଉଛି । କମ୍ମୋ ଶେଡ଼୍‍ରେ ରହିଯାଇ ବିଜୟକୁ ଥରେ ମାତ୍ର ଦେଖି ନେଇଛି । ଭିତରେ ଈର୍ଷାର ଦରଲିଭା ନିଆଁ ପୁଣି ଭକ୍‌ ଭକ୍‌ ହୋଇ ଜଳି ଉଠିଛି । ବିବାହର ଆଠବର୍ଷ ଭିତରେ କେବେହେଲେ ଏମିତି ତରଳ ଆଲୁଅଟିଏ ଦେଖି ପାରିଲା ନାଇଁ କେମିତି ? ସେ ସବୁବେଳେ ଜଳହୀନ ଶୂନ୍ୟତାଟି ତା’ର ଚାରିପଟେ ଘେରିରହିଛି ବୋଲି ଅନୁଭବ କରି ଆସିଛି କେମିତି ? କମ୍ମୋକୁ ଜୀବନର ଭରସା ମନେ କରିଥିବା ଏଇ ବିଜେତା ପୁରୁଷ ଭିତରେ ବି ରସର ଧାରାଟିଏ ଲୁଚି ରହିଛି, କମ୍ମୋ ତାକୁ ଏକ କ୍ରୂର ପରିହାସ ଛଡ଼ା ଆଉ କ’ଣ ବୋଲି ଭାବି ପାରିବ ?

 

କମ୍ମୋ ବେକ ବଙ୍କେଇ ଖସି ଆସୁଥିବା ରେଶମୀ ପଣତକୁ ବାଆଁ କାନ୍ଧରେ ଖେଳେଇ ନେଲା । ବ୍ୟସ୍ତ....ବ୍ୟସ୍ତତା ! ଏତେ ବ୍ୟସ୍ତ ଥାଇ ବି ସବୁଥିରୁ ଭିନେ ଭିନେ, ଅଲଗା ଅଲଗା ଅନୁଭବ କରୁଛି କେମିତି ! କୋଉଠି ଅଛି ପ୍ରଶାନ୍ତ !

 

ପ୍ରାଶାନ୍ତ ଗିଲାସଟି ଧରି ଅନ୍ଧାର କୋଣଟିରେ ବସି ରେକର୍ଡ଼ପ୍ଳେୟରରେ କିଛି ଏକ କରୁଣ ଧୂନ୍‌ ଶୁଣୁଛି । କମ୍ମୋ ଆପଣା ଭିତରେ ଧୀରେ ଧୀରେ ତରଳି ଯାଉଥିବା ଅନୁଭବ କରି କରି ତା’ର ପାଖରେ ଆସି ବସି ଯାଇଛି । ପ୍ରଶାନ୍ତର ହ୍ରଦଭଳି ଆଖିରେ କେତେ ଯେ ଗାଢ଼ ରଙ୍ଗ ସ୍ପଷ୍ଟ ଅସ୍ପଷ୍ଟ ଅର୍ଥ ନେଇ ଫୁଟି ପଡ଼ୁଛି । କମ୍ମୋର ମୌନ ଉପସ୍ଥିତି ହେତୁ ସେଇ ଗଭୀର ଆଖିରୁ କୋମଳ ବ୍ୟଙ୍ଗ ଟିକିଏ ଉଛୁଳି ଆସୁଛି ।

 

କମ୍ମୋର ଏଇ ଅପ୍ରତ୍ୟାଶିତ ବ୍ୟବହାର ପ୍ରଶାନ୍ତର କେଉଁ କୋମଳ ତନ୍ତ୍ରୀରେ ବ୍ୟଥାର ସଞ୍ଚାର କରୁଛି । ସେ ନିଜେ ଜାଣେ ନାଇଁ, ସେ ଦୁହେଁ ସତେ ବା କିଭଳି ଏକ ମୂକ ରାଜିନାମାରେ ବାନ୍ଧିହୋଇ ରହିଛନ୍ତି; ଆଉ ବାନ୍ଧି ହୋଇଥିଲେ ହେଁ ଦୁହେଁ ସ୍ୱତନ୍ତ୍ର । ହେଲେ ସେ ଜାଣେ ଯେ, କମ୍ମୋ ତାକୁ ଆଘାତ ଦେଇ ନିଜେ ବି ଆହତ ହେଉଛି....

 

‘ରାଗ.... !’ କମ୍ମୋ ନଇଁ ଆସି ତା’ କାନ୍ଧରେ ନରମ ସ୍ପର୍ଶ ଦେଲା–

 

‘ଆର୍ଟିଷ୍ଟ ନା, କେଜାଣି କୋଉ କୋଉ କୋଣରେ ବାଟ ଭୁଲି ଘୂରୁଛ ।’

 

ପ୍ରଶାନ୍ତ କଥା ହେଲା ନାଇଁ । ସନ୍‌ମାଇକା ଟେବୁଲ ଟପ୍‌ ଉପରେ ସାଗର ଲହଡ଼ା ଭାଙ୍ଗୁଛି । ଆଉ ସେଇ ଲହଡ଼ାରେ ବାନ୍ଧିହୋଇ ଯେମିତି ସେ ଦୂରକୁ ଦୂରକୁ ଭାସି ଚାଲିଛି । କମ୍ମୋ ତାର ଦୁଇ ହାତ ନିଜ ହାତରେ ଥାପି ନେଇଛି । ମା’ ଛାତିରେ ଜଡ଼େଇ ଯାଇଥିବା ଶିଶୁଭଳି ଆଉଁସି ଚାଲିଛି ଆଦରରେ । ମୌନ ବି କେତେ ମୁଖର ହୋଇଥାଏ ବେଳେବେଳେ । ମୃଦୁଳ ଆର୍ଦ୍ରତାରେ ଯେତେବେଳେ ଧୀରେ ଧୀରେ ଭିତରରେ କୋଉ ଗ୍ରନ୍ଥି ଖୋଲିବା ଆରମ୍ଭ ହୋଇଥାଏ, ସେତେବେଳେ ଶବ୍ଦ କେମିତି ଅସମର୍ଥ ହୋଇଯାଆନ୍ତି । କମ୍ମୋ ଆଉ ପ୍ରଶାନ୍ତ ଦୁହେଁ ଏଇ ଅନୁଭବର ଉପଲବ୍‌ଧି ପାଇଛନ୍ତି ତେଣୁ ସିନା ଏଭଳି ମୁହୂର୍ତ୍ତରେ ଆଲୋଚନା, ପ୍ରତିଆଲୋଚନା, ତର୍କ ବିତର୍କ କୋଉ କଥାର ଆଶ୍ରୟ ନିଅନ୍ତି ନାଇଁ । ମନ ଭିତରେ ଗୋଟିଏ ବୋଲି ଅଭିଳାଷ ରହିଥାଏ, ବାସ୍‌ ! କୌଣସି ଶବ୍ଦ ଏଇ ସମାହିତ ଇନ୍ଦ୍ରଜାଲକୁ ପୋଛି ନ ଦେଉ !

 

କମ୍ମୋ ପ୍ରଶାନ୍ତକୁ ପସନ୍ଦ କରେ, ହେଲେ କେବେହେଲେ କହେ ନାଇଁ ଯେ, ସେ ଏଭଳି ଏକାନ୍ତ କୋଣଟିଏକୁ ସହି ପାରେ ନାଇଁ । ତାକୁ ଭିଡ଼ ଭିତରେ ରହିବାକୁ ଦିଅ ପ୍ରଶାନ୍ତ । ହଜାର ହଜାର ମୁଖା ଥିଲା ଭିଡ଼ । ଯେଉଁଠାରେ ଲୋକେ ଭ୍ରଷ୍ଟ ହୋଇ ମଧ୍ୟ ଭ୍ରଷ୍ଟାଚାର ନେଇ ଚିନ୍ତିତ ହୁଅନ୍ତି-। ସାମୟିକ ଢିଲାପଣ ଆଉ ଅବସରବାଦିତାର ଶିକାର ହୋଇ ବି ଆଦର୍ଶ ଆଉ କର୍ତ୍ତବ୍ୟର କଥା କହି କହି ନିଜର ଜିଭ ଥକେଇ ଦିଅନ୍ତି । ଦେହର ଭୋକରୁ ମୁକ୍ତି ପାଇବା ଲାଗି ଆତ୍ମାର ସ୍ୱତନ୍ତ୍ରତାର ପ୍ରେସ୍‌କ୍ରିପ୍‌ସନ୍‌ଟିଏ ଧରେଇ ଦିଅନ୍ତି ।

 

‘ଏ ଭିଡ଼ ଭିତରେ କ’ଣ କମ୍ମୋ ସୁରକ୍ଷାର ଅନୁଭବ କରେ ?’ ପ୍ରଶାନ୍ତ ପଚାରିବ ଯଦି କ’ଣ ଉତ୍ତର ଦେବ କମ୍ମୋ ! ବୋଧହୁଏ ହଁ, ହୁଏତ ନାଇଁ । ଏକାନ୍ତ କୋଣର ଆତ୍ମୀୟ ସ୍ପର୍ଶ ତାକୁ ଅତୀତର ସେଇ ବାରଣକରା ରାସ୍ତାକୁ ଠେଲିଦିଅନ୍ତି । କମ୍ମୋ ଅବଶିଷ୍ଟ ଆତ୍ମବଳ ଏକାଠି କରି ବି ଯନ୍ତ୍ର ଚାଳିତ ଭଳି ସେଇ ରାସ୍ତାରେ ଢଳି ଢଳି ଯାଏ । ବର୍ତ୍ତମାନରୁ କଟିଯାଇ ଅତୀତର ସ୍ମୃତିରେ ଘୂରିବୁଲା....କୋଉ ସମୟ ଯାହା ନିଜର ହୋଇ ପାରିଥାନ୍ତା ହେଲେ ସାହସ ଅଭାବରେ ଦରମେଲା ମୁଠାରୁ ଖସିଯାଇଛି ।

 

କେତେ ଅହେତୁକ ପିଲାଳିଆ ଭାବ ! ରାତିର ପ୍ରମତ୍ତ ସ୍ୱପ୍ନକୁ ସକାଳର ଆଲୁଅରେ ବଞ୍ଚିବା ଆଉ ବର୍ତ୍ତମାନରେ ପହଞ୍ଚି ହଜିଲା ଅତୀତର ଦଳିଲା ପେଷିଲା ଅନୁଭବ ଦ୍ୱାରା ଦଂଶିତ ହେବା, ଏହା କ’ଣ କେବଳ କମ୍ମୋର ଅସହାୟତା ? କେବଳ କମ୍ମୋର !

 

ଥଣ୍ଡା କୋଠରିରେ ଗାରପଡ଼ା ଟେବୁଲ ଉପରେ ପେନ୍‌ସିଲ୍‌ରେ ରେଖା ଟାଣି ଟାଣି ସତ୍ୟ ଉତ୍ତର ଦେଇପାରେ ନାଇଁ । କମ୍ମୋକୁ ସେ କେତେ ବା ଜାଣିଛି ? ଶହେ ମାଇଲ ଦୂରରେ ଥିବା ମା’ ଆଉ ଚାରୋଟି ଛୋଟ ଛୋଟ ଭାଇଭଉଣୀଙ୍କର ଆବଶ୍ୟକତା ପୂରଣ କରୁଥିବା ସତ୍ୟ ବ୍ୟକ୍ତିଗତ ଆବଶ୍ୟକତା କଥା ଭାବିପାରେ ନାଇଁ କିମ୍ୱା ଭାବିବାକୁ ଚାହେଁ ନାଇଁ । ବିବଶତା ତ ଅନେକ ଅଛି ଯା’ର ଲେଖାଯୋଖା ସମ୍ଭବ ହୁଏ ନାଇଁ । ମଧ୍ୟବିତ୍ତ ପରିବାରମାନଙ୍କରେ ଜନ୍ମ ହୋଇ ବଞ୍ଚିବା ବଞ୍ଚେଇବାର ଚିନ୍ତା ଏତେ ଅଧିକ ଥାଏ ଯେ, ମଣିଷ ଘଡ଼ିଏ ରହି ନିଜ ବିଷୟରେ ଭାବିବାକୁ ବି ସମୟ ପାଏ ନାହିଁ । ବାସ୍ତବରେ ରହିଯିବାକୁ ବି ଫୁର୍‌ସତ ମିଳେ ନାଇଁ ।

 

ଫୁର୍‌ସତ ନା ଅନୁଭୂତି ?

 

କମ୍ମୋ ସତରେ ସେଇଆ ବୁଝେ !

 

କମ୍ମୋ ଠାରୁ ମିସ୍‌ ଗୁପ୍ତା ଅଧିକ ବୁଝେ । ଯେ ସତ୍ୟର ବ୍ୟକ୍ତିତ୍ୱର ବିଶ୍ଳେଷଣ ଦୁଇଟି ମାତ୍ର ଶବ୍ଦରେ କରିଥାଏ; ସେ ବିଚିତ୍ର ବି ଆଉ ଓଲୁ ବି ।

 

ସତ୍ୟ ବିଚିତ୍ର । ବିଚିତ୍ର ଏଇଥିଲାଗି ଯେ ସୁନ୍ଦରୀ ଝିଅଙ୍କ ଉପରେ ଆଖି ତା’ର ଲାଖି ରହେ ନାଇଁ, ମନ ନ ଥିଲା ଭଳି ଖସିଯାଏ । ସତ୍ୟ ଓଲୁ, କାରଣ ପ୍ରେମ ମନୋବଳର ଗୀତ ଶୁଣି ସେ କାଲ ଭଳି ଅଶୁଣା କରିଦିଏ । ସତ୍ୟକୁ କେହି କିଛି ଶିଖେଇ ନାଇଁ । ଜୀବନସାରା ଘଣାର ବଳଦ ଭଳି ପରିବାରର ଆବଶ୍ୟକତା ପୂରଣକରି ଚାଲିଥିବା । ଯେତେବେଳେ କଳା ବାଳରୁ ଧଳା ଉଙ୍କି ମାରି ବସିବ ସେତେବେଳେ ସମୟ ବାଲି ଭଳି ଖସି ସାରିଥିବ ।

 

ମିସ୍‌ ଗୁପ୍ତାର ଭାରି ଦୁଃଖ । ଏଇ ଗାର୍ଲ କଲେଜରେ ସତ୍ୟ ଭଳି ସ୍ମାର୍ଟ ଲେକ୍‌ଚରର୍‌ ବର୍ଷ ବର୍ଷ ଧରି ଦେଖା ନ ଥିଲା । ସତ୍ୟ ଆସିଲା ବି ଯେ ଲାଭ କ’ଣ ? ସେ ତ ଗ୍ରନ୍ଥକୀଟ । କେବଳ ‘ବୁକ୍‌ଓ୍ୱାର୍ମ’ । ‘ନାରୀ’ ନାଆଁରେ ଇ ତା’ର ଝାଳ ବାହାରିଯାଏ ।

 

କମ୍ମୋ ସାଙ୍ଗରେ ପ୍ରଥମ ପରିଚୟ ହେଲା ମାତ୍ରକେ ସତ୍ୟର ବ୍ୟବହାର ଗୁପ୍ତା କଥାର ସମର୍ଥନ କରିଥିଲା । ଚେଟରବକ୍‌ସ ଭଳି ଅବିରାମ କହି ଚାଲିଥିବା ଗୁପ୍ତାକୁ କିଛି ସମୟ ହାଁ ହୁଁ ରେ ଉତ୍ତର ଦେଇ କିଛଇ ସମୟ ପରେ କ୍ଷମା ମାଗି ଲେକ୍‌ଚରର୍ସ୍‌ କମନରୁମ୍‌ରୁ ବାହାରକୁ ଚାଲି ଯାଇଥିଲା । କମ୍ମୋ ଆଗରେ ଅପମାନିତ ବୋଧକରି ମିସ୍‌ ଗୁପ୍ତା ଫାଟି ପଡ଼ିଥିଲା ।

 

‘ଦେଖିଲ ନା, କେମିତି ବୋର୍‌ ମଣିଷଟିଏ । ଟିକିଏ ବି ଭଦ୍ରତା ନାଇଁ । ଲେଡ଼ିଜ୍‌ଙ୍କ ପାଇଁ କିଛିଟା କର୍ଟସି ତ ରହିବା କଥା ! କଥା ଭିତରେ ବି ଦୁଇ ଦୁଇଥର ଘଡ଼ି ଦେଖି ପକେଇଲା ମଣିଷଟି-!’

 

‘ମାଇକିନାଙ୍କ ଲାଗି ବିଶେଷ ରୁଚି ନ ଥିବ ହୁଏତ... ।’ କମ୍ମୋ ମିସ୍‌ ଗୁପ୍ତା ଉପରେ ଦୟାକଲା ଭଳି କହିଲା ।

 

ଆରେ ରୁ ଚି କ’ଣ ? କେହି ସେମିତି ମିଳି ନ ଥିବେ । ଆଉ ଏମିତି ଓଲୁ ଲାଗି କୋଉ ବୁଡ଼ବକ୍‌ ବା ମରିଯାଉଛି !’

 

ଗୁପ୍ତା ଭିତରର ରାଗ ଫଣା ଟେକିବା ଆରମ୍ଭ କରିଥିଲା । ସତକୁ ସତ ସେ ନିଜକୁ ହୁଏତ ବୁଡ଼ବକ୍‌ ମନେ କରୁଥିଲା । କୌଣସି ପ୍ରତ୍ୟୁତ୍ତର ଦେଲା ନାଇଁ କମ୍ମୋ । ସେ ସତ୍ୟକୁ କୋଉ ଜାଣିଥିଲା ଯେ !

 

ଅନ୍ୟ ଦିନ ଗୋଟିଏ ଗଳିରେ ସେ ଦୁହେଁ ଏକା ସାଙ୍ଗରେ ଚାଲିଥିଲେ, ସତ୍ୟ ହିଁ ସେତେବେଳେ କଥା ଆରମ୍ଭ କଲା ।

 

‘ଏପଟେ ରହୁଛନ୍ତି !’

 

‘ହଁ, ବେଙ୍କ୍‌ ଷ୍ଟ୍ରୀଟ୍‌ରେ । ସୁନା ଦୋକାନ ଉପରେ ରୁମ୍‌ଟିଏ ମିଳିଛି ।’

 

‘ନୂଆ ଆସିଛନ୍ତି ।’

 

‘ହଁ, ଏଇ ମାସେ ହେଲା ।’

 

‘କେମିତି ଲାଗୁଛି ଜାଗା ।’

 

‘ଏଇତ ନିଜ କଥା ଠିକଣା କରିବା ସରିନି । ବୁଲାବୁଲି କରିବାର ବିଶେଷ ସୁଯୋଗ ମିଳିନି । ସେମିତି ପାଖ ପଡ଼ିଶାରେ ଭଲ ଲୋକେ ଅଛନ୍ତି ।

 

ଏଣୁତେଣୁ କଥା । ସହର, ଗଳି, ବଜାରର କଥା । କଲେଜ କଥା । ସେକ୍‌ସ୍‌ପିଅରଠୁ ଆରମ୍ଭ କରି କ୍ୟାମୁ, କାଫ୍‌କା ଯାଏଁ ସାହିତ୍ୟର ପରିବର୍ତ୍ତିତ ମାନଦଣ୍ଡ । ମଝିରେ ମଝିରେ ନୀରବତା ଭିତରେ, ବୁଟ୍‌ ଆଉ ସ୍ୟାଣ୍ଡେଲ୍‌ର ଅମେଳ ସ୍ୱର ମଝିରେ କାହା ସହିତ ଅଦୃଶ୍ୟ ସ୍ପର୍ଶ ଭଳି, କାନରେ ଗୁଞ୍ଜନ ଭଳି ବାଜୁଥିବା ସତ୍ୟର ଗଭୀର ସମ୍ୱେଦନଶୀଳ ଶବ୍ଦ ।

 

ବସା ପାଖରେ ବିଦାୟ ନେଲା କମ୍ମୋ । ସତ୍ୟ ହାତ ଉଠେଇ ସାମାନ୍ୟ ଟିକିଏ ହସି ଦେଇ କହିଲା ଖାଲି....‘ସି ୟୁ ।’

 

ପୂରିଲା ପୂରିଲା ଓଠରୁ ଆରମ୍ଭ କରି ଗମ୍ୱୁଜ ଭଳି ଚେହେରାରେ ଶୀତଦିନିଆଁ କଅଁଳ ଖରା ଭଳି, ଖେଳି ଯାଇଥିବା ସ୍ମିତ ହସ ଭାରି ଭଲ ଲାଗିଥିଲା କମ୍ମୋକୁ, କିଛିଟା ଆତ୍ମୀୟ ବି । ମିସ୍‌ ଗୁପ୍ତା କହିଥିଲା, ‘ଏମିତି ଉଲ୍ଲୁ ଲାଗି କେଉଁ ବୁଡ଼ବକ୍‌ ବା ମରିଯାଉଛି ।’

କମ୍ମୋ ସେଦିନ ରାତିରେ ଅନେକ ବେଳଯାଏ ସତ୍ୟ କଥା ଭାବିଥିଲା । ନୂଆ ସହରରେ ଏକଲାପଣ ଲାଗି ଭରିଥିବା ଉଦାସୀ, ବିରକ୍ତି ଆଉ ଚିଟାଭାବରୁ କିଛିଟା ମୁକ୍ତି ମିଳିଥିଲା ସେଦିନ । ଅନେକ ରାତିଯାଏଁ ସତ୍ୟର ଛୋଟ ଛୋଟ କଥା ନିଜେ ନିଜ ମନକୁ କହିହେବାକୁ ଭଲ ଲାଗିଲା ସେଦିନ । ପରେ ଆପଣାର ଅତିରିକ୍ତ ଉତ୍ସୁକତା ଲାଗି ଲଜ୍ଜିତ ହେଲା ବି । ସତ୍ୟ ଭଲ ବନ୍ଧୁଟିଏ ହୋଇପାରିବ, ହେଲେ ସେ ନେଇ ଅଧିକ ଭାବିବା କ’ଣ ଦରକାର ? ଏଭଳି ସାଧାରଣ ଦେଖା ସାକ୍ଷାତ ତ କେତେ ଲୋକ ସାଙ୍ଗରେ ହେଉଛି ସବୁଦିନ ।

 

କମ୍ମୋ ପରୀକ୍ଷା ଖାତାର ବଣ୍ଡଲ ଟାଣି ଗୋଟିଏ ଗୋଟିଏ ଦେଖିବାକୁ ପନ୍ଦର କୋଡ଼ିଏ ମିନିଟ୍‌ ଲଗଉଥିଲା ସେଦିନ । ନୂଆ ଜାଗା, ନୂଆ ଲୋକ । ଭାବିବାକୁ ସତ୍ୟ ଛଡ଼ା ଆହୁରି ବି ଅନେକ କଥା ଥିଲା ।

 

ସପ୍ତାହ ସାରା କମ୍ମୋ ନିଜକୁ ଅନାବଶ୍ୟକ କାମରେ ବୁଡ଼େଇ ରଖିଲା । ଷ୍ଟାଫ୍‌ କମନରୁମ୍‌ରୁ ଦୂରେଇ ରଖିଲା ନିଜକୁ । ଆଗତର ପୂର୍ବଭାସ ତାକୁ ଅକାରଣ ବ୍ୟସ୍ତ କରି ପକଉଥିଲା । ସତ୍ୟ ତାକୁ ନେଇ ସେଭଳି କିଛି ବିଶେଷ ଉତ୍ସୁକତା ଦେଖେଇଲା ନାଇଁ । ଚା’ କଫିର ସାଧାରଣ ଶିଷ୍ଟାଚାର ବି ଦେଖେଇଲା ନାଇଁ । ତେବେ ?

 

କମ୍ମୋ ବେଳେବେଳେ ଭାରି ଅବ୍ୟବସ୍ଥିତ ହୋଇ ଉଠୁଥିଲା । ବାସ୍ତବରେ ସେ ସେଇ ପରିବେଶକୁ ଭୁଲିପାରୁ ନ ଥିଲା, ଯୋଉଥିରେ ସେ ବଢ଼ିଆସିଥିଲା । ଯୋଉଠି ଝିଅମାନଙ୍କୁ ସୀତା ସାବିତ୍ରୀ ହେବାର ଆଶୀର୍ବାଦ ମିଳେ । ଆଉ ବୋହୂମାନଙ୍କୁ ଗୃହଲକ୍ଷ୍ମୀ, ପ୍ରତିପ୍ରିୟା ହେବାର । ଯୋଉଠି ନାରୀକୁ ଡରେଇ ଭୁଲେଇ ଲକ୍ଷ୍ମଣ ରେଖା ଭିତରେ ବନ୍ଦୀ କରି ରଖାଯାଏ । ସେଇ ଘେର ଭିତରୁ ବାହାରିବା ଅପରାଧ, ସେ ବିଷୟରେ ଭାବିବା ବି ଅପରାଧ । ପାଦ ବାହାରକୁ ବାହାରିଲା ମାତ୍ରକେ ସୀତା ହରଣର କାହାଣୀଟି ପୁଣି ଶୁଣେଇ ଦିଆଯାଏ ।

 

କମ୍ମୋ ଦୂରେଇ ଦୂରେଇ ରହିବା ଛଡ଼ା ଆଉ କ’ଣ ବା ଭାବି ପାରିଥାନ୍ତା ?

 

କମ୍ମୋ ଏହା ବି ଜାଣିଥିଲା ଯେ, ସତ୍ୟଠୁଁ ଦୂରେଇ ରହିବାର ଅର୍ଥ ନିଜଠାରୁ ପଳାୟନ, କାରଣ ତା ଭିତରେ ଚେତନାର ଅଚେତନ ସ୍ତରରେ ସେତେବେଳେ ଅଲଗା କରି ରାସ୍ତାଟିଏ ବାଛି ନେବାର ଇଚ୍ଛା ଜାଗ୍ରତ ହେବାକୁ ଲାଗିଥିଲା ।

 

ଆଠ ଦଶ ଦିନ ପରେ ଗୁପ୍ତା ତାକୁ କେଫ୍‌କୁ ନେଇଗଲା । ସତ୍ୟ ଷ୍ଟାଫ୍‌ର ଅନ୍ୟ କେତେଜଣ ବନ୍ଧୁଙ୍କ ସାଙ୍ଗରେ, ଯୋଉମାନଙ୍କୁ ଗୁପ୍ତା ଚାମଚା ବୋଲି କହେ, କଫି ଖାଉଥିଲା । କମ୍ମୋ କିଛିଟା ଅପ୍ରତିଭା ମନେକଲା ନିଜକୁ । ଗୁପ୍ତା ସତ୍ୟକୁ ଦେଖିବା ମାତ୍ରକେ ଚପଳ ହୋଇ ଉଠିଲା....ହାଓ ନାଇସ୍‌ ! ସତ୍ୟ ସାହେବ ତ ଆଗରୁ ଏଇଠି ବିରାଜମାନ ହୋଇ ସାରିଛନ୍ତି ।

 

ଗୁପ୍ତା ଚଉକି ଟାଣିନେଇ ସେମାନଙ୍କ ମଝିରେ ଇ ଆସନ ଜମେଇ ନେଲା । ସତ୍ୟ ଭଦ୍ରତା ଖାତିରରେ ନିଜ ଚଉକି ଖସେଇ ନେଲା ସାମାନ୍ୟ !

 

‘ଭାରି ଗମ୍ଭୀର କିଛି ଏକ ଆଲୋଚନା ଚାଲିଥିଲା ହୁଏତ । ଆମ ଆସିଲାରୁ ସେମିତି କିଛି ବାଧା ତ ହୋଇନି ?’

 

କମ୍ମୋ ଗୋଟିଏ ପଟେ ସେମିତି ଠିଆହୋଇ ଗୁପ୍ତାର ଏଭଳି ଅତିରିକ୍ତ ଅନୌପଚାରିକତା ପାଇଁ କିଛିଟା ସଙ୍କୋଚବୋଧ କରୁଥିଲା । ସେତିକିବେଳେ ଆପେ ଠିଆ ହୋଇପଡ଼ି ଚଉକି ଅଫର୍‌ କଲା ସତ୍ୟ !

 

‘ହାଓ ଲକୀ, ମିସେସ୍‌ ବିଜୟ ! ସତ୍ୟବାବୁ ଆଜି ବର୍ଷ ବର୍ଷର ରେକର୍ଡ଼ ଭାଙ୍ଗିଛନ୍ତି ।’

 

କମ୍ମୋ ଗୁପ୍ତାକୁ ପ୍ରଶ୍ନସୂଚକ ଆଖିରେ ଅନେଇଲା । ‘ଆଇ ମିନ୍‌, ସେ କୌଣସି ମହିଳାକୁ ଚେୟାର ଅଫ୍‌ର କରନ୍ତି ନାଇଁ । ଆଜି ପହିଲା କରି... ।’

 

ଗୁପ୍ତା ସତ୍ୟର ଭିତରର ସବୁକିଛି ଅଣ୍ଡାଳି ନେଉଥିବାର ଆଖିରେ ଅନେଇ ଉତ୍ତର ଦେଇଥିଲା ।

 

‘ମୁଁ କୃତଜ୍ଞ ।’ କମ୍ମୋର ଗାଲରେ କୋମଳ ରକ୍ତିମା ଖେଳିଗଲା କିଞ୍ଚିତ । ବନ୍ଧୁମାନଙ୍କର ଆଖି ସତ୍ୟ ଆଡ଼କୁ ଉଠିଗଲା । ସତ୍ୟ ଏକ୍‌ସରେ ଦୃଷ୍ଟିଗୁଡ଼ିକର ଘେରରେ କିଛିଟା ସଙ୍କୋଚବୋଧ କଲା । କମ୍ମୋକୁ ଭଲ ଲାଗିଥିଲା ସେଇ ସଂକୋଚଭାବ । ବନ୍ଧୁମାନେ ଖିଲିଖିଲି ହୋଇ ହସିଲେ ।

 

‘ମିସ୍‌ ଗୁପ୍ତା, ସତ୍ୟ ଶର୍ମା ତ ଏଇନେ ଆମର ଅତିଥି ।’ ମିଶ୍ର କଫ ଅଫର୍‌ କରି କଥାଟିର ଖିଅ ଧଇଲା ।

 

‘ମୁଁ ବୁଝିପାରିଲି ନାଇଁ ।’ ଗୁପ୍ତାର ଚେହେରା କିଛିଟା ମଳିନ ହୋଇଗଲା ।

Unknown

 

‘ନେହେରୁ ମେମୋରିଆଲର ଅଫର୍‌ ଆସିଛି ।’

 

‘ସତ୍ୟବାବୁ ସେମିତି ବି ମାଇକିନାଙ୍କୁ କିଛିଟା ଡରନ୍ତି । ଗାର୍ଲସ୍‌ କଲେଜରେ ରହିବାକୁ କେତେଦିନ ବା ପସନ୍ଦ କରିବେ !’

 

‘ଡରେ ନାଇଁ ଯେ, କିଛିଟା ମିସ୍‌ ଫିଟ୍‌ ମନେକରେ ।’ ଆତ୍ମସ୍ୱୀକୃତି ଭଳି କହିଥିଲା ସତ୍ୟ-

 

‘ଏମିତି ବେଳରେ ଗଲେ ବିଚାରୀ ଛାତ୍ରୀମାନଙ୍କର କେତେ କ୍ଷତି ହବ । ସତ୍ୟବାବୁ ଏତିକି ବି ଭାବିଲେ ନାଇଁ ।’ ମିଶ୍ର କଥାର କ୍ରମ ଆଗେଇ ନେଲା ।

 

‘ଇଂଲିଶର ତିନିଜଣ ଲେକ୍‌ଚରର୍‌ ଅଛନ୍ତି ଏଇଠି । ମିସ୍‌ ଗୁପ୍ତା କେତୋଟି ଏକ୍‌ସଟ୍ରା କ୍ଳାସ ନେଇପାରିବେ ବି ।’ ଗୁପ୍ତାକୁ ତଉଲିବାକୁ ସତ୍ୟ କହିଦେଲା ହୁଏତ ।

 

‘ମିଷ୍ଟର ସତ୍ୟ, ଗୁପ୍ତା ଭିତରେ ଏତେ ସକ୍ଷମତା ଆସିଲା କୁଆଡ଼ୁ ? ହେଲେ ଆପଣ ଚିନ୍ତା କରନ୍ତୁ ନାଇଁ, ଯେମିତି ହେଲେ ବନ୍ଦୋବସ୍ତ ହୋଇଯିବ ।’ ଯେମିତି ଗୁପ୍ତା ସତ୍ୟକୁ ଅଭୟ ଦେଉଛି....

 

‘ମାନେ !’

 

‘ମିସେସ୍‌ ବିଜୟ ହିଁ କେବଳ ଆପଣଙ୍କର ସ୍ଥାନ ପୂରଣ କରିପାରିବେ ।’

 

ସତ୍ୟ କିଛି କହିଲା ନାଇଁ । ଆଖି ପୂରେଇ କମ୍ମୋକୁ ଦେଖିଲା । ମୁହୂର୍ତ୍ତକ ଲାଗି ଧଳା ଶାଢ଼ିରେ ବୁଣା ହୋଇଥିବା ଦୁଇଟି ପତ୍ର ସହିତ ଲାଲ ଗୋଲାପଟି ଉପରେ ଆଖି ବାନ୍ଧି ହୋଇଗଲା-

 

ଗୁପ୍ତା ଟେବୁଲ ଉପରେ ତାଳ ଦେଇ ଗୁଣୁଗୁଣୁ କରିବା ଆରମ୍ଭ କରିଦେଲା.... ।

 

‘ୟୋଁ ନା ରହ ରହକର ହମେଁ ତରସାଇଏ....’ କମ୍ମୋର ଗାଲରେ ଗୋଲାପର ରଙ୍ଗ ଖେଳିଗଲା । ଭିତରେ କୋଉଠି କେଜାଣି ମୁନିଆଁ କଣ୍ଟାଟିଏ ଫୋଡ଼ି ହୋଇଗଲା । ଏତିକି ଟିକିଏ ସମୟ ଲାଗି ସତରେ ଥିଲା ସେଇ ସାନ୍ନିଧ୍ୟତା ?

 

ସେଦିନ ରଜନୀ ଦାସ କମ୍ମୋକୁ ପଚାରିଥିଲା—‘ମିସ୍‌, ସୁଖ କ’ଣ ? ମଣିଷ ସୁଖୀ ହୋଇ କେମିତି ରହିପାରିବ ?’

 

କମ୍ମୋକୁ ଛାତ୍ରଟିଏ ଏଭଳି ପ୍ରଶ୍ନ କରିଥିଲାରୁ ଉତ୍ତର ସେ ନିଜେ ଜାଣିବାକୁ ଚାହୁଛି । କମ୍ମୋ ସେଇଆ ପଚାରି ଦେଲା ସତ୍ୟକୁ ।

 

ଗୁପ୍ତା କହିଥିଲା, ‘ସତ୍ୟ କେତେବେଳେ ବି ଡିଷ୍ଟର୍ବଡ୍‌ ରହେ ନାଇଁ । ଏଭର୍‌ ହେପୀ !

 

ଆପଣ ଭାରି ବଡ଼ କଥାଟିଏ ପଚାରିଛନ୍ତି । ଏ ପ୍ରଶ୍ନର ମପାଚୁପା ଉତ୍ତରଟିଏ ମୋ ପାଖରେ କାହିଁକି କା’ର ହେଲେ ପାଖରେ ଅଛି ବୋଲି ମୁଁ ମନେ କରୁନି । ମୁଁ ତ କେବଳ ସୁଖକୁ ଏକ ମାନସିକ ବୃତ୍ତିବିଶେଷ ବୋଲି ଭାବେ । ସୁଖୀ ରହିବା ନ ରହିବା ମନୁଷ୍ୟର ଦୃଷ୍ଟିକୋଣ ଆଉ ମାନସିକତା ସହିତ ସମ୍ୱନ୍ଧ ରଖିଥାଏ । ସ୍ଥିତିଗୁଡ଼ିକ ପ୍ରତି ଏପ୍ରୋଚ୍‌ ନିର୍ଭର କରେ ମିସେସ୍‌ ।

 

‘କଥାଟି ଅଧାରେ ରଖି ନୀରବ ରହିଲା ସତ୍ୟ ।’

 

‘କ୍ଷମା କରିବେ, ଆପଣଙ୍କୁ କୋଉ ନାଆଁରେ ଡାକିବି ?’

 

‘ନାଁ ତ କାମିନୀ । ତେବେ ଘରେ ମୋତେ କମ୍ମୋ ବୋଲି ଡାକନ୍ତି । କାମ୍ମୋ ଚଞ୍ଚଳ ଚଞ୍ଚଳ କହିଦେଲା । କଥା ସାରି ଅନୁଭବ କଲା ଅପୂର୍ଣ୍ଣ ବାକ୍ୟଟି ହିଁ ଯଥେଷ୍ଟ ହୋଇଥାନ୍ତା ।

 

‘କମ୍ମୋ....ଭାରି ମିଠା ନାଆଁଟିଏ ।’

 

‘ଥେଂକ୍‌ସ !’

 

ମୁହୂର୍ତ୍ତକର ମୌନତା । କମ୍ମୋର ମିଠା ମିଠା ସଂକୋଚ । ମଉନ ରହିବା କେତେବେଳେ କେମିତି ଭାରି ଭାରି ଲାଗେ !

 

‘ଆପଣ ଭୌତିକ ସୁବିଧାଗୁଡ଼ିକ ସାଙ୍ଗରେ ସୁଖର ସଂବନ୍ଧ ଥିବା କଥା ସ୍ୱୀକାର କରନ୍ତି-?’ କମ୍ମୋ ନୀରବତା ଭାଙ୍ଗି କହିଲା ।

 

‘କମ୍ମୋଜୀ, ସୁଖର ସମ୍ୱନ୍ଧ ଯଦି ମଣିଷ ସାଙ୍ଗରେ ରହିବ ତା’ ହେଲେ କୋଉଠି ନା କୋଉଠି ଭୌତିକ ପୃଷ୍ଠଭୂମିରେ ବି ଯୋଡ଼ି ହୋଇ ରହିଛି । ହେଲେ ପ୍ରତ୍ୟେକ ଭୌତିକ ଐଶ୍ୱର୍ଯ୍ୟ, ଭୋଗରୁ ମିଳୁଥିବା ହର୍ଷ ଓ ଉନ୍ମାଦର ଭାବନା ମଣିଷକୁ ସୁଖୀ କରିପାରେ, ଏହା ଏକ ବିବାଦାସ୍ପଦ ବିଷୟ । ସେମିତି ଭୋକିଲାକୁ ଖାଇବାକୁ ମିଳିଲେ ଯେଉଁ ତୃପ୍ତିର ଭାବ ଜାଗରିତ ହୋଇଥାଏ, ସ୍ଥିତି ବିଶେଷରେ ତାକୁ ମଧ୍ୟ ସୁଖ ବୋଲି କୁହାଯାଇ ପାରିବ ।’

ସେଦିନ ଘରେ ପହଞ୍ଚି କମ୍ମୋ କହିଥିଲା–‘ଆସନ୍ତୁ ଥରେ କେତେବେଳେ... ।’

‘କେତେବେଳେ କାହିଁକି, ଏଇନେ କାହିଁକି ନୁହେଁ ?’ ସତ୍ୟ ଭାବିଲା ମନେ ମନେ, ହେଲେ କହିଲା ନାଇଁ । ତା’ରି ଭିତରେ ସେ ଜାଣି ସାରିଥିଲା ଯେ, କମ୍ମୋ ଏକୁଟିଆ ରହୁଛି, ବିବାହିତା ଆଉ ସଂଭ୍ରାନ୍ତ ପରିବାରର ବନ୍ଧନରେ ବାନ୍ଧି ହୋଇ ରହିଥିବା ମହିଳାଟିଏ ସେ ।

ସଂଭ୍ରାନ୍ତତା, ସଂସ୍କାରିତା, ଯାହା ବି ବେଡ଼ିଟିଏ କମ୍ମୋକୁ ପିନ୍ଧେଇ ଦିଆଯାଇ ଥିଲା, ତା ସତ୍ତ୍ୱେ ତା ଭିତରେ ସ୍ଫୁଲିଙ୍ଗ ଝରିବାକୁ ଲାଗିଥିଲା ଏଇ ମାତ୍ର । ବିପରୀତ ରାସ୍ତାରେ ଦ୍ୱିଧାଗ୍ରସ୍ତ ହୋଇ ଠିଆହୋଇଥିବା କମ୍ମୋ କାନ୍ଧରେ ସତ୍ୟର ବଳିଷ୍ଠ ହାତର ସ୍ପର୍ଶ ଅନୁଭବ କଲାକ୍ଷଣି ଆପଣା ଭିତରେ ହୁତ୍‌ ହୁତ୍‌ ଜଳୁଥିବା ନିଆଁଟିର ଅନୁଭବ କରିଥିଲା ସେ । ସତ୍ୟର ପ୍ରତିକ୍ରିୟା ଜାଣିବାକୁ ସେ ମଝିକୁ ଟାଣି ଆଣିଥିଲା ଗୁପ୍ତାକୁ ।

‘ଆପଣ ଗୁପ୍ତାଠୁ ଦୂରଛଡ଼ା ରହନ୍ତି କାହିଁକି ?’

ସତ୍ୟ ଖିଲିଖିଲି ହସିଲା କେବଳ ।

ଗୁପ୍ତାର ନିମନ୍ତ୍ରଣରେ କେତୋଟି ଫିଲ୍ମ ଦେଖିଥାନ୍ତି । ଚାରି ପାଞ୍ଚଟି ହୋଟେଲକୁ ଯାଇଥାନ୍ତି । ଅତି ବେଶୀ ହେଲେ କୋଉ ଏକ କୋଠରିକୁ ନେଇ ଯାଇଥାନ୍ତି । ତା ପରେ ?

କମ୍ମୋ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲା–‘ବିଚିତ୍ରା ସତରେ ତମେ ! କେତେ ଭଲ ଝିଅଟିଏ । ଜାଣିଛ, ତମ ଛଡ଼ା ଆଉ କାହାକୁ ଆଖି ଟେକି ଅନାଏ ନାଇଁ ବି ।’

‘ଗୁପ୍ତାର ଆଖି ଟେକିବା କି ଦରକାର ? ଟଣାଟଣା ଆଖିରେ କଣେଇ ଚାହିଁବା ତ ଯେ କେହି ପୁରୁଷର ଗଳା କାଟିବା ଲାଗି ଯଥେଷ୍ଟ । ମୋ ଗଳାଟି କିଛିଟା ଟାଣ ମସଲାରେ ତିଆରି ।’

‘ତମକୁ କେତେ ଭଲପାଏ ।’

କମ୍ମୋ ହୁଏତ ଗୁପ୍ତାର ମାଧ୍ୟମରେ ଆପଣାକୁ ହିଁ ଅନାବୃତ କରି ଚାଲିଥିଲା ।

ସତ୍ୟ ‘ଭଲ ପାଇବାର’ ତର୍କଣା ବୁଝେ ନାଇଁ । ତା’ ଭିତରେ ସେମିତି କ’ଣ ବା ବିଶେଷତ୍ୱ ଅଛି ଯେ, କେହି ଭଲ ପାଇବାର ରିସ୍କ ଉଠେଇବ । ଏ ପର୍ଯ୍ୟନ୍ତ ତ ସେ କୋଉଠି ହେଲେ ଜମି ନାଇଁ । କମ୍ମୋକୁ ସେ ଖାଲି ଏତିକି କହିଲା ଯେ, କଲେଜର ଅଧ୍ୟାପକଗିରିରେ ଫାଇଭ ଷ୍ଟାର୍‌ର ଜାଜ୍‌ ଆଉ ଟୁରିଷ୍ଟର ଦୁନିଆ ମିଳିବ ନାଇଁ । ତନ୍ଦୁରୀ ଚିକେନ୍‌ ଆଉ ବଟର କଟ୍‌ଲେଟ୍‌ ଛାଡ଼ି ଡାଲି ତରକାରିରେ ଗୁଜରାଣ ମେଣ୍ଟେଇବାକୁ ହୁଏ । ଗୁପ୍ତା ସୁନ୍ଦରୀ, ସୁକୁମାରୀ । ବମ୍ୱେ ଯାଇ କୋଉ ଫିଲ୍ମ ଡାଇରେକ୍‌ଟରକୁ ଭେଟିବା ତାଙ୍କ ପକ୍ଷରେ ଉଚିତ ।’

‘ତମେ କିଛି ବି ବୁଝୁନ । ସେ ତମକୁ ଅନେକ କିଛି ଭଲପାଏ ।’

 

‘ଥଟ୍ଟା କାହିଁକି କରୁଛନ୍ତି ? ଗୁପ୍ତା ଇମ୍ଫାଲା ନ ହେଲେ ଫିଏଟ୍‌ ଏମ୍ୱେସଡରର ଯୋଗ୍ୟ ହେବ ତ ! ଚାଲି ଚାଲି ପାଦରେ ବିଣ୍ଡି ବାନ୍ଧିଯିବ । କେନାଲର ଲହଡ଼ାର କମ୍ପନରେ ତା’ର ଶୀତୁଆ ଜର ଆସିଯିବ ।’

 

‘ଥାଉ ଥାଉ । ମୋତେ ତ କୁନି କୁନି ଲହଡ଼ା ଦେଖିବାକୁ ଭାରି ଭଲ ଲାଗେ । ଜର ଧରେ ନାଇଁ । ଗାଢ଼ ଅନ୍ଧରରେ ଧଳା କଳା ବାଦଲଭରା ଆକାଶର ଲହଡ଼ାଗୁଡ଼ିକର ଛଟପଟ ଭାବ କେତେ ଯେ ରହସ୍ୟମୟ ମନେହୁଏ । ଭାବେ, ଏ ଅନ୍ତହୀନ ରୁନ୍ଧିହେଲା ଭାବଟି କୋଉଥିଲାଗି ?

 

ବିଷୟରୁ ଓହରି ଯାଇ ସେମାନଙ୍କର କଥା ଭାବୁକତାର ସୀମା ଛୁଉଁଥିବା ଦେଖି ଆପଣାଛାଏଁ କାନ୍ଧ ନଚେଇ କିଛି ନ କହି ଅପଲକ ଆଖିରେ ଅନେଇ ରହେ କମ୍ମୋକୁ ।

 

‘ମୋତେ ଏକାନ୍ତ ଭାରି ଭଲଲାଗେ ଜାଣିଛ ?’

 

କମ୍ମୋ ସତ୍ୟର ଅକୁହା ଆଉ ଏକ୍‌ସରେ ପରି ଦୃଷ୍ଟିରେ ଶଙ୍କିଯାଇ ନିଜେ ସମାଧାନ କରିବସେ....‘ମୁଁ ଏକାନ୍ତତାରେ ଆପଣାକୁ ଅଣ୍ଡାଳି ବସେ । ଭିତରେ ବସିରହି ପ୍ରଶ୍ନକର୍ତ୍ତା ଲାଗି ଉତ୍ତରଟିଏ ଖୋଜୁଥାଏ ।

 

‘ଆଉ ମୁଁ ତମକୁ କହୁଥିବା ଦେଖି ରହିବାକୁ ଭଲପାଏ ।’

 

‘ସେଇଥିଲାଗି କ’ଣ ମଉନ ହୋଇଯାଅ ତା’ହେଲେ ? ନୀରବ ଆଉ ଏକାକୀ ।’

 

ଜାଣିଛ କମ୍ମୋ, ଚୁପ୍‌ ରହିଥିବା ମଣିଷର ଏକାନ୍ତତା ବେଶ୍‌ ତୀବ୍ର ।

 

ସତ୍ୟର ଚେହେରା ସତେ ଯେମିତି ଉଦାସ ରଙ୍ଗର ଦର୍ପଣ ପାଲଟି ଯାଏ । କମ୍ମୋ ଅନୁଭବ କରେ ଯେମିତି ଭିତରେ ଭିତରେ ସେ ତରଳି ଯାଉଛି ।

 

‘ତମେ କୁହନା ଦେଖି ।’

 

‘ଗୁପ୍ତାକୁ ?’ ସତ୍ୟ ଉଦାସ ରଙ୍ଗକୁ ପୂରା ଛିଞ୍ଚାଡ଼ି ପକାଏ ।

 

‘ନା ନା....ମାନେ....ମୋତେ....ନା କହିବାକୁ ବି ନୁହେଁ....।’

 

ସେତେବେଳେ କମ୍ମୋ ମନେକଲା ଯେ, ବ୍ୟଗ୍ର ହୋଇ କଥା ହୋଇ ମନର ଭିତର ସ୍ତରରେ ଲୁଚି ରହିଥିବା ଲାଳସା, କେବଳ ନିଜ ପାଇଁ ଘୋଡ଼େଇ ସଜାଡ଼ି ହୋଇ ରହିଥିବା କୁନି ଇଚ୍ଛାଟିଏ ଅନାବୃତ ହୋଇଯାଏ....ପର ହୋଇଯାଏ । ଶବ୍ଦକୁ ସମ୍ଭାଳି ନେବାର ବ୍ୟର୍ଥ ଚେଷ୍ଟା ସତ୍ତ୍ୱେ ଗାଲ ଉପରେ ଖେଳିଯାଇଥିବା ଲାଳିମା ହିଁ ପ୍ରକାଶିତ କରି ଦେଇଥିଲା ଯେ, ସତ୍ୟ ହିଁ ସେ ଲାଳସାର କେନ୍ଦ୍ରବିନ୍ଦୁ ।

 

କମ୍ମୋର ଛାତିରେ ନିଆଁର ଶିଖା ତେଜି ଉଠିଲା । ପ୍ରଥମ କରି ସେ ଗୁପ୍ତାର କଥା ନ ପକେଇବାକୁ ଇଚ୍ଛା କଲା । ସତ୍ୟ ଆଉ କମ୍ମୋ ଛଡ଼ା ଆଉ କୌଣସି ବି କଥା କୌଣସି ମହତ୍ତ୍ୱ ରଖେ ନାଇଁ ।

 

ଚାରୋଟି ବେତ ଚଉକିବାଲା ସତ୍ୟର ଅନ୍ଧାରୁଆ କୋଠରିରେ କମ୍ମୋ ମନ ଭିତରୁ ଏଇଆ ହିଁ ଇଚ୍ଛା କରିଥିଲା । ସତ୍ୟର ଫେନିଳ ପ୍ଳାବନକୁ ବାହୁରେ ଆକଟ କରି କମ୍ମୋ ଯେମିତି ଆପେ ଆପଣାର ଭାରସାମ୍ୟ ହରେଇ ବସିଥିଲା ।

 

ସତ୍ୟ ସେତେବେଳେ ହଠାତ୍‌ ମୂର୍ତ୍ତିଟିଏ ପାଲଟି ଯାଇଥିଲା । ନିର୍ବିକାର । ପଥୁରିଆ ଓଠଟି କିଛି ଟିକିଏ ହେଲେ ତ ତରଳି ଯାଇଥାନ୍ତା ?

 

ହାୟ, ସତ୍ୟ କିଛି କହନ୍ତା ହେଲେ । କହନ୍ତା ହେଲେ କିଛି ବି ମହତ୍ୱପୂର୍ଣ୍ଣ ନୁହଁ ତମ ଆଉ ମୋ ଛଡ଼ା । ଆପଣା ପଣର ହାନ୍ଦୋଳାରେ ଲାଳସାର ଜୁଆରରେ ଭିଜି ଭିଜି, ହାତମାରି, ଆଙ୍ଗୁଠିଗୁଡ଼ିକର ପ୍ରତି ପବରେ ଅନୁଭବ କରିଥିଲା କମ୍ମୋ । ଝଡ଼ ବର୍ଷାର ବେଗ ଯେମିତି କୋଠରିଟିକୁ ଦୋଳେଇ ଦେଲା । ଦରଜା, ଝରକାର ଚଉକାଠ ଝନକି ଗଲା ସେତେବେଳେ ସତରେ କ’ଣ ଭାବୁଥିଲା ସତ୍ୟ ?

 

‘କହ, ତମେ କିଛି ଭାବୁନ ସତ୍ୟ ?

 

‘କିଛି ଭାବୁନି, ଶବ୍ଦର ପୁନରାବୃତ୍ତି ମାତ୍ର ।

 

ସତ୍ୟ ସେତେବେଳେ କୋଉ ମାୟାବୀ ସୁଅରେ ଭାସି ଭାସି, ଆତଙ୍କଭରା ସୁଖର ମୁହୂର୍ତ୍ତ ଦେଇ ଗତି କରୁଥିଲା । ଭିତରେ—ପ୍ରତି ଲୋମ ଉଦ୍‌ବେଳିତ, ବାହାରେ—ନିର୍ବେଦ, ମୌନତା ପରିବେଷ୍ଟିତ ।

 

କମ୍ମୋ ସେଇ ଝଡ଼ର କୋଳାହଳ ଭିତରେ ସତ୍ୟର ଡାକରା ଶୁଣିବାକୁ ବ୍ୟାକୁଳ ହୋଇ ଉଠିଥିଲା । ଶିହରିତ କମ୍ମୋକୁ ସାଉଁଟି ନେଇ ସତ୍ୟ ସତେ ଯେପରି ଗୋଟି ଗୋଟି କରି ଶବ୍ଦକୁ ଅର୍ଥ ପ୍ରଦାନ କରି ଚାଲିଥିଲା ।

 

‘ତମ ଛଡ଼ା କମ୍ମୋ....ତମ ଛଡ଼ା.... ।’

 

‘ମୋର ଆଉ କିଛି ଲୋଡ଼ା ନାଇଁ....କି....ଛି ।’ ଆଉ ସତ୍ୟ—କମ୍ମୋ ଛଡ଼ା ସମ୍ପୂର୍ଣ୍ଣ ସୃଷ୍ଟି ଯେମିତି ଜଳ ପ୍ଳାବନରେ ବୁଡ଼ି ରହିଥିଲା ।

 

ଅନେକ ସଂଶୟ ଭିତରେ ସଙ୍କୁଚିତ ଶିହରିତ ହୋଇ ମଧ୍ୟ କମ୍ମୋ ସେ ସ୍ପର୍ଶକୁ ସ୍ୱୀକାର କରି ନେଇଥିଲା ପରିପୂର୍ଣ୍ଣ ମନରେ । ସେଇ ତା’ର ପ୍ରଥମ ଅନୁଭବ । ଯେତେ ଅସମ୍ପୂର୍ଣ୍ଣତା ସତ୍ତ୍ୱେ ସମ୍ପୂର୍ଣ୍ଣତାର ଚରମ ସୋପାନକୁ ସ୍ପର୍ଶକରି କମ୍ମୋ ସେତିକିବେଳେ ଇ ଜାଣି ଯାଇଥିଲା ଯେ, ସତ୍ୟର ବ୍ୟସ୍ତତା ଓ ଶୁଷ୍କ ବ୍ୟବହାରର ଖୋଳ ଭିତରେ ଏକ ସ୍ରୋତ ଲୁଚି ରହିଥିଲା । କମ୍ମୋ ସେଇ ସ୍ରୋତକୁ ଆପଣା ଭିତରେ ଧରିନେବାକୁ ଚାହିଥିଲା ।

 

ସେଇଦିନ ସତ୍ୟ ଲାଲ କାଳିରେ ତିଥିଟିଏ ଅଙ୍କିତ କରି ଦେଇଥିଲା ।

 

ଜୁଆର ଭଟ୍ଟା ପଡ଼ିଲାରୁ, ତିରୋହିତ ଇନ୍ଦ୍ରଜାଲ ମଝିରେ ଉଭୟେ ଆମନା ସାମନା ଠିଆ ହୋଇଥିଲେ....ଜବାବଦାର ଭାବରେ । ସତ୍ୟ ସେଇ ସତ୍ୟତାର ଭୃଣଟିକୁ ଅସ୍ୱୀକାର କରିବାକୁ ଚାହୁଥିଲା ଯାହା ଭିତରେ ବନ୍ଦୀ ହୋଇ ରହିଥିଲା କମ୍ମୋ । ଆଉ କମ୍ମୋ ହଜାର ହଜାର ଆଲପିନ୍‌ରେ ବିନ୍ଧି ହୋଇ କାଣିଚାଏ ବି ଏଣେତେଣେ ହେବାକୁ ଅସମର୍ଥ ହୋଇ ରହିଥିଲା !

 

ରାତିରେ ସେଦିନ ତକିଆରେ ମୁଣ୍ଡ ଦେଲା ମାତ୍ରକେ କମ୍ମୋ ଗଳାର ମଙ୍ଗଳସୂତ୍ର ଛାତିରେ ଫୋଡ଼ି ହେଉଥିଲା ଭଳି ମନେହେଲା । ଛାତିରୁ ହଟେଇ ନେଲାରୁ ଗଳାକୁ ବାନ୍ଧି ବସିଲା । ଭୟାବହ ଅନ୍ଧକାରରେ ଆଖି ବିନ୍ଧି ବସିଲା ତାକୁ । କେଜାଣି କୋଉଠୁ ଆସି ନାଗ ଦଂଶିଦେବାକୁ ଝପଟିବାକୁ ଲାଗିଲେ । କୋଳାହଳ, ଅସ୍ପଷ୍ଟ ଅନୁଗୁଞ୍ଜନ, କେତେ ପ୍ରକାର ଶବ୍ଦ । କାନ ବନ୍ଦ କରିନେଲା କମ୍ମୋ । ତଥାପି ବି ସାରାରାତି କ୍ରସ୍‌ରେ ଝୁଲି ରହିଲା ସେ । ଆଉ କିଛି ସ୍ଥିର କରିପାରିଲା ନାଇଁ କମ୍ମୋ ।

 

ସେ ଯେମିତି ଅଛି, ଠିକ୍‌ ଅଛି । ତାକୁ ବଦଳେଇ ଦେଇ ତମେ କୋଉ ଗଡ଼ ଜିଣିଯିବ ! କୋଉ ନୂଆ ସଂସାର ନିର୍ମାଣ କରି ପକେଇବ ? ବିଶେଷକରି ସେତେବେଳେ, ଯେତେବେଳେ ତମର ପାଦ ବାନ୍ଧି ହୋଇ ରହିଛି, ହଜାର ହଜାର ଆଲପିନ୍‌ରେ ଫୋଡ଼ିହୋଇ । ଟିକିଏ ନାଁକୁ ହଲଚଲ ହେଲେ ରକ୍ତାକ୍ତ ହେବାଛଡ଼ା ଆଉ କିଛି ନାଇଁ। କମ୍ମୋ କେବେହେଲେ ନିଜକୁ ଏତେ ଅବଶ, ନିରୁପାୟ ଆଉ ନିରୀହ ମନେ କରିନଥିଲା ।

 

କିଛି ହେବ ନାଇଁ । ସତ୍ୟ ପ୍ରତିଶ୍ରୁତି ଦେଇ ନ ଥିଲା, ଆଶ୍ୱାସନା ବି ନୁହେଁ । ମନେ ମନେ କିଛି ସ୍ଥିର କରିବାର ପରାମର୍ଶ ହିଁ ଦେଇଥିଲା । ଜୀଇଁ ରହିବାର ଏକ ପ୍ରୟୋଗ ମାତ୍ର । ଯାହା ଭାବି ଭାବି କେତେ ଯେ ରାତି ତାରାଭରା ଆକାଶ ତଳେ ରହି ରହି ପୀଡ଼ା ଦେଉଥିବା ଆଖିରେ ବିତେଇଛି । ସେଇ ନିର୍ଣ୍ଣୟ ଯା’ର ଉପଲବ୍‌ଧିଟି ହୁର୍‌ଗୁନି ହେଲା ଦିନଗୁଡ଼ିକ ପରେ, ଶ୍ରାନ୍ତ ରାତିରେ ତା’ର ଦେହରୁ ଝୁଲି ପଡ଼ିଥିବା ମଲା ବାଦୁଡ଼ି ଭଳି ତାକୁ ଝୁଲେଇ ଦେଇଛି । ଜୀବନ ଚିନ୍ତାଟିଏ ପାଲଟି ଯାଇଥିଲା, ଯାହାର କୌଣସି ସମାଧାନ କଥା ଭାବି ହେଉ ନଥିଲା । କାରଣ ସେ ଏତକ ତ ଜାଣି ଯାଇଥିଲା ଯେ, କମ୍ମୋର ପାଦ ଅନେକ ଫୁଲି ଯାଇଛି, ଶରବିଦ୍ଧ ଓ ରକ୍ତାକ୍ତ । ସେଇ ଥକିଲା ପାଦରେ କେତେବାଟ ଆଗେଇବ କମ୍ମୋ ! ସତ୍ୟ ସେତେଟା ଭାବୁକ ନ ଥିଲା ଯେ, ତାକୁ କାନ୍ଧେଇ ଚାଲିବାର କଥା ଭାବନ୍ତା । ଚାଲିବ ଯଦି ଆପଣା ପାଦରେ ଆପେ ଚାଲିବ କମ୍ମୋ ।

 

କ୍ଳାସରେ ବଦଳୁଥିବା ଦୃଷ୍ଟିକୋଣ ଓ ତୁଟି ଯାଉଥିବା ବିଶ୍ୱାସ ଉପରେ ଭାଷଣ ଦେଇ ପରିବର୍ତ୍ତନର ସମର୍ଥନ କରୁଥିବା କମ୍ମୋର ପାଟିରେ ସିଲ୍‌ ମୋହର ଲାଗିଯାଇଥିଲା ଯେମିତି ।

 

ସତ୍ୟର ଚେହେରାରେ ବିଦ୍ରୁପର ଜାଲ ବିଛେଇ ହୋଇଗଲା । ସେ ଏକ ଇଚ୍ଛିତ ସମ୍ୱନ୍ଧକୁ ଆତ୍ମୀୟତା ପ୍ରଦାନ କରିଥିଲା । ସେଥିରେ ପୂର୍ଣ୍ଣତାର ଚରମ ମୁହୂର୍ତ୍ତର ତରଳ ଉନ୍ମାଦ ପାଇଥିଲା । ହେଲେ କମ୍ମୋର ଜଳିଲା ଓଠ ହଠାତ୍‌ ଆଇସ୍‌କ୍ୟୁବ୍‌ ପାଲଟି ଯାଇଥିଲା । ଉତ୍ତୋଳିତ ବାହୁ ନଇଁ ଆସିଥିଲା ।

 

କମ୍ମୋର ପ୍ରତିକ୍ରିୟା ହେତୁ ଆହତ ହୋଇ ମଧ୍ୟ ସତ୍ୟ ସାମାନ୍ୟ ପରେ ସଂଯତ ହୋଇଯାଇଥିଲା । ସେ କମ୍ମୋକୁ ତା’ର ମୌନତାର ଛୋଟିଆ ରହସ୍ୟଟି ବତେଇ ଦେଇଥିଲା—ଇଚ୍ଛା ଅନିଚ୍ଛାର ତର୍କକୁ ଅନାବୃତ କରି ଦେଇଥିଲା ।

 

‘ତମର ଇଚ୍ଛା ପୂରା ନ ଥିଲା କମ୍ମୋ ! ପ୍ରାପ୍ତି ଯାଏଁ ପହଞ୍ଚିବାର ସାମର୍ଥ୍ୟ ନ ଥିଲା ତହିଁରେ ।’

 

‘ସେମିତି କହ ନାଇଁ ସତ୍ୟ ।’ କମ୍ମୋର ଓଠ ନୀଳ ପଡ଼ି ଯାଇଥିଲା ।

 

କମ୍ମୋର ଗଭୀରତା ଜାଣିବାକୁ ଚାହ ତ ଘର ଭିତରକୁ ଦେଖ । ଶିକୁଳି ବନ୍ଧା ପାଦରେ ମୁଁ ସେଇ ସୁଖକୁ ଛାତିରେ ଲଗେଇ ନେଇ ପାରିବି ନାଇଁ, ଯିଏ ଦି’ପାଦ ଦୂରରେ ମୋର ବାଟ ଚାହିଁ ବସିଛି । ସତ୍ୟ, ଭିତରେ ମୁଁ ଯେମିତି ଛଟପଟ ହେଉଛି ତା’ର ପରିହାସ କରନାଇଁ ।’

 

ସତ୍ୟ କ’ଣ କ’ଣ କହି ଚାଲିଥିଲା କମ୍ମୋର ମନେନାଇଁ । ବାଧ୍ୟ କରି ରୋକି ନେଇଥିବା ଲୁହର ବନ୍ୟାରେ କେବଳ ମାତ୍ର କମ୍ମୋର ନିରୀହତା ହିଁ ଉକୁଟି ଉଠୁଥିଲା । ସତ୍ୟ ତା’ର ବାଳ ସାଉଁଳେଇ ଦେଲା, କୋହଥରା ଦେହକୁ ଭିଡ଼ି ଧରିଲା ବାହୁରେ । ସୁସ୍ଥ ହେଲା ପରେ ଏତିକି କେବଳ କହିଥିଲା—‘ମୁହଁରେ କିଛି ବଦଳେଇ ନେବା, କିଛି ତୁଟେଇ ଦେବାର କଥାଟି କହିବା ସରଳ କମ୍ମୋ । ମୁଁ ଜାଣେ, ଏକ ନିରର୍ଥକ, ଇଚ୍ଛାହୀନ ବନ୍ଧନର ବୋଝ ମୁଣ୍ଡେଇ ତମେ ସାରା ଜୀବନ ଚାଲିଥିବ ମାତ୍ର ହୃଦୟ ଦେଇ ଏଇନେ ସ୍ୱୀକୃତି ବି ଦେଇପାରିବ ନାଇଁ । ଅପୂର୍ଣ୍ଣତାର ବୋଝ ମୁଣ୍ଡେଇ ସବୁ ରାଜିନାମାରେ ବାନ୍ଧି ହୋଇ ନିଜକୁ ଅସ୍ୱୀକାର କରି ଚାଲିଥିବ । ସତ ହେଲା, କ୍ରିୟାଶୀଳ ଚିନ୍ତନ ସାଙ୍ଗରେ ବାସ୍ତବିକତା ସହିତ ଲଢ଼େଇ କରିବାର ଯେଉଁ ସାହସ ଦରକାର, ସେ ତମର ନାହିଁ । ଆମରି ଶିକ୍ଷାଟି ହୁଏତ, ଆମରି ସଂସ୍କାର ବୋଧହୁଏ ଆମକୁ ଅକର୍ମଣ୍ୟ କରିଦେଇଛି-। କିଛି ତୁଟେଇ ଦେବାର, କିଛି ବଦଳେଇ ଦେବାର ସାହାସ ଯଦି କରିପାରିବା ନାଇଁ କମ୍ମୋ, ତା’ହେଲେ ତା’ର ଶାସ୍ତି ଆମକୁ ହିଁ ଭୋଗ କରିବାକୁ ପଡ଼ିବ ।

 

କମ୍ମୋ ବାସ୍ତବରେ ସାହସ କରିପାରିଲା ନାଇଁ; ଆଉ ସତ୍ୟ ସେଇ ଅନ୍ଧାରୀ ପଥୁରିଆ ଗୁମ୍ଫା ଭଳି କୋଠରି ଭିତରେ ରହି ପାରିଲା ନାଇଁ । ଗୁଡ଼ିଆ ଦୋକାନର ନିଆଁ ଭାଟି ଭଳି ଜଳୁଥିଲା-। ରେଶମୀ ସଲଓ୍ୱାର ଆଉ ଜାଲି କୁର୍ତ୍ତାରେ ଗେହ୍ଲେଇ ଗେହ୍ଲେଇ ଚାଲୁଥିବା ଝିଅଗୁଡ଼ିକ ତାକୁ ପ୍ଳାଷ୍ଟିକ କଣ୍ଢେଇ ଭଳି ଦିଶନ୍ତି, ଦବେଇ ଦେଲେ ଚିଂ କରିବେ; ନ ହେଲେ ସଂଜ୍ଞାଶୂନ୍ୟ ପ୍ରତିମା ଭଳି-। ଫାଜିଲ ଟୋକାଙ୍କର ରସରସିଆ ଥଟ୍ଟା ତାକୁ ଭାରି କଦର୍ଯ୍ୟ ମନେହୁଏ । ଫୁଲ ଡାଲା ଧରି, ମୁହଁରେ କପଡ଼ାବାନ୍ଧି, ସତର୍କତା ସହିତ ବାଟ ଭାଙ୍ଗି ଭାଙ୍ଗି ମନ୍ଦିରକୁ ଯାଉଥିବା ଜୈନ ମହିଳାଙ୍କୁ ଦେଖିଲେ ମନେ ମନେ ଅକାରଣ ଚିଡ଼ିଯାଏ ସତ୍ୟ । ତଥାପି ବି ଅଧ ଲଙ୍ଗଳା ଭକ୍ତିମତୀ ବୁଢ଼ିଟି ଗୁଣୁଗୁଣୁ କରି ସ୍ତୁତି ପାଠ କରେ । ନନ୍ଦୁ ଖୋମଚାବାଲା ଲାଳ ଗଡ଼େଇଲା ଭଳି ଡାକରା ପକେଇ ଚାଟ୍‌ ପକୁଡ଼ି ବିକେ । ‘ଫତ୍ତୁ ପୁରୁଣା ବାସନ କଲେଇ କରିନିଅ....ଏ କଲେଇବାଲା’ର ଚଢ଼ା ପାଟି କାନ ବଧିରା କରିପକାଏ । ମେସିନ୍‌ ଭଳି ବ୍ୟସ୍ତତାର ବିରକ୍ତିକର ଖଟ୍‌ ଖଟ୍‌ ଶବ୍ଦ, ଅପରିବର୍ତ୍ତିତ; ମନୋଟୋନୋସ ! କୌଣସି କଥା ରହିଗଲା ନାଇଁ, ଥମିଗଲା ନାଇଁ । ଅନ୍ତହୀନ ଦୌଡ଼ରେ ଲକ୍ଷ୍ୟହୀନ ଭାବରେ ଦଉଡ଼ୁଥିବା ପରିଚିତ ଚେହେରାଗୁଡ଼ିକ ଅପରିଚିତ ମନେହେବାକୁ ଲାଗିଲେ ସତ୍ୟକୁ । କମ୍ମୋ ସେ ଗଳିବାଟ ଦେଇ ଯିବା ଆସିବା ବନ୍ଦ କରି ଦେଇଥିଲା ନା ! ମାସ ମାସ ପରେ କମ୍ମୋ ସେଇ କୋଠରିଟିର ଆତ୍ମା ଖୋଜିବ ବୋଲି ଗଲାବେଳକୁ ସେଇ ଅଧା ପୁରୁଣା ଘର କେତେ ନା କେତେ ବୁଢ଼ିଆଣୀ ଜାଲରେ ଭର୍ତ୍ତି ହୋଇ ସାରିଥିଲା, କେତୋଟି ଶ୍ୟାମଳ ମୁହୂର୍ତ୍ତର ସ୍ମୃତି ଶୋକରେ ନଇଁ ଯାଇଥିଲା । କମ୍ମୋ ଝରକା ଫାଙ୍କରେ ଭିତରକୁ ଅନେଇଲା, ଶୀତଳ ରେଲିଂ ଗୁଡ଼ିକୁ ଗରମ ଗାଲରେ ସାଉଁଳି ଦେଲା । କୋଠରି ଭିତରେ ଦରଚିରା କ୍ୟାଲେଣ୍ଡରରେ ମାସ ମାସର ପୁରୁଣା ଦିନଟିଏ ଅଟକି ରହି ଯାଇଥିଲା ।

 

ଜୁନ୍‌ର ଝାଞ୍ଜିମରା ଗରମରେ କମ୍ମୋର ମେରୁହାଡ଼ ବି ଶୀତ ଲହରୀରେ ଥରି ଉଠିଥିଲା-। ପାଦ ଫୁଲି ଭାରି ବ୍ୟଥା ହେଉଥିଲା ଆଉ କୌଣସିମତେ ଉଠିପଡ଼ି ନିଜ କୋଠରିକୁ ଲେଉଟି ଆସି ପାରିଥିଲା କମ୍ମୋ ।

 

କମ୍ମୋ ସେଦିନ କେମିତି ଏକ ଅବ୍ୟକ୍ତ କ୍ଳାନ୍ତିଟିଏର ଅନୁଭବ କରିଥିଲା । ତା’ର ବିଭକ୍ତ ମନ ଭୀଷଣ ଭାବରେ ଉଦ୍‌ବେଳିତ ହୋଇ ଉଠିଥିଲା । ସତ୍ୟ ଆଉ ବିଜୟ, ଭିତର ଆଉ ବାହାର ଦୁଇ ଭାଗରେ ବାଣ୍ଟି ହୋଇ ଯାଇଥିଲା । ସତ୍ୟ ନକହି ଚାଲି ଯାଇଥିଲା । ବୋଧହୁଏ କହିବା, ପଚାରିବାକୁ କୌଣସି କଥା ବାକି ରହି ନଥିଲା । ବିଜୟର ବମ୍ୱେ ଯିବା ବର୍ଷକରୁ ଅଧିକ ହୋଇଗଲାଣି, ହେଲେ ଏ ଯାଏଁ ହୁଏତ ସେ କମ୍ମୋର ଆବଶ୍ୟକତା ଅନୁଭବ କରି ନାଇଁ । ଜାଗାର ଅଭାବ, ନିଜ ଲାଖି ଚାକିରି ଖୋଜା, ଅଭିଜାତ ଜୀବନଟିଏ ବଞ୍ଚି ନପାରିବାର ଅସହାୟତା, ଆଉ କେଜାଣି କେତେ କ’ଣ କଥା ଆଳରେ ସେ କମ୍ମୋକୁ ପରାଜିତ କରି ଆସୁଥିଲା ।

 

ହେଲେ ସେ ଘରେ କମ୍ମୋ ନିଜକୁ କେବେ ବିଜୟୀ ବୋଲି ଅନୁଭବ କରିଥିଲା ? ସେ ଘରେ ସେ ବିଜୟ ସାଙ୍ଗରେ କେବଳ ଆଠୋଟି ଦିନ ହିଁ ତ ରହିଥିଲା । ପହିଲି ରାତି ପରେ ଭୀଷଣ ଜରଲାଗି ସେ ବିଛଣା ଧରିଥିଲା । ଉଷୀ ଉପଚାର କରିଚାଲିଥାଏ ଆଉ କମ୍ମୋର ଜର ବଢ଼ିଚାଲିଥାଏ । ଚୁପ୍‌ଚୁପ୍‌ ସେ ବିଜୟକୁ ପ୍ରାର୍ଥନା କଲାଭଳି କହିଥିଲା ଯେ, ସେ ଭଲ ହେଲା ଯାଏଁ ଉଷୀକୁ ପଠେଇ ଦିଅ । ତା’ ମନରେ ବସାବାନ୍ଧି ସାରିଥିଲା, ଉଷୀ ଏ ଘରେ ରହିଥିବା ଯାଏଁ ସେ କଦାପି ଭଲ ହୋଇପାରିବ ନାଇଁ । ବିଜୟ ଢିଲାଢାଲା ନୀତିରେ ଉତ୍ତରଟିଏ ଧରେଇ ଦେଇଥିଲା, ‘ଚାହୁଛ ଯଦି ମା’କୁ କହିଦିଅ । ମନେରଖିବ, ହୁଏତ ଉଷୀ ଖରାପ ଭାବିପାରେ, ତାରା ପିଉସୀ ବି ଦୁଃଖ କରିପାରେ । କୁଟୁମ୍ୱ ସମ୍ୱନ୍ଧୀଙ୍କ କଥା ସେଇ ଖିଆଲ ରଖିବା କଥା, କାହିଁକି ନା ସେଇ ସେ ଘରର ବୋହୂ ।’ ଆଦି ଆଦି ।

 

କୁଟୁମ୍ୱ-ସମ୍ୱନ୍ଧୀ, ଭଉଣୀ-ପିଉସୀ । କମ୍ମୋ ଅନେକ ଦିନ ଧରି ବିଛଣାରେ ପଡ଼ିରହି ଏହି ସଂଖ୍ୟାଗୁଡ଼ିକର ମିଶାଣ ଫେଡାଣ କରି ଚାଲିଥିଲା । ଗୁଣନ, ମିଶାଣ, ହରଣ, ଫେଡାଣ କରି ଶେଷକୁ ବଳକା ରହୁଥିଲା ବୋହୂ ! ମୂକ-ବଧିର, ସିଧାସାଦା, ଓଢ଼ଣାଟାଣି ମୁରକେଇ ହସୁଥିବା, ଅଗଣା ଓଳେଇ ଆଣୁଥିବା, ତୁଳସୀ ଚଉରାରେ ଦୀପ ଜାଳୁଥିବା ଗୃହଲକ୍ଷ୍ମୀ । କମ୍ମୋ ପହିଲା କରି ଏଇ ଗୃହଲକ୍ଷ୍ମୀ ଲାଗି ଅନାସ୍ଥା ଅନୁଭବ କଲା । ସୁନେଲି ଝାଲର ମଣ୍ଡିତ ଅସ୍ତିତ୍ୱହୀନତାର ଶୃଙ୍ଗାର କମ୍ମୋକୁ ବାନ୍ଧିରଖି ପାରିଲା ନାଇଁ । ପୁରୁଖା ଲୋକଙ୍କର କଢ଼େଇ ନେଲା ରାସ୍ତାରେ ଚାଲିଚାଲି ସେ ଅଚାନକ ଚମକିପଡ଼ି ଅଟକିଗଲା ।

 

ବିଜୟ ଆଠ ଦିନପରେ ଇଣ୍ଟରଭ୍ୟୁ ପାଇଁ ଚାଲିଗଲା । ଇଣ୍ଟରଭ୍ୟୁ ଔପଚାରିକ ମାତ୍ର ଥିଲା । ଚାକିରିର ଆଶ୍ୱାସନ ତାକୁ ଅନେକ ଆଗରୁ ମିଳି ସାରିଥିଲା ।

 

ନୂଆ ଖଞ୍ଜା, ନୂଆଘର, ନୂତନ ପରିବେଶ । କମ୍ମୋ ସେମାନଙ୍କୁ କୌଣସି ଆତ୍ମୀୟତା ଦେଇ ପାରିଲା ନାଇଁ । ଭରିଲା ପୂରିଲା ସୁନ୍ଦର ଘର ଘୋଡ଼ାଶାଳ ଭଳି ମନେହେଲା । ଯୋଉଠି ରହିବା ଓ ବଞ୍ଚି ରହିବାକୁ ସେ ବାଧ୍ୟ । କମ୍ମୋର ନିଃଶ୍ୱାସ ରୁନ୍ଧ ହେଲାଭଳି ଅନୁଭବ ହେଲା । ରୋଷେଇରେ ଚାରି ଛଅ ଘଣ୍ଟା କଟେଇଲା ପରେ ଆଚାର କରା, ପାପଡ଼ ବେଲାରେ ଶାଶୁଙ୍କୁ ସାହାଯ୍ୟ କରେ । ଫୁର୍‌ସତ ଦେଖି ପାଖପଡ଼ିଶାରୁ କେହି ବୋହୂକୁ ଦେଖିଆସିଲେ ବୋହୂର ରୁଚି ଅରୁଚିକୁ ଅଲଗୁଣୀରେ ଟାଙ୍ଗି ଦେଇ ପାରସ୍ପରିକ କାର୍ଯ୍ୟକଳାପ, ଝିଅ-ବୋହୂଙ୍କର ବଢ଼ୁଥିବା ଫାଜିଲାମୀ, ବଦଳୁଥିବା ଦୁନିଆର କାନ୍ଦଣା ସାଙ୍ଗକୁ ଅତୀତର ସୁବର୍ଣ୍ଣ ଯୁଗର ବ୍ୟାଖ୍ୟାରେ ଦୀର୍ଘଶ୍ୱାସ ପକେଇବା କାମ । ଶାଶୁ ଏଇ ଆଲୋଚନାରେ କିଛି ସମୟ ପାଇଁ ଉତ୍ସାହ ସହିତ ଭାଗ ନେଉଥିଲେ । ପରେ ଥକି ହାରି ନିଜର ଗୁମ୍ଫାରେ ପଶିଯାଇ ଘୁଙ୍ଗୁଡ଼ିମାରି ବସୁଥିଲେ । କମ୍ମୋ ଉପରେ ନିରର୍ଥକତାର ବୋଧ ଫଣାଟେକି ରହୁଥିଲା । ଏଇ ବ୍ୟର୍ଥତାର ଅନୁଭବରୁ ମୁକ୍ତି ପାଇବା ଲାଗି କମ୍ମୋ ଅନ୍ୟ ସହରରେ ଚାକିରି ଖୋଜିବାର ଆରମ୍ଭ କରି ଦେଇଥିଲା । ସେ ଜାଣି ଯାଇଥିଲା ଯେ, ଏଇ ପରିବେଶରେ ସେ କମ୍ମୋ ଭାବରେ ବଞ୍ଚି ରହି ପାରିବ ନାଇଁ । ବରଫ ଟୁକୁରା ଭଳି ତା’ର ଅସ୍ତିତ୍ୱ ତରଳି ତରଳି ନିଃଶେଷ ହୋଇଯିବ । ଆଉ ସେ ସେଇ ତରଳିଯିବାର ପ୍ରକ୍ରିୟାକୁ ରୋକି ନେଇ ପାରିବ ନାଇଁ ।

 

ବିଜୟର ମା’ ବାଧା ଦେଇଥିଲେ । ବାପା ମାଆ ବି ବିରୋଧ କରିଥିଲେ । ହେଲେ କମ୍ମୋ ଜିଦ୍‌ଧରି ବସିଥିଲା ଯେ, ଟଳିଲା ନାଇଁ । ପରାଶ୍ରିତା ହୋଇ ସେ ବଞ୍ଚି ରହିବାକୁ ଚାହେ ନାଇଁ-। ମାଆ କେତେ ଉଦାହରଣ ଦେଲେ, ଶାଶୁ ମର୍ଯ୍ୟାଦାର ଲକ୍ଷ୍ମଣରେଖାର ଇଙ୍ଗିତ ଦେଲେ-। ତେବେ ବି କମ୍ମୋ ନଇଁଲା ନାଇଁ । ଅତି କମ୍‌ରେ ବିଜୟ କୌଣସି ଜାଗାରେ ସେଟେଲ ହୋଇଯିବା ପର୍ଯ୍ୟନ୍ତର ଅନୁମତି ନେଇ ନେଲା ।

 

ନୂଆ ଜାଗାରେ ଅଜଣା ମେଳରେ ଆପଣାକୁ ହଜେଇ ଦେବାକୁ ଚାହିଁଲା, ହେଲେ ତା’ ଭିତରର ଶୂନ୍ୟତା ଆକାଶର ବିସ୍ତାର ଭଳି ଅନ୍ତହୀନ ହୋଇ ଯାଇଥିଲା । ସେଇ ଶୂନ୍ୟତାଭରା ଦିନରେ ସତ୍ୟ ସାଙ୍ଗରେ ତା’ର ଦେଖା, ଆରମ୍ଭ ଆଉ ସମାପ୍ତି ବି । କମ୍ମୋ ସହି ଚାଲିଲା, ନ ଚାହିଁଲେ ବି । ସତ୍ୟ ବି ଠିକ୍‌ କହିଥିଲା ।

 

ମାସ ଆଉ ବର୍ଷ ଘଟଣାଗୁଡ଼ିକୁ ମଳିନ କରିଦେଲେ । ନିପୂର ଜନ୍ମ ପରେ କମ୍ମୋ ସତ୍ୟକୁ ଶିମଳାରେ ଦେଖିଥିଲା, ଶୀତଳ ପବନରେ ‘ମାଲ୍‌’ରେ ବୁଲିଲା ବେଳେ । ଆକସ୍ମିକ ଭାବରେ ଆମନା ସାମନା ହେଲାରୁ ଅତୀତର ଆତ୍ମୀୟ ମୁହୂର୍ତ୍ତ ପୁଣି ଥରେ ଦୁହିଁଙ୍କୁ ଏକାତ୍ମ କରିଦେବାକୁ ଆତୁର ହୋଇ ଉଠିଥିଲା । ସତ୍ୟ କମ୍ମୋର ଉଦ୍‌ବେଳନ ଅନୁଭବ କରି ସହଜ ଭାବରେ ପଚାରି ବସିଲା–‘ଏକୁଟିଆ ଆସିଛ ?’

 

ରେଲିଂ ଉପରକୁ ନଇଁଯାଇ ସୁଦୂରର ପାଇନ ଆଉ ଦେବଦାରୁ ଶାଖାଗୁଡ଼ିକୁ ଆର୍ଦ୍ର ଆଖିରେ ଦେଖୁଁ ଦେଖୁଁ କମ୍ମୋ ଉତ୍ତର ଦେଇଥିଲା—‘ବିଜୟ ବି ।’ ନିପୂର ପରିଚୟ ଦେଇ କମ୍ମୋ ସତ୍ୟର ଭିତରକୁ ଦେଖିବାକୁ ଚାହିଥିଲା । ହେଲେ ସତ୍ୟର ସମତଳ ଭାବ ମୁଦ୍ରାରେ କୌଣସି ଭାବ ସ୍ଥିର ହୋଇ ରହି ନଥିଲା । ଗୋଟିଏ ବୋଲି କଥା ସେ ପଚାରିଥିଲା—‘ଏଇନେ ଖୁସି ତ ?’ ହାଲୁକା ମୁରୁକି ହସରେ ଆବୃତ ଏଇ ପ୍ରଶ୍ନରେ କମ୍ମୋର ଉଦ୍‌ବେଳନ ଗଭୀର ହୋଇ ଯାଇଥିଲା । ମନରେ ଗୋଟି ଗୋଟି କରି ପକ୍ଷୀ ଉଲାରି ଚାଲିଥିବା ସତ୍ୟ ତା’ ଆଖିରେ ଭାରି ନିର୍ଦ୍ଦୟ ଭଳି ଦେଖାଗଲା । ସେତେବେଳେ ତା’ର ମନେ ପଡ଼ିଥିଲା କିଛି ବର୍ଷତଳେ କହିଥିବା ସତ୍ୟର କଥା–ଏକ ଇଚ୍ଛାହୀନ ବନ୍ଧନର ବୋଝକୁ ତମେ ସାରା ଜୀବନ ମୁଣ୍ଡେଇ ଚାଲିଥିବ । ମନ ଭିତରେ ତାକୁ କେବେହେଲେ ସ୍ୱୀକୃତି ଦେଇପାରିବ ନାଇଁ । ପ୍ରତ୍ୟେକ ରାଜିନାମାରେ ବାନ୍ଧି ହୋଇ ନିଜକୁ ଅସ୍ୱୀକାର କରି ଚାଲିଥିବା ।

 

‘ଏଯାଏଁ ଏକାକୀ ହୋଇ ରହିଛି ? ....ବାଃ’ ଗୋଟିଏ ପ୍ରତିପ୍ରଶ୍ନରେ ସେ ସବୁ ଅନାବଶ୍ୟକ ଉତ୍ତରରେ ବିରାମ ଚିହ୍ନ ଲଗେଇ ଦେଲା ।

 

‘ଯେମିତି ଅଛି, ତମରି ସାମନାରେ ଅଛି ତ !’

 

‘କେତେ ଦିନ ଏକାକୀ ରହିଥିବ !’ କମ୍ମୋର ସ୍ୱରରେ ଭରି ରହିଥିଲା ବ୍ୟଥା ।

 

‘ଘର ପାଇଁ ପୂରା ଜିନିଷ କିଣି ନେଇଛି । କୁକର୍‍ଠାରୁ କୁକିଂରେଞ୍ଜ ଯାଏଁ । ରୋଷେଇ କରିବା ବି ଅଳ୍ପ ବହୁତ ଶିଖି ନେଇଛି । ଏଇନେ ନିଜ ସାଙ୍ଗରେ ଆଉ କାହାକୁ ବାନ୍ଧି ନେବାର କି ଅର୍ଥ ।’

 

କମ୍ମୋ ଚୁପ୍‌ ହେଲା । ବାନ୍ଧିବା ଓ ବାନ୍ଧିହୋଇ ରହିବା, ଏଇ ବୋଧହୁଏ ସମ୍ପର୍କର ଅର୍ଥ ହୋଇ ରହିଛି ।

 

ନିପୂ—ବିଜୟ ସାଙ୍ଗରେ ବାନ୍ଧିହୋଇ କମ୍ମୋ ଜୁହୁ ବିଚ୍‌ରେ ଅବକାଶ ସମୟ କାଟୁଥିଲା-। ‘ଲହଡ଼ାଗୁଡ଼ିକ ଉପରେ ରକ୍ତିମ ସୂର୍ଯ୍ୟର ନାଚ ଆଉ ଲହଡ଼ାଗୁଡ଼ିକର ହଜାର ବାହୁର ଆତୁର ଆମନ୍ତ୍ରଣ । ମିଳନର ଉନ୍ମାଦ ଉପରେ ଆର୍ଦ୍ର ସନ୍ଧ୍ୟାର ପରଦ ନଇଁ ଆସିଲାବେଳେ ସେଇଠାରେ ପିଲାଙ୍କ ସାଙ୍ଗରେ ଖେଳୁଥିଲା ସତ୍ୟ ଆଉ ସବିତା ସାଙ୍ଗରେ ତା’ର ଭେଟ ହୋଇଥିଲା, ଶେଷଥର ଲାଗି । ତା’ପରେ ଯେମିତି ମିଳନର କୌଣସି ଅର୍ଥଇ ରହିଯାଇ ନ ଥିଲା ।

 

ସବିତା ଶର୍ମା, ଇତିହାସର ଲେକ୍‌ଚରର୍‌, ଏଇନେ ମିସେସ୍‌ ସତ୍ୟଶର୍ମା । ସତ୍ୟ କେତୋଟି ଔପଚାରିକ କଥା ହୋଇ ଚାଲିଗଲା । କୁନୀ, ରିନା ହାତ ଧରି ଟାଣିବାରେ ଲାଗିଥିଲା । ତା’ର ଗୁଡ଼ିଏ ଶାମୁକା ଶଙ୍ଖ ଗୋଟେଇବା ଆଉ ବାଲିଘର ତିଆରି କରିବାର ଇଚ୍ଛା ଥିଲା । ପାପା ସାଙ୍ଗରେ ବିଚ୍‌କୁ କୁନି କୁନି ବଙ୍କେଇ ବଙ୍କେଇ ପାଦ ପକେଇ ମାପିବାର ଇଚ୍ଛାଥିଲା। ସବିତା ସାଙ୍ଗରେ ପୁରୁଣା ପରିଚୟର ସ୍ମୃତିଟିଏ ମିଳିଲା । ହେଲେ ସତ୍ୟ ସାଙ୍ଗରେ ପରିଚୟ ରହିଲା କେଉଁଠି ? ହଜିଲା ସମ୍ୱନ୍ଧ ସାଙ୍ଗରେ ସମ୍ୱନ୍ଧ ବି ହଜିଗଲା ସତରେ ! ଏକ ସ୍ମୃତିରେ ପହଞ୍ଚି ସାରିଥିବା କମ୍ମୋ ପୁଣିଥରେ ତା’ର ଚାରିପଟେ ନିର୍ଜନତା ଅନୁଭବ କରିବାକୁ ଲାଗିଲା ।

 

‘ଭାବୁକ ହୋଇ ଜୀବନକୁ ଜିଇଁ ହୁଏ ନାଇଁ ।’ ଶେଷଥର ଦେଖାବେଳେ ଏଇ କଥା କହିଥିଲା ସତ୍ୟ । ‘ଶିମଳାରେ ତମର ଛୋଟିଆ ଗୃହସ୍ଥତାଟି ଦେଖି ମୋତେ ଏଇ ଉପଲବ୍‌ଧିଟି ମିଳିଥିଲା । କାମ, ଦିନରାତିର ଧାଁ ଦଉଡ଼, ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଅକାରଣ ଘୂରା ଆଉ ଫୁର୍‌ସତ ବେଳେ ବାର୍‌ରେ ପେଗ୍‌ ପରେ ପେଗ୍‌ ଖାଲି କରି ଯିବା, ଜୀବନ ଏଇ ନିରର୍ଥକତାରେ ସଙ୍କୁଚିତ ହୋଇ ରହିଯାଇ ଥିଲା । ଅନେକ ବର୍ଷ ଯାଯାବର ଭଳି ବିତେଇଛି, ତା’ପରେ ଶିମଳାରେ ତମକୁ ଦେଖି ସ୍ଥିର କଲି ।’

 

ସତ୍ୟ ଏଇଆ ବି କହିଥିଲା ଯେ, ନିର୍ଣ୍ଣୟ ନେବା ମଧ୍ୟ ଅନିବାର୍ଯ୍ୟତାର ଆଉ ଏକ ରୂପ ମାତ୍ର ଥିଲା । ସେତେବେଳକୁ ସେ କ୍ୟାମୁଙ୍କ ସାଙ୍ଗରେ ଏକମତ ହୋଇ ସାରିଥିଲା । ମନର କୋଉ ଏକ କୋଣରେ ଘର କରି ବସିଥିଲା ଯେ, ତା’ ଦ୍ୱାରା କିଛି ହେଲେ ବଦଳିଯିବ ନାଇଁ । ଯାହା ହେବାକୁ ଥିବ ସେଇ କ୍ରମରେ ଆଗକୁ ସମୟର ଗତି ସାଙ୍ଗରେ ଖସି ଖସି ଯିବାକୁ ହେବ ।

 

କମ୍ମୋ ଡ୍ରେସିଂ ଟେବୁଲ ଆଗରେ ତା’ର ଯତନକରା ବାଳ ଗୋଟି ଗୋଟି କୁଞ୍ଚ ପକେଇ ଚାଲିଥିଲା । ଏବକୁ କେତେ ପାର୍ଟି, ଡିନର୍‌, ଗେଟ ଟୁଗେଦର, ଫରମାଲ ଗେଦରିଙ୍ଗ୍‌, ଇନ୍‌ଫରମାଲ ମିଟ୍‌ସ୍‌ । କେତେ ବ୍ୟସ୍ତ ଜୀବନ । ଘଡ଼ିଏ ରହି ଭାବିବାକୁ ବି ବେଳ ନାଇଁ । ନୂଆ ଚେହେରା, ନୂଆ ପରିଚୟରେ ପରିପୂର୍ଣ୍ଣ କାର୍ଯ୍ୟକ୍ରମ ।

 

ସାଜି ମାଜି ହେବାଟା ବି ରୁଟିନ୍‌ଟିଏ ଭଳି ହୋଇ ଯାଇଛି । ସେଇ କଥା ହେଲାବେଳେ ଗାଲର ଉଷୁମ ହୋଇଯିବା, ଆଙ୍ଗୁଠିର ସ୍ପର୍ଶ ମାତ୍ରକେ ପ୍ରତି ଲୋମରେ ଜଳ ତରଙ୍ଗର ସ୍ୱରଲହରୀ ଖେଳିଯିବା, ଛାତିର କୋମଳ ମାଂସପିଣ୍ଡରେ ମାନସରୋବରର ହଂସର ଡେଣା ଝାଡ଼ିବା ଆଉ ସୁଦୂର ଉଚ୍ଚତାରେ ଉଡ଼ି ବୁଲିଲା ମନ, ସେ ସବୁ ଦୁନିଆଁ କଥା ହୋଇ ଗଲାଣି । କମ୍ମୋର ସେଇଭଳି ଅନୁଭବ ପୁଣି କେମିତି ଆସିଲା ନାଇଁ ? କଅଁଳ ବୟସର ଭାବୁକତା କହି ସେଇ ସଂଶ୍ଳିଷ୍ଟ ଅନୁଭବ ଖଣ୍ଡକୁ କେଉଁପରି ମିଛ ବୋଲି କହିଦେଇ ହେବ ! ବୟସ ଆଉ ଅନୁଭବର ଅଦାଢ଼ ଛୁରୀରେ ତାକୁ କ’ଣ ଏତେ ସହଜରେ କାଟି ଅଲଗା କରିଦେଇ ହେବ ? ଖାଲି ଭାବୁକତା-?

 

ବୟସ ବଢ଼ିବା ସାଙ୍ଗରେ ମଣିଷ କେତେ ଠୋସ୍‌, କେତେ ଚାଲାକ ପାଲଟି ଯାଏ ନାଇଁ-। ସେଇ ଚାଲାକୀକୁ ସେ ବୌଦ୍ଧିକ ପରିପକ୍ୱତା କହି ପିତଳ ଉପରେ ସୁନା ଚଢ଼େଇ ଚାଲିଥାଏ ।

 

କମ୍ମୋ ଏଇ ବିଚାର-ବୁଦ୍ଧିର କାରଣରୁ ହିଁ ବାର୍ଡ଼ରୋବ୍‌ର ଶାଢ଼ିମାନଙ୍କରୁ କେଚୀ ରଙ୍ଗଟିକୁ ଖୋଜେ । ମୋହକ ମହକିଆ ବିଦେଶୀ ସେଣ୍ଟ୍‌, ଡାଇମଣ୍ଡ ରିଙ୍ଗ୍‍ସ, ରୁବୀ ନେକ୍‌ଲେସ୍‌ । ବିଜୟର ରତ୍ନର ପ୍ରଭାବ ଉପରେ ପୂରା ବିଶ୍ୱାସ । ନୀଳମ ତା’ର ପ୍ରିୟ ରତ୍ନ ।

 

‘ମୋର ବ୍ୟବସାୟରେ ଉନ୍ନତିର ରହସ୍ୟ ହେଉଛି ଏଇ ନୀଲମ୍‌ । ଜାଣିଛ ?’ ସେ ଗର୍ବରେ କମ୍ମୋକୁ କହେ ।

 

‘ହେଲେ ତମର ଏଇ ବିଜିନେସ୍‌ ଲାଗି ତ ମୋର ରାତିରେ ନିଦଟି ବି ବୃଥା ।’ କମ୍ମୋ କଥା କଥାରେ ଥରେ ସତଟିକୁ ବି ଅଜାଡ଼ି ଦେଇଥିଲା । ତେବେ ବିଜୟ କ’ଣ ସହଜରେ ହାର ମାନିଲା ମଣିଷଟିଏ !

 

‘ତମେ ଏମୀଥିଷ୍ଟ ପିନ୍ଧ ଜାମୁନୀ । ଅନିଦ୍ରା ପାଇଁ ବିଶେଷ ଲାଭକାରୀ ।’ ଆଉ ସତକୁସତ ନେକ୍‌ଲେସ୍‌ରେ ଏମୀଥିଷ୍ଟ ଲଗେଇ ଦେଇଥିଲା ବିଜୟ । ହେଲେ କମ୍ମୋକୁ ତଥାପି ବି ସ୍ଳିପିଙ୍ଗ୍‌ ପିଲ୍‌ସ ନେବା ଦରକାର ହେଉଥିଲା । ବିଜୟ ଚିଡ଼ିଲା ଭଙ୍ଗୀରେ କହିଥିଲା–

 

‘ଭାଇ, ତମର ତ ବିଶ୍ୱାସ ବୋଲି ଜମାରୁ ନାଇଁ, କେମିତି ପଡ଼ିବି ତା’ର ପ୍ରଭାବ !’

 

ବାସ୍ତବିକ କମ୍ମୋର ବିଶ୍ୱାସ ନଥିଲା । ପୁରୁଣା ବିଶ୍ୱାସ ଗୋଟି ଗୋଟି କରି ଭୁଷୁଡ଼ି ପଡ଼ିଥିଲା । ନୂଆ କିଛିର ନିର୍ମାଣ ବି ହୋଇ ନଥିଲା । ଅନାସ୍ଥା ଓ ଆଶଙ୍କାରେ ବଞ୍ଚିରହିଥିବା କମ୍ମୋ ସମୟ ଡୋରୀରେ ଟାଣିହୋଇ କାଠ କଣ୍ଢେଇ ପାଲଟି ଯାଇଥିଲା । ସ୍ଥିତିଗୁଡ଼ିକର ବାଜୀଗର ତାକୁ ନଚେଇ ଚାଲିଥିଲେ । ସେ ନାଚି ଚାଲିଲା ଆଉ ମୂକ ଦର୍ଶକ ଭାବରେ ଆପଣାର ନାଚ ବି ଦେଖି ଚାଲିଲା ।

 

ରୋଟରୀର ଚେରିଟୀ ଶୋ’ରେ ମିସ୍‌ ଗୁପ୍ତା ସାଙ୍ଗରେ ଦେଖାହେଲା । ବର୍ଷ ବର୍ଷ ପରେ ଏକ ଆକସ୍ମିକ ମିଳନ ଉଭୟଙ୍କୁ ସୁଖକର ମନେ ହୋଇଥିଲା । ଚାରୋଟି ପିଲାର ମାଆ ମିସ୍‌ ଗୁପ୍ତା ଏଇନେ ମିସେସ୍‌ ଭାଟିଆ ବନିଯାଇଥିଲା । ଅନୌପଚାରିକ ବ୍ୟବହାର ନିମନ୍ତେ ନାମକରା, ଅବିରାମ ଗପିଚାଲିଥିବା ମିସ୍‌ ଗୁପ୍ତା, କଥା କଥାରେ ଦି’ ଦିନର ଜୀବନ ହସି ହସି ବିତେଇ ଦେବାର ଫିଲୋସଫିର ପକ୍ଷପାତୀ ମିସ୍‌ ଗୁପ୍ତା କେଜାଣି ଅତୀତର କୋଉ ଅନ୍ଧାରୀ ମୋଡ଼ରେ ହଜିଯାଇଥିଲା-। ତା’ ବଦଳରେ ଚାକିରିର ଅଭିଯୋଗ ଆଉ ପିଲାଙ୍କର ପ୍ରଶଂସାରେ କେତେବେଳେ କେମିତି ମୁହଁ ଖୋଲୁଥିବା, ପତିର ମୋଟା ଦରମାରେ ଥାକୁଲ ହେବା, ଚେହେରାରେ ଆଶ୍ୱସ୍ତି ଆଉ ଅପଶକୂନର ମିଶ୍ର ଛାପ ନେଇଥିବା ଏଇ ମିସେସ୍‌ ଭାଟିଆ ! କମ୍ମୋ କ’ଣ ତାକୁ ଜାଣିଥିଲା ?

 

ମିସେସ୍‌ ଭାଟିଆଙ୍କ ଆଖି ତାକୁ ଦେଖିବା ମାତ୍ରକେ ବିସ୍ଫୋରିତ ହୋଇଉଠିଲା ।

 

‘ଆରେ ମିସେସ୍‌ ବିଜୟ ! ମୁଁ ତ ପହିଲି ଦେଖାରେ ଚିହ୍ନିପାରିଲି ନାଇଁ, କେତେ ବଦଳି ଯାଇଛନ୍ତି ଆପଣ ।’

 

‘ଅନେକ ଦିନ ପରେ ଦେଖା ସାକ୍ଷାତ ତ !’ କମ୍ମୋକୁ ‘ବଦଳ’ ଶବ୍ଦଟି ଭଲ ଲାଗିଲା ନାଇଁ ।

 

‘ନା ଭାଇ, ଅନେକ କିଛି ବଦଳି ଯାଇଛନ୍ତି । କାହିଁ ସେ ଲମ୍ୱା ବେଣୀ ଆଉ ସାଦା ସିଧା ବେଶ ଆଉ କାହିଁ ସେ ତାମ୍‌ଝାମ୍‌ !’

 

ପ୍ରଶଂସା ଆଉ ଈର୍ଷାର ମିଶ୍ର ଭଙ୍ଗିମାରେ ହେଉଥିବା ଚମକ ଦମକର ଆଲୋଚନାରେ କମ୍ମୋ ରୁଚି ରଖିପାରିଲା ନାଇଁ । କାହିଁ କୋଉଁଠି ଟିକିଏ ରାମ୍ପୁଡ଼ି ହୋଇଗଲା । ଗୁପ୍ତା ସାଙ୍ଗରେଇ ସେମିତି ଦିନେ ସତ୍ୟକୁ ଭେଟିଥିଲା । ଧଳା ଜର୍ଜେଟର କାନିରେ ଅଙ୍କା ଦୁଇଟି ଗୋଲାପରେଇ ସତ୍ୟର ଆଖି ବାନ୍ଧି ହୋଇ ରହିଯାଇଥିଲା । ଗୁପ୍ତା ଗଲାମାତ୍ରକେ ସତ୍ୟ କହିପକେଇ ଥିଲା ।

 

‘ଏ ଲଙ୍ଗ୍‌ ପ୍ଳେଇଙ୍ଗକୁ ସବୁବେଳେ କିଆଁ ବେକରେ ବାନ୍ଧି ବୁଲୁଛ !’

 

‘ଈର୍ଷା ହଉଛି କି ?’ କମ୍ମୋ ଯେମିତି ଚିଡ଼େଇବ ବୋଲି ଅଡ଼ି ବସିଥିଲା ।

 

‘ବିଲ୍‌କୁଲ୍‌ ! ୟା ଆଗରେ ତ କୌଣସି କଥା ହୋଇପାରିବ ନାହିଁ ।’

 

‘କହିବ କିଛି ?’ କମ୍ମୋର ଉତ୍ସୁକତା ଡେଣା ମେଲେଇ ବସିଥିଲା ।

 

‘ଏଇନେ ତ ଖାଲି ଏମିତି ଯେ ଧଳା ଶାଢ଼ିରେ ଖୁବ୍‌ ସୁନ୍ଦର ଦିଶୁଛ । ସାଦାସିଧା, ସରଳ-।’

 

କମ୍ମୋ ଏଇନେ ଆଉ ଧଳାଶାଢ଼ି ପିନ୍ଧୁନି । ସାଧାରଣତଃ ବାର୍ଡରୋବ୍‌ରୁ ଗାଢ଼ ଚମକିଲା ରଙ୍ଗ ଖୋଜି ହେଉଛି । ଏଇନେ ସେ ସାଦାସିଧା ସରଳ ନୁହଁ, ବିଜିନେସ୍‌ ମେନ୍‌ର ଗ୍ଳେମରସ୍‌ ଓ୍ୱାଇଫ୍‌ ମନେହେବା ଉଚିତ । ବିଜୟର ଇମେଜକୁ ଅତୁଟ ରଖି ତା’ର ଆର୍ଥିକ ସ୍ଥିତିକୁ ପ୍ରଜ୍ଞାପିତ କରିବା ଦରକାର । ସେଇ ବାଞ୍ଛନୀୟ, କାରଣ ସେଇଆ ଚାହେଁ ବିଜୟ !

 

ସେ ଏକ ଅଲଗା କଥା ଯେ, ଏତେ ଚାକଚକ୍ୟ ସତ୍ତ୍ୱେ କମ୍ମୋ ଥଣ୍ଡା ଆଉ ଉତ୍ସାହହୀନ ରହେ । ପାର୍ଟିରୁ ଫେରିବା ପରେ କ୍ଳାନ୍ତିର ରଙ୍ଗ ମେକ୍‌ଅପ୍‌ର ପରସ୍ତ ଭେଦ କରି ଉକୁଟି ଆସେ । ଟିଶୁ ପେପର୍‌ରେ ଲିପ୍‌ଷ୍ଟିକ୍‌ ପୋଛି ସେ କ୍ଳୀଜିଙ୍ଗ ମିଲ୍‌ସରେ ତ୍ୱଚା ସଫା କରିନିଏ । ଆଖି ଉପରକୁ ଥଣ୍ଡାପାଣି ଛାଟି କିଛିଟା ତାଜା ଅନୁଭବ କରେ । ସେତିକିବେଳେ ତା’ ଭିତରେ ନିଦ ଛଡ଼ା ଆଉ କୌଣସି ଇଚ୍ଛାଟିଏ ବି ଜାଗେ ନାଇଁ ।

 

ବିଜୟର ବି ଏବେ ରୁଚି ନାଇଁ । କାମ ଅନେକ ବିସ୍ତାରିତ ହୋଇ ଯାଇଛି । ଭଲକଥା । ଏଇ ରୁଚିଟି କମ୍ମୋକୁ ଦ୍ୱନ୍ଦ୍ୱ ଆଉ ଅତିଷ୍ଠ ଭାବଟି ଛଡ଼ା ଆଉ କ’ଣ ବା ଦେଇଛି, ମନେ ନାଇଁ ।

 

‘ଏକତରଫା ବ୍ୟବହାର ଅନ୍ୟ ଲାଗି ସବୁବେଳେ ରୋଚକ ହୁଏ ନାଇଁ ।’ କେବଳ ଥରେ ମାତ୍ର ସାହାସ କରି ସେ ବିଜୟକୁ କହିଥିଲା । ସେତେବେଳେ ସେ ଭାବିଥିଲା ହୁଏତ ସେମାନଙ୍କ ମଝିର କୁଣ୍ଠା କିଛି ହେଲେ ତ କମିଯିବ, ହୁଏତ ନୂଆ କିଛି ଆରମ୍ଭ କରିବାର ସ୍ଥିତିରେ ହେଲେ ପହଞ୍ଚିବେ ସେମାନେ । ସେ ନୂଆ ନୂଆ ମହାନଗରୀୟ ଜୀବନ ଦେଖିବାକୁ ଆସିଥିଲା । ବିଜୟ ଶେଷକୁ ତାକୁ ଡକେଇ ଥିଲା । ମାତ୍ର ବିଜୟର ଇଚ୍ଛାଠାରୁ ସେ ଡାକରା ପଛରେ ତା’ର ମାତାପିତାଙ୍କର ଆଗ୍ରହ ଅଧିକ ବୋଲି କମ୍ମୋ ଜାଣିଥିଲା । ସଂପର୍କୀୟ ଲୋକଙ୍କର ଚୁପି ଚୁପି କଥା ଆଉ ପର ସହରରେ ତା’ର ଏକାକୀ ରହିବାର ଜିଦ୍‌ ଛୋଟବଡ଼ ହୋଇ କାରଣ ପାଲଟି ଯାଇଥିଲା-। ବାପା ନିଜେ ଚିଠି ଲେଖି ବିଜୟକୁ ଡକେଇଥିଲେ, ଆଉ ବିଜୟ ସମ୍ଭ୍ରାନ୍ତ ପରିବାରର ମର୍ଯ୍ୟାଦା ଜଗି ତାକୁ ନେବାକୁ ଆସିଥିଲା ।

 

କୁଞ୍ଚିତ ଜୁଡା ଆଉ ଶିଫନ୍‌ର ଜରିଦାର ଶାଢ଼ିରେ ଆପଣାର ସ୍ୱାଭିମାନ ଲୁଚେଇ ସେ ବିଜୟ ସାଙ୍ଗରେ ବାହାରି ପଡ଼ିଥିଲା । ପଛରେ ଯାହାସବୁ ଘଟି ଯାଇଛି, କିଛି ବି ହୋଇ ନାହିଁ ମନେକରି ବାହାରିବା ପରେ ବି ପ୍ଳେନରେ ଯାତ୍ରା କରୁଥିବା ସେଇ ଆଧୁନିକାଟି ନିଜକୁ ଶତାଦ୍ଦୀ ଶତାଦ୍ଦୀ ତଳର ସେହି ଐତିହାସିକ ଅବଳା ଭଳି ମନେ କରିଥିଲା ଯେ, ସାମାଜିକ ନେତାର ପିଠିରେ ଲଦିହୋଇ ଗୋଟିଏ ସ୍ୱତ୍ୱହୀନ ଗଣ୍ଠିଲି ଭଳି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାପାଇଁ ବାଧ୍ୟ—ବିକଳ୍ପହୀନ ।

 

ନୂଆ ସହରକୁ ଆସି କମ୍ମୋ ଅଧିକ ଏକାକୀପଣର ଅନୁଭବ କରିଥିଲା । ସେଇ ଶୂନ୍ୟତାରେ ଭାଙ୍ଗିପଡ଼ି ରାତିର ଅନ୍ଧକାରରେ ଜେଜେମା ଅମଳର ମୂକ ସ୍ତ୍ରୀ’ଟିଏ ଭଳି ବିଜୟର ଅନୁରାଗର ପ୍ରତୀକ୍ଷା କରେ । ବିଜୟ ସବୁକିଛି ସୁଖ-ସୁବିଧାର ସାମଗ୍ରୀ ଆଣି ପହଞ୍ଚେଇ ଦେଇଥିଲା ଆଉ କମ୍ମୋ ସେଇ ସୁଖ-ସୁବିଧାର ଅଂଶମାତ୍ର ହୋଇଥିଲା ଯା’ର ଉପଯୋଗ ଆପଣାର ମୁଡ଼୍‍ ଅନୁସାରେ କରୁଥିଲା ବିଜୟ । ସେତିକିବେଳେ ବିଜୟର ସେଡ଼ିଷ୍ଟିକ ପ୍ରବୃତ୍ତି ପାଇଁ ମୁହଁ ଖୋଲିଥିଲା କମ୍ମୋ ।

 

‘ଏକତରଫା ବ୍ୟବହାର ସବୁବେଳେ ଅନ୍ୟ ପାଇଁ ସୁଖକର ହୁଏ ନାହିଁ ।

 

ବିଜୟ କଥାଟିକୁ ସିଗାରେଟର ପାଉଁଶ ଝୁଲ ପରି ଗୋଟାଏ କଡ଼େ ଝାଡ଼ି ଦେଇଥିଲା ।

 

‘ଭାଇ, ମୁଁ ତ ଆଉ ମନୋଚିକିତ୍ସକ ହୋଇନି ଆଉ ନା କୌଣସି କବି ବା ଫିଲୋସଫର୍‌ ପରି ଭାବୁକ ପ୍ରାଣୀଟିଏ । ତମର ରୁଚି ଜାଣିବାର ବେଳ ବି ନାଇଁ ମୋ ପାଖରେ । ତେବେ ମୁଁ ମାଇକିନାର ସବୁ ‘ନାଇଁ’ କୁ ‘ହଁ’ ବୋଲି ବୁଝିନିଏଁ ।’

 

କମ୍ମୋ ଏଇ ଉତ୍ତରରେ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା । ଅପମାନରେ ତା’ର ପ୍ରତ୍ୟେକ ଲୋମ ଫୁଲି ଉଠିଥିଲା । ଆଖିରେ ଭରିଯାଇଥିଲା ଘୃଣାର ଜୁଆର । ହେଲେ ବିଜୟର କୋଉ ବେଳ ଥିଲା ? ବୁଝିବା ବୁଝେଇବାର !

 

କମ୍ମୋ ଛୋଟ ସହରଟିର ଆତ୍ମୀୟ ପରିବେଶରୁ କଟି ମହାନଗରର ବ୍ୟସ୍ତ ଜୀବନକୁ ଆସି ଯାଇଥିଲା । ଏଇଠି ସଭିଏଁ ବ୍ୟସ୍ତ । ଜଣେ ଜଣକର ଅପରିଚିତ । ଅଜଣା । ଆପଣା ଆପଣାର ସୀମାରେ ବନ୍ଦୀ । ଆପଣା ଆପଣାର ଖୋପରୁ ବାହାରକୁ ଆସିବାର ଇଚ୍ଛା ଯେମିତି କାହାରି ନଥିଲା, ସେମିତି ସମୟ ବି ନ ଥିଲା । ପଡ଼ିଶାରେ କାହାର ଜନ୍ମ ହେଲେ ଲକ୍ଷ କୋଟିରେ ଆଉ ଗୋଟିଏର ବୃଦ୍ଧି ହେଲା ମନେକରି ନାକ ଟେକି ନାଲି ତ୍ରିଭୁଜର କଥା ପକେଇଦେବେ ଟିକିଏ, କେହି ମରିଗଲେ ଚାରିଦିନ ପରେ ପଡ଼ୋଶୀ ଜାଣିଥାଏ ଯେ, ତା ପାଖରେ ଔଷଧ ଖର୍ଚ୍ଚ ପାଇଁ ପଇସା ନ ଥିଲା । ସାମନା ଝୋପଡ଼ ପଟ୍ଟୀରେ କନ୍ଦାକଟା, ଗାଳିତକରାଳ, ସଦାସର୍ବଦା କିଛି ନା କିଛି ଚାଲିଥାଏ । କା’ର ଝିଅ ଧନ୍ଦା କରୁଚି ତ କାର ସ୍ତ୍ରୀ । କିଏ ପାକିଟି ମାରି ଘର ଚଳେଇ ନେଉଛି ତ କିଏ ହାଡ଼ଭଙ୍ଗା ମଜୁରି କରି । ‘କା’ର ସେଥିରେ କେତେ ଯାଏ ଆସେ ଭଳି, ବସ୍ତିରେ ସଭିଏଁ କୌଣସିମତେ ନିଃଶ୍ୱାସ ଚଳେଇ ରହିଥିବାକୁ ବ୍ୟସ୍ତ ।

 

କମ୍ମୋକୁ ଏ ଜଗତଟି ଭାରି ବିଚିତ୍ର ମନେ ହୋଇଥିଲା । ସେ ଜଗତଟି କୁଆଡ଼େ ଗଲା ସତରେ ଯୋଉଠି ଆହତ ଘରଚଟିଆ ଥଣ୍ଟରେ ବି ବୁନ୍ଦା ବୁନ୍ଦା ପାଣି ଦେଇ ତା’ର ଜୀବନର ଭିକ ମଗା ହଉଥିଲା ? ଛୋଟ କମ୍ମୋର ବଡ଼ ହେଲା ଭିତରେ ଦୁନିଆଁଟା କେତେ ଯେ ବଦଳି ଗଲା ।

 

ମୋର କମ୍ମୋ, ସୀତା ସାବିତ୍ରୀ ଭଳି ସତୀ ହେବ ।’

 

ମାମୁ କହିଥିଲେ ।

 

‘ପତି ଆଗରେ କି ଲାଜ ? ନାରୀ ତ ସେଇଠି ମା’ ଭଉଣୀ, ପ୍ରେୟସୀ, ସବୁକିଛି ହୋଇଥାଏ ।’

 

ଏଇଆ କହିଥିଲା ଧର୍ମପରାୟଣା ମା ।

 

‘ଭାବୁକ ହୋଇ ଜୀବନ ବଞ୍ଚାଯାଏନି ।’

 

ସତ୍ୟ କହିଥିଲା ।

 

‘ମୁଁ ତ. ଆଉ ମନୋଚିକିତ୍ସକ ହୋଇନି....ତେବେ ମୁଁ ମାଇକିନାର ସବୁ ‘ନାଇଁ’କୁ ‘ହଁ’ ବୋଲି ବୁଝିନିଏଁ ।

 

ଏଇଆ କହିଥିଲା ବିଜୟ ।

 

କମ୍ମୋ ଦୁଃଖୀ ହେଲା ସିନା, ପରାସ୍ତ ନୁହଁ । ଭାବିଲା ଅଜଣା ମଣିଷଙ୍କର ଏଇ ପରିବେଶରେ, ଯୋଉଠି ବଞ୍ଚି ରହିବାର ପ୍ରତିଯୋଗିତାରେ ମଣିଷର ରକ୍ତ ମାଂସ ହାଡ଼କୁ ବି ଅଲଗା ଅଲଗା କରି ଭିନ୍ନେ ଭିନ୍ନେ ଥାକରେ ରଖାଯାଏ, ଦି’ଜଣ ଏକାଠି ଅଛନ୍ତି ସିଏ ଏକ ବଡ଼ କଥା । ମନର ଦୂରତା ସତ୍ତ୍ୱେ ଆପଣା ପଣର ଗନ୍ଧ ତ ଅଛି ।

 

ଏଇ କଥା ଭାବିନେଇ ସେ କିଛିଟା ଆଶ୍ୱସ୍ତ ହୋଇଗଲା । ଏଇ ହାଲୁକା ଆଶ୍ୱସ୍ତି ଟିକକ ତାକୁ ସହଜ ହେବାରେ ଯଥେଷ୍ଟ ସାହାଯ୍ୟ କଲା । ଏମିତି ମାନ କରି ବସି ରହିଲେ କୋଉକଥା ହେଲେ ହାତକୁ ଆସିବ ନାହିଁ । ବିଜୟର ସଙ୍ଗକୁ ସ୍ୱୀକାର କରୁଛୁ ତ ତା’ର ରୁଚି ଅରୁଚିକୁ ବି ଦେଖିନେ । କମ୍ମୋ ସେଦିନ ଉଷୁମ ପାଣିରେ ମନଭରି ଗାଧୋଇ ନେଲା । ଡ୍ରେସିଂ ଟେବୁଲ ସାମନାରେ ଦେହର ଗୋଟି ଗୋଟି କରି ଭାଙ୍ଗକୁ କସମେଟିକ୍‌ସର ଶାଣ ଦେଲା । ବ୍ରଶକରା ରେଶମୀ ବେଳକୁ ଆଉଁସି ଆଣିଲା ସ୍ନେହରେ । ଉଦାସ କପାଳରେ ରୁଜ୍‌ର ହାଲୁକା ଟଚ୍‌ ଦେଇ ନରମ ଗୋଲାପୀ ରଙ୍ଗର ବ୍ରଶ ମାରିନେଲା । ବିଜୟର ପସନ୍ଦ ଲାଖି ନୀଳ ସୁନେଲୀ ପ୍ରିଣ୍ଟର ମହୀଶୂର ଜର୍ଜେଟ୍‌ ଶାଢ଼ି ପିନ୍ଧିନେଲା । ତାରି ପସନ୍ଦର ସେଣ୍ଟ୍‌ । ତନୁ ମନରେ ଚାଞ୍ଚଲ୍ୟ ଖେଳାଇ ସେ ବିଜୟର ସ୍ୱାଗତ କଲା ସେଦିନ । ଖୋଲା ବାହୁ ପ୍ରସାରି ବିଜୟକୁ ଜଡ଼େଇ ନେଲା । ଆସିଲା ମାତ୍ରକେ ବିଜୟ ପହିଲା ପ୍ରଶ୍ନ କଲା— ‘କୁଆଡ଼େ ବାହାରିଚ ?

 

କମ୍ମୋର କପାଳରେ ସାମାନ୍ୟ ଟିକିଏ ରୋମାଞ୍ଚ ଖେଳିଗଲା । ନାଇଁ ତ ।’

 

‘ଓ.... ।’ ବିଜୟ ତାକୁ ଗୋଡ଼ଠୁଁ ମୁଣ୍ଡଯାଏଁ ଏମିତି ଦେଖିନେଲା ଯେମିତି ପହିଲି କରି ଦେଖୁଛି । ତା’ର ଅପରିଚିତ ଦୃଷ୍ଟିର ଶାଣିତ ଛୁରୀ କମ୍ମୋର ଏତେ ଉତ୍ସାହ ଓ ଯତନରେ କଲା ଶୃଙ୍ଗାରରେ ଶସ୍ତା ପଣଟିଏ ସତେଯେମିତି ମୁହୂର୍ତ୍ତକ ଭିତରେ ଭରିଦେଲା । ସେ ‘ଖୋଲା ବାହୁର ନିମନ୍ତ୍ରଣ’ ଭୁଲିଗଲା । ‘ଓ.... ।’ ଶବ୍ଦରୁ ଉଛୁଳି ଆସିଥିବା ବ୍ୟଙ୍ଗ ତା’ର ସବୁ ସ୍ୱାଭିମାନକୁ ଦଳିଦେଲା-। ଅତି କଷ୍ଟରେ କମ୍ମୋ ତା’ର ଝରି ଆସିବାକୁ ଆତୁର ଲୁହ ଆଖିପତାରେଇ ରୋକି ନେଇଥିଲା-

 

କେତେ କ’ଣ ବଦଳିଯାଏ ମଣିଷ, ପରିବେଶ ବଦଳି ଗଲେ ?

 

ତା’ର ଅନାବୃତ ବ୍ୟବହାରରେ ବିଜୟକୁ ବଜାରୀ ସ୍ତ୍ରୀଟିଏର ଆଚରଣ ଦିଶିଥିଲା । ସେ କମ୍ମୋକୁ ଭଲକରି ବୁଝେଇ ଦେଲା ଯେ, ପତ୍ନୀ ପକ୍ଷରେ ପ୍ରେମଭଳି ଜିନିଷର ଦାବି କରିବା ଅପରାଧ ନ ହେଲେ ବି ଅନାବଶ୍ୟକ କଥାଟିଏ ଅବଶ୍ୟ, କାରଣ ତା’ର ଅସ୍ତିତ୍ୱ ସାମାଜିକତାର ନିର୍ବାହ ଲାଗି । ପତି ହୋଇ ସେ ସବୁ ସୁଖ ସୁବିଧା ତ ତାକୁ ଦେଇଛି ! କମ୍ମୋ ବୁଝିନେଲା । ପୁଣି ଥରେ ‘ନୂଆ କରି ଆରମ୍ଭ କରିବାର’ ଚେଷ୍ଟା ନିରର୍ଥକ ମନେହେଲା । ଅନ୍ୟର ରୁଚି-ଅରୁଚି ଆଗରେ ନଇଁଯିବାକୁ ସେ ସ୍ୱୀକାର କରିନେଲା, ତେବେ ସେଥିରେ ସେ ଖସିଯାଇଥିଲା ତଳକୁ—ଶସ୍ତା ଆଉ ବଜାରୀ !

 

ପୁଣି ଥରେ ମାଆ ମିଛ ପାଲଟି ଗଲା ।

 

ସତ୍ୟ ହିଁ ଠିକ୍‌ କହିଥିଲା—‘ଭାବୁକ ହୋଇ ଜୀବନ ବଞ୍ଚାଯାଏନି ।’

 

ସାମାଜିକତା, କୁଳୀନତା ପ୍ରତିଷ୍ଠାଟିଏ, ଗୋଟିଏ ଇମେଜ । ପତ୍ନୀ ହୋଇ ସାମାଜିକତାର ନିର୍ବାହ କରୁଥିବା କମ୍ମୋ ନିଜେ କୋଉଠି ହଜିଗଲା ? କୁଳ ମର୍ଯ୍ୟାଦା ଆଉ ସୁଗୃହିଣୀର ଫୋକସ୍‌କୁ ଆସୁ ଆସୁ ସେମାନେ ଏକ ଆରେକର ଅପରିଚିତ ପାଲଟିଗଲେ କେମିତି-? ଗୋଟାଏ ଘେର ଭିତରେ ଠିଆହୋଇ ଯେତେବେଳେ ସେମାନେ ଜଣେ ଜଣକୁ ଅନୁଭବ କରିବାକୁ ଉଚ୍ଛାକଲେ ସେତେବେଳେ ମଝିରେ ଅପରିଚୟର ଅଦୃଶ୍ୟ କାନ୍ଥଟିଏ ଉଠିଗଲା କେମିତି-? କମ୍ମୋ ସେଇ ଅଦୃଶ୍ୟ ବାଡ଼ଟିକୁ ଛୁଇଁ ଦେଖିଲା....କଡ଼ା କଂକ୍ରିଟ୍‌ ତିଆରି । ସେ ତାକୁ ଭାଙ୍ଗି ଦେଇ ପାରିବ ନାଇଁ, ଡେଇଁଯାଇ ପାରିବ ନାଇଁ ।

 

ପରାଜୟର ଗ୍ଳାନିରେ ବିକଳ ହୋଇ ରହିଗଲା କମ୍ମୋ । ଯକ୍ଷ୍ମା ରୋଗୀ କ’ଣ ଏହିଭଳି କ୍ଷୟ ହୋଇଯାଆନ୍ତି ଧୀରେ ଧୀରେ !

 

ବିଜୟର ପତ୍ନୀ ଡବଲ ବେଡ୍‌ର ଗୋଟିଏ କୋଣରେ ପଡ଼ିରହି ପତିର ଦାବି ସାଙ୍ଗରେ ସାଲିଶ୍‌ କରି ଚାଲିଥିଲା । ପତ୍ନୀ ସବୁ କିଛି ହାଜର କରେଇଥିଲା ତଥାପି ବି ସେଇ ଉଷୁମ ପାଗରେ ମାଘର ଶୀତ ହାଡ଼ ଥରେଇ ଦେଲା କେମିତି ? ଦେହ ଆଇସ୍‌ ବକ୍‌ସର ଶବ ଭଳି କଡ଼ା । ଅନବରତ ବଢ଼ିଚାଲିଥିବା ଥଣ୍ଡା ପାଣିଲାଗି ଦାନ୍ତ ଚୋବେଇ ବିଜୟ ଅନ୍ତତଃ କହିଦେଲା ଶେଷରେ–‘ବାଇଗର୍ଡ, ରବର ପିସ୍‌ ସାଙ୍ଗରେ ଲଢ଼େଇ କରିବାର ସାହାସ ଆଉ ମୋର ନାଇଁ ।’

 

କମ୍ମୋ ବିଦ୍ରୂପର ଏ ଚେହେରାକୁ ବି ନିଷ୍କମ୍ପ ଭାବରେ ସହିନେଲା । ଭାବିଲା, କହିଦେବ, ସମ୍ୱନ୍ଧର ଆତ୍ମୀୟତାର ଯେ ସନିର୍ବିନ୍ଧ ଆବେଗ କମ୍ମୋ ଜାଣିଛି । ତାକୁ ତମେ କେବେହେଲେ ଅନୁଭବ କରିପାରିବ ନାଇଁ । ଥରେ ସେଇ ଆବେଗ ଉଷୁମ ରକ୍ତର ପ୍ରବାହ ଭଳି ଶିରାଗୁଡ଼ିକକୁ ପ୍ଳାବିତ କରି, ତାକୁ ଜୀବନର କେତୋଟି ଅମୂଲ୍ୟ ମୁହୂର୍ତ୍ତ ଦେଇ ଯାଇଥିଲା । ସେଇ ଆବେଗର ସାଗରକୁ ଶୋଷି ନେବାକୁ ତମଭଳି ଅଗସ୍ତ୍ୟ ପକ୍ଷରେ କୌଣସି ପ୍ରକାର ଅସମ୍ଭବ ନୁହେଁ । ତମେ ସେଇ ଉତ୍‌ଫେଣ ସମୁଦ୍ରର ଘୋଷ ନଶୁଣି ରହିଲ କେମିତି ? ଯା’ର ଚରମ ଆତ୍ମୀୟତାକୁ କମ୍ମୋ ତମରି ପାଖରେ ଶୋଇରହି ବାରମ୍ୱାର ଜୀବନ୍ତ ହୋଇଛି ଆଉ ତମର ବିଜେତା ପୁରୁଷକୁ ବାରମ୍ୱାର ଅସ୍ୱୀକାର କରିଛି ?

 

ହେଲେ ଏଇ ଶବ୍ଦ କମ୍ମୋର କଣ୍ଠରେ ହିଁ ରହିଗଲା ଆଉ ତା’ର ଉତ୍ତରରେ ସେ ସ୍ଳପିଙ୍ଗ୍‌ ପିଲ୍‌ ଆରମ୍ଭ କରିଦେଲା । ଅନବରତ ବଢ଼ିଚାଲିଥିବା ଶୀତ ଯୁଦ୍ଧ ଦିନୁଦିନ ପ୍ରବଳ ହେବାକୁ ଲାଗିଲା-। ଜଣେ ଜଣକୁ ଅଦୃଶ୍ୟ ପଂଝା ମାରି ହିଂସ୍ର ବିରାଡ଼ିଭଳି ଝପଟିଯିବାର ବେଳ ଉଣ୍ଡି ସତର୍କ ରହିବା ଭିତରେ ସାମାଜିକତାର ନିର୍ବାହ ଚାଲିଥିଲା ।

 

କମ୍ମୋ ସମସ୍ତ ଇଚ୍ଛାରୁ କଟିଯାଇ ନିଦ୍ରାକୁଇ ଗାଢ଼ତର କରି ଚାଲିଥିଲା । ନିଦ୍ରା ....ମଧୁର ନିଦ୍ରା, ଏଇ ନିଦ୍ରାର ବନ୍ଧନରେ ଆତ୍ମା ଶୁଭମୁହୂର୍ତ୍ତରେ ଭରିଭରିଯାଏ, ଶରୀର ନିର୍ବେଦ ମନେହୁଏ । କେତେଦିନ ପରେ ସେଇ ଶୁଭବେଳା ପାଇଛି କମ୍ମୋ । ସୁଖ, ଏଇ ସୁଖର ପରିଭାଷା ସେ ଦିନେ ସତ୍ୟକୁ ପଚାରିଥିଲା । ଏଇନେ ସୁଖ କ’ଣ ଜାଣିଯାଇଛି କମ୍ମୋ । ଶାନ୍ତ, ଅଥଳ ସାଗର ଭଳି ଗହନ, ଗମ୍ଭୀର । ଶରୀରର ପ୍ରତି ଲୋମକୁ ରୋମାଞ୍ଚିତ କରୁଥିବା ପାରଦଭଳି ଖସି ଚାଲିଥିଲା ।

 

କମ୍ମୋର ଏ ମାଦକ-ସୁଖ ଡାକ୍ତର ତର୍ବେଙ୍କର ଶାଣିତ ଆଖିରେ ଧରା ନ ପଡ଼ି ରହିପାରିଲା ନାଇଁ ।

 

ନିଦ ବଟିକାର ମାତ୍ରା ବଢ଼େଇବାକୁ ସେ ରାଜି ହେଲେ ନାଇଁ । କମ୍ମୋ ନିହାତି ଗେହ୍ଲେଇ ହୋଇ କହିଲା....

 

ଡକ୍ଟର, ଅଧେ ବଟିକା ତ ଆଦୌ କାମ କରୁନି ।

 

ଡାକ୍ତର ବି ଜିଦ୍‌ ଧରି ବସିଲେ ।

 

‘ଆଇ ଓ୍ୱାଣ୍ଟ ଏଲାଓ ୟୁ ଟୁ କିଲ୍‌ ୟୋର୍‌ସେଲ୍‌ଫ !’

 

‘ମୃତ୍ୟୁ ଯଦି ଏତେ ଶାନ୍ତିରେ ଆସିଯାଇ ପାରୁଛି ତା’ହେଲେ ଭୟ କରିବାର କ’ଣ ଅଛି-!’

 

ଡାକ୍ତର ଆପଣାର କର୍ତ୍ତବ୍ୟ ପ୍ରତି ଅନୁରାଗ ହେତୁ ସହଜ ଭାବରେ ବୁଝେଇ ବସିଲେ ଯେ, କମ୍ମୋର ଏଇନେ ଯୁଆନ ବୟସ, ଜୀବନ ତା’ର ଅମୂଲ୍ୟ । ତାକୁ ବଞ୍ଚି ରହିବାକୁ ପଡ଼ିବ । ନିପୁ ଲାଗି, ବିଜୟ ଲାଗି ଆଉ ନିଜ ଲାଗି ବି । ଜୀବନର ପ୍ରତ୍ୟେକ ନିଃଶ୍ୱାସକୁ ସମ୍ମାନଦେବା ନିହାତି ଜରୁରି ।

 

ଡାକ୍ତର ତାକୁ ବୁଝେଇ ସୁଝେଇ ନିଜ ଗାଡ଼ିରେ ଘରେ ଛାଡ଼ିଦେଇ ଆସିଲେ । ଛୋଟ ଛୋଟ କଥା ଭିତରେ ହସି ହସି କମ୍ମୋକୁ କହିଲେ–‘ଆପଣ ଆଉ ବିଜୟ ଭଳି ଯୋଡ଼ି ମୁଁ ଜୀବନରେ ଦେଖିନାଇଁ ।

 

କମ୍ମୋ ଆର୍ଦ୍ର ଆଖିରେ ଡାକ୍ତରଙ୍କୁ ଦେଖିଲା । ତିରିଶ ପାଖାପାଖି ବୟସ । ଏଯାଏଁ ଅବିବାହିତ । ବୋଧହୁଏ ସେଇଥିଲାଗି ଯୋଡ଼ିମାନଙ୍କର କଲେଇକରା ଚେହେରାରେ ସୁଖର ଭାବଟି ଦିଶୁଛି ଆଉ ସେ ତାକୁ ଅପ୍ରତିମର ସଂଜ୍ଞା ଦେଇ ବସୁଛି ।

କୌଣସି ପ୍ରସଙ୍ଗ ନ ଥାଇ କମ୍ମୋ ତର୍ବେଙ୍କୁ ପଚାରିଦିଏ ।

‘ଡାକ୍ତର, ରିଚାର୍ଡ ବର୍ଟନ ଆଉ ଲିଜୀ ଟେଲରଙ୍କର ଛାଡ଼ପତ୍ର କଥା ଶୁଣିଲେଣି ?

ହଁ, ‘‘ଶୁଣି ଆଶ୍ଚର୍ଯ୍ୟ ଲାଗିଲା । କେହି ହେଲେ ଭାବି ପାରିନଥିବେ ସେମାନେ ଦ୍ୱିତୀୟ ଥର ପାଇଁ ମିଶି ଛାଡ଼ଛୁଡ଼ ହୋଇଯିବେ ।’’

ଡାକ୍ତରଙ୍କର ଶତକଡ଼ା ଶହେ ଭାରତୀୟ ଦୃଷ୍ଟିକୋଣ ଲାଗି ଉଦାସ ହସଟିଏ ହସି ପଚାରିଦେଲା— ‘ତା’ ହେଲେ ଡକ୍ଟର ଆପଣ ସେମାନଙ୍କୁ ବି କମ୍ମୋ— ବିଜୟ ଭଳି ଅନୁପମ ଯୋଡ଼ିଟିଏ ବୋଲି ମନେ କରୁଥିଲେ ନା ?’

ତର୍ବେ କିଛିଟା ଲେଜେଇ ଗଲେ । ଚଞ୍ଚଳ ପ୍ରତିପ୍ରଶ୍ନ କଲେ—

‘ମିସେସ୍‌ ବିଜୟ, ଛାଡ଼ଛୁଡ଼ି ହେବାର କୌଣସି କାରଣ କହିଛନ୍ତି ସେମାନେ ?’

‘ଜଣାନାଇଁ ଡକ୍ଟର । ଲିଜୀ ଏ ବିଷୟରେ କିଛି ହେଲେ କହିବାକୁ ଚାହେ ନାଇଁ । ହେଲେ ଜଣେ ସାମ୍ୱାଦିକ ଏ ବିଷୟରେ ସୋଫିଆ ଲରେନ୍‌ ସାଙ୍ଗରେ କଥା ହୋଇଥିଲେ । ଜାଣନ୍ତି, ସେ କହିଲେ କ’ଣ ?’

‘ଏଡଜଷ୍ଟମେଣ୍ଟର ଅଭାବ ଆଉ କ’ଣ ?

ଶାଣିତ ଆଖିରେ କମ୍ମୋ ଡାକ୍ତରଙ୍କୁ ଅନେଇଲା ।

‘ଏଡଜଷ୍ଟମେଣ୍ଟ ! ସାରା ଜୀବନ ଏଡଜଷ୍ଟ କରି କରି, ନିଜର ଅସ୍ୱୀକାର କରିବାର ବିବଶତା ପ୍ରତି ସେମାନଙ୍କର ଆଦୌ ବିଶ୍ୱାସ ନାଇଁ ଡାକ୍ତର ! ସେ ସବୁତ ଆମର ବାଧ୍ୟତା । ଶାରୀରିକ ଠାରୁ ମାନସିକ ବିବଶତା ଅଧିକ ।’

‘ସତ କଥା, ମୁଁ ସେ ବକ୍ତବ୍ୟ ପଢ଼ିନାଇଁ ।’ କମ୍ମୋର କପାଳରେ ଡେଇଁ ଉଠୁଥିବା ଶିରାରୁ ଡାକ୍ତର ଅନୁମାନ କରିନେଲେ ତା’ର ମାନସିକ ଅସ୍ଥିରତା । ଆଉ ଭାବିଲେ ।

କମ୍ମୋ ଆବେଗ ରୋକିନେଇ କହିଲା— ‘ଡାକ୍ତର, ସେ ଖାଲି ଏତିକି ମାତ୍ର କହିଲା, ବେଡ୍‌ ରୁମ୍‌ରେ ପତିପତ୍ନୀ ଭିତରେ କ’ଣ ବାଣ୍ଟିହୁଏ ସେ କଥା କେହିହେଲେ ଜାଣି ପାରିବ ନାଇଁ ।’

‘ଆଇ ସି ! ମୁଁ ଏ ବାବତରେ କିଛିଟା ଅନଭିଜ୍ଞ ନିଶ୍ଚୟ ! ଆଉ ମୁକ୍ତ ହସ ଲାଗି ସ୍ଥିତିର କୁହୁଡ଼ି ଅନେକଟା ଦୂର ହୋଇଗଲା । କମ୍ମୋ ଆପଣା କଥାରେ ପ୍ରସଙ୍ଗକୁ ଲେଉଟି ଆସିଲା ।

ତା’ହେଲେ ଏଣିକି ବାହାର ଭିତରର ସୁଖର ହିସାବ ଛାଡ଼ି ଆପଣା ମୋତେ କିଛି ସାହାଯ୍ୟ କରନ୍ତୁ । ମୋର ବାସ୍ତବିକ ପିଲ୍‌ସ ଦରକାର !’

କମ୍ମୋର କଣ୍ଠସ୍ୱରର ତାରଲ୍ୟ ଡାକ୍ତରଙ୍କୁ ଛୁଇଁଲା । ‘କିଛିଦିନ ପାଇଁ କୋଉ ହିଲ୍‌ ଷ୍ଟେସନକୁ ବୁଲି ଆସନ୍ତୁ ମିସେସ ବିଜୟ ! ଆପଣଙ୍କ ‘ଚେଞ୍ଜ୍‌’ ବିଶେଷ ଦରକାର ।’

 

ଡାକ୍ତର ବିଜୟକୁ ବି ଠିକ୍‌ ସେଇକଥା କହିଥିଲେ ।

‘ନିଶ୍ଚୟ ନିଶ୍ଚୟ । କମ୍ମୋ ଇଚ୍ଛାକଲେ କାଲି ସିଟ୍‌ବୁକ୍‌ କରେଇ ନେବି ।’ ବିଜୟ ସହମତ ଦେବା ଛଳରେ ଅତିରିକ୍ତ ଉତ୍ସାହ ଦେଖେଇଥିଲା ।

ପ୍ରତିକ୍ରିୟା ସ୍ୱରୂପ କମ୍ମୋର ଓଠ ବିଦ୍ରୂପ ହୋଇ ଉଠିଥିବା ଅନୁଭବ କରି ସେ ପୁଣି ବିଜୟକୁ କହିଥିଲା....

‘ଆପଣ ବି ବୁଲି ଆସନ୍ତୁ ସାଙ୍ଗରେ । ଆପଣ ବି କିଛିଟା ଟେନ୍‌ସଡ୍‌ ମନେ ହେଉଛନ୍ତି ଆଜିକାଲି ।

ସେ କଥା ଶୁଣି ବିଜୟ ଖିଲିଖିଲି ହସିଥିଲା । ଆମକୁ ତ ଏଇ ଟେନ୍‌ସନ୍‌ ଭିତରେ ବଞ୍ଚିବାକୁ ହେବ ଡାକ୍ତର । ଏତେ ବଡ଼ ବିଜିନେସ୍‌ ଛାଡ଼ି ପାହଡ଼ରେ ମନ ଲାଗିବ ନାଇଁ ।’

ଏଇ ବୁଲାରେ କମ୍ମୋର ମନ ଲାଗିଯିବ । ଏଇଆ ଭାବିଲା ସେ । ଡାକ୍ତର ତର୍ବେ ସ୍ଥାନ ପରିବର୍ତ୍ତନର ପରାମର୍ଶ ଦେଲେ । ବିଜୟ ଅତ୍ୟନ୍ତ ଉତ୍ସାହର ସହିତ ସିଟ୍‌ ବୁକ୍‌ କରେଇ ନେଲା । ମାଉସୀକୁ କମ୍ମୋର ଯାଉଥିବାର ସୂଚନା ଦେଲା । ଭାବିବାକୁ ସମୟ ହିଁ ମିଳିଲା ନାଇଁ । ଭାବିଥାଆନ୍ତା ଯଦି ତା’ ହେଲେ ହୁଏତ ବାହାରି ପାରି ନ ଥାନ୍ତା !

ଅନେକ ବର୍ଷ ପରେ ଆନନ୍ଦକର ପବନରେ ଦେବଦାରୁର ମିଶ୍ର-ସୁଗନ୍ଧ କମ୍ମୋକୁ ଚିହ୍ନା ଚିହ୍ନା ମନେହେଲା । ବର୍ଷାଧୂଆ ଉଜ୍ଜ୍ୱଳ ପାହାଡ଼ୀ ମାଟିର ମତାଣିଆ ଗନ୍ଧ ଉଦାସ ଆତ୍ମୀୟତାରେ ଭରିଗଲା । କିଛିଦିନ ‘ମାଲ’ରେ ଏକୁଟିଆ ବୁଲିବା ଆଉ ଥକିଯାଇ ଫେରିବା ଭଲ ଲାଗିଲା । ଉଦ୍ଦେଶ୍ୟହୀନ । ଶୋ ଉଇଣ୍ଡୋମାନଙ୍କରେ ସଜାହୋଇ ରହିଥିବା ମନଟଣା ଜିନିଷଗୁଡ଼ିକୁ ପ୍ରଶଂସାକଲା ଆଖିରେ ଅନେଇ ରହୁଥିଲା କମ୍ମୋ । ସ୍କେଣ୍ଡଲ୍‌ ପଏଣ୍ଟ୍‌ ରେ ଠିଆ ହୋଇଥିବା ପ୍ରତୀକ୍ଷାତୁର ଯୁବକ ଆଖିରେ ପ୍ରତି ମୁହୂର୍ତ୍ତରେ ବଢ଼ି ଚାଲିଥିବା ବ୍ୟଗ୍ରତା ପଢ଼ି ସେ ଉଦାର ଭାବରେ ମୁରୁକି ହସୁଥିଲା । ସ୍କେଟିଙ୍ଗ୍‌ ରିଙ୍ଗ୍ ରେ ଶିହରିତ ହେଉଥିବା ଯୁବା ପାଦଗୁଡ଼ିକ ସାଙ୍ଗରେ ତା’ର ଅଭ୍ୟାସହୀନ ପାଦ ବି ଥରିବାକୁ ଲାଗୁଥିଲେ । କେତେବେଳେ ରିଜ୍‌ର ଖାଲି ବେଞ୍ଚ ଉପରେ ବସି ସେ ଗରମ କପଡ଼ା ଢଙ୍କା କୋଉ ପାଚିଲାବାଳିଆ ବୁଢ଼ା ଭଦ୍ରଲୋକଙ୍କର ଦୁର୍ବଳ ଇତସ୍ତତଃ ପାଦକୁ ଅନେଇ ରହୁଥିଲା, ଚୁପ୍‌ଚାପ୍‌, ନଇଁ ଆସୁଥିବା ସନ୍ଧ୍ୟାରେ ଧରିତ୍ରୀ ଆକାଶର ପ୍ରତି ମୁହୂର୍ତ୍ତରେ ବଦଳୁଥିବା ରଙ୍ଗରେ ହଜିଯାଇ ।

କମ୍ମୋ ବେଶ୍‌ କିଛିଟା ହାଲୁକା ହାଲୁକା ମନେକଲା । ଅନ୍ୟ ସାଙ୍ଗରେ ବାନ୍ଧିହୋଇ ରହିଥିବାର ଅନୁଭୂତି-ମୁକ୍ତ ହୋଇ ଭିନେ ଆଖିରେ ଭିଜା ମାଟି ଆଉ ଗାଧୋଇଲା ଗଛଙ୍କୁ ଦେଖିଲା-। ଦଉଡ଼ି ପଳାଉଥିବା ବୟସକୁ ଗୋଡ଼େଇ ଧରିନେବାକୁ ଅଣନିଃଶ୍ୱାସୀ ସ୍ତ୍ରୀ-ପୁରୁଷଙ୍କର ଭିଡ଼ରୁ ଦୂରେଇ ରହି ଉପରକୁ ଉପରକୁ ଉଠି ଚାଲିଥିବା ପକ୍ଷୀଙ୍କର ସ୍ୱରରେ ମୁକ୍ତିର ଡାକରା ଶୁଣିଲା-। କମ୍ମୋ ଦୂରରେ ଝଲମଲ ଆଲୁଅରେ, ଲମ୍ୱା ଉଁଚା ଉଁଚା ଗଛମାନଙ୍କର ଆଢ଼ୁଆଳରେ ଲୁଚକାଳି ଖେଳୁଥିବା ଏଇ ସହରକୁ ଉତ୍ସୁକ ଆଖିରେ ଆଢ଼ୁଆଳରେ ଲୁଚକାଳି ଖେଳୁଥିବା ଏଇ ସହରକୁ ଉତ୍ସୁକ ଆଖିରେ ଦେଖିବାକୁ ଲାଗିଲା; ଯେମିତି ପହିଲା କରି ଦେଖୁଛି ।

ଚାରିବର୍ଷ ତଳେ ସେ ବିଜୟ ଆଉ ନିପୁ ସାଙ୍ଗରେ ଏଇ ସହରକୁ ଆସିଥିଲା । ହେଲେ ସେ ସେତେବେଳେ ସହରର ଆତ୍ମାଟିକୁ ଦେଖି ନଥିଲା । ନିପୁକୁ ଦେଖିବା ସମ୍ଭାଳିବାରେ ହଜିଯାଇ କମ୍ମୋ ମାଲ୍‌ରେ ମଉଜରେ ବୁଲୁଥିବା ମାୟାବୀ ଦୃଶ୍ୟଙ୍କ ଉପରେ, ଆଖି ବୁଲେଇ ଛୁଇଁ ଯାଇଥିଲା କେବଳ । ଦଶଥର ନିପୁର ଟୋପି ସଜାଡ଼ା, ମଫଲରରେ ଗଳା ଘୋଡ଼ା ଆଉ କିଛି ସଜାଡ଼ା ସଜଡ଼ି ବା ତା’ର ଛୋଟ ବଡ଼ ଆବଶ୍ୟକତା ପୂରଣ ଆଗରେ ଆଉ ସବୁର କୌଣସି ମହତ୍ତ୍ୱ ହିଁ ନଥିଲା ଯେମିତି । ବେଶ୍‌ ଥଣ୍ଡା । ସଂଧ୍ୟା ଆଗରୁ ହୋଟେଲକୁ ଫେରିଯିବାକୁ ବାଧ୍ୟ ନିପୁ ଲାଗି ।

 

ନିପୁ ! ହଠାତ୍‌ କିଏ ଯେମିତି ଭିତରର କୋମଳ ତାରକୁ ଚହଲେଇ ଦେଲା । ନିପୁ ମନେପଡ଼ିଲାରୁ କମ୍ମୋର ମୁକ୍ତ ପ୍ରାଣ ଛଟପଟ ହେଲା....ଚାରିବର୍ଷ ପରେ ଆଜି ସେ ମାଲରେ ଏକଲା ବୁଲୁଛି, ଖାଲି ଖାଲି । ଯାହା ସେତେବେଳେ ମହତ୍ତ୍ୱପୂର୍ଣ୍ଣ ଥିଲା, ଏଇନେ ସବୁ ଅର୍ଥ ହରେଇ ବସିଲା କେମିତି ? କମ୍ମୋ ଆପଣା ଭିତରକୁ ଅନେଇ ଦେଖିଲା । ସମସ୍ତ ଚେତନାକୁ ଆପଣା ଅକ୍ତିଆରରେ ଧରିରଖୁଥିବା ଖାଲିପଣର ବିପୁଳ ବିସ୍ତାରଟିଏ ଥିଲା ଖାଲି । ସେଇ ଶୂନ୍ୟତାର ବୋଧଟି ସହିତ ବ୍ୟର୍ଥତାର ଅନୁଭୂତିଟି ଯେମିତି ମନ୍ଥି ଚାଲିଥାଏ କମ୍ମୋର ଛାତିକୁ । ସହରର ଝଲମଲ ଆଲୁଅରେ ଯେମିତି ତାର ଛଳଛଳ ଆଖି ସ୍ଥିର ହୋଇଗଲା ହଠାତ୍‌ । ନେୟନ୍‌ ଲାଇଟ୍‌ରେ ପରସ୍ପର ବାନ୍ଧିହୋଇ ଚାଲୁଥିବା ମଉନ ଯୋଡ଼ିମାନଙ୍କୁ ଦେଖି ଦେଖି ଲାଗୁଥିଲା ଯେମିତି ପାଦରେ ତା’ର ବେଶ୍‌ ଓଜନିଆ ଲୁହାବଳା ପିନ୍ଧେଇ ଦେଇଛି କିଏ ।

 

ଦୁଇ ତିନିଦିନ ବାହାରର କଅଁଳ ଖରା ଆଉ ଛାଇରୁ ଲୁଚି ଘରଟି ଭିତରେ ବନ୍ଦୀ ହୋଇ ରହିଥିଲା । ବାହାରି ଆସିବାର ଇଚ୍ଛାଟି ହିଁ ମରି ଯାଇଥିଲା ଯେମିତି !

 

‘ଏତେ ବଡ଼ ଜଗତର ଭିଡ଼ରେ ଦି’ଜଣ ଖାଲି ଏକାସାଙ୍ଗରେ ଅଛନ୍ତି ଯଦି, ବଡ଼ କଥାଟିଏ-!’ ମାର ଏଇ ସନ୍ଦର୍ଭହୀନ କଥାର ସତ୍ୟତାଟି ପୁଣିଥରେ ଛୁଇଁବା ଭଳି ଲାଗିଲା କମ୍ମୋକୁ-

 

ତା’ ପରଦିନ ଝରକା ଜାଲି ପାଖରେ ରହି ଉଠାଣି ଚଢ଼ୁଥିବା ଅଣନିଃଶ୍ୱାସୀ ହେଉଥିବା, ଘଡ଼ିଏ ଥକ୍‌କା ମାରି ବରଫଢ଼ଙ୍କା ପାହାଡ଼ ଶିଖରକୁ ଆଖିରେ ଆଖିଏ ଛୁଇଁ ଦେଇ ପୁଣି ଆଗକୁ ବଢ଼ି ଯାଉଥିବା ଢଳିଲା ବୟସର ସ୍ତ୍ରୀ-ପୁରୁଷଙ୍କୁ ସେ କେବଳ ଅନେଇ ରହିଥିଲା । ଧଳା କମିଜ, ଲାଲ ହାଫ୍‌ ପେଣ୍ଟ ପିନ୍ଧା, ଗଳାରେ ଲାଲ ସ୍ପାର୍ଫ ବାନ୍ଧି, ନାଚି ଡେଇଁ ଆନନ୍ଦରୋଳ କରି ସ୍କୁଲ ଯାଉଥିବା ପିଲାଙ୍କୁ ଦେଖିଲେ ଛାତି କୋରି ହୋଇଗଲା ଭଳି ଲାଗେ ଆଉ ମନର ସବୁ ପରସ୍ତରେ ଖେଳେଇ ହୋଇଯାଏ ନିପୁ ।

 

କିଏ ବୁଝୁଥିବ ତା’ର ଖାଇବା ପିନ୍ଧିବା କଥା । ଆୟା ଥିବ ତା’ ବାଟରେ । ସେ ଆସିଲା ପରେ ଏଇନେ ସକାଳେ ସାତଟା ଯାଏଁ ବି ଘରକୁ ଆସୁଥିବ କି ନାଇଁ କେଜାଣି । ନିପୁ ଚାଉଳ ଖିରି ଆଉ ସୁଜି ହାଲୁଆ ଭଲ ପାଏ । ଆୟା ସେଇ ବ୍ରେଡ ବଟର ଜାମ୍‌ରେ କାମ ତୁଟେଇ ନଉଥିବ ।

 

ବିଜୟର ସବୁକିଛି ଦିନଚର୍ଯ୍ୟା ଅନିୟମିତ । ସକାଳୁ ଜଳଖିଆ କରୁଥିବେ ନା ସେମିତି ଚାଲିଯାଉଥିବେ କିଏ ଜାଣେ ! ନିପୁ ଶୋଇବା ଆଗରୁ ଡାଡିଙ୍କୁ ଗୁଡ୍‌ନାଇଟ୍‌ କହି ମାଆର ଖାଲି ଖାଲି ଜାଗାଟିକୁ ସହି ନଉଥିବ କେମିତି ? ରାତିର ନିବୁଜ ଅନ୍ଧାରରେ ନିପୁର ନୀଳ ଆଖିର ଛଳଛଳ ଲୁହ କମ୍ମୋ ଭିତରେ ନିଆଁ ହୁଳା ଭଳି ଜଳିବାକୁ ଲାଗିଲା ହଠାତ୍‌ ।

 

କିଛି ନ ଭାବି କମ୍ମୋ ଘରୁ ବାହାରି ଆସିଥିଲା । ଏଇନେ ଜାହାଜର ପକ୍ଷୀ ଭଳି ଫେରିଯିବାର ବ୍ୟାକୁଳତା ଭରି ଉଠିଥିଲା ତା’ ଭିତରେ । ମାଉସୀ ଏଇ ଅକାରଣ ବ୍ୟାକୁଳତାକୁ ପିଲାଳିଆମି କହନ୍ତି । ଆଉ କିଛି ଦିନ ରହିଯିବାକୁ ମନେଇଲେ । ବାରମ୍ୱାର ଘରଛାଡ଼ି ଆସିବା ବି କୋଉ ହୋଇ ପାରୁଛି ?

 

କମ୍ମୋ ନାନା ବାହାନା କରି ମାଉସୀଙ୍କର ଆଗ୍ରହକୁ ସବିନୟ ଅସ୍ୱୀକାର କରିଦେଲା । ଅନେକ ଦିନ ହେଲା ସେ ବରାବର ସପନ ଦେଖୁଛି ନିପୁକୁ । କେଜାଣି କେମିତି ଥିବ ! ମମତାର ହସ୍ତକ୍ଷେପ ମାଉସୀଙ୍କୁ ବି କିଛିଟା ନିରୁତ୍ତର କରି ଦେଇଥିଲା । କମ୍ମୋକୁ ସାନ୍ତ୍ୱନା ଦେଇ ସେ ତାକୁ ପରଦିନ ସକାଳୁ ସକାଳୁ ତାକୁ ନେଇଗଲେ ଅମଙ୍ଗଳହର୍ତ୍ତା ହନୁମାନଙ୍କର ଦର୍ଶନ ପାଇଁ । ପାହାଡ଼ରୁ ଓହ୍ଲେଇ ଆସିଲା ବେଳକୁ ଉଷୀ ସାଙ୍ଗରେ ଦେଖା ହେଲା । ଏଭଳି ଏକ ଆକସ୍ମିକ ଭେଟାଭେଟି ଲାଗି କିଛି ଅପ୍ରତିଭ ମନେକଲା କମ୍ମୋ । ଉଷୀ ତ ବରଷେ ହେଲା ଏଇଠି ଅଛି, ମାଉସୀ ମନେ ପକେଇ ଦେଲେ ।

 

ଉଷୀର କହରା ଆଖିର ଚମକ ଦେହରେ ଢଙ୍ଗ ଅଧିକ ମାଜି ହୋଇ ଡଉଲ ଦିଶୁଥାଏ । କମ୍ମୋକୁ ଦେଖିଲା କ୍ଷଣି ସେ ତାକୁ କୁଣ୍ଢେଇ ପକେଇଲା । ତାର ସ୍ୱାମୀ ସାଙ୍ଗରେ ପରିଚୟ କରେଇ ଦେଲା ।

 

ଭାଉଜ, ୟାଙ୍କୁ ଘରେ ‘ନିକୋ’ ବୋଲି ଡାକନ୍ତି (ଛୋଟ ଛୁଆ) । ଏଇନେ ‘ପିବା’ ବି ଆସିଗଲାଣି, ତେବେ ବି ମା ୟାଙ୍କ ନାଁ’ ବଦଳେଇବାକୁ ଚାହାନ୍ତି ନାଇଁ ।

 

ପତି ମହୋଦୟ ମାୟାଜାଲରେ ଛନ୍ଦି ହେଇ ରହିଥିଲେ ବି, ଗଡ଼ିପଡ଼ିବା ଭଳି ଭଙ୍ଗୀରେ ଉଷୀକୁ ଅନେଇ ଥାଆନ୍ତି ।

 

‘ଭାରି ଦୁଷ୍ଟ ଆପଣଙ୍କର ଏ ନଣନ୍ଦ । କାହାକୁ ହେଲେ ଛାଡ଼ିବ ନାଇଁ । ମୋ କଥା ଛାଡ଼ନ୍ତୁ । ମୁଁ ତ ତା’ର ପରଖିଲା ମଣିଷ !

 

ବେଶ୍‌ ଘଡ଼ିଏ କାଳ ଛଇ ଦେଖାଇଲା ଉଷୀ । କଥା କଥାରେ ହସୁଥାଏ, ସେଇ ଘୁଙ୍ଗୁର ବାଜିଲାଭଳି ହସ । ବାଟଚଲା ଲୋକ ବି ବୁଲି ପଡ଼ି ଅନେଇବ । ଉଷୀ ପ୍ରଶଂସିତ ଦୃଷ୍ଟିକୁ ବି ଅନୁଭବ କରୁଥିବ, ତାକୁ ଘେରି ରହିଛି ବୋଲି । ଆଉ ବିଜେତାର ମୁଠାଏ ହସ ବୁଣି ଚାଲିଥିବ । କମ୍ମୋର ମନ ହେଲା, ବରଷ ବରଷ ଆଗରୁ ପଚାରା ଯାଇଥିବା ପ୍ରଶ୍ନଟିର ଉତ୍ତର ଦେଇ ଦେବ କି-? କହି ଦବକି ‘ଉଷୀ’ ତମେ ଲିଜୀ ଟେଲର, ସୋଫିଆ ଲରେନ୍‌ ନ ହୁଅ ପଛକେ, ତ୍ରିଷ୍ଟାନ କୀଲର, ସୁମାନ ନାଜେର ତ ହବ । ତମର ‘ମାୟାନଗର’ରୁ ବର୍ତ୍ତି ତମର ଏ ସାମାଜିକ ଦାୟିତ୍ୱ ଘୋଡ଼େଇ ହୋଇଥିବା ମନ୍ତ୍ରବିଦ୍ଧ ପତି ଆଉ କୁଆଡ଼େ ଯିବେ !

ଉଷୀ ପ୍ରତି କଟୁତା ଓ ଭାବ ବିଷମତା ସତ୍ତ୍ୱେ କମ୍ମୋ ମନେ ମନେ ମାନିନେଲା ଯେ, ଆପଣାର ମାୟାନଗରର ସବୁ ଆସକ୍ତି ଥାଇ ଉଷୀ ଆପଣା ଅସ୍ତିତ୍ୱକୁ ଦାଗ ଲାଗିବାରୁ ବେଶ୍‌ ବଞ୍ଚେଇ ରଖିଛି । ଉଷୀ ଜୀବନର କୌଣସି ଦିଗକୁ ଅସ୍ୱୀକାର କରିନାହିଁ । ପ୍ରତ୍ୟେକ ମୁହୂର୍ତ୍ତ ବଞ୍ଚିଛି, ଭୋଗିଛି । କମ୍ମୋ ସ୍ୱୀକାର ଅସ୍ୱୀକାରର ଭିଡ଼ା ଓଟରା ଭିତରେ ଆପଣା ଶବକୁ ଆପେ କାନ୍ଧେଇ ଚାଲିଛି ଖାଲି ।

ଗଳାରେ ମଙ୍ଗଳସୂତ୍ର ପିନ୍ଧି ସ୍ୱତନ୍ତ୍ର ପକ୍ଷୀଟି ଭଳି ମୁକ୍ତିର କାମନା କରୁଥିବା କମ୍ମୋକୁ ନିରର୍ଥକ ମନେହେଲା । କେତେବେଳେ ବି ମଥା ଝାଡ଼ିଝୁଡ଼ି ଦେଇ ବର୍ତ୍ତମାନରେ ବଞ୍ଚିଯାଇ ପାରିବାର ଅଭ୍ୟାସ ତାର ମୋଟେ ନାହିଁ । ତାର ଚେତନାର ଗୋଟିଏ ଅଂଶ ସବୁବେଳେ ବିଗତର ବନ୍ଦୀଘରେ ଥାଇ ଛଟପଟ ହେଉଥାଏ । ଭିଜା ଚିଡ଼ର ମାଦକ ଗନ୍ଧ ହେଉ ବା ତରଳ ଆକାଶରେ ଖେଳେଇ ହୋଇ ରହିଥିବା ରଙ୍ଗିନ୍‌ ଇନ୍ଦ୍ରଧନୁ ତାକୁ ସେ ବିତିଯାଇଥିବା ମୁହୂର୍ତ୍ତଗୁଡ଼ିକ ସାଙ୍ଗରେ ଯୋଡ଼ିଦେଲେ ଯାଇଁ ଦେଖିପାରେ । ପ୍ରତ୍ୟେକ ଦୃଶ୍ୟ ତାକୁ ବଞ୍ଚିଥିବା ଜୀବନର ଟୁକୁରାଗୁଡ଼ିକକୁ ମନେ କରେଇ ଦେଇ ଉଦାସ କରିଦେବେ ।

 

ଫେରି ସେ ବିଜୟ ଆଉ ନିପୁକୁ ନୂଆ ଆଖିରେ ଦେଖିଲା । ଦୁହେଁ ଗାଡ଼ି ନେଇ ତାକୁ ରିସିଭ୍‌ କରିବେ ବୋଲି ଷ୍ଟେସନକୁ ଆସିଥିଲେ ।

 

ନିପୁ ତାକୁ ଜୋର କରି କୁଣ୍ଢେଇ ପକେଇଲା । ଆଖିରେ ଆକଟରେ ରହିଥିବା ଆର୍ଦ୍ରତା ମାର ଗେଲର ସ୍ପର୍ଶରେ ଉଛୁଳି ଆସିଥିଲା । ମମ୍ମୀର ଶାଢ଼ି କାନି ହାତରେ ଗୁଡ଼େଇ ଆପଣା ଗାଲକୁ ଓଠକୁ ଛୁଇଁ ବସିଲା ଯେମିତି ମାଆକୁ ହଜାର ବର୍ଷ ପରେ ଭେଟିଛି । ବିଜୟ ଭଲମନ୍ଦ ପଚାରିଲା–‘କେମିତି ଅଛ ?’ କେମିତି ହେଲା ଟ୍ରିପ୍‌ ! ବେଶ୍‌ ଚଞ୍ଚଳ ଫେରିଆସିଲ ଯେ !’ କମ୍ମୋର ମୁହଁ ଖୋଲିବା ଆଗରୁ ଲାଗଲାଗ ତିନୋଟି ପ୍ରଶ୍ନ । ଯେମିତି କଥାହେବା କଥା ବୋଲି କଥା-। ଉତ୍ତର ଶୁଣିବାର ଧୈର୍ଯ୍ୟ ବି ନାହିଁ । ଆଗ୍ରହ ବି ତ ନାଇଁ !

 

ତୃତୀୟ ପ୍ରଶ୍ନ ଯାଏଁ କମ୍ମୋର ନୂଆ କରି ଜାଗିଥିବା ଉତ୍ସାହକୁ କିଏ ଯେମିତି ବେଶ୍‌ ଟାଣହାତରେ ପୋଛିପାଛି ଲିଭେଇ ଦେଲା ।

 

‘ଫେରିବା ଥିଲା ନା !’ ସେ ତାକୁ ଅନ୍ୟମନସ୍କ ଉତ୍ତରଟିଏ ଧରେଇ ଦେଲା ଯାହା ଗାଡ଼ି ଷ୍ଟାର୍ଟ ହେବାର ଘର ଘର ସ୍ୱରରେ କୁଆଡ଼େ ହଜିଗଲା । ତା’ ପରେ ବିଜୟ ଆଉ କିଛି ପଚାରି ନାଇଁବି । ଲାଇଟର ପାଇଁ ପକେଟ ଦରାଣ୍ଡି ହେଲା । ଗୋଟାଏ ହାତରେ ସିଗାରେଟ ଧରେଇ ଆର ହାତରେ ଷ୍ଟିଅରିଂ ସମ୍ଭାଳି ଥାଆନ୍ତି । କମ୍ମୋର ଭାବିଥିବା ଅନେକ ପ୍ରଶ୍ନ ଅକୁହା, ଅନୁତ୍ତରିତ ହୋଇ ରହିଗଲା । ଭିତରେ ଭିତରେ ରୁନ୍ଧି ହୋଇ ପକ୍ଷୀ ଝାଡ଼ିହେଲା କେବଳ । ‘କଣ ଏଇନେ ବି ବଦଳିବାର କୌଣସି ସମ୍ଭାବନା ରହିଛି ?’ ମନ ଭିତରେ ଏଇ ଆହତ ପ୍ରଶ୍ନଟି ଉଠିଥିଲା ଆଉ ଚମକି ଉଠି ପୁଣି ଲିଭିଗଲା ।

 

ସାରା ରାସ୍ତା ନିପୁକୁ ଛାତିରେ ଜଡ଼େଇ ଧରିଥାଏ । ସେ ବେଳେବେଳେ ପାପା କୋଳରେ ଥିବା କମିକ୍‌ସ ବହିକୁ ଅନେଇ ଦେଖୁଥାଏ । ସେଇ ହୁଏତ ମୌନ ସାନ୍ତ୍ୱନାର ଢେଉଟିଏ ଖେଳେଇ ଦେଉଥାଏ ଆଉ ବେଳେବେଳେ ବହିଟିର ପୃଷ୍ଠା ଓଲଟେଇ ପକଉ ଥାଏ ।

 

କମ୍ମୋ ଦଉଡ଼ି ଚାଲିଥିବା ସଡ଼କକୁ ଅନେଇ ରହିଥାଏ । ରଙ୍ଗବେରଙ୍ଗ ପୋଷ୍ଟର, ସିଂପଲେକ୍‌ସର କମ୍ୱଳ, ୟୁଫୋମ୍‌ର ଗଦି ତା’ ଉପରେ ଢଳି ରହିଥିବା ତନ୍ଦ୍ରାୟିତା ତରୁଣୀ, ‘ଆବିଷ୍କାର’ରେ ଶର୍ମିଳା ପାଦରୁ କଣ୍ଟା କାଢ଼ୁଥିବା ରାଜେଶ, ପ୍ରେମ ନଗରର ପ୍ରେମାସକ୍ତ ଯୋଡ଼ି....ସାମନା ଛକରେ ସ୍ଥିରହୋଇ ରହିଥିବା ଲାଲବତି ।

 

ଘରେ ପହଞ୍ଚି ଭାବିଲା କମ୍ମୋ, ନିପୁକୁ ହେଲେ ପଚରା ଯାଉ କିଛି । ମା’ ନଥିଲାବେଳେ କେମିତି ଲାଗୁଥିଲା ! କଣ କଣ ସବୁ କରୁଥିଲେ ସେମାନେ ! ଥରେ ତା’ର ଓଠ କହିବ କହିବ ହୋଇ ବନ୍ଦ ହୋଇଗଲା । ପଚାରିବା ଆବଶ୍ୟକ ମନେହେଲା ନାଇଁ । କୋଳେଇ ନେଲା ବେଳକୁ, ଛାତିରେ ଭିଡ଼ି ଧରିଲା ବେଳକୁ ସଜଳ ଆଖିପତା ତା’ର ଅନେକ କିଛି କହି ସାରିଥିଲା ! ଦଶ ଦିନର ଅନୁପସ୍ଥିତିରେ ଚଉକି ମେଜ ସବୁ ଉପରେ ଜମିରହିଥିବା ଧୂଳି ବି ଅନେକ କିଛି କହୁଥିଲା । ହେଙ୍ଗର ଛାଡ଼ି ସୋଫା ପିଠିରେ, ମଶାରି ବାଡ଼ରେ ଝୁଲୁଥିବା ମଇଳା ପାଲଟା ଲୁଗା ବି କହୁଥିଲେ । କିଚେନ୍‌ରେ ଖାଇବା ଜିନିଷଠୁଁ ଆରମ୍ଭ କରି କଂସାବାସନ ବି ଅସ୍ତବ୍ୟସ୍ତ....କିଛି ପଚାରିବାର ଆବଶ୍ୟକତା ନଥିଲା ବିଶେଷ ।

 

ତେବେ ବାଲକନୀରେ କେତେ ସରାଗରେ ଲଗେଇଥିବା ଗୋଲାପଗୁଡ଼ିକ ମଉଳି ଯାଇଥିବା ବାଧିଲା । ବିଜୟକୁ ପଚାରିଲି— । ଗମଲା ଗୁଡ଼ିକରେ ପାଣି ବି ଦଉନଥିଲା ନା ବାଈ !’

 

ପଚାରି ନବ କଣ କଣ ସବୁ କିଛି କରୁଥିଲା ତ !

 

‘ସବୁ କିଛି କରୁଥିଲା !’ ଥରେ କିଚନ୍‌କୁ ତ ଦେଖିଥାଆନ୍ତ ! କେମିତି ଅବସ୍ଥା କରିଛି ।’ କମ୍ମୋ ତା’ର ସ୍ୱରର ତିକ୍ତତା ଲୁଚେଇ ପାରିଲା ନାଇଁ ।

 

ବିଜୟ ଟାଇର ନଟ୍‌ ଲଗେଇବାବେଳେ ଅଧାରେ ରହିଯାଇ କହିଲା–‘ମାଡାମ୍‌, ଆପଣ ତେଣେ ହିଲ୍‌ଷ୍ଟେସନ୍‌ରେ ବୁଲିଲାବେଳେ ଏଇଆ ଭାବୁଥିଲେ ନା’ ଯେ ନିଜ କାମଧନ୍ଦା ସବୁ ଛାଡ଼ିଦେଇ ମିଆଁ ତେଣେ କିଚନ୍‌ ସମ୍ଭାଳି ବସିଥିବ !

 

ବିଜୟର ଏ କଡ଼ାକଡ଼ି କଥାରେ ପୂରାପୂରି ଦୋହଲିଗଲା କମ୍ମୋ ! କେତେ ଚେହେରା ସତରେ ଏ ମଣିଷଟିର ନାହିଁ । ସେଇ ନିଜେ ତାକୁ ଶିମଳା ପଠେଇବ ବୋଲି ମନ କଲା । ସେତେବେଳେ କେବଳ କମ୍ମୋର ସ୍ୱାସ୍ଥ୍ୟର ମହତ୍ତ୍ୱ ଥିଲା, ଉପସ୍ଥିତି ଅନୁପସ୍ଥିତିର କୌଣସି ମାନେ ନଥିଲା । ଏଇନେ ଏ ତୀବ୍ର ଦଂଶନ ସତରେ କ’ଣ କହିବାକୁ ଚାହୁଛି ! କିଛଇ କହିବ ଯଦି ତେବେ ବି ମାନସିକ ଅସ୍ଥିରତା ବଢ଼ିବ, ନ କହିଲେ ବି । ବିଜୟକୁ ସେ କଦାପି ବୁଝେଇ ଦେଇପାରିବ ନାଇଁ ଯେ, ସେ ପାହାଡ଼ରେ ଘୂରି ବୁଲୁଥିବାବେଳେ କ’ଣ ସବୁ ଭାବୁଥିଲା ।

 

ନିଜକୁ ପ୍ରକାଶିତ କରିଦେଇ ପାରିବ କେତେ କଠିଣ ହୁଏ ନାଇଁ ସତରେ । ଅନ୍ତରଙ୍ଗତାର ଶେଷ ସୀମାଯାଏଁ ଅନୁଭୂତ ସ୍ଥିତି ସବୁକୁ ତା’ରି ଆଗରେ ଖୋଲିଦେବା, ଯାହା ପାଖରେ କୌଣସି ପରଦା ନାଇଁ । କମ୍ମୋ ଏଇ ବିବଶତାକୁ କି ନାଆଁ ଦେଇ ପାରିବ !

 

ବିଜୟ ଆଉ କମ୍ମୋ । ଜଣେ ଜଣଙ୍କ ସାଙ୍ଗରେ ଏକାଠି ହୋଇଥିବା ଅନ୍ତରଙ୍ଗ ଆତ୍ମୀୟ-। ହେଲେ କେବେ ବି କେହି କାହାକୁ ବୁଝିପାରିଲେ ନାହିଁ କେମିତି ? କେବେହେଲେ ବି ପରସ୍ପରକୁ ବୁଝିବାର ଚେଷ୍ଟା ବି କଲେ ନାଇଁ କାହିଁକି ? କରିଥିଲେ ହୁଏତ ଦୁଇଟି ଧ୍ରୁବର ଦୂରତା ଉପରେ ବିଚରା କରୁଥିବା ଦୁଇଜଣ ଭିନେ ଭିନେ ଗୁମ୍ଫାରେ ବନ୍ଦୀ ହୋଇ ତନୁମନରେ ଏକାଠି ହୋଇ ପାରସ୍ପରିକତାର ନାଟକ କରନ୍ତେ ନାଇଁ । ଏ ଅଭିନୟ ସାରା ଜୀବନର ଅଭିନୟ ଆଉ ନ ଚାହୁଥିଲେ ହେଁ ଏକ ବିବଶ ବୁଝାମଣାରେ ବାନ୍ଧି ହୋଇ ରହିଥିବାର ଅଭିନୟ । ଏହାହିଁ କ’ଣ ସେମାନଙ୍କର ଭାଗ୍ୟ ? କମ୍ମୋ କ’ଣ ଏଭଳି ଏକ ସ୍ଥିତିରୁ ଉବୁରି ପାରିବ ନାଇଁ ?

 

ମୁକ୍ତି ! ସ୍ୱାଧୀନତା ! ଅନ୍ତହୀନ ଅସୀମ ନୀଳକାଶରେ ଉଡ଼ନ୍ତ ପକ୍ଷୀର ସ୍ଥିତିରେ ନିଜକୁ ଢାଳି ଦେବାକୁ ଭଲଲାଗେ ତେବେ ପୃଥିବୀ ସାଙ୍ଗରେ ପାଦ ବାନ୍ଧି ହୋଇ ରହିଥିବା ଚଢ଼େଇର ପକ୍ଷରେ ହାଲୁକା ଭାବଟି ଆସିବ କେମିତି ? ଏହି ସୀମାଟିକୁ ହୃଦୟଙ୍ଗମ କରିଥିଲେ ହେଁ ଆପଣାର ଭାବନାରେ ଅଙ୍କୁଶ ବି ତ ଲଗେଇ ହେଉନି । କେହି ହେଲେ ମାହୁନ୍ତ ତାକୁ ଠିକ୍‌ ଠିକ୍‌ ରାସ୍ତାରେ ଚଳେଇ ନେଇ ପାରୁନାଇଁ । ବାଧ୍ୟ କରିଦେଇ ପାରୁନାଇଁ । ସେତେବେଳେ ହୁଏତ କମ୍ମୋ ପୁଣିଥରେ ମୁକ୍ତି ଲାଗି ବ୍ୟାକୁଳତା ଅନୁଭବ କରିଥିଲା । ଭିତରେ ଭରିରହିଥିବା ରିକ୍ତତାରୁ ଉବୁରିଯାଇ ଖଣ୍ଡବିଖଣ୍ଡ ହୋଇ ବୁଣିହୋଇ ଯାଉଥିବା ଅସ୍ତିତ୍ୱର ରକ୍ଷା ଲାଗି ।

 

ତେବେ କେମିତି ? ଛାଡ଼ପତ୍ର ! ନିପୁ-ବିଜୟ ସାଙ୍ଗରେ ବିତେଇଥିବା ଜୀବନର ଅଭ୍ୟସ୍ତ କମ୍ମୋ ପାଇଁ କଣ ଆଉ ଏକ ଜୀବନ ସୁଖକର ହେବ ! କେହି ଆଉ ଜଣେ କମ୍ମୋର ଜୀବନରେ ଆସି କ’ଣ କେତେ ଦେଇ ପାରିବ ! ଯାହା ହଜିଯାଇଛି, ତାହା କ’ଣ ଆଉଥରେ ମିଳିବ ? ଯାହା ମରିହଜି ଗଲାଣି, ତାହା ପୁଣି ଜୀବତ ହେବ ଆଉଥରେ ! ଜଣେ ବାନ୍ଧିହେବ, ଜଣେ ବାନ୍ଧିବ । ଜଣେ ବିଜିତ ହେବ ଆଉ ଜଣେ ବିଜୟୀ । ଅନେକ କିଛି ଅସ୍ୱୀକାର ପରେ କେଉଁ ପରିବର୍ତ୍ତନର ଅପେକ୍ଷା କରିବ କମ୍ମୋ ! ନା, ଯାହା ବହିଯାଇଛି, ତାହା ସାତପୋଲ ତଳେ ବହିଯାଇଛି, ତାକୁ ଆଉ ଫେରାଇ ଆଣିହବ ନାଇଁ । ତା’ପରେ କେଉଁ ବିକଳ୍ପ ଜୀବନକୁ ଆପଣାର କରି କମ୍ମୋ ବଞ୍ଚିବ ଅବା ? ଅନିଶ୍ଚିତତାର ସ୍ଥିତିରେ ବି ବିଦ୍ରୋହର ଛପିଲା ନିଆଁଝୁଲ ମନର କୋଉ ଗଭୀର ଥାନରେ କୁହୁଳିବାକୁ ଲାଗିଲା । ଭିତରେ ଭିତରେ ହୁତ୍‌ ହୁତ୍‌ ହୋଇ ଜଳୁଥିବା ଏବଂ ବାହାରେ ଶାନ୍ତ ମନେ ହେଉଥିବା ଜ୍ୱାଳାମୁଖୀ ପର୍ବତର ଶିଖରରେ କେତେବେଳେ କେମିତି ଉଠୁଥିବା ଧୂଆଁ ଭଳି । ହୁଏତ ଏଇଆ କହିବାକୁ ଯେ ନିଆଁ ଏଇନେ ବି ଅଛି ।

 

ଦି ଚାରି ଦିନର ଅଧିକା ସଜାଡ଼ି ସମ୍ଭାଳିବା ଭିତରେ ଗୃହିଣୀଟିଏର ସୁଖ ପାଇବ ବୋଲି ନିଜକୁ ଅନେକଟା ବ୍ୟସ୍ତ ରଖିଲା କମ୍ମୋ ! ବ୍ୟସ୍ତତା ଭିତରେ ହୁଏତ ହୁଡ଼ିହୁଡ଼ି ଚାଲିଥିବା ଜୀବନର ସମାଧାନ କିଛି ଟିକିଏ ମିଳିଯିବ । ତେବେ ଧରାବନ୍ଧା ଘରକାମରେ ବୁଡ଼ି ରହି ବି କେମିତି ଚିଟାଚିଟା ଆଉ ରୁନ୍ଧି ହେଲା ଭାବଟିଏ ତାକୁ ଆବୋରି ରହିଥିଲା । ବିଜୟର ପର ପଣଟି ବଢ଼ୁଥାଏ ସିନା ଆଉ ତାରି ଭିତରେ ସତରେ ଯେମିତି ପରିଚିତ ପରିବେଶରେ ଅଜଣା ଅଚିହ୍ନା ପାଲଟି ଯାଉଥାଏ କମ୍ମୋ ।

 

କମ୍ମୋ ମନେମନେ ପୁଣିଥରେ ନୂଆ କରି ଗଢ଼ି ତୋଳିବାର ଜିଦ୍‌ କଲା ସିନା, ପ୍ରତିଥର ବ୍ୟର୍ଥତା ହିଁ ଖତେଇ ହେଲା ତାକୁ । କ’ଣ ନୂଆ ହେବ ! କୋଉ ନୂଆ ପଣର ସମ୍ଭାବନାଟି ବଞ୍ଚି ରହିଛି ସେମାନଙ୍କ ଭିତରେ । ଉଭୟ ମଝିରେ ଯେଉଁ ଅଭେଦ୍ୟ ପ୍ରାଚୀରଟି ରହିଛି ତାକୁ ଡେଇଁ ଯିବାର ନା ତୀବ୍ର ଅଭିଳାଷ ଅଛି ନା ଶକ୍ତି ।

 

ବା ଏଇଆବି ହୋଇପାରେ ଯେ, ସେମାନେ ଦୁହେଁ ସେଇ ପ୍ରାଚୀରଟିରେ ଅଭ୍ୟସ୍ତ ହୋଇଗଲେଣି ଆଉ ମନେମନେ ତା’ଲାଗି ମୌନ ସ୍ୱୀକୃତି ବି ଦେଇ ସାରିଲେଣି ।

 

କମ୍ମୋର ଜେଜେମା ପତିପତ୍ନୀର ସମ୍ୱନ୍ଧ ସ୍ୱର୍ଗରୁ ନିଶ୍ଚିତ ହୋଇଥାଏ ବୋଲି କହୁଥିଲେ-। ମା କହୁଥିଲେ ପତିପତ୍ନୀର ସମ୍ୱନ୍ଧକୁ ଅନ୍ୟ ଜନ୍ମଗତ ସମ୍ୱନ୍ଧ ବୋଲି ଧରିନେଲେ କୌଣସି କ୍ଷୋଭ ରହିବ ନାଇଁ । ମା ବାପା ଭାଇ ଭଉଣୀ ଭଳି ନୈସର୍ଗିକ ରୂପର ସ୍ୱୀକୃତ । ତେବେ ସାରା ଜୀବନର ସମ୍ୱନ୍ଧକୁ କେବଳ ‘ସ୍ୱୀକାର’ କରିନେଲେ କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ-। ମା ହୁଏତ ତାର ରାଜିନାମା କରିନେବାର ପ୍ରବୃତ୍ତି ପାଇଁ କୌଣସି ସମସ୍ୟାକୁ ଜନ୍ମ ହେବାକୁ ଦେଇ ନଥିଲା-। ଆଉ ସେଇ ମୌନ ରାଜିନାମାକୁ ‘ସ୍ୱୀକାର’ ବୋଲି ଗ୍ରହଣ କରିନେଲା । ଯେଉଁ ସ୍ୱୀକାରରେ ସ୍ୱତନ୍ତ୍ର ଅସ୍ତିତ୍ୱକୁ ବନ୍ଧା ପକେଇ ସମ୍ୱନ୍ଧ ରଖିବାର ଦଣ୍ଡ ଭୋଗିବାକୁ ପଡ଼େ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ତିଆରି ନିୟମରେ ବାନ୍ଧି ହୋଇ ମଣିଷ ଏଇ ସମ୍ୱନ୍ଧର ଶବ କାନ୍ଧେଇ ଚାଲିବାର ଅଭିଶାପ ସତରେ କାହିଁକି ପାଏ !

 

କମ୍ମୋ ସତରେ କଣ ଏଇନେ ଭାବୁକତାର ମାୟାଜାଲରେ ବାନ୍ଧି ହୋଇ ରହିଛି ? ଏବେ ବି ? ଯେତେବେଳେ ଡବଲ ବେଡ୍‌ର ଗୋଟାଏ କୋଣରେ ବାରମ୍ୱାର କଡ଼ ଲେଉଟେଇ ନିଦକୁ ନିଦରୁ ଉଠେଇ ଦେଉଥିବା ଛଡ଼ା ଆଉ କିଛି ହେଉ ନଥାଏ ! ଏଇନେ ବି, ଯେତେବେଳେ ଶତ ଚେଷ୍ଟା କଲେ ବି ଶୁଣିବା ଶୁଣେଇବାର ଅପେକ୍ଷାରେ ଆରମ୍ଭ କରିଥିବା କଥାଟା ଟୁକୁରା ଟୁକୁରା ହେଇ ବାଣ୍ଟି ହେଇଯାଏ ଆଉ ବୁଣି ହେଇଯାଏ । କଥାର ଖିଅଟି କେଜାଣି କୋଉଠି ଛିଡ଼ିଯାଏ ଯେ, ଆଉ ତା’ର କୋଉ ପଟକୁ ବି ଧରି ହୁଏ ନାହିଁ ! ଏଇନେ ବି, ଭରିଲା ପୂରିଲା ଘରର ଉଷ୍ମା ଭିତରେ ସେ ହିମ ଶିଖରର ମୁନିଆଁ ଶୀତର ରୋମାଞ୍ଚର ଅନୁଭବ କରୁଛି । ଏଇନେ ବି ଯଦି ଦିନସାରାର ରୁଟିନ ଭିତରେ ଯନ୍ତ୍ରଚାଳିତ ଭଳି ଗତି କରି ‘ଆପଣାର ସଂଧ୍ୟା’ଟିଏର ଧୂସର ଆକାଙ୍‍କ୍ଷାକୁ ମାରି ଦେଇ ପାରିବ ନାହିଁ ତେବେ ବି ତା ପାଖକୁ ଦୁଇଟି ପ୍ରାଣୀଙ୍କର ନିକଟତର ହୋଇଥିବାର ଭରସା ଟିକକ ବି ଆସିବ ନାଇଁ । ବିଡ଼ମ୍ୱନା ତ ଏଇଆ ଯେ, ତା ଲାଗି ଅପଲକ ଅନେଇ ରହିବା କେବଳ ମାତ୍ର ପାଗଳାମି ଭଳି ମନେ ହେଉଛି ।

 

ବଢ଼ି ଚାଲିଥିବା ବୟସ, ଝରି ଯାଉଥିବା ମୁହୂର୍ତ୍ତଗୁଡ଼ିକର କଣ ଏଇ ପରିଣତି ହୁଏ ଯେ, ଏକାଠି ରହିଥାଇ ବି ଏକଲା ନିରର୍ଥକ ଶ୍ରମ ଶାନ୍ତିରେ ଭାଙ୍ଗିପଡ଼ି ବିରକ୍ତ ହୋଇ ଶହୀଦ ମୁଦ୍ରାରେ ସମ୍ୱନ୍ଧର ଜ୍ୱାଳା ସହିବା ସାର ହୋଇଯାଏ । ତନୁ ମନରେ ଥକି ଯାଇ ଜୀବନର ଅଭିନୟ ଶେଷ କରିବା ବା ସମାପ୍ତିର ଅପେକ୍ଷାରେ ଠିଆହୋଇ ରହିବାକୁ ପଡ଼େ ?

 

ନା କମ୍ମୋ ଏମିତି ଜୀବନ ଆଦୌ ବଞ୍ଚିବ ନାଇଁ ।

 

ରାତି ଦଶଟାରେ କମ୍ମୋର ଅପ୍ରତ୍ୟାଶିତ ଡାକ ଶୁଣି ପ୍ରଶାନ୍ତ ଚକିତ ହେଲା । କିଛିଟା ଆତଙ୍କିତ ବି ।

 

‘ଏତେବେଳେ ମନେ ପକେଇଲେ....କିଛି ବିଶେଷ ପ୍ରୟୋଜନ !’

 

‘ପ୍ରୟୋଜନ ନଥିଲେ କଣ ମନା !’

 

ପ୍ରଶାନ୍ତ ଆଶ୍ୱସ୍ତର ନିଃଶ୍ୱାସ ମାରିଲା । ଲାଗୁଛି, କମ୍ମୋ ମୁଡ୍‌ରେ ଅଛି ।

 

‘ମନା ଆଦୌ ନାହିଁ । ତେବେ ଆପଣ କଣ ଔପଚାରିକତାର ଘେର ବାହାରକୁ ଆସି ପାରୁଛନ୍ତି !’

 

‘ଆଜି ବାହାରିଆସିଛି । କଥା ହେବାର ମନ ହେଲା । ତେବେ ସର୍ତ୍ତଟିଏ ଅଛି ।’

 

‘କହନ୍ତୁ !’

 

‘ଏ ଆପଣ ଆପଣ ଛାଡ଼ ।’ କମ୍ମୋର ସ୍ୱରରେ ଅନୁରୋଧ ନୁହେଁ, ଆଦେଶ ଥିଲା ।

 

‘ଛାଡ଼ିଲି, ହୁକୁମ ହେଉ ।’

 

‘କହିଲି ନା, କଥା ହେବାର ମନ ହେଲା । ଆସ ।’

 

‘କୋଉଠିକି ?’

 

‘ମୋ ଘରକୁ ! ମୁଁ ଏକଲା ଅଛି ।’

 

‘ବିଜୟ !’

 

‘ଆସି ନାହାନ୍ତି । ହୁଏତ ଅଧରାତି ଯାଏଁ ଆସିବେ ନାହିଁ ବି ।’

 

ପ୍ରଶାନ୍ତ ନୀରବ ହେଲା । କମ୍ମୋର ଚେତା ଅଛିତ ! ଏତେ ବୋଲ୍‌ଡ କେବେଠୁ ହେଲା-!

 

‘ବାସ୍‌, ସେତିକିରେ ଘାବରେଇ ଗଲ ନା !’ କମ୍ମୋ ତାର ମନଟିକୁ ଅଣ୍ଡାଳି ନେବାକୁ ଚାହିଲା ।

 

ପ୍ରଶାନ୍ତ ଡରି ନଥିଲା, ସଂକୋଚ ଅବଶ୍ୟ ଥିଲା । କମ୍ମୋ ପ୍ରଶାନ୍ତକୁ ଅଭୟ ଦାନ କରିବା ଭଙ୍ଗୀରେ ଖିଲିଖିଲି ହସିଲା ।

 

‘କାଲି ଭେଟିବି !’

 

ପ୍ରଶାନ୍ତ ମୁକ୍ତିର ନିଃଶ୍ୱାସ ନେଲା । ମୁରୁକି ହସି ସମୟ ନୋଟ୍‌ କଲା । କମ୍ମୋ ତା’ ହାତରେ କ’ଣ ନ କରେଇବ ସେଇ ଆଶ୍ଚର୍ଯ୍ୟ !

 

ପ୍ରଶାନ୍ତର ଆୟତାକାର ଷ୍ଟୁଡ଼ିଓରେ ଛବିଗୁଡ଼ିକ ଦେଖିବା ବେଳେ ହଠାତ୍‌ ଯେମିତି ମନେପଡ଼ିଗଲା କମ୍ମୋର....

 

‘ତମର ସେ ଆତଙ୍କିତ ହରିଣୀ ଛବି ବିକା ହେଲା ?’

 

‘ତାକୁ ତ ବିକିବାର ନଥିଲା ।’ ଯେମିତି ନିଜେ ନିଜକୁ ଉତ୍ତର ଦେଲା ପ୍ରଶାନ୍ତ ।

 

‘କିଛି ବିଶେଷ କାରଣ !’

 

‘ଜାଣିବାକୁ ଚାହୁଛ ?’

 

‘ସେଇଥିଲାଗି ତ ପଚାରୁଛି ।’

 

‘ତା ଆଖିରେ ମୁଁ ତୁମକୁ ଦେଖେଁ । ସେ ଚିତ୍ରଟି ପାଇଁ ମୋର ବିଚିତ୍ର ମୋହ ଅଛି !’

 

ସେତେବେଳେ କମ୍ମୋ ବେଶ୍‌ ଶାଣିତ ଆଖିରେ ପ୍ରଶାନ୍ତକୁ ଦେଖିଥିଲା ।

 

କମ୍ମୋର ଆଖିରେ ସତରେ ଏତେ ଆତଙ୍କ ଅଛି ? ପ୍ରଶାନ୍ତ ଦୁଇ ହାତରେ କମ୍ମୋର ଗାଲ ଧରି ଆଖିର ସାଗର ଭଳି ଗଭୀରତାକୁ ଦେଖିଥିଲା । କହିଥିଲା–‘ବାହାରର ଆତଙ୍କରୁ ମୁକ୍ତ ହେବା ଭାରି ସରଳ କମ୍ମୋ, ତେବେ ବୋଧହୁଏ ଭିତରର ଆତଙ୍କରେ ଗ୍ରସ୍ତ ହୋଇ ରହିବା ପାଇଁ ଆମକୁ ଅଭିଶାପ ମିଳିଛି । ମୁଁ ବି, ତମେ ବି । ତମେ ମୋଠାରୁ କିଛି ଅଧିକ । ଗୋଟିଏ ତିଆରି ବାଗ ବା ଛାଞ୍ଚକୁ ସ୍ୱୀକୃତି ଦେଇଛ ତମେ । ତମ ଆଖିରେ ସେଇ ଅଭିଶାପର ଛାଇ ଦେଖିଛି ମୁଁ, ଯାହା ତମର ସଂସ୍କାର, ବିଶ୍ୱାସ ଲଦିଦେଇଛି ତମ ଉପରେ ।

 

କମ୍ମୋ ସେଇ ଅଭିଶାପକୁ ଧୋଇ ଦେବା ଲାଗି ପ୍ରଶାନ୍ତ ପାଖକୁ ଆସିଛି । ସେ ଜାଣିଛି ଯେ, ସେ ମାମୁର ସାବିତ୍ରୀ ହୋଇ ପାରିନାଇଁ । ମା’ଙ୍କର ଚଉରା ମୂଳରେ ଦୀପ ଜଳେଇ ପରିକ୍ରମା କରି ଗୃହଲକ୍ଷ୍ମୀ ବି ହୋଇ ପାରିବନାହିଁ । ମାଙ୍କର ଶିଖେଇଲା ବତେଇଲା ଛାଞ୍ଚରେ ବି ନିଜକୁ ଢାଳି ଦେଇ ପାରିନାହିଁ । ଆଶ୍ଚର୍ଯ୍ୟ କଥା ଯେ, ସଂବେଦନହୀନ ହୋଇ ବିଜୟ ପାଇଁ ନିଷ୍ପ୍ରଣ, ନିର୍ଜୀବ ରବର ପିସ୍‌ଟିଏ ବି ହୋଇ ପାରିଲା ନାଇଁ । ଭିତରେ ନାରୀଟିଏ ବରାବର ଫଣା ଟେକେ । ଉଠିଲେ ବସିଲେ, ଚେତନତା ଅଚେତନତାରେ ତା’ର ଫୁତ୍‌କାର ତା’ର ପ୍ରତିଟି ଶିରା ପ୍ରଶିରାକୁ ଗ୍ରସ୍ତ କରେ । ଆଉ ସେ ଫୁତ୍‌କାରକୁ ଅଶୁଣା ବି କରିଦେଇ ପାରିନାଇଁ କମ୍ମୋ । ଗୋଟିଏ ନାରୀ, ମା, ପତ୍ନୀ, ଭଉଣୀ, ଝିଅ, ସବୁକିଛି ହୋଇବି ନିହାତି ଭିନେ ।

 

‘ଏତେ ବୋଝ ମୁଣ୍ଡେଇ ଚାଲିବା ଦୂରୁହ କଥାଟିଏ ନା କମ୍ମୋ !

 

ପ୍ରଶାନ୍ତ ମମତା ଦେଲା । ଆଖିପତା ଆଉଁସି ଦେଲା । କେତେ ସ୍ନେହ ଆଦରରେ ସେ ସ୍ପର୍ଶ ।

 

କମ୍ମୋକୁ ତ ବୋଝ ମୁଣ୍ଡେଇ ଚାଲିବାକୁ ଶିଖେଇ ଦିଆହେଇଛି ପ୍ରଶାନ୍ତ ! ଏ ପର୍ଯ୍ୟନ୍ତ ତା’ର ସେଇ ବୋଝର ଅଭ୍ୟସ୍ତ ହୋଇଯିବା ଉଚିତ । ହେଲେ କମ୍ମୋ କିଛି ବି ଶିଖି ପାରିଲା ନାଇଁ । ସେଇଥିଲାଗି ପାଦ ତାର ସଳଖି ପଡ଼ୁ ନାଇଁ । ଗୋଟିଏ ପାଦ ଆଗକୁ ବଢ଼ିଲେ ମନେ ହେଉଛି, ଯେମିତି ମାଟି ଚାରିପାଦ ଘୁଞ୍ଚି ଯାଉଛି ପଛକୁ । ଆଉ ଏଇ କ୍ରମକୁ ମାପି ମାପି ଶରୀର ମୋର ବେଶ୍‌ କିଛି ଥକିଗଲାଣି ।

 

‘ମନର ବୋଝକୁ ଉତାରି ଦିଅ । ହଜାର ହଜାର ଦୃଷ୍ଟିରେ ଶରବିଦ୍ଧ ହୋଇ ମଧ୍ୟ ତମେ ତମକୁ ଚିହ୍ନିଛ । ଯେଉଁ ନାରୀର ସ୍ୱର ତମେ ଶୁଣିଛ ସେ ସମ୍ୱନ୍ଧର ଧାଡ଼ିରେ ଛିଡ଼ାହୋଇ ରହିଥିଲେ ବି ସ୍ୱତନ୍ତ୍ର, ସ୍ୱୟଂସଂପୂର୍ଣ୍ଣ । କମ୍ମୋର ସେଇ ଅଂଶରେ ତାର ପ୍ରାଣ ସଂଚାରିତ ହୋଇଥାଏ । ସେଇ ଭ୍ରମିତ ହୋଇଥିବା ନାରୀକୁ ଖୋଜି ଆପେ ମହତ୍ୱପୂର୍ଣ୍ଣ ।’

 

‘ମହତ୍ୱପୂର୍ଣ୍ଣ !’ କମ୍ମୋ ନିଷ୍କମ୍ପ ଆଖିରେ ଦେଖି ପଚାରିଲା ।

 

‘ହଁ କମ୍ମୋ । ପୋତା ଶବ ଉଠେଇ ପ୍ରାଣ ସଂଚାରିତ କରାଯାଇ ପାରିବ ନାହିଁ । ସତ କହିବାକୁ ଗଲେ ବର୍ତ୍ତମାନଠାରୁ କିଛି ବି ମହତ୍ୱପୂର୍ଣ୍ଣ ନୁହେଁ ।

 

ପ୍ରଶାନ୍ତର ପୂର୍ଣ୍ଣ ଅପୂର୍ଣ୍ଣ ଛବିରେ ଭରି ରହିଥିବା ଷ୍ଟୁଡ଼ିଓରେ ନିଜକୁ ଚିନ୍ତାହୀନ ମନେକରୁଥିଲା କମ୍ମୋ । ଦୁଇ ଜଣକର ପାଖେ ପାଖେ ରହିଥିବାର ଅନୁଭୂତିଠାରୁ ସୁଖର ଚରମାନନ୍ଦରେ ପହଞ୍ଚିବା ଯାଏ ଆପଣା ଭିତରେ ବେଶ୍‌ ଜଟିଳ ହୋଇ ବାନ୍ଧି ହୋଇଥିବା ଗଣ୍ଠିଗୁଡ଼ିକ ଧୀରେ ଧୀରେ ଖୋଲିଯିବା ଭଳି ଲାଗୁଥିଲା । ତୁଳା ଭଳି ହାଲୁକା କମ୍ମୋ ସେଇ ଛୋଟୀ ଚଢ଼େଇଟିର ସୁଖର ଅନୁଭବ କଲା ଯେ, ଆକାଶର ଉଚ୍ଚତାକୁ ତାର ଛୋଟଛୋଟ ପକ୍ଷୀରେ ଜିଣି ଚାଲେ ।

 

ଆଉ ପ୍ରଶାନ୍ତକୁ କୃତଜ୍ଞ ଆଖିରେ ଅନେଇ ରହିଲା ।

 

‘କୃତଜ୍ଞତାର ଭାଗିଦାର ତ ଦୁହେଁ କମ୍ମୋ !’ ସତରେ ଯେମିତି ପ୍ରଶାନ୍ତ କମ୍ମୋର ଅନ୍ତର୍ମନକୁ ଦେଖି ଏକା ସାଙ୍ଗରେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲା । ‘ଏଇଠି ଉଭୟେ ବିଜୟୀ । କେହି ବି ବିଜିତ ନୁହେଁ । ମୁହୂର୍ତ୍ତର ବ୍ୟାଖ୍ୟା କରି ଭ୍ରମିତ ହେବାଠାରୁ ତାକୁ ସଂପୂର୍ଣ୍ଣତାରେ ଗ୍ରହଣ କରିନେବା କଣ ଭଲ ହେବ ନାଇଁ !’

 

କମ୍ମୋ ଆଖି ବୁଜିନେଲା ।

 

କଢ଼ର ପାଖୁଡ଼ା ଖୋଲି ଖୋଲି ଯାଉଥିଲା । ପଲକ ଉପରେ ସୁଖର ମିଠାମିଠା ସ୍ପର୍ଶ ମଧୁରତର ହେଲା । ସୁଖାବେଗକୁ ସମାନ ରୂପରେ ଗ୍ରହଣ-ପରିଗ୍ରହଣ ଭିତରେ ସତରେ ଯେମିତି ଚିନ୍ତାର ସବୁ ଦ୍ୱାର ଅବରୁଦ୍ଧ କରିନେଇଥିଲା କମ୍ମୋ । ଆଉ ସେ କୌଣସି ବ୍ୟାଖ୍ୟାରେ ଭ୍ରମିଯିବ ନାଇଁ । ଥରେ ଯାହା ହଜିଯାଏ, ପଛରେ ରହିଯାଏ, ତାକୁ ଆଉ କଣ ଫେରାଇ ଆଣି ହୁଏ ! କମ୍ମୋ ଅନେକ ପାହାଚ ଚଢ଼ି, ବୁଣି ହଜେଇ, କୌଣସି ଅର୍ଥ ପାଇନାହିଁ, ଯାହା ପୂର୍ଣ୍ଣ ଓ ଅନ୍ତିମ ନ ହୋଇ ବି ତନୁ ଓ ମନରେ ଦୂରତା ଭରିଦିଏ । ମୁକ୍ତିର ଅନୁଭୂତି ସାଙ୍ଗରେ କମ୍ମୋ କାହାକୁ ହେଲେ ବନ୍ଦୀକରି ରଖିବ ନାଇଁ । ନା ବିଜୟକୁ, ନା ପ୍ରଶାନ୍ତକୁ !

 

କମ୍ମୋକୁ ବେଶ୍‌ ସଂଯତ ଦେଖି ହଠାତ୍‌ ସତର୍କ ହୋଇଗଲା ବିଜୟ । କେତେବେଳେ ଅଧରାତି ଯାଏଁ ଝରକା ପାଖରେ ଅନେଇ ବସିଥିବା ବିଜୟର ପାଦ ଶବ୍ଦରେ ବ୍ୟସ୍ତ ହୋଇ କଡ଼ ଲେଉଟାଉଥିବା କମ୍ମୋ—ସବୁବେଳେ କ୍ଳାନ୍ତ, ଅନ୍ୟମନସ୍କ, ଅସଂପୃକ୍ତ, ଆଉ କେତେବେଳେ ନିଜର ସାଧାରଣ ବ୍ୟସ୍ତତା ଭିତରେ ନିହାତି ସତେଜ, ବିଛଣାରେ ଆରାମରେ ନିଶ୍ଚିନ୍ତ ନିଦ୍ରାରେ ଶୋଇଯାଇଥିବା କମ୍ମୋ ଏବେ ସ୍ଳିପିଙ୍ଗ୍‌ ପିଲ୍‌ ଖାଇବା ବି ବୋଧହୁଏ ବନ୍ଦ କରି ଦେଇଛି । ଶୋଇଛି-। ଚେହେରାରେ ନିରୀହ ଶିଶୁଟି ଭଳି ନିରପରାଧ ଭାବ ଆଉ ତା’ର ଆଶ୍ୱସ୍ତିରେ ବିଜୟ କିଭଳି ତା ବିରୋଧରେ ଏକ ଷଡ଼ଯନ୍ତ୍ର ଥିବା ମନେକଲା । ମନ ଭିତରେ ତାର ଏକ ଅପରିହାର୍ଯ୍ୟ ଉତ୍ସୁକତା ଭରିଗଲା । ଅନ୍ୟ କେହି ପୁରୁଷର ବିଶ୍ୱାସ ଜିଣି ନେଇନାହିଁ ତ କମ୍ମୋ ! କେତେ କେତେକୁ ଖୋଜି ବସିଲା ବିଜୟ । କେତେ କେତେ ରୁଦ୍ଧ ଦ୍ୱାରକୁ ଖୋଲି ଦେଖିବାକୁ ଇଚ୍ଛାକଲା ।

 

ନିପୁର ବାର୍ଥଡେ ପାର୍ଟି, ପରିଚିତ ମିତ୍ରବନ୍ଧୁଙ୍କ ଭିତରେ ଏକ୍‌ସରେ ଆଖିରେ ଦେଖି ବସିଲା ବିଜୟ । ଡାକ୍ତର ରତ୍ନା ଥରେ ଅଧେ ପାଖରେ ବସି କଥା ହେବାକୁ ଚାହିଥିଲେ । ମାତ୍ର ଔପଚାରିକତା ରଖି ସେ କମ୍ମୋ ପାଖରେ ପାଖରେ ହିଁ ରହିଥାଏ । ରତ୍ନା ଏଇ ଆକସ୍ମିକ ପରିବର୍ତ୍ତନ ପାଇଁ ଉଦାରତାରେ ମୁରୁକି ହସିଲେ ଆଉ ନଇଁପଡ଼ି ବିଜୟ କାନରେ ‘ଗୁଡଲକ୍‌’ କହି ହସିଲେ ବି ମନଭରି । ଉତ୍ତରରେ ଅନ୍ୟମନସ୍କ ହସଟିଏ ବିଜୟର ଚେହେରାରେ ଖେଳି ଯାଇଥିଲା-। ବିଜୟର ଆଲୋଚକ ଭଳି ଦୃଷ୍ଟି କିଛିଟା ପୀଡ଼ା ଅବଶ୍ୟ ଦେଇଥିଲା କମ୍ମୋକୁ । ପରସ୍ପରର ସୁଖ ଦୁଃଖର ଅନୁମାନ କରିବାର ଶକ୍ତି ଥାଇ ବି ଆମେ ସେଇ ଭାବ ପ୍ରତି ନିଃସଙ୍ଗ କିଭଳି ହୋଇଉଠୁ ଯାହା ଆମର ଅନ୍ତରାତ୍ମାକୁ ଛୁଏଁ ନାଇଁ । ଯାହା ସାଙ୍ଗରେ ଆମର କୌଣସି ସିଧାସଳଖ ସମ୍ୱନ୍ଧ ଥାଏ ନାଇଁ ! ତାରି ବଦଳରେ ପରସ୍ପରର ଛୋଟ ଛୋଟ ବ୍ୟକ୍ତିଗତ ସୁଖ ପ୍ରତି ଆମର ଦୃଷ୍ଟି ଶାଣିତ ହୋଇ ଉଠେ । କ’ଣ ପାରସ୍ପରିକ ସମ୍ୱନ୍ଧରେ, ବ୍ୟଷ୍ଟି ରୂପରେ ବଞ୍ଚି ଥିବା ବା ଭୋଗ କରିଥିବା କୌଣସି ମଧୁର ଭାବ ଲାଗି ଉତ୍ତରଦାୟୀ ହେବା ଜରୁରି ? ଯେତେବେଳେ ଅସ୍ଥିରତା, କୁଣ୍ଠା, ଆଦି ଆଦି ବ୍ୟକ୍ତିଗତ ହୋଇ ରହିଯାଏ, ଆଉ ତାକୁ ଭାଗକରି ନେବାର ସଂବେଦନା ଧରାବନ୍ଧା ସମ୍ୱନ୍ଧରେ ଜଗିପାରେ ନାଇଁ ବି !

 

ଭିତରେ ଭିତରେ ଉଦ୍‌ବେଳିତ କମ୍ମୋ ବାହାରେ ଶାନ୍ତ ଥିଲା । ତଟସ୍ଥ ଓ ନିଃସଙ୍ଗ । ବ୍ୟସ୍ତ ରହିଥିବା ଭଳି ଗୋଟାଏ ଟେବୁଲରୁ ଆଉ ଗୋଟାଏକୁ ସ୍ୱୀଟ୍‌, କଟ୍‌ଲେଟ୍‌, ଆଇସ୍‌କ୍ରିମ୍‌, ଡ୍ରିଙ୍କ୍‍ସ ନେଇ ଅଫର କରି ଚାଲିଥାଏ । ଏଣେ ଦି’ ଚାରି ପଦ, ତେଣେ ଔପଚାରିକ ଥଟ୍ଟା ପରିହାସ ବି ଚାଲିଥାଏ । ସେ ଭିତରେ ଭିତରେ ଘାରିହୋଇ ରହିଥିବାର ଭାବଟିକୁ କେତେବେଳେ ବାହାରେ ଉକୁଟେଇ ଦେଲା ନାଇଁ । ତା’ର ଚେହେରା ସୌମ୍ୟଭାବକୁ କୌଣସି ମଳିନତାରେ ଘୋଡ଼େଇ ଦେଲା ନାହିଁ । ରେକର୍ଡ ପ୍ଳେୟାରରେ ସେ ପ୍ରଶାନ୍ତର ପସନ୍ଦ ପ୍ଳେଟଟି ଲଗେଇ ଦେଲା । ‘ଜିୟୋ ହାଜାରୋଁ ସାଲ’ର ଆନନ୍ଦ ରୋଳ ଭିତରେ ସହଗଲଙ୍କର ଗମ୍ଭୀର ଗହଳ ଓ ସଂକୁଳ ସ୍ୱରରେ ବାତାବରଣ ଭରିଗଲା—‘ଦୁନିୟା ମେଁ ହୁଁ ଦୁନିୟା କା ତଲବଗାର ନହିଁ ହୁଁ ।’

 

ବିଜୟ ପ୍ରଶ୍ନବାଚକ ଆଖିରେ ଚାହିଲା କମ୍ମୋକୁ ! ଆଜି ପିଲାଙ୍କର ରୁଚିକୁ ବି ଅଦେଖା କରିଦେଲା କେମିତି ?

 

କମ୍ମୋ ହସି ହସି ପିଲାଙ୍କ ଭିତରେ ଥାଇ ପ୍ରହେଳିକା ଶୁଣେଇ ବସିଲା ।

 

ଆଠଟାରେ ପାର୍ଟି ସରିଲା । ସବୁ ସଜଡ଼ା ସଜଡ଼ି ସରିଲା ବେଳକୁ ଏଗାର । ଭିନେ ଭିନେ ପ୍ରେଜେଣ୍ଟେସନ୍‌ ଦେଖିବାକୁ ଚେଇଁ ରହିଥାଏ । ଶୋଇବାକୁ ଇଚ୍ଛା ନଥାଇ ଶୋଇବ କେମିତି-! କମ୍ମୋ ହସିଦେଲା ।

 

‘ଆଉ କ’ଣ ?

 

‘ଗପଟିଏ !’

 

‘ଏତେ ବଡ଼ ହେଲାପରେ ବି ଗପ !’

 

‘ଉଁ ହୁଁ’ ନିପୁ ଅଝଟ ହେଲା । କମ୍ମୋ ତା’ର ପିଲାଦିନକୁ ଫେରିଆସିଲା ଯେମିତି ।

 

‘ମାମୁ—ଗପ ?’

 

‘ଏତେ ବଡ଼ ହୋଇ ବି ଗପ !’ ମାମୁ କହନ୍ତି ।

 

‘କୁହନା ମମ୍ମୀ !’ ନିପୁ ପଣତ ଟାଣୁଥାଏ

 

‘ହଁ ହଁ ।’ ବର୍ତ୍ତମାନଙ୍କୁ ଫେରିଆସିଲା କମ୍ମୋ । ‘କୋଉ କଥା !’

 

‘ଭଲଗପ, କୋଉ କନ୍ଦାକଟା ଗପ ନୁହଁ ।’

 

ନିପୁକୁ କନ୍ଦାକଟା ଗପ ଭଲଲାଗେ ନାଇଁ । ମାମୁ ସୀତା ସାବିତ୍ରୀଙ୍କ ଗପ ଶୁଣଉଥିଲେ । ଶୁଣେଇବା, ଶୁଣିବା, ଦୁହିଁଙ୍କ ଆଖି ଛଳ ଛଳ ହୋଇ ଉଠୁଥିଲା । କମ୍ମୋ ବି କାନ୍ଦୁରା କଣ୍ଠରେ ଅଝଟ ହୁଏ....‘ମୁଁ ଏ ସୀତାରାମ କଥା ଶୁଣିବି ନାଇଁ । ସେ କେମିତିଆ ରାଜା, ଯିଏ ଦୋଷ କରିନଥିବା ରାଣୀକୁ ବି ଜଙ୍ଗଲକୁ ପଠେଇ ଦେଲା, କ’ଣ ଧୋବା ବାପୁଡ଼ା କହିଦେଲାରୁ ।’

 

ଆଁ....ସେମିତି କହନ୍ତି ନାଇଁ । ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ । ସୀତାଙ୍କୁ ପରିତ୍ୟାଗ କରି ସେ ନିଜେବି ତ ଦୁଃଖୀ ହେଲେ !’

 

ସତରେ ଯେମିତି ମାମୁ ବାତ୍ସଲ୍ୟଭରା ସ୍ୱର, ଅସ୍ପଷ୍ଟ ଯଦିଓ, ଶୁଣି ପାରୁଥିଲା କମ୍ମୋ । ଦୀର୍ଘନିଃଶ୍ୱାସ ପକେଇ ଗପ ଶୁଣେଇ ବସିଲା କମ୍ମୋ—କର୍ଣ୍ଣଙ୍କର କାହାଣୀ । ଜନ୍ମରୁ ତ୍ୟକ୍ତ, ଉପେକ୍ଷିତ କର୍ଣ୍ଣ ଯେ କୌଣସି ଦୃଷ୍ଟିରୁ ବି ଅର୍ଜ୍ଜୁନଠାରୁ ଊଣା ପୌରୁଷବନ୍ତ ନଥିଲା । କୌରବ ପାଣ୍ଡବଙ୍କର ଯୁଦ୍ଧବେଳେ କର୍ଣ୍ଣର ଶୌର୍ଯ୍ୟ ଦେଖି କୁନ୍ତୀ ପୁଅପାଖକୁ ଯାଇଥିଲେ । ତା’ର ଜନ୍ମର ରହସ୍ୟ ଉଦ୍‌ଘାଟନ କରି ନିଜର ଅସମର୍ଥତା ଓ ନିର୍ଦ୍ଦୋଷତାର କାହାଣୀ କହିଲେ । କୁମାରୀ ମାତାର ବିବଶତାର ଦୁହାଇ ଦେଇ ନିର୍ମମ ଭାବରେ ନିୟତି ହାତରେ ସମର୍ପି ଦେଇଥିବାର କଥା କହିଲେ ଆଉ କର୍ଣ୍ଣର ବୀରତ୍ୱ ଆତଙ୍କରେ ଆପଣାର ଭାଇମାନଙ୍କୁ ରକ୍ଷା କରିବାର ପ୍ରତିଶୃତି ନେଲେ । ଜୀବନସାରା ଉପେକ୍ଷିତ ମଣିଷର ବିଚିତ୍ର ମନୋମନ୍ଥନ । ଗୋଟିଏ ଦିଗରେ ଦୁର୍ଯ୍ୟୋଧନର ସ୍ନେହସମ୍ମାନ, ଅନ୍ୟ ଦିଗରେ ମାତାଙ୍କୁ ଦେଇଥିବା ପାଞ୍ଚପୁତ୍ରର ଅଭୟ । ଆଉ ପରିଶେଷରେ ରଥଚକ୍ରର ଦୁଃସ୍ଥିତି ଅସହାୟ ଅବସ୍ଥାରେ ଛଳନାମୟ ହତ୍ୟା.... !

 

ନିପୁର ଆଖିରେ ବି କ୍ରୋଧ ଆଉ ଘୃଣା ଭରିଗଲା । ‘ନ୍ୟାୟ ଯୁଦ୍ଧରେ ଏତେ ଅନ୍ୟାୟ ! କ’ଣ ଦୋଷ ଥିଲା କର୍ଣ୍ଣର !’

 

‘ପୁଅ, ଭାଗ୍ୟଚକ୍ର ଛଡ଼ା ତାକୁ ଆଉ କ’ଣ ବୋଲି କହିହେବ !’ କମ୍ମୋର ଏ ଉତ୍ତରରେ ସେ ନିଜେ ସନ୍ତୁଷ୍ଟ ହେଲା ନାଇଁ । ନିପୁ କେମିତି ହେବ ।’

 

‘ନା ମମ୍ମୀ....ଏସବୁ ପ୍ରଳାପ !’ ନିପୁ ଯୁକ୍ତି କରିବା ଶିଖିନଥିଲା ତେବେ ‘ପ୍ରଳାପ’ ଶବ୍ଦଟି ଅନେକ କିଛି କହିଦେଲା ବି ! ଆଖି ତା’ର ସଜଳ କରିଦେଲା ।

 

‘କେମିତି ମମ୍ମୀ ଥିଲା କୁନ୍ତୀ ? କେତେ ଖରାପ ?’

 

କମ୍ମୋ କୁନ୍ତୀଙ୍କର ଅପରାଧକୁ କୌଣସି ମର୍ଯ୍ୟାଦା, ଲୋକନିନ୍ଦା କିମ୍ୱା ସେଭଳି କିଛି ଘୋଡ଼ଣୀରେ ଢାଙ୍କି ଦେଇ ପାରିଲା ନାହିଁ । କାହିଁକି ନା ନିପୁ ସେଇ ପାଞ୍ଚୋଟି ପୁଅଙ୍କର ପିତାଙ୍କ ବିଷୟରେ ଜାଣିଛି । ତା’ର କେଉଁ କେଉଁ ପ୍ରଶ୍ନର ଉତ୍ତର ଦେଇପାରିବ କମ୍ମୋ ? ନିପୁର ଆଖିପତା ଆଉଁସି ଦେଇ ଅନେକ କିଛି ଉତ୍ତର ଦେବାର ଚେଷ୍ଟା କଲା ସେ—‘ମୃତ୍ୟୁ ପରେ ତାକୁ ସେ ସବୁ କିଛି ମିଳିଲା ଯାହା ଜୀବନରେ ମିଳି ନଥିଲା । ମା’ ଆଉ ଭାଇମାନଙ୍କର ଆଦର, ସ୍ନେହ, ଶ୍ରଦ୍ଧା, ସମ୍ମାନ । ସବୁ ମହାପୁରୁଷଙ୍କର ତାହାହିଁ ହୋଇଥାଏ ।

 

ନିପୁ ମାଆ କୋଳରେ ମଥାଗୁଞ୍ଜି ଶୋଇପଡ଼ିଲା । ତା’ପରେ କଥାର କୌଣସି ଅର୍ଥ ନଥିଲା । ପୁଅ କମ୍ମୋ କଥାରେ ସନ୍ତୋଷ ହୋଇ ନଥିଲା । ସେ ନିଜେ ବି ତ ବର୍ଷ ବର୍ଷ ତଳେ ଶୁଣିଥିବା ରାମ ସୀତା ଗପରୁ ସନ୍ତୋଷ ପାଇନଥିଲା ?

 

ପାଖରେ ଶୁଏଇ ବୁଜି ହୋଇଥିବା ଆଖିପତାରେ ତା’ର ଚୁମା ଦେଲା କମ୍ମୋ, କମ୍ମୋ ସେଇ ପୁଅଟି ଲାଗି ଜୀଇଁ ରହିବ ।

 

ନିଜେ ବି ପାଖରେ ଶୋଇଯାଇ ଗହନ ନିଦରେ ହଜିଗଲା । ବିଜୟ ଡ୍ରୟର ଟାଣିନେଲା-। ବେଶ୍‌ ଶବ୍ଦକରି ଦରଜା ଦୁଆର ବନ୍ଦ କରିଦେଲା । ତେବେ ବି ଶୋଇ ରହିଥିଲା କମ୍ମୋ-। ଏତେ ପରାଜୟର ଗ୍ଳାନିବୋଧ ଏହା ଆଗରୁ କେବେ ବି କରିନଥିଲା ବିଜୟ । ତା’ର ଆହତ ଅହଂ ନାଗଭଳି ଫଣାଟେକି ଠିଆ ହେଲା । ସେତେବେଳେ ସେ ମନେକଲା କମ୍ମୋ ତାକୁ ସବୁବେଳେ ପରାଜିତ କରିଆସିଛି । ତା’ର ନିସ୍ପୃହତା ସବୁବେଳେ ତା’ର ପୌରୁଷକୁ ଯୁଦ୍ଧ ଡାକରେ ଦେଇଛି-। ନିଜେ ନିଜକୁ କ’ଣ ବୋଲି ମନେ କରୁଛି ଏଇ ନାରୀ !

 

ସେ ଛୁଇଁଲା କମ୍ମୋକୁ ।

 

‘ଶୋଇ ପଡ଼ିଲ କି ?’ ସ୍ୱରରେ ତା’ର କୌଣସି ମାଧୁରୀଭରା ଆମନ୍ତ୍ରଣ ନଥିଲା, କେବଳ ମାତ୍ର ଏକ ଆରୋପର ଗନ୍ଧ ଥିଲା । କମ୍ମୋ ତା’ର ଭାରକ୍ରାନ୍ତ ଆଖି ଖୋଲି କହିଲା ଖାଲି–‘ସାରାଦିନ ବିଜୀ ଥିଲି ତ !’ ଆପଣା ସ୍ୱରକୁ ଗୋଟାଏ ଲୟରେ ରଖିନେବା ୟା’ ଭିତରେ ଶିଖିନେଇଥିଲା ।

 

ଶାରୀରିକ ସମ୍ୱନ୍ଧର ସବୁ କଥାକୁ ଶାନ୍ତ ସ୍ମିତ ହସରେ ସ୍ୱୀକାର କରିନେଲା କମ୍ମୋ । କମ୍ମୋର ଯେ କୌଣସି ସ୍ୱୀକାରରେ ବିଜୟ ପାଇଁ ଅସ୍ୱୀକୃତିର ପ୍ରଶ୍ନ ହିଁ ଉଠେ ନାଇଁ । ବିଜୟର ଏକାଧିକାରର ବୋଝ ସେ ସହିବ ସବୁଦିନ । ସବୁ ସ୍ଥିତିରେ, କାରଣ ତହିଁରୁ ଦୂରେଇ ଯାଇ ଭାବି ବସିବା ବି ତାକୁ ସେଇ ପରିମାଣରେ ପୀଡ଼ାଦେବା ଯେତେ ତାକୁ ଗ୍ରହଣ କରିପାରିବ ସେ । ସେଇ ଏକା କଥା ।

 

ସମ୍ପୂର୍ଣ୍ଣତା ? କୋଉଠି ଥାଏ ସମ୍ପୂର୍ଣ୍ଣତା ! ଚାହିଁଲା ନ ଚାହିଁଲା କୋଉ ସମ୍ୱନ୍ଧରେ ! କମ୍ମୋ ବିଭିନ୍ନ ଟୁକୁରାରେ ବାଣ୍ଟିହୋଇ ବଞ୍ଚିବ ବି, କାରଣ ପ୍ରତ୍ୟେକ ସ୍ଥିତିରେ ବଞ୍ଚି ରହିବା ହିଁ ମହତ୍ୱପୂର୍ଣ୍ଣ ! ନିପୁ, ବିଜୟ, ପ୍ରଶାନ୍ତ, ଗତ, ଆଗତ, ଅନାଗତ ସେଇ ସବୁ ଭିତରେ ସମ୍ପୂର୍ଣ୍ଣତା ଖୋଜିବ—ସବୁଠି ଥାଇ, ଯୋଡ଼ି ହୋଇ, ପୃଥକ୍‌ ହୋଇ !

 

ନାଲି ଡୋରୀରେ ବନ୍ଧା ଇତିହାସର କୋଉ ସତ୍ୟତାର ଅନୁସାରେ ସେ ଗଢ଼ି ପାରୁଛି ତା’ର ଆପଣାର ଜୀବନକୁ ! ଯାହା କିଛି ବି ରଙ୍ଗ ବାଛିଲା, ବୁଣି ହୋଇଗଲା । ସବୁ ବିଶ୍ୱାସ ପଙ୍ଗୁ ହୋଇଗଲେ । ଜେଜେମା, ମା, ମାମୁ କେତେ ଚିତ୍ର ତା’ ହାତକୁ ବଢ଼େଇ ଦେଲେନାଇଁ ! ସବୁ କିଛିକୁ ସଜାଡ଼ି ସାଇତି ରଖିବାର ଅନୁରାଗ ଥିଲେ ବି ଖରା ପବନରେ ଟୁକୁରା ଟୁକୁରା ହୋଇଗଲେ ସେ ସବୁ । ଭୁଲ କୋଉଠି ହେଲା ! ମା’ କହିଲେ ଏ ଚିତ୍ର ଶାଶ୍ୱତ । ଏହାର କୌଣସି ରଙ୍ଗରେଖା ଅପୂର୍ଣ୍ଣ ନୁହେଁ । କମ୍ମୋ ଆଖିବୁଜି ସ୍ୱୀକାର କରିନେଲା ! ତା’ପରେ ?

 

ତା’ପରେ ଆଖି ଖୋଲିଲା କମ୍ମୋ । ଯେତେ ଯେତେ ସେଇ ରଙ୍ଗରେଖାକୁ ଦେଖିଗଲା ସେତେ ସେତେ ଅପୂର୍ଣ୍ଣ ମନେହେଲା । ସମୟର ଧୂଳି ଜମି ରଙ୍ଗଛଡ଼ା ହେଉଥିବା ପୃଷ୍ଠା ଉପରେ କୌଣସି ଆସ୍ଥା ରହିଲା ନାଇଁ କମ୍ମୋର । ମା’ର କଥାକୁ ସନ୍ଦେହ କଲା । ଶାଶ୍ୱତ ଶବ୍ଦ ସତରେ କଣ ଠିକ୍‌ !

 

ଭାଙ୍ଗିପଡ଼ିବାର ତିଖରେ ଠିଆହୋଇ ଛୋଟ ନିର୍ଣ୍ଣୟଟିଏ ନେଇଥିଲା କମ୍ମୋ ! ସେ ଜୀବନର ପ୍ରତିଟି ନିଃଶ୍ୱାସକୁ ଆପଣା ନିଃଶ୍ୱାସରେ ଛୁଇଁ ଦେଖିବ । ତା’ର ଅହଂକୁ ଦେଖିବ । ତା’ର ଆପଣାର ଅର୍ଥଦେବ ! ମା’ର ଦେଇଥିବା ଛବିରେ ସେ ତା’ର ନିଜ ଢଙ୍ଗରେ ରଙ୍ଗ ଦେବ । ଆକାର ଦେବ । ତେବେ ତାକୁ ଶାଶ୍ୱତ କରିବାର ଭୁଲ ଆଦୌ କରିବ ନାଇଁ ।

 

ଆକାଶରେ ବର୍ତ୍ତୁଳାକାର ଜହ୍ନ ଯେମିତି ସ୍ତବ୍‌ଧ ହୋଇ ଅନେଇଛି । ମନ ଭିତରେ ଆକୁଳତା ପ୍ରତି ଯୁଗର, ପ୍ରତ୍ୟେକ କ୍ଷଣର । ମାସସାରାର କ୍ଷୟ ବୃଦ୍ଧି ଭଳି ରହିଥିବ; କମ୍ମୋର ନଥିବା ବେଳରେ ବି !

 

ଆକାଶରେ ମୃଗଶାବକ ଦଉଡ଼ିବେ । ଭିନ୍ନ ଭିନ୍ନ ଆକାର ନେଇ ପୁନଶ୍ଚ ବିଲୀନ ହୋଇଯିବେ । ଯେତେବେଳଯାଏଁ ଆକାଶର ଏଇ ଟୀକାକୁ କାଳ ପୋଛି ଦେଇନାହିଁ ।

 

ମେଘଖଣ୍ଡର ଉକୁଟି ଆସୁଥିବା ଆକାରକୁ ନିଷ୍କମ୍ପ ଆଖିରେ ଅନେଇ ରହିଥିଲା କମ୍ମୋ ! ନିକୋଲାଇ ଗେରିକ୍‌ଙ୍କ ‘ହିମାଳୟର ମହାନ୍‌ ଆତ୍ମା’ର ଆକାତ୍ୱରେ ତାହା ବିସ୍ତୁତ ହେଉଥାଏ, ରହସ୍ୟମୟ, ଗମ୍ଭୀର ଓ ନୈସର୍ଗିକ…..

Image